Unknown

 

 

 

 

 

 

 

 

 

 

 

ଭାଗ୍ୟଚକ୍ର

ଶ୍ରୀ ଅନନ୍ତ ପ୍ରସାଦ ପଣ୍ଡା

 

 

 

 

 

 

ଭାଗ୍ୟଚକ୍ର

 

ତୃଣଗୁଚ୍ଛ, ତାରାବାଈ, ସଭ୍ୟତାର ତଳେ, ମନର ଭୂତ,

ବାରମଜା, ମୁକ୍ତ ଆକାଶର ବିହଙ୍ଗ, ନୂଆଦୁନିଆ, ସହଯୋଗ, ଝଙ୍କାର,

କୁଲି ପ୍ରଭୃତି ପୁସ୍ତକର ପ୍ରଣେତା

 

[ଏକ]

 

‘‘ଆରେ ବାପ ଦାମ, ତିନି ତିନି ବର୍ଷ ହେଲା ତୋ ସଙ୍ଗରେ ଲଗେଇଲି, ତେବେ ବି ତୁ ମୋ କଥା ଶୁଣିଲୁ ନାହିଁ । ତିଦସ୍ତା ବରଷ କହିଲି, କହିଲୁ—ନା, ଏ ବର୍ଷ ଦେଣା ସୁଝା ସରି ନାହିଁ, ଏ ବର୍ଷ କରି ପାରିବୁ ନାହିଁ । ଗଲା ବର୍ଷ କହିଲି, କହିଲୁ—ନା, ଏ ବର୍ଷ ମରୁଡ଼ିରେ ଚାଷ ନଷ୍ଟ ହୋଇଗଲା, ଆସନ୍ତା ବର୍ଷକୁ କରିବା । ଆସନ୍ତା ବର୍ଷ ବି ତ ଆସି ହେଲା । କାହିଁ ସେ ବିଷୟରେ ତ କିଛି ନାଁ ଧରୁ ନାହୁଁ ? କିରେ, ତୋ ମନର ବାସନାଟା କଣ ? ଏ ବୁଢ଼ୀ ମା ଟାକୁ ଆଉ କେତେ ଦିନ କଷ୍ଟ ଦେଉଥିବୁ ?’’

 

ମାଘମାସିଆ ସକାଳ । ଦିନ ଦୁଇ ଘଡ଼ି ସରିକି ହେବ । ଦାମୋଦର ବାଡ଼ିଆଡ଼େ ଚାନ୍ଦିନି ଉପରେ ଖରା ଆଡ଼କୁ ପିଠି କରି ବସି ଦାନ୍ତ ଘଷୁଛି । ଦାମୋଦରଟି ବଡ଼ ଶାନ୍ତ ଶିଷ୍ଟ । ବୟସ ପ୍ରାୟ ବାଇଶି ତେଇଶି ହେବ । ଦେହର ରଙ୍ଗଟି ଗୌରବର୍ଣ୍ଣ । ଶରୀରର ଗଠନ ବଳିଷ୍ଠ । ଚେହେରାଟି ଦେଖିଲେ ବଡ଼ ସରଳ ବୋଲି ବୋଧ ହୁଏ । କଟକ କଲେଜରେ କୁଆଡ଼େ ପାଠ ପଢ଼ୁଥିଲା, କିନ୍ତୁ ଚାରି ବର୍ଷ ହେଲା ବାପ ମରିଯିବାରୁ ପଢ଼ାପଢ଼ି ଛାଡ଼ିଦେଇ ଆସି ଘରେ ବସିଛି । ଦାମୋଦରର କୁଟୁମ୍ବ ବୋଇଲେ—ମା ବୁଢ଼ୀଟି । ଦାମୋଦରର ବାପ ରାଧାଶ୍ୟାମ ଦାଶେ ବଡ଼ ସାହାଖର୍ଚ୍ଚୀ ଥିଲେ-। ପୁଅ ପାଇଁ କିଛି ସାଇତି ଯିବା ଦୂରେ ଥାଉ, ବରଂ କିଛି ଦେଣା କରି ଯାଇଥିଲେ-। ବାପ ମରିଯିବାରୁ ଦାମୋଦରକୁ ଚାରିଦିଗ ଅନ୍ଧାର ଦିଶିଲା; କିନ୍ତୁ କଣ କରିବ ? ଉପାୟ ନାହିଁ-। କାଳ ଉପରେ ହାତ କାହାର ? ଦାମୋଦରଟି ବଡ଼ ପରିଶ୍ରମୀ । ଅନ୍ୟାନ୍ୟ କଲେଜ ପଢ଼ୁଆ ଟୋକାଙ୍କ ପରି ଦାମୋଦରର ବି ଖୁବ୍‌ ବାବୁଆନି ଥିଲା, କିନ୍ତୁ ବାପ ମରିଯିବାରୁ ପଢ଼ା ଛାଡ଼ିଦେଲା ଦିନୁ ତାର ସେ ବାବୁଆନି କୁଆଡ଼େ ଉଭେଇ ଯାଇଛି । ଗାଆଁକୁ ଆସି ମୂଲିଆ ମଜୁରିଆଙ୍କ ସଙ୍ଗରେ ଲାଗି ଦାମୋଦର ଚାଷବାସର ଅନେକ ଉନ୍ନତି କଲାଣି । ଦେଣାଟା ମଧ୍ୟ ଅନେକ ସୁଝି ଦେଲାଣି-। ତାର ଇଚ୍ଛା, ଦେଣାଟା ସୁଝା ସରୁ, ଚାଷବାସ କରି ଅବସ୍ଥାଟା ଟିକିଏ ସ୍ୱଚ୍ଛଳ ହୋଇ ଆସିଲେ ବାହା ହେବ-। ସେଥିପାଇଁ ଏ ବର୍ଷ କରିବା, ସେ ବର୍ଷ କରିବା, କହି ମାକୁ ଟାଳି ଦେଉଥିଲା । କିନ୍ତୁ ମା ଯେ ବୁଢ଼ୀ ହୋଇ ଗଲାଣି, କାମ କରି ପାରୁ ନାହିଁ, କଷ୍ଟ ପାଉଛି, ଏକଥା ତାକୁ ଜଣା ନ ଥିଲା-। ମା ବି କୌଣସି ଦିନ ତାଙ୍କ କଷ୍ଟ ବିଷୟ ପୁଅ ଆଗରେ କହି ନାହାନ୍ତି । ବରାବର ହସ ହସ ମୁହଁରେ ସବୁ କାମ କରି ଯାଉଥାନ୍ତି । କିନ୍ତୁ ବିଭାଘର ବିଷୟରେ ପୁଅକୁ ଉଦାସ ନ ଦେଖି ବୁଢ଼ୀ ଆଜି ସେ କଥା କହି ପକାଇଲେ ।

 

ଦାମୋଦରର ମାତୃବତ୍ସଳ ହୃଦୟରେ ଗୋଟିଏ ଗଭୀର ଦାଗ ରହିଗଲା । ମନେ ହେଲା, ଯେପରି ଅଜାଣିଆ ଭାବରେ ସେ କେତେ ବଡ଼ ଅପରାଧଟାଏ କରି ପକାଇଲାଣି । ବିଭା ହୋଇ ବହୁଟିଏ ଆଣିଥିଲେ ମା ତ ଆଉ କଷ୍ଟ ପାଉ ନ ଥାନ୍ତେ ।

 

ମା ପୁଣି ପଚାରିଲେ, ‘‘କିରେ, ଗୁମାନ ମାରି ବସିଲୁ କାହିଁକି ? ଏ ବିଷୟରେ ଟିକିଏ ମନ ଦେ । ଆଉ କିଏ ଅଛି ? କିଏ ତୋ ଲାଗି ଚେଷ୍ଟା କରିବ ? ଯାହା କରିବୁ ଆପେ ଆପେ ।’’

 

ଦାମୋଦରର ଚମକ ଭାଙ୍ଗିଲା । ସେ କହିଲା, ‘‘ହଁ ମା, ଏ ବର୍ଷ ନିଶ୍ଚୟ କରିବା, କିନ୍ତୁ କନ୍ୟା ମିଳିବେ କାହୁଁ ? ଆମ ବ୍ରାହ୍ମଣଜାତି କଥା ତ ଦେଖୁଛୁ । ଦର ତ ଦିନକୁ ଦିନ ବଢ଼ୁଛି । ତିନିଶ, ଚାରିଶ, ପାଞ୍ଚ ଶହ ଟପି ଗଲାଣି । ଏତେ ଟଙ୍କା ବର୍ତ୍ତମାନ କାହୁଁ ପାଇବି ?’’

 

ମା—ହଁ, ତା ବି ତ ସତ । ପୋଡ଼ାମୁହାଁଗୁଡ଼ାକ ଜାତି, କୁଳ, ଗୋତ୍ର, ରୂପ, ଗୁଣ କିଛି କଣ ଚାହିଁବେ ? ତାଙ୍କର ଆଖି ହେଲା ଖାଲି ଟଙ୍କା ଉପରେ । ବର ପଛକେ ବୁଢ଼ା ହେଉ, ହଡ଼ା ହେଉ, ନାତି ନାତୁଣୀ ଥାଆନ୍ତୁ, ସେ ଯେବେ ଟଙ୍କା ଥଳିଏ ଅଜାଡ଼ି ଦେଲା, ତାକୁ ଝିଅ ଦେବେ । ଝିଅ ପଛକେ ସାତମଙ୍ଗଳା ନ ଯାଉଣୁ ରାଣ୍ଡ ହେଉ—

 

ଦାମୋଦର—ମା, ସେୟା ତ ହେଉଛି ବର୍ତ୍ତମାନ ଆମ ସମାଜର ନିୟମ ।

 

ମା—ରଖ୍‌ ତୋ ସମାଜ । ସେମିତିକା ସମାଜ ମୁହଁରେ ନିଆଁଖୁଣ୍ଟା ଜାଳି ଦେବାକୁ ମନ ହେଉଛି । ହଁ ସେଦିନ ତୋ ମଉସା କହୁଥିଲେ, ନୂଆଗାଁ ଚୌଧୁରୀଙ୍କର ପରା ଗୋଟିଏ କନ୍ୟା ଅଛି-। ସେ ପରା ଖୋଜି ଖୋଜି ବର ପାଉ ନାହାନ୍ତି । ଚୌଧୁରୀଙ୍କର ଇଚ୍ଛା ରାଣ୍ଡପୁଅ ହେଉ ପଛକେ, ଧରି ନେଇ ଝିଅଟି ସମର୍ପି ଦେବେ । ଜମି ବାଡ଼ି ଦେଇ ସ୍ଥାଏ କରିବେ । ମୁଁ ତ ତାଙ୍କୁ ଏତେକରି ରାଣ ନିୟମ ପକାଇ କହିଛି ଟିକିଏ ବୁଝିବା ପାଇଁ । ମା ମଙ୍ଗଳା ସତେ କଣ ଏ ହୀନକପାଳୀ ଡାକ ଶୁଣିବେ ।

 

ଦାମୋଦର—ମା, ସେମାନେ ହେଲେ ବଡ଼ଲୋକ । ଆଉ ଆମେ ହେଲେ ଗରିବ । ଆମକୁ କଣ ସେ ଖାତିରି କରିବେ ? ତାଙ୍କ ଝିଅକୁ ବର ମିଳୁ ନାହାନ୍ତି ବୋଲି ସେ ବର୍ତ୍ତମାନ ଏପରି କହୁଛନ୍ତି ହାତଗଣ୍ଠି ପଡ଼ିଗଲେ ସେ କିଏ ନା ଆମେ କିଏ ? ଚୌଧୁରୀ ଯେମିତିକା ଲୋକ ତୁ ତ ଜାଣୁ । ସେ ଦିନ ଟଙ୍କା ଦେବାକୁ ଯାଇଥିଲି, ତୁଚ୍ଛାଟାରେ ବାପାକୁ ଯେତେ ଗାଳିଦେଲା । ସୁଧର ସୁଧ କଷି ହିସାବ କରିନେଲା ।

 

ମା—କଣ କରିବୁ ବାପ ! ଆମେ ତ ଗରିବ, ଆମ କପାଳରେ ତ ସେୟା ଅଛି । ଆମକୁ ଗରିବ ବୋଲି ନିନ୍ଦା କଲେ, କଣ କରିବା ଯେମିତି ହେଉ ଆମର କାମଟା ହୋଇଗଲେ ହୁଏ ।

 

‘‘ଦାମ, ଘରେ ଅଛୁ ନା ରେ ଦାମ ।’’ ଦାଣ୍ଡଆଡ଼େ ପାଟି ଶୁଭିଲା । ‘‘ହେଇ ତୋ ମଉସା ଆସିଲେଣି’’ କହି ବୁଢ଼ୀ କବାଟ କାଢ଼ିବା ପାଇଁ ପୁଅକୁ ପଠାଇ ଦେଲେ ।

 

ମଉସା ମାର୍କଣ୍ଡ ମିଶ୍ରଙ୍କ ଘର ସେଇ ଗାଆଁର ଆର ମୁଣ୍ଡରେ ମିଶ୍ରେ ଲେଖା ଯୋଖାରେ ଦାମୋଦରର ମଉସା ହୁଅନ୍ତି । ମିଶ୍ରେ ଓ ଦାମୋଦରର ବାପା ଏକ ସଙ୍ଗରେ ସପରିବାରରେ ପୁରୁଷୋତ୍ତମ କ୍ଷେତ୍ରକୁ ଯାଇଥିଲେ । ସେଠାରେ ମିଶ୍ରଙ୍କ ସ୍ତ୍ରୀ ଦାମୋଦରଙ୍କ ମା ସାଙ୍ଗରେ ଧର୍ମ ଭଉଣୀ ହୋଇଥିଲେ । ମିଶ୍ରେ ଲୋକଟି ଦେଖିବାକୁ ଖୁବ୍‌ ଡେଙ୍ଗା; ଅଧା ତାଳଗଛ ପରି । ଶରୀରଟି ନିତାନ୍ତ କୃଶ । ବେକଟି ସାରସ ବେକ ପରି ଲମ୍ବା । ସେଥିପାଇଁ ଲୋକେ ମିଶ୍ରଙ୍କୁ ‘‘ଡେଙ୍ଗା ମାର୍କଣ୍ଡ’’ ବୋଲି କହନ୍ତି । ଅବଶ୍ୟ ସେଇଟା ପଛଆଡ଼େ । ମିଶ୍ରଙ୍କ ଦେହର ରଙ୍ଗ ଖୁବ୍‌ କଳା, ଆଖି ଯୋଡ଼ିକ ଖୁବ୍‌ ସାନ, ସାନ, ମିଞ୍ଜି ମିଞ୍ଜି ହୋଇ ଜଳୁଥାଏ । ମୁଣ୍ଡଟି ଟାଙ୍ଗରା, ମିଶ୍ରେ ଜଣେ ଭାରି ମାମଲତକାର ଲୋକ ।

 

ଦାମୋଦର କବାଟଟି ଫିଟାଇ ଦେଇ ମଉସାଙ୍କୁ ଗୋଟିଏ ଦଣ୍ଡବତ କଲା ।

 

‘‘ମା ଘରେ ଅଛନ୍ତି ନାଁ ରେ’’ କହି ମଉସା ଘର ଭିତରକୁ ପଶିଗଲେ । ଦାମୋଦର ମଉସାଙ୍କୁ ବାଡ଼ିପଟକୁ ନେଇଗଲା ।

 

ଏଣୁ ତେଣୁ ଦୁଃଖ ସୁଖ ଦି ଚାରି ପଦ କଥାବାର୍ତ୍ତା ହେଲା ପରେ, ବୁଢ଼ୀ ପଚାରିଲେ–‘‘ହଁ ହେ, ତୁମକୁ ଯେ ସେଦିନ ଏତେ ରାଣ ନିୟମ ପକାଇ କହିଥିଲି, ସେ କଥା କଣ ବୁଝିଲ-? ତୁମେମାନେ ତାର ମୁରବି ଅଛ, ତୁମେମାନେ ଟିକିଏ ଲାଗି ନ ପଡ଼ିଲେ, ପିଲାଟି ଚଳିବ କିପରି-?’’

 

ମିଶ୍ରେ—ହଁ, ମୁଁ ବି ତ ସେଇ କଥା କହିବାକୁ ଆସିଛି । ଆଉ ଡେରି କଅଣ ? କଥାବାର୍ତ୍ତା ତ ଏକବାରେ ପକା କରି ଆସିଛି । ଖାଲି ତୁମର ଜବାବ ପାଇଲେ ଏହି ପହିଲି ଫଗୁଣରେ କାମ ହୋଇଯିବ । ଝିଅଟିକି ବି ଦେଖି ଆସିଛି । ବେଶ୍‌ ମନ ମାଫିକ୍‌ ଝିଅଟିଏ ଏକା । ଚୌଧୁରୀ ଦାମ କଥା ଶୁଣି ଭାରି ଖୁସି ହୋଇ କହିଲେ—ହେଉ, ବେଶ୍‌ ପାତ୍ରଟିଏ । ବର୍ତ୍ତମାନ ସିନା ଗରିବ ହୋଇ ଯାଇଛି ନ ହେଲେ ଖାନଦାନ୍‌ ଘର । ମୁଁ ଯେତେବେଳେ ଝିଅ ଦେବି ଜୁଆଇଁକି କଣ ଉପବାସ ରଖିବି ? ବାଟିଏ ଜମି ଦେବି, ପରସ୍ତେ ଘର ତୋଳାଇ ଦେବି ।

 

ମିଶ୍ରଙ୍କ କଥା ଶୁଣି ବୁଢ଼ୀ ଏକାବେଳକେ ଆନନ୍ଦରେ ଅସ୍ଥିର । ‘‘ସତେ କଣ ମୋର ଏଡ଼େ କପାଳ ହେବ ? ସତେ କଣ ମୋ ଦାମ ଚୌଧୁରୀଙ୍କ ଝିଅକୁ ବିଭା ହୋଇ ବଡ଼ଲୋକ ହେବ ? ସତେ କଣ ମା ମଙ୍ଗଳା ଏ ହୀନକପାଳୀ ଡାକ ଶୁଣିବେ ?’’ ବୁଢ଼ୀ କେତେ କଣ ବକି ଯିବାକୁ ଲାଗିଲେ ।

 

କିନ୍ତୁ ଦାମୋଦର ମନରେ ଆନନ୍ଦର ଚିହ୍ନ ମାତ୍ର ନାହିଁ । ସେ ଭାବୁଛି—ମୁଁ କଣ ସାମାନ୍ୟ ଅର୍ଥ ଲୋଭରେ, ସାମାନ୍ୟ ଭୋଗ ଲାଳସା ଚରିତାର୍ଥ କରିବାପାଇଁ ମୋର ଆତ୍ମସମ୍ମାନକୁ ବଳି ଦେବି ? ଶ୍ୱଶୁର ଘରେ ପରାନ୍ନ ପାଳିତ ହୋଇ, ସ୍ତ୍ରୀର କିଙ୍କର ହୋଇ ଜୀବନ କଟାଇବି ? ଛି, ଧିକ ମୋର ପୁରୁଷତ୍ୱକୁ । ବାପ, ଗୋସାଇଁ ବାପର ନାଁ ବୁଡ଼ାଇ, ସାତ ପୁରୁଷର ଭିଟା ଛାଡ଼ି ରହିବି ଶ୍ୱଶୁରଘରେ ? —ଦାମୋଦର ଏହିପରି ଆକାଶ ପାତାଳ କେତେ କଣ ଭାବି ଯିବାକୁ ଲାଗିଲେ, କିନ୍ତୁ ପାଟି ଫିଟାଇ କିଛି କହି ପାରିଲେ ନାହିଁ ।

 

ମଉସା ପଚାରିଲେ—କିରେ ଦାମ, ମୁହଁ ଶୁଖେଇଛୁ କାହିଁକି ? ଏଥିରେ ରାଜି ତ ?

 

ଦାମ ବା କି ଜବାବ ଦେବ ? ତା ପାଟିରୁ କଥା ନ ବାହାରୁଣୁ ମା କହି ପକାଇଲେ–‘‘ହଁ ହେ, ପିଲାଟିକୁ କଅଣ ପଚାରୁଛ ? ତାର ବୁଦ୍ଧି କେତେ ? ଏ ସୁଯୋଗ କି ଛାଡ଼ିବାର ଅଛି-?’’

 

‘‘ହଉ ! ମୁଁ ଆସେ, କଥା ତ ଏକବାରେ ଛିଡ଼ିଛି । ରବିବାର ଦିନ ପୁଣି ଯିବି, ଏକାବେଳକେ ଲଗ୍ନ ଠିକ୍‌ କରି ଆସିବି ।’’ ମଉସା ଉଠି ଛିଡ଼ା ହେଲେ ।

 

‘‘ହଉ ! ଟିକିଏ ଲାଗିପଡ଼ । ମୋ ରାଣ ଅଛିତି ! ପିଲାଟାର ଆଉ କିଏ ଅଛି ?’’

 

‘‘ଇଏ ! ଏ ଗୋଟାଏ କଥା ନାଁ ? ଦାମ କିଏ ଆଉ ମୋ ରାଧୁ କିଏ ? ପୁଅ ନୁହେ ତ ପୁତୁରା ।’’

 

[ଦୁଇ]

 

ଦ୍ୱିପ୍ରହର ଗଡ଼ି ଗଲାଣି । ଦୁଇଟି ଯୁବତୀ ଘର ଅଗଣାରେ ଖରା ପିଠିଆ ବସି କଥାବାର୍ତ୍ତା ହେଉଅଛନ୍ତି । ଦୁହିଙ୍କ ମଧ୍ୟରୁ ଗୋଟିଏ ପୂର୍ଣ୍ଣ ଯୁବତୀ । ବୟସ ପ୍ରାୟ ସତର କି ଅଠର ହେବ । ଅନ୍ୟଟି କିଶୋରୀ, ବୟସ ପ୍ରାୟ ତେର ଚଉଦ ହେବ । ବଡ଼ଟିର ଦେହର ରଙ୍ଗ ଗୌରବର୍ଣ୍ଣ, ମୁହଁଟି ସଦା ହାସ୍ୟରେ ଭରା; ଚେହେରା ଦେଖିଲେ ବୁଝାଯାଏ ଯେପରି ବୁଦ୍ଧିମତୀ ଓ ପରିହାସପଟୁ । ସାନଟିର ବର୍ଣ୍ଣ ଶ୍ୟାମଳ । ମୁହଁଟି ଗମ୍ଭୀରଭାବପୂର୍ଣ୍ଣ । ଢଳ ଢଳ ଆଖି ଯୋଡ଼ିକରୁ ସରଳତାର ଆଭା ଫୁଟି ଉଠୁଛି ।

 

ବଡ଼ଟି ସାନଟିକୁ କହିଲା, ‘‘ଆଲୋ ବିମ, ତୁ ପରା ବଡ଼ଲୋକ ଘର ବୋହୂ ହୋଇ ଯାଉଛୁ, ଆମକୁ କଣ ଆଉ ପଚାରିବୁ ?’’ ବଡ଼ଟିର ଏ ପରିହାସ ବାକ୍ୟ ଶୁଣି ସାନଟିର ଆଖି ଛଳ ଛଳ ହୋଇ ଉଠିଲା । ଶତ ଚେଷ୍ଟା ସତ୍ତ୍ୱେ ସେ ତାର ରୁଦ୍ଧ ଆବେଗ ସମ୍ଭାଳି ପାରିଲା ନାହିଁ । କଇଁ କଇଁ ହୋଇ କାନ୍ଦି ଉଠିଲା । ବଡ଼ଟିର ମନରେ ବଡ଼ ଆଘାତ ଲାଗିଲା । ସେ ପରିହାସରେ ଏ ପ୍ରଶ୍ନଟି ପଚାରିଥିଲା; କିନ୍ତୁ ତାହା ଯେ ତାର ପ୍ରିୟତମା ସଖୀ ବିମଳାର କୋମଳ ପ୍ରାଣରେ ଏତେଦୂର ଆଘାତ କରିବ, ତାହା ସେ ସ୍ୱପ୍ନରେ ସୁଦ୍ଧା ଭାବି ନ ଥିଲା । ସେ ତାର ପ୍ରିୟତମା ସାଥିକୁ କୋଳକୁ ଆଉଜାଇ ନେଇ ଆଖି ପୋଛିଦେଇ ସାନ୍ତ୍ୱନା ଦେଇ କହିଲା, ‘‘ଆଲୋ ଭଉଣୀ, କଣ କରିକୁ ସେ ତ କରମ କଥା ।’’

 

ବିମଳା ନିଜକୁ ଟିକିଏ ସମ୍ଭାଳି ନେଇ କହିଲା, ‘‘କରମ କଥା ? ଏୟାକୁ କଅଣ କହନ୍ତି, କରମ କଥା ? ବାପ ଭାଇ ଝିଅକୁ ଜନ୍ମ କରି ଯଦି ତାର ଭବିଷ୍ୟତ୍‌ ସୁଖ ଦୁଃଖକୁ ନ ଚାହିଁଲା, ତେବେ ଏଥିରେ ଦୋଷୀ କିଏ ?’’ ବିମଳାର କଥା ଶୁଣି ସୀତାମଣିର ଟିକିଏ ସାହସ ହେଲା, ସେ ପୁଣି ପରିହାସରେ କହିଲା, ‘‘ହଉ ଲୋ ଭଉଣୀ, ସବୁ କଥା କଣ ଏକାବେଳକେ ମିଳେ ? ବର ଟିକିଏ ବୁଢ଼ା ହେଲେ କଣ ହେଲା, କେତେ ସମ୍ପତ୍ତି କହିଲୁ ? ଗୋଟିଏ ରଜାର ସମ୍ପତ୍ତି । ତା ନ ହେଲେ କି ଏ ବୟସରେ.....’’

 

ସୀତାମଣିର କଥା ଶୁଣି ବିମଳାର ଦେହ ରାଗରେ ଗରଗର ହୋଇ ଉଠୁଥାଏ । ତାର କଥା ନ ସରୁଣୁ ବିମଳା କହିଲା, ‘‘ତା ସମ୍ପତ୍ତିରେ ନିଆଁ ଲାଗୁ । ବରଂ ଗରିବ ଘରେ’’ ଆଉ କିଛି କହି ପାରିଲା ନାହିଁ । ବାଷ୍ପରେ ତାର କଣ୍ଠ ରୁଦ୍ଧ ହୋଇଗଲା । ପୁଣି କଇଁ କଇଁ ହୋଇ କାନ୍ଦି ଉଠିଲା । ବିମଳାର ଏ ଅବସ୍ଥା ଦେଖି ସୀତାମଣିର ମନରେ ପୁଣି ଆଘାତ ଲାଗିଲା । ସେ ଭାବିଲା, ତାର ପ୍ରିୟସଖୀକୁ ଯେପରି ହେଉ ଅର୍ଥଲୋଲୁପ ପିତାର କବଳରୁ ରକ୍ଷା କରିବ । ହଠାତ୍‌ ମନେ ପଡ଼ିଗଲା ତାଙ୍କ ଗାଆଁ ଦାମୋଦର କଥା । ଆହା, ବିମଳା ଯଦି ଦାମ ନନାଙ୍କୁ ବିବାହ କରନ୍ତା ! ତା କଥା ସେ କେତେ ଥର ପରିହାସ ଛଳରେ ବିମଳାକୁ କହିଛି । ବିମଳା ମଧ୍ୟ ଦାମୋଦରର ରୂପ ଗୁଣ କଥା ଶୁଣି ମନେ ମନେ ତାକୁ ହୃଦୟ ସମର୍ପଣ କରି ସାରିଥିଲା ।

 

ସୀତାମଣି ଲେଖା ଯୋଖାରେ ଦାମୋଦରର ଖୁଡ଼ୁତା ଝିଅ ଭଉଣୀ । ଗଲା କୁଆଁରପୁନେଇ ଦିନ ଦାମୋଦର ସୀତାମଣି ଘରକୁ ଆସିଥିଲା । ବିମଳା ମଧ୍ୟ ସେଦିନ ସେଠାକୁ ଯାଇଥିଲା ।

 

ଚାନ୍ଦିନୀ ରାତିରେ ଅଗଣାରେ ବସି ଦାମୋଦର ସୀତାମଣିର ସ୍ୱାମୀ ଗୌରହରି ସଙ୍ଗରେ କଥାବାର୍ତ୍ତା କରୁଥିଲେ । ଉହାଡ଼ରେ ଥାଇ ଦାମୋଦରକୁ ଦେଖାଇ ସୀତାମଣି ବିମଳାକୁ ପରିହାସରେ କହିଥିଲା, ‘‘ଆଲୋ ବିମ, ଏଇ ତୋ ବର । ମନ ମାନୁଛି ନା ?’’ ବିମଳା ସେଇ ଦିନ ତାର ହୃଦୟର ସମସ୍ତ ସମ୍ପଦ ସେ ବଳିଷ୍ଠଗଠନ ପ୍ରିୟଦର୍ଶନ ଅପରିଚିତ ଯୁବକର ପଦତଳେ ଅଜାଡ଼ି ଦେଇଥିଲା । ବିମଳାର ସେ ଦିନର ସଲଜ୍ଜ ଭାବଭଙ୍ଗୀ ଦେଖି ସୀତାମଣି କେତେ ଥଟ୍ଟା ପରିହାସ କରିଥିଲା । ସେ ସମସ୍ତ ସୀତାମଣିର ମନରେ ବିଜୁଳି ପରି ଖେଳିଗଲା ।

 

ଏହା ମଧ୍ୟରେ କେତେ ଦିନ କଟିଗଲାଣି । ସୀତାମଣିର ଇଚ୍ଛା ଥିଲା, ବିମଳାର ବିବାହ ପ୍ରସ୍ତାବ ଉଠିଲେ ତାର ସ୍ୱାମୀଙ୍କ ଦ୍ୱାରା ଦାମୋଦର ବିଷୟରେ ବିମଳାର ପିତା ଗୋପାଳ ମହାପାତ୍ରଙ୍କଠାରେ ପ୍ରସ୍ତାବ କରି କହି ବୋଲି ତାଙ୍କୁ ମଙ୍ଗେଇ କାର୍ଯ୍ୟ ତୁଲାଣ କରି ନେବ । ସେ ଭାବିଥିଲା, ବିମଳା ବାପ ମାର ଏକମାତ୍ର ଝିଅ । ତା ପରେ ପୁଣି ପିଲାଟି ଦିନରୁ ମାଆଛେଉଣ୍ଡ । ସେ ଆଶା କରିଥିଲା—ବୋଧହୁଏ, ତାର ବାପ ତାକୁ ଗୋଟିଏ ଭଲ ପାତ୍ର ହସ୍ତରେ ସମର୍ପଣ କରିଦେବେ ।

 

କିନ୍ତୁ ଯେଉଁଦିନ ସୀତାମଣି ଶୁଣିଲା ଯେ, ବିମଳାର ବାପ ଏକ ଜିଦ୍‌ ଧରି ବସିଛନ୍ତି ଯେ ଝିଅକୁ ଅଭିଆଡ଼ା ରଖିବେ ପଛକେ, ପାଞ୍ଚ ଶହରୁ ପଇସାଏ କମ୍‌ ହେଲେ ଝିଅ ଦେବେ ନାହିଁ, ସେତେବେଳେ ତାର ମନର ଆଶା ମନରେ ମରିଗଲା ।

 

ଦାମୋଦର ଅତି ଗରିବ ନ ହେଲେ ସୁଦ୍ଧା ପାଞ୍ଚ ଶହ ଟଙ୍କା ଦେଇ ବିବାହ କରିବା ତାଙ୍କ ପକ୍ଷରେ ଯେ ଅସମ୍ଭବ ଏହା ସୀତାମଣି ବେଶ୍‌ ଭଲ କରି ବୁଝିଥିଲା । ପୁଣି ଗୋବିନ୍ଦପୁର ମୌଜାର ଗୋବର୍ଦ୍ଧନ ସାନ୍ତରାଙ୍କ ସହିତ ଯେତେବେଳେ ବିମଳାର ବିବାହ ଠିକ୍‌ ହେଲା ସେତେବେଳେ ସୀତାମଣିର ମନରେ ବଡ଼ ଦୁଃଖ ଜାତ ହେଲା । ସେ ଶୁଣିଥିଲା ଯେ ଗୋବର୍ଦ୍ଧନ ସାନ୍ତରାଙ୍କର ବୟସ ଅତି କମ୍‌ରେ ସତୁରୀରୁ ଊଣା ନୁହେ । ସାନ୍ତରାଙ୍କର ଚାରି ପୁଅ, ତିନି ବହୁ ଓ ଛଅଟି ନାତି ନାତୁଣୀ ଥିବା ସତ୍ତ୍ୱେ ଗଲା ଆଶ୍ୱିନ ମାସରେ ତାଙ୍କର ତୃତୀୟ ପକ୍ଷ ସ୍ତ୍ରୀ ଇହଧାମରୁ ବିଦାୟ ନେବାରୁ ସାମନ୍ତରାଙ୍କୁ ଚତୁର୍ଦ୍ଦିଗ ଶୂନ୍ୟ ଦିଶିଲା । ସେ ପୁଣି ବିବାହ କରିବାକୁ ମନ ବଳାଇଲେ; କିନ୍ତୁ ଚାରିଟା ବିବାହ ଶାସ୍ତ୍ରରେ ମନା, ସେଥିପାଇଁ ସେ ପ୍ରଥମେ ଗୋଟିଏ ସାହାଡ଼ା ଗଛକୁ ବିବାହ କରି ବିମଳାକୁ ପଞ୍ଚମ ଥର ବିବାହ କରିବାକୁ ଯାଉଛନ୍ତି । କନ୍ୟାସୁନା ଛିଣ୍ଡିଛି ପାଞ୍ଚ ଶହ ସାତ ଟଙ୍କା ଛଅ ଅଣା ଦୁଇ ପଇସା ।

 

ସାନ୍ତରାଙ୍କ କଥା ଶୁଣିଲା ଦିନୁ ବିମଳାର ମନର ବେଦନା ଯେ କି ଗୁରୁତର ହୋଇଥିବ ତାହା ଭାବି ସୀତାମଣିର ମନ ଅସ୍ଥିର ହେଲା । ପୁଣି ମନେ କଲା, ସାନ୍ତରା ବଡ଼ ଲୋକ । କେଜାଣି ବା ଧନ ସମ୍ପତ୍ତି ଲୋଭରେ ବିମଳାର ମନ ବଦଳି ଯାଇଥିବ । ସେଥିପାଇଁ ସେଦିନ ସେ ବିମଳାକୁ ଘରକୁ ଡାକି ଆଣିଥିଲା ।

 

ବିମଳା ସୀତାମଣିର ପାଖ ପଡ଼ୋଶୀ ହେଲେ ସୁଦ୍ଧା ଆଜିକାଲି ବିମଳା ଆଉ ପୂର୍ବପରି ବେଶୀ ସୀତାମଣି ଘରକୁ ଆସେ ନାହିଁ । କାରଣ ବିବାହ ପ୍ରସ୍ତାବ ହେଲା ଦିନୁ ତାର ବାପ ତାକୁ ଆଉ କାହାର ଘରକୁ ଛାଡ଼େ ନାହିଁ । ବଡ଼ ନଜରରେ ରଖିଥାଏ । ଭୟ ହେଉଥାଏ କାଳେ ଝିଅଟା ରାଗରେ କଅଣ ବୋଲି କଅଣ ଗୋଟାଏ କରି ପକାଇବ । ତା ହେଲେ ଯେ ନଗଦ ପାଞ୍ଚ ଶହ ଟଙ୍କା ପାଣିରେ ପଡ଼ିଯିବ ।

 

ହଁ, କହିବାକୁ ଭୁଲି ଯାଇଛି । ବିମଳାର ମାଆ ନାହିଁ ପିଲାଟି ଦିନୁ ମରିଯାଇଛି । ବିମଳା ବାପର ଏକମାତ୍ର ସନ୍ତାନ ।

 

ବିମଳାର ମନ ବିଡ଼ିବା ପାଇଁ ସୀତାମଣି ସେଦିନ ଏ କଥାଟା ପଚାରିଥିଲା । ତାପରେ ବିମଳାର ମନର ଭାବ ହୃଦୟଙ୍ଗମ କରି ସୀତାମଣିର ହୃଦୟ ଦୁଃଖରେ କାତର ହେଲା । ସୀତାମଣି ଭାବିଲା, ଆଚ୍ଛା, ଥରେ ଦାମୋଦରକୁ ଡାକି ପଚାରେ । ବିମଳାକୁ ସାନ୍ତ୍ୱନା ଦେଇ ସୀତାମଣି କହିଲା, ‘‘ଆଚ୍ଛା ବିମ ! ତୋ ବାପା ତ ଟଙ୍କାଲୋଭରେ ତୋତେ ବୁଢ଼ା ବର ସଙ୍ଗେ ବିବାହ ଦେବାପାଇଁ ବସିଛନ୍ତି । ଆଚ୍ଛା ! ଆଉ ଯଦି କେହି ସେତିକି ଟଙ୍କା ଦିଏ ?’’ ବିମଳା କାନ୍ଦ କାନ୍ଦ ସ୍ୱରରେ କହିଲା, ‘‘ଏତେ ଟଙ୍କା ଆଉ କିଏ କାହିଁକି ଦବାକୁ ଯିବ ? କାହାକୁ ଅବା କନ୍ୟାଟାଏ ମିଳୁନାହିଁ ?’’

 

‘‘ଆଚ୍ଛା ! ଦାମୋଦର ନନା ଯଦି ସେତିକି ଟଙ୍କା ଦିଅନ୍ତି ?’’ ଦାମୋଦର ନାମ ଶୁଣି ବିମଳାର ହୃଦୟର ବାଲିବନ୍ଧ ପୁଣି ଭୁସୁଡ଼ିଗଲା । ସେ ପୁଣି କାନ୍ଦି ପକାଇଲା ।

 

ସୀତାମଣି ପୁଣି ସାନ୍ତ୍ୱନା ଦେଇ କହିଲା, ‘‘ଛି । ଏମିତିକା କାନ୍ଦିବୁ ତ ଫେର୍‌ କଅଣ ହେବ ? ବିପଦ ତ ଆସି ସାରିଛି, ବର୍ତ୍ତମାନ ସେଥିରୁ ଉଦ୍ଧାର ପାଇବାର ଚେଷ୍ଟା କରିବା ଉଚିତ । ଖାଲି କାନ୍ଦିଲେ କଅଣ ହେବ ?

 

ବିମଳା ସମ୍ଭାଳି ହୋଇ କହିଲା, ସତେ କଣ ମୋର ସେ ଭାଗ୍ୟ ହେବ ? ସେ ବା ଏତେ ଟଙ୍କା କାହିଁକି ଦେବାକୁ ଯିବେ ? ତାଙ୍କୁ କଅଣ କନ୍ୟା ଅପୂର୍ବ ହୋଇଛି ?

 

‘‘ନା ରେ ବିମ ! ଦାମନନା ବଡ଼ ସୁନ୍ଦର ଲୋକ, ତାଙ୍କର ହୃଦୟ ତୁ ଜାଣୁ ନାହିଁ । ସେ ତୋ ବିପଦ କଥା ଶୁଣିଲେ ନିଶ୍ଚୟ ରାଜି ହେବେ ।’’

 

‘‘ନା ନାନି ! ତାଙ୍କୁ ଆଉ ବିପଦରେ ପକାନା । ମୋ ପାଇଁ ସେ କାହିଁକି କଙ୍ଗାଳ ହେବେ-? ମୋ କପାଳରେ ଯାହା ଅଛି, ତାହା ତୁମେ ସମସ୍ତେ ଦେଖିବ । ବିଭାଘର ପର୍ଯ୍ୟନ୍ତ ତୁମର ବିମ ଆଉ ଏ ସଂସାରରେ ନ ଥିବ’’ ।

 

‘‘ଛି ! ବିମ ! ଏ କଥା କୁହନ୍ତି କି ? ଆତ୍ମହତ୍ୟା ମହାପାପ । ତୁ ସେକଥା ମନରେ ଥାନ ଦେ ନା, ଅସ୍ଥିର ହୋ ନା । ଭଗବାନଙ୍କୁ ଡାକ । ସେ ତୋ ଡାକ ଅବଶ୍ୟ ଶୁଣିବେ । ତୁ ଯାହାଙ୍କୁ ମନେ ମନେ ବରଣ କରି ସାରିଛୁ, ସେଇ ତୋ ସ୍ୱାମୀ ହେବେ ।’’

 

[ତିନି]

 

ଦିନ ପ୍ରାୟ ପ୍ରହରେ ହେବ । ନୂଆଗାଁ ମୌଜାର ଜମିଦାର ଓ ମହାଜନ ଜଦାର୍ଦ୍ଦନ ଚୌଧୁରୀ ପୃଥୁଳ ଶରୀରଟି ଗୋଟିଏ ବଡ଼ ତକିଆକୁ ଆଉଜାଇ ଦେଇ ବୈଠକଖାନା ବଙ୍ଗଳାରେ ବିଜେ କରିଛନ୍ତି । ମଦନ ମହାନ୍ତି, ଶଙ୍କର ଦାସ, ନରହରି ମହାପାତ୍ର ପ୍ରଭୃତି ଗାଆଁର ଭଦ୍ର ଭଦ୍ର ଲୋକମାନେ ମଧ୍ୟ ବସିଛନ୍ତି । ଏଣୁ ତେଣୁ କେତେକ କଥାବାର୍ତ୍ତା ପରେ ନରହରି ମହାପାତ୍ରେ ପଚାରିଲେ, ‘‘ଆଜ୍ଞା ! ଝିଅପାଇଁ କେଉଁଠି ବରପାତ୍ର ଠିକଣା କଲେ ? ବିଭାଘର ଏ ବର୍ଷ କରୁଛନ୍ତି ନା ?’’

 

ଚୌଧୁରୀ ଟିକିଏ ଗଳା ଖଙ୍କାରି କେଶଶୂନ୍ୟ ମସ୍ତକରେ ହାତ ବୁଲାଇ କହିଲେ, ‘‘ନ କରି ଆଉ ଗତି ଅଛି ? କେଣେ ତ ବର ମିଳିଲେ ନାହିଁ, ଏତେ ଖୋଜିଲେ । ଶେଷରେ ଠିକ୍‌ କରିଛି ହରିପୁର ମୌଜାର ରାଧାଶ୍ୟାମ ଦାସଙ୍କ ପୁଅ ଦାମୋଦରକୁ ଧରି ଆଣି ଝିଅ ଦେବି । ସେ ସେ ଦିନ ଟଙ୍କା ଦବାକୁ ଆସିଥିଲା, ଦେଖିଛି । ଏବେ ସିନା ଗରିବ ହୋଇ ଯାଇଛି, ନଚେତ୍‌ ପିଲାଟି ବେଶ୍‌ । ତିନିପୁରୁଷର ଖାନଦାନ୍‌ ଘର । ଭାବିଛି, କିଛି ଜମିବାଡ଼ି ଦେଇ ଘରଜୋଇଁ କରି ଏଇ ଗାଆଁରେ ଝିଅ ଜ୍ୱାଇଁଙ୍କୁ ରଖେଇବି । କଣ କହୁଛ ? ମନ ମାନୁଛି ?’’

 

ମଦନ ମହାନ୍ତିଏ ଖନେଇ ଖନେଇ କହିଲେ, ‘‘ଆ ଆଜ୍ଞା; ଆ-ଆ-ଆପଣ ଯା-ଯାହା କରିଛନ୍ତି ସେ-ସେଥିରେ କା-କା-କାହାର ମ-ମ-ନ-ନ ମା-ମା-ମାନିବ ?

 

ଶଙ୍କର ଦାସେ ପଚାରିଲେ, ‘‘କେବକୁ ଦିନ ସ୍ଥିର କରୁଛନ୍ତି ?’’

 

ଚୌଧୁରୀ—ଏଇ ଫଗୁଣ ଏକଦିନ । କଥାରେ କହନ୍ତି ଶୁଭସ୍ୟ ଶୀଘ୍ରଂ-କରିବାକୁ ହେଲା ତ ଆଉ ଡେରି କଲେ କଅଣ ହେବ ? ଯେତେ ଶୀଘ୍ର ହୋଇଯାଏ ସେତେ ଭଲ । ଏ ଲୋକଗୁଡ଼ାଙ୍କ କଥା ତ ଦେଖୁଛ । ସତ ହଉ, ମିଛ ହଉ ତିନିପଦ ଯୋଡ଼ିଯାଡ଼ି ଦେଇ କେତେ କଥା ରଟାଇ ଦେବେ । ଯଦି କଥାଟା କିଛି (ଇସରାରେ ଠାରି ଦେଇ) ତେବେ ତ ସବୁ ପଣ୍ଡ ହବ ।

 

ମହାପାତ୍ରେ—ମଧ୍ୟସ୍ଥ କାହାକୁ କରିଛନ୍ତି ?

 

ଚୌଧୁରୀ—ମାର୍କଣ୍ଡ ମିଶ୍ରେ, ସେ ଲେଖାଯୋଖାରେ ଦାମୋଦରର ମଉସା ହୁଅନ୍ତି । ତାର ମୁରବି ଭଳିଆ । ସେ ମୋତେ ଏକ ରକମ ପୂରାପୂରି ଜବାବ୍‌ ଦେଇ ସାରିଛନ୍ତି ।

 

ଦାସେ—ତେବେ ଆଉ ଚିନ୍ତା କଅଣ ? ମିଶ୍ରେ ଭାରି ଚଲାଖ ଲୋକ । ସେ ଯେଉଁ କାମରେ ହାତଦେବେ, ତାହା ଫତେ ନ କରି ଛାଡ଼ିବାର ପାତ୍ର ନୁହନ୍ତି, କୋଷ୍ଠୀଟା......’’

 

ଚୌଧୁରୀ—ଆରେ କୋଷ୍ଠୀ ଦେଖୁଛି କିଏ ? ଗରିବର ପୁଅ; ଟଙ୍କା ପଇସାରେ ଲୋଭ ଦେଖିଲେ ବାସ୍‌ । ଆଉ ଗୋଟାଏ କୋଷ୍ଠୀ କଣ, ଫୋଷ୍ଠୀ କଣ ?

 

ଦାସେ—ହଁ, ତାହା ବି ତ ସତ । ତେବେ ମୁଁ କହୁଥିଲି କଅଣ କି, ଆଗରୁ ଟିକିଏ ସାବଧାନ ହୋଇଥିବା ଦରକାର । ଧରନ୍ତୁ ଯଦି କେହି କୋଷ୍ଠୀଟା ମାଗି ବସେ, ତେବେ କଅଣ ସାମାନ୍ୟ କଥା ପାଇଁ କାମଟା ଭଣ୍ଡୁର କରିବା ?

 

ଚୌଧୁରୀ—ସେ କାମ କଅଣ ଆଉ ଏତେଦିନ ଯାଏ ବାକି ରଖିଛି ? ସେଦିନ ଆଉ ଚିନ୍ତେଇ ନାଏକ ଜ୍ୟୋତିଷକୁ ଡକାଇଥିଲି କାହିଁକି ? ସେ ସବୁ ଠିକ୍‌ଠାକ୍‌ କରିଦେଇ ଯାଇଛି ।

 

ଦାସେ—ତେବେ ତ ଠିକ୍‌ । ଆଉ ପରେଇ କଅଣ ? ଯେ ଯାହା ସତ ମିଛ ଚୁଗୁଲି ଯୋଡ଼ିବ ଯୋଡ଼ୁ ନାଁ; ସାଫ୍‌ କୋଷ୍ଠିଟା ହାଜର କରାଇ ଦେଲେ ବ୍ରହ୍ମା ବି ବିଶ୍ୱାସ କରିବେ ନାହିଁ ।

 

‘‘ଚୌଧୁରୀ ସାଆନ୍ତେ ଘରେ ଅଛନ୍ତି ନାଁ ?’’ ‘‘ଆରେ ! ଏଇ ତମରି କଥା ତ ପଡ଼ିଥିଲା । ଢେର ଦିନଯାଏ ଏକା ବଞ୍ଚିବ । ଆସ ଆସ, ଆରେ ମକରା ! ଆରେ ନରସିଙ୍ଘା ! କିଏ ଅଛ ? ମିଶ୍ରଙ୍କ ଲାଗି ଜଳ ଲୋଟାଟା ଆଣ ତ ? ଚୌଧୁରୀଏ ପାଟି କରି ଡାକିଲେ ।’’

 

‘‘ନାଁ ନାଁ, ଥାଉ ଥାଉ, ମୁଁ ଦାଣ୍ଡ ପୋଖରୀରେ ଗୋଡ଼ ଧୋଇ ଆସିଛି’’ କହି ମାର୍କଣ୍ଡ ମିଶ୍ରେ ଅଣ୍ଟାରୁ ଗାମୁଛା ଫିଟାଇ ଗୋଡ଼ ପୋଛି ଲାଗିଲେ । ଚୌଧୁରୀଏ ଟିକିଏ ଘୁଞ୍ଚି ଯାଇ କହିଲେ, ‘‘ଆସ, ଆସ, ଏଇଠି ବସ । ଆରେ ମିଶ୍ରଙ୍କ ଲାଗି ପାନ ଖଣ୍ଡେ ଭାଙ୍ଗି କରି ଆଣତ ?’’

 

ମାର୍କଣ୍ଡ ମିଶ୍ରେ ଆସନରେ ବସିଲାରୁ ଶଙ୍କର ଦାସେ ପଚାରିଲେ, ମିଶ୍ରେ ସାଆନ୍ତେ, କେଉଁଠାରୁ ବିଜେ ହେଲେ ? ଘରଠାରୁ ନା ?

 

ମିଶ୍ରେ ଟିକିଏ ଖୁଁ ଖୁଁ କାଶି କହିଲେ, ‘‘ଆଉ କଅଣ ମୋର ଘରକାମରେ ମନ ଅଛି ? ପିଲାଗୁଡ଼ାକ କଅଣ କରୁଛନ୍ତି କେଜାଣି ? ଚୌଧୁରୀ ସାଆନ୍ତେ ମୋ ମୁଣ୍ଡରେ ଯେଉଁ ବୋଝ ଲଦି ଦେଇଛନ୍ତି, ତାହା ଖଲାସ ନ କରିବା ପର୍ଯ୍ୟନ୍ତ ଆଉ ଘର କଅଣ ? ଦ୍ୱାର କଅଣ ? ଭଦ୍ର ଲୋକର ବଚନ ଅଟଳ ରଖିବାକୁ ତ ହବ । ନା—କଅଣ କହୁଛ ମହାପାତ୍ରେ ?’’

 

ମହାପାତ୍ରେ—ମଲା ! ଆଉ କହିବାକୁ ଅଛି ? କଥାରେ ଅଛି, ବଚନ ଦେଲେ ହାରି କି, ବେଟୀ ଦେଲେ ହାରି । ମନୁଷ୍ୟର ଅସଲ ଜିନିଷ ବଚନ । ‘‘ମରଦକା ବାତ୍‌, ହାତୀକା ଦାନ୍ତ ।’’

 

ମିଶ୍ରେ—ଆଜି ସକାଳେ ଦାମୋଦର ଘର ପାଖକୁ ଯାଇଥିଲି । ସବୁ ଠିକ୍‌ ଠାକ୍‌ । ଟୋକାଟା କାହିଁକି କେଜାଣି ଟିକିଏ ମୁହଁ ଶୁଖାଉ ଥାଏ । ତା ମାଆ ବୁଢ଼ୀ ତ ଶୁଣି ଏକାବେଳକେ ମହା ଖୁସି । ମାଆର ରାଜି, ଟୋକାଟା ଆଉ ଯିବ କୁଆଡ଼େ ? ମାର୍କଣ୍ଡ ମିଶ୍ରଙ୍କ ଆଗରୁ ଶିକାର ଖସିଯିବା କଅଣ ସହଜ ପଡ଼ିଛି ?

 

ମହାନ୍ତି—ହଁ, ହଁ, ତା-ତା-ତା କଅଣ ଆମକୁ ଜ-ଜ-ଜଣା ନାହିଁ ।

 

ଏହି ସମୟରେ ଚୌଧୁରୀଙ୍କ ଚାକର ମକରା ଆଣି ଖଣ୍ଡିଏ ପାନ ମିଶ୍ରଙ୍କ ହାତରେ ଦେଇଗଲା । ମିଶ୍ରେ ପାନ ଖଣ୍ଡିକ ପାଟିରେ ପୂରାଇ ଛେଳି ପରି ପାକୁଳି କରିବାକୁ ଲାଗିଲେ ।

 

କ୍ରମେ ଦିନ ବେଶୀ ହେବାରୁ ମହାନ୍ତିଏ, ଦାସେ ଓ ମହାପାତ୍ରେ ଉଠ୍‌ ଉଠ୍‌ ହେଲେ ଏବଂ ଚୌଧୁରୀଙ୍କୁ ଓ ମିଶ୍ରଙ୍କୁ ଗୋଟାଏ ଦଣ୍ଡବତ ପକାଇ ଯେଝା ଘରକୁ ଚାଲିଗଲେ । ବାଟରେ ଯାଉଁ ଯାଉଁ ମହାପାତ୍ରେ ଦାସଙ୍କୁ କହିଲେ, ‘‘ହଇ ହେ ! ମିଶ୍ରେ ଏକା ବଡ଼ ଚତୁର ଲୋକ, ସେ କଅଣ ଏଥିରେ ଶହ ପଚାଶ କିଛି ହାତପଇଠ ନ କରି ଛାଡ଼ିଥିବେ !’’ ଦାସେ ଟିକିଏ ଗଳା ଖଙ୍କାର ମାରି କହିଲେ, ‘‘ତା ନୁହେ ତ କଅଣ’’ ଦୀପ ତେଜିଲେ ହାତ ଚିକଣ, ବିଶେଷତଃ ଏସବୁ କାମରେ ଲାଭ ନ ଦେଖିଲେ କଅଣ କେହି ସହଜରେ ହାତ ପୁରାଏ ?’’

 

ଦାସେ—ଆଚ୍ଛା, ମହାପାତ୍ରେ ! ସେ କଥାଟା କଅଣ ସତ ?

 

ମହାପାତ୍ରେ—ସତ ନୁହେ ତ କଅଣ ? ନିଆଁ ନ ଥିଲେ କି ଖାଲି ଧୂଆଁ ବାହାରେ ? କଥାଟା କଅଣ ଆଉ ଆସମାନରୁ ଛିଡ଼ିଲା ?

 

ଦାସେ—ହଉ ରେ ବାବୁ ! ବଡ଼ଲୋକଙ୍କ ଘରକଥା ବଡ଼ ଲୋକଙ୍କୁ ସାଜେ, ଆମର ସେଥିରେ ଯାଏ କେତେ ଆସେ କେତେ ? ହଉ ମହାପାତ୍ରେ ! ଦଣ୍ଡବତ । ଆସେଁ ।

 

ମହାପାତ୍ରେ—ଏଇଠୁଁ ଖସିଲ ପରା ?

 

ଦାସେ—ହଁ, ଭାଇ ବାଟେ ଚାଲିଯିବି । କମ୍‌ ବାଟ ପଡ଼ିବ । ଏତେ ବାଟ କିଏ ଘୂରୁଛି ।

 

ମହାପାତ୍ରେ—ଆଚ୍ଛା ହଉ ତେବେ ଦଣ୍ଡବତ ।

 

ଦାସେ ବାଡ଼ିପଟେ ଘରକୁ ଚାଲିଗଲେ । ମହାପାତ୍ରେ ଗୁଣୁ ଗୁଣୁ ସ୍ୱରରେ ମନବୋଧ ଚଉତିଶା ଗାଇ ଗାଇ ହାତ ଫୁଟୁକି ମାରି ମାରି ଘରକୁ ଚାଲିଗଲେ । ଦାସେ ଓ ମହାପାତ୍ରେ ଉଠିଯିବା ପରେ ମହାନ୍ତିଏ ମଧ୍ୟ ଉଠିଲେ । ତାଙ୍କର ପଛକୁ ରହିବାର କାରଣ, ଚୌଧୁରୀଙ୍କଠାରୁ କିଛି ଟଙ୍କା କରଜ ନେବାକୁ ଆସିଥିଲେ, କିନ୍ତୁ ମିଶ୍ରେ ଉପସ୍ଥିତ ଥିବାରୁ ମନୋଭାବ ପ୍ରକାଶ କରି ନ ପାରି କାଲି ସକାଳେ ଆସିବାକୁ ମନସ୍ଥ କରି ଉଠିଲେ । ବାକି ରହିଲେ ଚୌଧୁରୀ ଓ ମିଶ୍ରେ । ଦୁହିଁଙ୍କ ମଧ୍ୟରେ ଚୁପ୍‌ ଚାପ୍‌ ଅନେକ କଥାବାର୍ତ୍ତା ହେଲା । ଶେଷରେ ଚୌଧୁରୀଏ ଟିକିଏ ବଡ଼ ପାଟି କରି କହିଲେ, ‘‘ଆଚ୍ଛା କୁଛ୍‌ ପରବାୟ ନାହିଁ, ଏହି କଥା ଲାଗି ଗୋଟାଏ ଚିନ୍ତା । ଶହେ ହଉ ଦୁଇ ଶହ ହଉ ତୁମ ମନ ଖୁସି କରି ଦେଲେ ତ ହେଲା ?’’

 

ମିଶ୍ରେ ଟିକିଏ ମୁରୁକି ମୁରୁକି ହସି କହିଲେ, ‘‘ସେଥିପାଇଁ କଅଣ ଅଛି ? ତୁମ ପାଖରେ କଅଣ କଥା ବଳେଇଛି ? ସେ କଥା କହୁ ନାହିଁ ଯେ—କିପରି କାମଟା ଶୀଘ୍ର ହୋଇଯାଏ, ଏଇଟା ହେଉଛି ଭାଳିବାର କଥା । କାରଣ, ଦେଖୁଛ ତ ଲୋକଗୁଡ଼ାକଙ୍କ ଦାଉ ।’’

 

ଚୌଧୁରୀ—ହଁ ହଁ, ତା ଅବଶ୍ୟ—ଅବଶ୍ୟ । ଏହି ଯେ ପହିଲି ଫଗୁଣ । ମାସର ତିନି ଦିନ ଗୋଟାଏ ଲଗ୍ନ ଅଛି । ହେଲେ, ସେହିଦିନ କାମ ବଢ଼େଇ ଦେବା ।

 

[ଚାରି]

 

ରାତି ଘଡ଼ି ଦୁଇ ହେବ । ଗୌରହରି ତାଙ୍କ ଦାଣ୍ଡଘର ଭିତରେ ମସିଣା ଖଣ୍ଡେ ପାରି ଦେଇ ଲଣ୍ଠନଟିଏ ଜାଳି ପଢ଼ାଶୁଣାରେ ଲାଗିଛନ୍ତି । ହଁ, କହିବାକୁ ଭୁଲି ଯାଇଛି, ଗୌରହରି ସ୍ଥାନୀୟ ମାଇନର ସ୍କୁଲର ହେଡ଼୍‌ମାଷ୍ଟର । ଲୋକଟି ଦେଖିବାକୁ ଟିକିଏ ଖର୍ବକାୟ, ଦେହର ବର୍ଣ୍ଣ ଶ୍ୟାମଳ; ଆଖି ଯୋଡ଼ିକ ଟିକିଏ ବଡ଼ ବଡ଼ ଓ ଉଜ୍ଜ୍ୱଳ; ଚେହେରାରୁ ଜଣାଯାଏ, ଯେପରି ଖୁବ୍‌ ବୁଦ୍ଧିମାନ୍‌ ଓ ଦୃଢ଼ପ୍ରତିଜ୍ଞ ।

 

ଗୌରହରି ମନୋଯୋଗପୂର୍ବକ ପଢ଼ାଶୁଣାରେ ଲାଗିଛନ୍ତି । ପଛଆଡ଼ୁ ସୀତାମଣି ଆସି ହସି ହସି ପଚାରିଲେ-ଆଚ୍ଛା ! ଏ ବିଷୟରେ ଟିକିଏ ବୁଝିଲେ ହୁଅନ୍ତା ନାହିଁ ନାଁ ?

 

ଗୌରହରି ଅନ୍ୟମନସ୍କରେ ପଚାରିଲେ, ‘‘କେଉଁ କାମ ?’’

 

ସୀତାମଣି—ଏଁ ! ଏତିକି ସମୟ ମଧ୍ୟରେ ପାସୋରି ଗଲଣି ନାଁ ! ଏଡ଼େ ଭୋଳା ମନ ତୁମର ! ଏତିକି ସମୟ ମଧ୍ୟରେ ମୋ କଥାକୁ ତ ପାସୋରି ସାରିଲଣି, ବରାବର ସାକ୍ଷାତ୍‌ ହେଉ ନ ଥିଲେ ମୋତେ ବି ବୋଧହୁଏ ଦୁଇ ଚାରି ଦିନ ମଧ୍ୟରେ ପାସୋରି ପକାନ୍ତ— ନୁହେଁ ?

 

ଗୌରହରି ସୀତାମଣିଙ୍କ ହାତକୁ ଧରି ପାଖକୁ ଟାଣି ନେଇ କହିଲେ, ‘‘ରାଗ କଲୁ କି ମଣି ?’’ ତା ପରେ ସୀତାମଣିକୁ ଛାତି ପାଖକୁ ଟାଣି ନେଇ ତା ଗଣ୍ଡସ୍ଥଳରେ ଗୋଟିଏ ସ୍ନେହଚୁମ୍ବନ ଅଙ୍କିତ କରିଦେଲେ ।

 

ସୀତାମଣି ହାତ ଛଡ଼ାଇ ନେଇ ଅଳ୍ପ ଅଳ୍ପ ହସି କହିଲେ—ଥାଉ, ଥାଉ, ସେତିକି ପ୍ରେମ ଥାଉ । ବର୍ତ୍ତମାନ ପ୍ରେମ କରିବାକୁ ଆସି ନାହିଁ । ମୁଁ ଯେଉଁ କଥା ପଚାରୁଛି, ଆଗେ ତାର ଉତ୍ତର ଦିଅ । ଆଚ୍ଛା ! ତୁମେ ଟିକିଏ ଯାଇ ଦାମୋଦର ନନାଙ୍କଠାରୁ କଥାଟା ବୁଝିଲେ ଭଲ ହୁଅନ୍ତା ନାହିଁ ନା ?

 

ଗୌରହରି—ହଁ, ହୁଅନ୍ତା ଯେ—ତେବେ ଉଛୁଣିକା ମୁଁ ଆଉ ମିଛୁଟାରେ ଯିବି କାହିଁକି, କହିଲୁ ? ମୁଁ ଶୁଣୁଛି, ଦାମୋଦର ନୂଆଗାଁ ଚୌଧୁରୀଙ୍କ ଝିଅକୁ ବିବାହ କରି ତାଙ୍କର ଘରଜ୍ୱାଇଁ ହୋଇ ରହୁଛି । ତାର ବର୍ତ୍ତମାନ ଏକାବେଳକେ ପଞ୍ଚମ ବୃହସ୍ପତ୍ତି ଯୋଗ । ଏକେ ସୁନ୍ଦରୀ ସ୍ତ୍ରୀ, ଦ୍ୱିତୀୟେ ଧନ, ତୃତୀୟେ ସୌଭାଗ୍ୟ, ଏତେ ଗୁଡ଼ାଏ ଲାଭ ଛାଡ଼ି ସେ କାହିଁକି ପାଞ୍ଚ ଶହ ଟଙ୍କା ଦେଇ ଏଠାରେ ବିଭା ହେବାକୁ ଯିବ ? ମୁଁ ଜାଣୁ ଜାଣୁ ଏ ପ୍ରସ୍ତାବଟା କାହିଁକି କରିବି, ସେ ପୁଣି କଅଣ କହିବ ?

 

ସୀତାମଣି—ଆଚ୍ଛା ! ତୁମେ ଯେବେ ନ ପାରିବ, ମୋ ଉପରେ ସେ ଭାର ରହିଲା । ମୁଁ ଥରେ ଚେଷ୍ଟା କରି ଦେଖିବି । ତୁମେ ଖାଲି ଦାମ ନନାଙ୍କୁ ଆମ ଘରଠାକୁ ଡାକି ଆଣିଲ ?

 

ଗୌରହରି—ଆଚ୍ଛା ! ଯେତେବେଳେ କହୁଛୁ, ମୋର କଅଣ ଗୋଡ଼ ଥକି ପଡ଼ୁଛି ? କଥା ପଦକେ କହିବାକୁ ପାଟି ଘୋଳେଇ ହୋଇ ଯାଉଛି ? ହଉ, ଡାକି ଆଣିବି ।

 

ସୀତାମଣି—ନା, ନା ? ସେମିତି ତୁଚ୍ଛା କହିଦେଲେ ହବ ନାହିଁ । ତୁମର ଯେମିତି ଭୋଳା ମନ, ତୁମକୁ ଦିନରାତି ତୁହାକୁ ତୁହା ନ ହେଣ୍ଟରେଇଲେ ହବ ନାହିଁ । କାଲି ତ ରବିବାର, ଇସ୍କୁଲ ବନ୍ଦ । ତୁମେ କାଲି ଭୋର୍‌ ଭୋର୍‌ ଯାଇ ଦାମୋଦର ନନାଙ୍କୁ ଡାକି ଆଣିଲ ।

ଗୌରହରି—ହଉ, ଭୋର୍‌ ଆଗେ ହଉ; ଏତେ ତନାଘନା କାହିଁକି ?

ସୀତାମଣି—ନାଁ, ବ୍ୟସ୍ତ କାହିଁକି ହୁଅନ୍ତି । ଗୋଟାଏ ଲୋକ ଆତ୍ମହତ୍ୟା କରିବାକୁ ବସିଛି । ବ୍ୟସ୍ତ ହେବି ନାହିଁ ? ତୁମରି ପରି; ତୁମ ପୁରୁଷ ଜାତିଟା ଏଡ଼େ ସ୍ୱାର୍ଥପର ନା ?

ଗୌରହରି—ହଁ ! ଏବେ ବାହାରିଲା । ଆମ ପୁରୁଷ ଜାତିଟା ଖରାପ, ଆଉ ୟାଙ୍କ ଜାତିଟା ଭାରି ଭଲ । ଆଚ୍ଛା, ଆମ ପୁରୁଷ ଜାତିଟାର ଏମିତି କି ଦୋଷଟା ଦେଖିଲ ଯେ ?

ସୀତାମଣି—ଆଖି ଆଗର କଥା । ବେଶି ଦୂର ଯିବାକୁ ହେବ ନାହିଁ । ଦେଖୁଛ ତ ୭୦ ବର୍ଷର ବୁଢ଼ାଟା । ପଣେ କି କାହାଣେ ପୁଅ ନାତି, ବୋହୂ ଝିଅ; ତେବେ ବି ମନର ସାଧ ପୂରିଲା ନାହିଁ । କହୁଛି କଅଣ ନା, ପାଞ୍ଚ ଶହ ଟଙ୍କା ଦେଇ ପୁଣି ଗୋଟାକୁ ବେକରେ ବାନ୍ଧିବ । ଆହୁରି ଦେଖ, ନିଜର ବାପାଟା ହୋଇ—କଅଣ ବା ସମ୍ପତ୍ତି ନାହିଁ ? କିଏ ବା ଖାଇବ ? ଝିଅଟାକୁ ନିଜର ଜନ୍ମ କଲା ଝିଅଟାକୁ ମଝି ଦରିଆକୁ ପେଲି ଦେଇ ଟଙ୍କାତୋଡ଼ା ଗଣି ନଉଛି । ଆଉ ଲୋଡ଼ା ? ଏଇ ଦେଖ ନାଁ, ତୁମେ ଗୋଟିଏ ମଣିଷ । ଏମିତି କପଟୀ ଲୋକ ତ ମୁଁ କେବେ ଦେଖି ନ ଥିଲି ? ଖୁସିଗପ କଲାବେଳେ କଥାରେ ଖାଲି ଅମୃତ ଢାଳି ପକେଇବ— ‘‘ତୁ ମୋ ସର୍ବସ୍ୱ, ତୁ ମୋ ଜୀବନଧନ, ମୋ ହୃଦୟ ରାଣୀ, ମୋ ନୟନମଣି ଇତ୍ୟାଦି ଇତ୍ୟାଦି, କିନ୍ତୁ କାମ ପଡ଼ିଲା ବେଳେ ତୁ କିଏ, ନା ମୁଁ କିଏ ?’’

ଗୌରହରି—(ହସି କରି) ହଉ, ହଉ, ସେଟା ଜାଣି ମୋର ଦୋଷ; ଆଉ ଏଣିକି ଯେ ଆଜ୍ଞା ହେବ; ତାହା ମୋ ଶିରୋଧାର୍ଯ୍ୟ । ହଁ, ହଁ, ତୁମ କଥା ଯେ ମାନିବି ମୋତେ କି ବକ୍‌ସିସ୍‌ଟା ମିଳିବ—କହିଲ ?

 

ସୀତାମଣି—କାମ କରି ସାରିଲେ ସିନା ଲୋକେ ବକ୍‌ସିସ୍‌ ଖୋଜନ୍ତି ? କିଛି କୁଆଡ଼େ ନାହିଁ, ଆଗେ ତଲବ ବକ୍‌ସିସ୍‌ !

 

ଗୌରହରି—ଜାଣିଲ ! ଏତେ ବଡ଼ ଗୋଟାଏ କାମ କରିବାକୁ ଯିବି, ଆଗରୁ କିଛି ଆଡ଼ଭାନ୍‌ସ ନ ଦେଲେ ତ ହବ ନାହିଁ ।

 

ସୀତାମଣି—ଆଡ଼ଭାନ୍‌ସ ଗୋଟାଏ କଅଣ ମଁ ? ମୁଁ ଏତେ ଇଙ୍ଗରେଜୀ ଫିଙ୍ଗରେଜୀ ଜାଣେ ନାହିଁ ।

 

ଗୌରହରି—ଆଡ଼ଭାନ୍‌ସ ମାନେ ଅଗ୍ରିମ । ଦେୟ, ବଇନା । ବଇନା ନ ପାଇଲେ—ଉଁ—ହୁଁ— ।

 

ସୀତାମଣି—ଏଇକ୍ଷଣି ପରା କହୁଥିଲି । ଦେଖ, ତୁମ ଜାତିଟା କେଡ଼େ ଲୋଭୀ, କେଡ଼େ ସ୍ୱାର୍ଥପର !

 

ଗୌରହରି—ଆଉ ତୁମ ଜାତିଟା ?

 

ଗୌରହରି ସୀତାମଣିକୁ ପାଖକୁ ଟାଣି ନେଇ ତା ଗଣ୍ଡଦେଶରେ ଗୋଟିଏ ସ୍ନେହ ଚୁମ୍ୱନ ଅଙ୍କିତ କରିଦେଲେ । ସୀତାମଣି ହସ ହସ ମୁହଁରେ କହିଲେ, ‘‘ଏବେ ତ ହେଲା । ବକ୍‌ସିସ୍‌ ତ ପାଇଲଣି, ଏଣିକି କାମଟା କିପରି ହୁଏ, ତାର ଯୋଗାଡ଼ କର ।’’

 

[ପାଞ୍ଚ]

 

ରବିବାର ଦିନ ଭୋର୍‌ । ରାତି ଅନ୍ଧାର ଅନ୍ଧାର ଅଛି । ସୀତାମଣି ଉଠି ବାସିପାଇଟି ସାରି ଦାନ୍ତକାଠି, ପାଣିଲୋଟା ସଜାଇ ରଖି, ସ୍ୱାମୀଙ୍କୁ ଯାଇ ଡାକିଲେ, ‘‘ହଇ ହେ ! ଉଠ ଯିବ ପରା-? ରାତି ପାହିଲାଣି, ଏବେ ଉଠ, ଆଉ କେତେବେଳେ ଯିବ ?’’

 

ଗୌରହରିଙ୍କର ନିଦ ଭାଙ୍ଗିଗଲା, ସେ ନିଦ ଅଳସରେ ପଚାରିଲେ, ‘କେଉଁଠିକି ?’

 

‘ଏଁ ! ରାତିରେ ଏତେ କଥା ହେଲା । ସକାଳେ ପୁଣି ପଚାରୁଛ କେଉଁଠିକି ?’

 

ଗୌରହରି ତରତର ହୋଇ ଉଠି ପଡ଼ି ଆଖି ମଳି ମଳି କହିଲେ, ‘ଓହୋ ! ହଁ—ହଁ—ଯିବି । ତୁମକୁ ବୋଧହୁଏ ରାତିରେ ନିଦ ହୋଇ ନାହିଁ ? ’

 

ସୀତାମଣି—‘କେମିତି ହବ ? ତୁମର ସିନା ଟିକିଏ ଚିନ୍ତା ଆସୁ ନାହିଁ । ମୋତେ ତ ଦିନ ରାତି ଚିନ୍ତା; ନିଦ ହବ କୁଆଡ଼ୁ ?’

 

‘ନାଁ, ଆଉ ହେବ ନାହିଁ’ କହି ଗୌରହରି ମୁହଁ ଧୋଇ ଦାନ୍ତ ଘସିଲେ ।

 

ଇତିମଧ୍ୟରେ ସୀତାମଣି ସ୍ୱାମୀଙ୍କୁ ଗାଧୋଇବାକୁ ଜଳ ଗରମ କରି ଲଗେଇବା ପାଇଁ ତେଲ ଦେଲେ । ଗୌରହରି ଗାଧୋଇ ପଡ଼ି ଜଳଖିଆ କରି ଓଁ ବିଷ୍ଣୁ, ଓଁ ବିଷ୍ଣୁ କହି ଗୃହରୁ ଅନୁକୂଳ କରି ବାହାରି ଗଲେ । ସୀତାମଣି ପଛେ ପଛେ ଯାଇ ଦାଣ୍ଡଦୁଆରେ ଛିଡ଼ା ହୋଇଛନ୍ତି ।

 

ସ୍ୱାମୀଙ୍କୁ ବାଟେଇ ଦେଇ ଆସି ସୀତାମଣି ‘ହନୁମାନ ପ୍ରଶ୍ନ’ ବହି କାଢ଼ି ଖଡ଼ି ପକାଇଲେ-। ଏହି ସମୟରେ ତାଙ୍କ ପଛଆଡ଼େ ପଦଶବ୍ଦ, ଶୁଣି ସୀତାମଣି ମୁହଁ ଫେରାଇ ଦେଖିଲେ ଯେ, ବିମଳା । ସୀତାମଣି ହସି ହସି କହିଲେ, ‘‘ଆ ବିମ ! ଦେଖ, ଦେଖ୍‌ ।’’

 

ବିମଳା—କଅଣ ଦେଖିବି ଲୋ ?

 

ସୀତାମଣି—ଏଇ ଦେଖ୍‌, ଆଖି ବୁଜି ଚିତ୍ର ଭିତରେ ହାତ ମାରିଥିଲି, ତାହା ଅଙ୍ଗଦ ଘରେ ପଡ଼ିଗଲା । ପଢ଼୍‌, ପଢ଼, ଅଙ୍ଗଦ କଅଣ କହୁଅଛନ୍ତି । ‘ନିଶ୍ଚୟ କାର୍ଯ୍ୟ ସିଦ୍ଧ ହେବ ଆଉ ଚିନ୍ତା କଅଣ ? ଆଚ୍ଛା, ମନସ୍କାମନା ଚିତ୍ର ଦେଖିବୁ ? ବିମଳା, ତୁ ଏଇ ଚିତ୍ର ମଧ୍ୟରେ ଗୋଟିଏ ଘରେ ଆଙ୍ଗୁଠି ମାଇଲୁ ।

 

ବିମଳା ସୀତାମଣିର ଆଦେଶାନୁସାରେ ଗୋଟିଏ ଘରେ ଆଙ୍ଗୁଠି ମାଇଲା ।

 

ସୀତାମଣି—ଏଇ ବିଭୀଷଣ ଘର । ଆଚ୍ଛା, ଆଚ୍ଛା, ବିଭୀଷଣ କଅଣ କହୁଛନ୍ତି—ଦେଖାଯାଉ ।

 

ବିମଳାର ଛାତି ଦମ ଦମ ହେଉଥାଏ । ଭୟ ହେଉଥାଏ, କାଳେ ବିଭୀଷଣ କହିବେ ‘କାମ’ ହେବ ନାହିଁ ।’

 

ସୀତାମଣି—(ପାଟିକରି) ବାଃ ! ବାଃ ! ଆଉ କଅଣ ? ଏଇ ପଢ଼ ଏଇ ପଢ଼; ବିଭୀଷଣ କଅଣ କହୁଛନ୍ତି ।

 

ବିମଳା ମନେ ମନେ ପଢ଼ୁ ପଢ଼ୁ ତାଙ୍କର ମୁହଁ ଲଜ୍ଜାରେ ଆରକ୍ତ ହୋଇଗଲା ।

 

ସୀତାମଣି—ନା ! ନା ! ସେମିତି ହବ ନାହିଁ, ପାଟି କରି ପଢ଼୍ ।

 

ବିମଳା—ମୁଁ ପଢ଼ି ପାରେ ନାହିଁ, ତୁ ପଢ଼୍ ।

 

ସୀତାମଣି—ଆଚ୍ଛା ! ବିଭୀଷଣ କହୁଛନ୍ତି, ‘ଅବିଳମ୍ୱେ ମନସ୍କାମନା ପୂରଣ ହେବ।’ ଆଉ ତେବେ କଅଣ ? ଏବେ ହେଲା !

 

ବିମଳା—ଖଡ଼ିକଥା କେତେ ସତ, କେତେ ମିଛ ।

 

ସୀତାମଣି—ଏଁ ! କଅଣ ଖଡ଼ିକଥା ମିଛ ? ଏ କଅଣ ଯାଚ୍ଛା ତା ଖଡ଼ି ? ଏ ହଉଛି ‘ହନୁମାନ ପ୍ରଶ୍ନ’ । କ୍ରେତା ଯୁଗରେ ହନୁମାନ ପ୍ରଶ୍ନ କରିଥିଲେ, ନିଜେ ରାମଚନ୍ଦ୍ର ଉତ୍ତର ଦେଇଥିଲେ-। ଏଥିରେ କଅଣ ଭୁଲ ହବ ?

 

ବିମଳା—ନାନି ! ମୋ ବାଆଁ ଆଖିଟା କାହିଁକି କାଲି ରାତିରୁ ଠକ ଠକ ହୋଇ ଡେଉଁଛି-

 

ସୀତାମଣି—ତିରିଲାଙ୍କ ବାଆଁ ଆଖି ଡିଆଁ ଶୁଭ, ଶୁଭଚିହ୍ନ ଦେଖାଗଲାଣି; ମାଆ ମଙ୍ଗଳାଙ୍କୁ ଡାକ । ହଁ, ଗୋଟାଏ କଥା କହିବି, ମୋ କଥା ରଖିବୁ ତ ?

 

ବିମଳା—କଅଣ କହିଲୁ ?

 

ସୀତାମଣି—ବେଶୀ କିଛି ନୁହେଁ, କଥା କଅଣ କି, ମୋର ଟିକିଏ ଲୋଡ଼ା ଅଛି—ତୋ ହସ୍ତାକ୍ଷର ଖାତା, ରଚନା ଖାତା, ଆଉ ତୁ ଯେଉଁ ସବୁ ସୂତାକାମ କରିଥିଲୁ, ତାକୁ ସବୁ ମୋତେ ଟିକିଏ ଆଜି ଦବୁ ?

 

ବିମଳା—ସେଗୁଡ଼ାକ କୁଆଡ଼େ ପଡ଼ିଛି, ସେଗୁଡ଼ାକ କଅଣ ହବ ? ଇସ୍କୁଲ ଛାଡ଼ିଲା ଦିନୁଁ ଆଉ ସେ ସବୁରେ ମୋର ମନ ନାହିଁ ।

 

ସୀତାମଣି—ହଉ ! ଯିବ ଆଉ କୁଆଡ଼େ ? କୋଉଁଠି ନା କୋଉଁଠି ପଡ଼ିଥିବ; ଖୋଜକରି ଆଜି ଦିଇପହର ଭିତରେ କାହାରି ହାତରେ ପଠେଇ ଦବୁ ।

 

ବିମଳା—ହଉ, ଦେଖେଁ ।

 

ସୀତାମଣି—‘ନାଁ ! ନାଁ ! ‘ହଉ ଦେଖେଁ’’ ନୁହେଁ, ନିଶ୍ଚେଁ ନିଶ୍ଚେଁ ପଠାଇ ଦବାକୁ ହବ । ତତେ ମୋ ରାଣ ଅଛି ।

 

ବିମଳା—‘ଏଁ ! ଏଇଥିପାଇଁ ଗୋଟାଏ ରାଣ ପକାନ୍ତି । ସେଗୁଡ଼ାକ ଆଉ ମୋର କଅଣ ହବ ? ସବୁଯାକ ପଠେଇ ଦେବି ।

 

 

‘ହଉ ତେବେ ଆସେଁ କହି ବିମଳା ଉଠିଗଲା । ଉପରକୁ ଚାହିଁ କହିଲା, ‘‘ଆଲୋ ନାନି ! ଏତେବେଳ ତ ହେଲାଣି, ଭାତ ରାନ୍ଧିବୁ କେତେବେଳେ କି ?’

 

ସୀତାମଣି—ଆଜି ଆଉ ଭାତ ରାନ୍ଧିବି ନାହିଁ ।

 

ବିମଳା—କାହିଁକି ? ଆଜି କଅଣ କି ?

 

ସୀତାମଣି—ହବ ଆଉ କଅଣ ? ସେ ତ ଆଜି ନାହାନ୍ତି , ଆଉ ଭାତ ରାନ୍ଧିବି କାହା ଲାଗି ?

 

ବିମଳା—ଗଉର ଭାଇ କୁଆଡ଼େ ଯାଇଛନ୍ତି କି ?

 

ସୀତାମଣି—ସେ ଯାଇଛନ୍ତି ଗୋଟାଏ କାମରେ, ଉପରେ ଓଳିକି ଆସିବେ ।

 

ବିମଳା—ସେ ନାହାନ୍ତି ବୋଲି ତୁ ଆଉ ଖାଇବୁ ନାହିଁ ନାଁ ?

 

ସୀତାମଣି—ହଁ ! ମୋ ଖାଇବା ପାଇଁ ଗୋଟାଏ କଥା ପଡ଼ିଛି । କାଲି ରାତିର କଅଣ ପଖାଳ ପଖୋଳି ମୁଠାଏ ଅଛି, ଖାଇଦେବି ।

 

ବିମଳା—ହଉ ନାନି ! ତେବେ ଆସେଁ ।

 

ବିମଳା ଉଠି ଚାଲିଗଲା, ସୀତାମଣି କଅଣ ଭାବି ପୁଣି ଡାକିଲେ, ‘ବିମ ! ଏ ବିମ ! ବିମଳା ଥମ୍ୱିଯାଇ ଛିଡ଼ା ହୋଇ ପଚାରିଲା, ‘କଅଣ ମଁ ?’

 

ସୀତାମଣି—କାଲି ସକାଳେ ଟିକିଏ ଆସିବୁ ।

 

ବିମଳା—ହଉ ।

 

ସୀତାମଣି—ନାଁ, ନାଁ ନିଶ୍ଚୟ ଆସିବୁ, ତୋତେ ମୋ ରାଣ ଅଛି ।

 

ବିମଳା—ନାନିର ଯେ ତୁଚ୍ଛା ସବୁ କଥାରେ ଗୋଟାଏ ରାଣ । ମୁଁ ତ କହିଲି ଆସିବି—ଆଉ କଅଣ ?

 

ସୀତାମଣି—କାଳେ ନ ଆସିବୁ ।

 

ବିମଳା—ଏଁ ! ଏ ଫେର୍‌ ଗୋଟାଏ କଥା ନାଁ ?’

 

ବିମଳା ଘରକୁ ଚାଲିଗଲା ।

 

ସୀତାମଣି ମନେ ମନେ ପାଞ୍ଚ କଲେ, ‘ଆହା ! କି ସୁନ୍ଦର ସରଳ ନିଷ୍କପଟ ସ୍ୱଭାବ ! ଭଗବାନ୍‌ କଅଣ ଏ ଅମୂଲ୍ୟ ରତ୍ନଟିକୁ ସୃଷ୍ଟି କରିଥିଲେ, ଅକାରଣ ନଷ୍ଟ କରି ଦେବାପାଇଁ ? ନା, ନାଁ, ଭଗବାନ୍‌ ନିଶ୍ଚୟ ନିଶ୍ଚୟ ,ଏଥିର ପ୍ରତିକାର କରିବେ । ହେ ଇଚ୍ଛାମୟ ! ତୁମ୍ଭ ଇଚ୍ଛା ପୂର୍ଣ୍ଣ ହେଉ-। ତୁମ୍ଭର ଉଦ୍ଦେଶ୍ୟ ବୁଝିବାକୁ ଶକ୍ତି କାହାର ?’

 

[ଛଅ]

 

ଦିନ ଗଡ଼ିଗଲାଣି । ଆଉ ପ୍ରାୟ ଦୁଇ ତିନି ଘଡ଼ି ସରିକି ବାକି ଅଛି, ସୀତାମଣିଙ୍କ ମନ ଥୟ ହେଉନାହିଁ । କେତେ ପ୍ରକାର ଆଶଙ୍କା ଜାତ ହେଉଛି । ଦାମୋଦର ନନା ୟାଙ୍କ କଥା ଶୁଣି ଆଉ ଆସିଲେ ନାହିଁ ନା କଣ ? ନା, ନା, ଦାମ ନନା ତ ସେପରି ଲୋକ ନୁହନ୍ତି ? ମତେ ସେ ଭାରି ଭଲ ପାଉଥିଲେ । ମୁଁ ଡାକୁଛି ଶୁଶିଲେ ସେ ତ ନିଶ୍ଚୟ ନିଶ୍ଚୟ ଆସିବେ । ହଁ ଆସିବେ । ବେଶୀ ବାଟ, ଡେରି ହୋଇଥିବ । ପାଞ୍ଚ ସାତଥର ଯାଇ ଦାଣ୍ଡକୁ ଅନାଇ ଆସିଲେଣି । ବାଡ଼ିରେ ଛିଡ଼ା ହୋଇ ରାସ୍ତା ଉପରକୁ କେତେ ଥର ଅନାଇଲେଣି । ଦୂରରେ କାହାରିକୁ ଦେଖିଲେ ଭାବନ୍ତି, ‘ବୋଧହୁଏ ଏମାନେ ଆସୁଛନ୍ତି ପରା ।’ କିନ୍ତୁ ସେମାନେ ଯେତେବେଳେ ଅନ୍ୟ ବାଟ ଦେଇ ଚାଲି ଯାଆନ୍ତି, ସେତେବେଳେ ସୀତାମଣିଙ୍କର ଆଶା ମନେ ମନେ ଉଭେଇ ଯାଏ ।

 

ଶେଷରେ ଦିନ ରତ ରାତି ହେବାକୁ ବସିଲା । ଚାହିଁ ଚାହିଁ ଆଖିରୁ ପାଣି ମଲା । ସୀତାମଣି ଘରକୁ ଫେରି ଆସି ସନ୍ଧ୍ୟାବତୀ ବଳୁଛନ୍ତି; ଦାଣ୍ଡରେ କଥାବାର୍ତ୍ତା ଶୁଭିଲା । ସୀତାମଣିଙ୍କର ହୃଦୟ ଆନନ୍ଦରେ ନାଚି ଉଠିଲା । ତରତର ହୋଇ ଉଠିଯାଇ କବାଟ ଫିଟାଇ ଦେଲେ । ଦେଖିଲେ ଯେ, ଦାମୋଦର ଓ ଗୌରହରି ସାଙ୍ଗ ହୋଇ ଆସୁଛନ୍ତି । ମଝିପିଣ୍ଡାରେ ମସିଣା ଖଣ୍ଡିଏ ପାରିଦେଇ ପାଣି ଲୋଟାଟିଏ ରଖିଦେଲେ । ଦାମୋଦର ପହଞ୍ଚିଯିବାରୁ ସୀତାମଣି ଭାଇଙ୍କୁ ଜୁହାର ହେଲେ । ଦାମୋଦର ସ୍ନେହରେ ଭଉଣୀକୁ ଉଠାଇ ପଚାରିଲେ, ‘ମଣି, ଭଲ ଅଛୁ ତ ରେ ?’

 

ସୀତାମଣି ଉତ୍ତର ଦେଲେ, ‘‘ହଁ ନନା, ତୁମ ପା କଲ୍ୟାଣରୁ ।’’ ଦାମୋଦର ଓ ଗୌରହରି ଗୋଡ଼ ଧୋଇ ମସିଣାରେ ବସିଲେ । ତାର ପରେ ସୀତାମଣି ଦୁଇଟା ଅଧାବେଲାରେ ମୁଢ଼ି ଦୁଧ ଚିନି ଜଳଖିଆ ଆଣି ଦେଲେ । ଜଳଖିଆ ଖାଇ ସାରି ସାମାନ୍ୟ କେତେକ ଦୁଃଖ ସୁଖ କଥାବାର୍ତ୍ତା ପରେ ରାନ୍ଧିବାପାଇଁ ଗଲେ ହାଣ୍ଡିଶାଳକୁ । ରନ୍ଧାବଢ଼ା ସାରି ବିମଳା ପଠେଇ ଦେଇଥିବା ସୁତାକାମ ପୋଟଳିଟି ଓ ହସ୍ତାକ୍ଷର ଖାତାଟି ନେଇ ସୀତାମଣି ଦାଣ୍ଡଘରକୁ ଗଲେ । ତାହାର ପାଖରୁ ଶୁଣିଲେ, ଦୁହେଁ କଥାବାର୍ତ୍ତା ହେଉଛନ୍ତି । ଟିକିଏ କାନ ପାରି ଶୁଣିଲେ ଦାମୋଦର କହୁଛନ୍ତି, ‘‘ମୋର କଣ ସେଠାରେ ବିଭା ହେବାର ଇଚ୍ଛା ? କେଭେଁ ନୁହେ । ସେ ହେଲେ ବଡ଼ଲୋକ । ମାର୍କଣ୍ଡ ମିଶ୍ରେ ଖାଲି ବରାବର ଆସି ମାଙ୍କୁ ଫୁସୁଲାଉଛି । ବୋଧହୁଏ ତାର କିଛି ଲାଭ ଅଛି, ନ ହେଲେ ସେ ଏତେ ଲାଗି ପଡ଼ନ୍ତା କାହିଁକି ? ଦାମୋଦରଙ୍କ କଥା ଶୁଣି ସୀତାମଣିଙ୍କର ଛାତି କୁଣ୍ଢେ ମୋଟ ହୋଇଗଲା । ତାଙ୍କ ମନ ଖାଲି ଛକ ଛକ ହେଉଥିଲା କାଳେ ଚୌଧୁରୀଙ୍କ ଝିଅକୁ ବିଭା ହେବାପାଇଁ ଦାମୋଦରଙ୍କର ମନ ବଳିଥାଏ, କାଳେ ସେ ତାଙ୍କ ପ୍ରସ୍ତାବକୁ ନ ଶୁଣେ; କିନ୍ତୁ ଦାମୋଦର କଥାରୁ ବର୍ତ୍ତମାନ ସେ ସ୍ପଷ୍ଟ ବୁଝିନେଲେ ଯେ, ଚୌଧୁରୀଙ୍କ ଘରେ ବିବାହ କରିବାପାଇଁ ଦାମୋଦରଙ୍କର ଆଦୌ ଇଚ୍ଛା ନୁହେ । ସୀତାମଣିର ସାହସ ବଢ଼ି ଗଲା । ସେ ଧୀରେ ଧୀରେ କବାଟଟି ଫିଟାଇ ଘର ଭିତରକୁ ଗଲେ । ଦାମୋଦର କହିଲେ, ‘‘ମଣି ମୋତେ ଡକାଇଥିଲୁ କାହିଁକି ? କିଛି ତ କାହିଁ କହିଲୁ ନାହିଁ ?’’

 

ସୀତାମଣି ହସ୍ତାକ୍ଷର ଖାତାଟି ଓ ସୂତାକାମ ପୋଟଳିଟି କାନ୍ଥ ଆଲମାରି ଉପରେ ରଖି ଦେବାକୁ ଯାଉଥିଲେ । ଦାମୋଦର ପଚାରିଲେ, ‘‘ସେ ସବୁ କଣ, ଦେଖେଁ ଦେଖେଁ ।’’ ସୀତାମଣି ଆନନ୍ଦର ସହିତ ଦାମୋଦରଙ୍କ ହାତକୁ ଖାତାଟି ଓ ପୋଟଳିଟି ବଢ଼ାଇ ଦେଇ ଏକପାଖିଆ ହୋଇ ବସି ପଡ଼ିଲେ । ଦାମୋଦର ହସ୍ତାକ୍ଷର ଖାତାଟି ମେଲାଇ ଦେଖିଲେ କି ସୁନ୍ଦର ଗୋଲ ଗୋଲ ହସ୍ତାକ୍ଷରଗୁଡ଼ିଏ ଲେଖା ହୋଇଛି । କହି ପକାଇଲେ, ‘‘ବାଃ ଚମତ୍କାର ତ ? ମଣି, ତୋରି ହସ୍ତାକ୍ଷର ନା ?’’

 

ସୀତାମଣି—ନା ।

 

ଦାମୋଦର—ଆଉ କାହାର ? (ନାମ ପଢ଼ି) ‘ଶ୍ରୀମତୀ ବିମଳା ଦେଈ’ (ପୁଣି ଆଉଥରେ ପଢ଼ି) ‘ବିମଳା ଦେଈ’ । ଏ ବିମଳା’ ଟି କିଏ ମଣି ?

 

ସୀତାମଣି—ସେ ଏଇଠିକାର ଗୋଟିଏ ଝିଅ ।

 

ଦାମୋଦର—(ରଚନା ଖାତା ଦେଖି) ଏଇଟି କଣ ? (ପଢ଼ି କରି) ‘ସ୍ୱାମୀଭକ୍ତି ଓ ଗୃହିଣୀର ଧର୍ମ (ପାଟିକରି ପଢ଼ିଲେ) ‘‘ସ୍ୱାମୀ ସ୍ତ୍ରୀର ଏକମାତ୍ର ଦେବତା । ଯେ ସ୍ୱାମୀଙ୍କୁ ପ୍ରକୃତ ଦେବତା ମନେ କରି, ତାଙ୍କର ସେବା କରେ, ତାଙ୍କର ଆଦେଶ ପ୍ରତିପାଳନ କରେ, ସେ ଆଦର୍ଶ ଗୃହିଣୀ । ସ୍ତ୍ରୀ ସ୍ୱାମୀଙ୍କର ସହଧର୍ମିଣୀ ଓ ଅର୍ଦ୍ଧାଙ୍ଗିନୀ । ସ୍ୱାମୀଙ୍କୁ ସ୍ନେହ କରିବା, ଭକ୍ତି କରିବା, ସ୍ୱାମୀଙ୍କ ସହିତ ଏକଆତ୍ମା, ଏକପ୍ରାଣ ହୋଇ ସତମାର୍ଗରେ ଚଳିବା ଓ ଚଳାଇବା ଗୃହିଣୀର ପ୍ରଧାନ ଧର୍ମ । ଯେ ସ୍ୱାମୀଙ୍କ ପାଦରେ ମତି ରଖି ଏକନିଷ୍ଠଭାବରେ ତାଙ୍କର ସେବା କରେ, ତାହାକୁ ସତୀ କହନ୍ତି । ପୂର୍ବକାଳରେ ଆମ ଦେଶରେ ଦ୍ରୌପଦୀ, ସାବିତ୍ରୀ, ସୀତା ପ୍ରଭୃତି କେତେ କେତେ ସତୀ ଜନ୍ମ ଗ୍ରହଣ କରିଥିଲେ ।’’ ବାଃ ବଡ଼ ଚମତ୍କାର ରଚନା ତ ! ‘‘ଶ୍ରୀମତୀ ବିମଳା ଦେଈ’’ ଏ ବି ତ ତାହାରି ଲେଖା ! ବାଃ ଏଗୁଡ଼ିକ କଣ ?

 

ଦାମୋଦର ପୋଟଳିଟି ଫିଟାଇ ଗୋଟିଏ ଗୋଟିଏ ସୂତାକାମ ନିରୀକ୍ଷଣ କରି ଦେଖୁଥାନ୍ତି । ଏଆଡ଼େ ସୀତାମଣି ଓ ଗୌରହରି ପରସ୍ପର ମୁହଁ ଚାହାଁଚାହିଁ ହୋଇ ହସୁଥାନ୍ତି । ଦାମୋଦର ଦଣ୍ଡେ କାଳ ସେଗୁଡ଼ିକ ଦେଖି ପଚାରିଲେ, ‘‘ଏଗୁଡ଼ିକ ବି ତାରି ହାତରେ ତିଆରି ନା-?’’

 

ସୀତାମଣି ଚେଷ୍ଟା କରି ହସ ଚାପି ରଖି କହିଲେ, ‘ହଁ’

 

ଦାମୋଦର—ବାଃ, ଚମତ୍କାର ତ ! ମଫସଲ ଗାଆଁରେ ଏ ସବୁ କାମ ଶିଖିବା ତ ସହଜ କଥା ନୁହେଁ ?

 

ଗୌରହରି—ଆମ ଗାଆଁରେ ଗୋଟିଏ ସରକାରୀ ବାଳିକା ସ୍କୁଲ ଅଛି ନା । ବର୍ଷକରେ ଥରେ ଦୁଇ ଥର ଶିକ୍ଷୟତ୍ରୀ ଆସି ସୂତାକାମ ଶିଖାଇ ଦେଇଯାଏ ।

 

ଦାମୋଦର—ଆଚ୍ଛା, ପିଲାଟି କେତେ ପର୍ଯ୍ୟନ୍ତ ପଢ଼ିଛି ?

 

ଗୌରହରି—ବେଶୀ ନୁହେଁ, ଏଇ ନିମ୍ନ ପ୍ରାଇମେରୀ । ତା ପରେ ମୋ ପାଖରେ ମଧ୍ୟ କେତେ ଦିନ ପଢ଼ାପଢ଼ି କରୁଥିଲା ।

 

ହସ୍ତାକ୍ଷର ରଚନା ଓ ସୂତାକାମଗୁଡ଼ିକ ଦେଖୁଁ ଦେଖୁଁ ଦାମୋଦରଙ୍କ ମନ ଅଲକ୍ଷିତ ଭାବରେ କେତେବେଳେ ଯେ ତାର ନିର୍ମାଣକାରିଣୀ ପ୍ରତି ଆକୃଷ୍ଟ ହୋଇ ପଡ଼ିଲାଣି, ତାହା ଦାମୋଦର ନିଜେ ଜାଣି ପାରି ନ ଥିଲେ ସତ; କିନ୍ତୁ ସୀତାମଣି ଓ ଗୌରହରିଙ୍କୁ ଅଜଣା ନ ଥିଲା ।

 

ଦାମୋଦର—ଆଚ୍ଛା ପିଲାଟିର ବୟସ କେତେ ହେବ ?

 

ଗୌରହରି—ଏଇ ତ ସେ ଦିନ ତାର ଜନ୍ମ । ବୟସ ତେର ଚଉଦ ହେବ, ଆଉ କଣ ?

 

ଦାମୋଦର—ବୋଧହୁଏ ବିବାହିତା ?

 

ଏ କଥାଟି ଶୁଣି ସୀତାମଣିଙ୍କ ହୃଦୟରେ ଆନନ୍ଦର ସ୍ରୋତ ଖେଳିଗଲା । ତାଙ୍କ ମନର ସଂଶୟ ଦୂର ହୋଇଗଲା । ସେ ସ୍ପଷ୍ଟରୂପେ ଜାଣି ପାରିଲେ ଯେ, ଦାମୋଦରଙ୍କ ମନ ବିମଳା ପ୍ରତି ଆକୃଷ୍ଟ ।

 

ଗୌରହରି ମୁରୁକି ମୁରୁକି ହସି ଉତ୍ତର ଦେଲେ, ‘ନା’ ।

 

‘ନା’, ତେବେ କଣ ମୋର ଆଶା ଫଳବତୀ ହୋଇପାରେ ? ଦାମୋଦରଙ୍କ ମନେ ମନେ ଏଇ କଥା ଜାଗି ଉଠିଲା । ଆଶା କୁହୁକିନୀ କାନେ କାନେ କହିଦେଲା, ‘ହେବ’ ।

 

ଗୌରହରି କହିଲେ, ‘ଏଇ ମାସରେ ତାହାର ବିବାହ ହେବାର କଥା ହୋଇଛି ।’

 

ଗୌରହରିଙ୍କର କଥା ଶୁଣି ଦାମୋଦରଙ୍କର ମୁହଁ ଶୁଖିଗଲା । ପଲ୍ଲବିତ ଆଶାଲତାଟି ଝାଉଁଳି ପଡ଼ିଲା । ଶୁଷ୍କ କଣ୍ଠରେ ଦାମୋଦର ପଚାରିଲେ, ‘କେଉଁଠି ?’

 

ଗୌରହରି—ଗୋବିନ୍ଦପୁର ଗୋବର୍ଦ୍ଧନ ସାନ୍ତରାଙ୍କ ଘରେ ।

 

ଦାମୋଦର—ଏଁ, କାହା ସଙ୍ଗରେ ? ସାନ୍ତରାଙ୍କ ନାତି ସଙ୍ଗରେ ନା, ସାନପୁଅ ସଙ୍ଗରେ-?

 

ଗୌରହରି—ନା, ଖୋଦ୍‌ ସାନ୍ତରାଙ୍କ ସଙ୍ଗରେ ।

 

ଗୌରହରିଙ୍କ କଥା ଶୁଣି ଦାମୋଦର ବିଶ୍ୱାସ କରି ପାରିଲେ ନାହିଁ । ଭାବିଲେ—ବୋଧହୁଏ, ଗୌରହରି ଥଟ୍ଟାରେ ଏପରି କହୁଛନ୍ତି । ଗୋବର୍ଦ୍ଧନ ସାନ୍ତରା ଜଣେ ବଡ଼ ମହାଜନ । ଆଖାପାଖ ଗାଆଁରେ ତାଙ୍କର ନାମ ଡାକ । ଦାମୋଦର ମଧ୍ୟ ଅନେକ ଥର ସାନ୍ତରାଙ୍କ ଘରକୁ ଯାଇଛି ଓ ସାନ୍ତରାଙ୍କୁ ଦେଖିଛି । ହରିପୁର ଓ ଗୋବିନ୍ଦପୁର ଲଗାଲଗି ନ ହେଲେ ସୁଦ୍ଧା, ମଝିରେ ଅଳ୍ପ ମାତ୍ର ବ୍ୟବଧାନ ଅଛି । ହରିପୁର ଓ ଗୋବିନ୍ଦପୁର ମଧ୍ୟରେ ‘ନାଉରିଆ ସାହି’ ନାମକ ଗୋଟିଏ କ୍ଷୁଦ୍ର କୈବର୍ତ୍ତ ଅସ୍ତି ଅଛି । ତା ପାଖରେ ‘ସାତ ବାଙ୍କିଆ’ ନାମକ ଗୋଟିଏ କ୍ଷୁଦ୍ର ଯୋର ଅଛି । ଉକ୍ତ ଯୋରଟି ପାର ହେଲେ ଗୋବିନ୍ଦପୁର ମୌଜାର ପ୍ରଧାନ ମହାଜନ ଗୋବର୍ଦ୍ଧନ ସାନ୍ତରାଙ୍କ ପକ୍କାଘର ଦେଖାଯାଏ । ସାନ୍ତରା ନିଜେ ବାହା ହେବା ଶୁଣି ଦାମୋଦର ବିଶ୍ୱାସ କରି ପାରିଲା ନାହିଁ । ଚାରି ପୁଅ ତିନି ବୋହୂ ଓ ଛଅଟା ନାତି ନାତୁଣୀ ଥାଉଁ ଥାଉଁ ଯେ ସତୁରି ବର୍ଷର ବୁଢ଼ା ସାନ୍ତରା ଏ ବୟସରେ ବିଭା ହେବେ,ଏଟା ତାଙ୍କୁ ଅସମ୍ଭବ ବୋଧ ହେଲା । ସେ ସାନ୍ତରାଙ୍କର ୧୭।୧୮ ବର୍ଷର ଗୋଟିଏ ନାତି ଓ ୨୪।୨୫ ବର୍ଷର ପୁଅଟିଏ ଅଭିଆଡ଼ା ଥିବାର ଦେଖି ଆସିଥିଲେ; ସୁତରାଂ ସେ ଭାବିଲେ, ବିମଳା ସହିତ ସାନ୍ତରାଙ୍କର ନାତି କିମ୍ୱା ସାନପୁଅ ସହିତ ବିବାହ ସମ୍ବନ୍ଧ ସ୍ଥିର ହୋଇଛି । ଦାମୋଦର ଗୌରହରିଙ୍କ କଥାରେ ବିଶ୍ୱାସ କରି ନ ପାରି କହିଲେ, ‘ହେତ୍‌’ ସେ ପରିହାସ ରଖ । ବର୍ତ୍ତମାନ ମୁଁ ପଚାରୁଛି, କାହା ସଙ୍ଗରେ ବିବାହ ସ୍ଥିର ହୋଇଛି—ସାନ୍ତରାଙ୍କ ନାତି ସଙ୍ଗରେ, ନା ତାଙ୍କ ସାନ ପୁଅ ସଙ୍ଗରେ ? ଗୌରହରି ହସ ସମ୍ଭାଳି ପାରିଲେ ନାହିଁ । ହସି ହସି ଉତ୍ତର ଦେଲେ, ‘ଖୋଦ୍‌ ସାନ୍ତରାଙ୍କ ସଙ୍ଗରେ ପରା । ସାନ୍ତରା ପାଞ୍ଚଶ ଟଙ୍କା କନ୍ୟାସୁନା ଦେଇ ବିମଳାକୁ ବିଭା ହେଉଛନ୍ତି ।’

ବିମଳାର ବିବାହ ସ୍ଥିର ହେଇଛି ଜଣେ ମରଣୋନ୍ମୁଖ ବୃଦ୍ଧ ସହିତ । ଏକଥା ଭାବିଲା ବେଳକୁ ଦାମୋଦରଙ୍କ ଦେହ ଶୀତେଇ ଉଠିଲା । ଏପରି ମୂଲ୍ୟବାନ୍‌ ରତ୍ନଟି ଗୋଟିଏ ମର୍କଟ ଗଳାରେ ବନ୍ଧା ହେବ । ଛି, ଛି, କି ଅସୁନ୍ଦର କଥା ! ଦାମୋଦର ପଚାରିଲେ, ‘ଆଚ୍ଛା, ବିମଳାର ବାପ ସେଥିରେ ରାଜି ହେଲେ କିପରି ? ଏପରି ଗୁଣବତୀ ଝିଅଟିକୁ ସତୁରି ବର୍ଷ ବୁଢ଼ା ସହିତ ବିବାହ ଦେବାକୁ ତାଙ୍କର ମନ ବଳିଲା ବା କିପରି ?’ଗୌରହରି ଉତ୍ତର ଦେଲେ, ‘ଟଙ୍କା-ଟଙ୍କା-ଟଙ୍କା-!’

ଦାମୋଦର ଭାବିଲେ—ହାୟ, ଆଜିକାଲିକା ସମାଜଟା କି ଅନ୍ତଃସାରଶୂନ୍ୟ ହୋଇ ପଡ଼ିଛି । ପିତା ନିଜର କନ୍ୟାକୁ ଆସନ୍ନ ମୃତ୍ୟୁ ଜରାଜୀର୍ଣ୍ଣ ବୃଦ୍ଧ ସହିତ ବିବାହ ଦେବାକୁ କୁଣ୍ଠିତ ନୁହେ । ସତୁରି ବର୍ଷର ବୁଢ଼ା ପୁଣି ବିବାହ କରିବ, ଏଥିରେ ସମାଜର କିଛି ଆପତ୍ତି ନାହିଁ, ଅଥଚ ଚାରି ବର୍ଷର ଅଜ୍ଞାନ ଶିଶୁ ବାଳିକା ଯଦି ବିଧବା ହୁଏ, ତେବେ ତାହାର ପୁନର୍ବିବାହ ସମାଜ ବିରୁଦ୍ଧ । ଧିକ୍‌, ଏ ସମାଜକୁ । ଦାମୋଦରଙ୍କୁ ଅନ୍ୟମନସ୍କ ଦେଖି ଗୌରହରି ପଚାରିଲେ, ‘ଏତେ କଣ ଭାବୁଛ ?’

ଦାମୋଦର—ନା କିଛି ନା, ଆଚ୍ଛା ଟଙ୍କା ଜାଣି କି ନେଲେ କିନ୍ତୁ ସତୁରି ବର୍ଷର ବୁଢ଼ା ସହିତ ବିବାହ ଦେବାର କଣ ଦରକାର ଥିଲା ? ଟଙ୍କା ନେଇ ଭଲ ପାତ୍ରଟିଏ ଦେଖି ଦେଲେ କଣ ହୁଅନ୍ତା ନାହିଁ ?

 

ଗୌରହରି—ହୁଅନ୍ତା ନାହିଁ କାହିଁକି ? ତେବେ ଏତେ ଟଙ୍କା ଦେବାକୁ ରାଜି ହେବ କିଏ–ସେମିତି ବୁଢ଼ାହଡ଼ା ନ ହେଲେ ?

 

ଦାମୋଦର—କେତେ ଟଙ୍କା ?

 

ଗୌରହରି—ଗୋପାଳ ମହାପାତ୍ରେ ତ ଏକ ରାୟ ଧରି ବସିଛନ୍ତି ପାଞ୍ଚ ଶହରୁ ପଇସାଏ ଅଧଲାଏ କମ ହେଲେ ଝିଅ ଦେବେ ନାହିଁ । କିଏ କାହିଁକି ଏତେ ଟଙ୍କା ଦେଇ ବିଭା ହେବାକୁ ଯିବ ? କାହାକୁ ବା କନ୍ୟା ମିଳୁ ନାହିଁ ? ଯେଉଁମାନେ ବୁଢ଼ା ହଡ଼ା, ଯାହାଙ୍କୁ କେହି ସହଜରେ କନ୍ୟା ଦେବେ ନାହିଁ ସେହିମାନେ ହିଁ ଦର ବଢ଼ାନ୍ତି ।

 

ଦାମୋଦର ଭାବିଲେ, ଦୋଷ ତ କେବଳ ବୃଦ୍ଧମାନଙ୍କର ନୁହେଁ, ଯୁବକମାନଙ୍କର ମଧ୍ୟ ଦୋଷ ଅଛି । କନ୍ୟାର ଦର ଯେତେ ବଢ଼ାଇଲେ ସୁଦ୍ଧା ଯୁବକମାନେ ଯଦି ଆହୁରି ଅଧିକ ଟଙ୍କା ଦେଇ ବିଭା ହୋଇଯାନ୍ତେ, ତେବେ ବୃଦ୍ଧମାନେ ଆଉ ନବନୀତକୋମଳା କୁମାରୀମାନଙ୍କର ସର୍ବନାଶ କରି ପାରନ୍ତେ ନାହିଁ । ବୋଧ ହୁଏ, ଅନ୍ୟ କାହାରି ମନରେ କିମ୍ୱା ଅନ୍ୟ ସମୟରେ ଦାମୋଦରଙ୍କ ମନରେ ଏପରି ଯୁକ୍ତି ବା ଭାବନା ସହଜରେ ଉଦୟ ହୁଅନ୍ତା ନାହିଁ । ବର୍ତ୍ତମାନ ଏପରି ଯୁକ୍ତି କରିବାର କାରଣ ଦାମୋଦରଙ୍କର ମନ ଅଜ୍ଞାତଭାବରେ ବିମଳା ପ୍ରତି ଆକୃଷ୍ଟ ହୋଇ ପଡ଼ିଛି । କିଛିକ୍ଷଣ ଭାବି ଦାମୋଦର ପଚାରିଲେ, ‘‘ଆଚ୍ଛା, ବୁଢ଼ା କଣ ଏତେ ଟଙ୍କା ଦେବାକୁ ରାଜି ଅଛି ?’’

 

ଗୌରହରି—ରାଜି ନ ହେଲେ ଆଉ କଥା ସ୍ଥିର ହେଲା କିପରି ?

 

ବେଳ ଉଣ୍ଡି ସୀତାମଣି କହିଲେ, ‘‘ଦେଉ, ବୁଢ଼ା ଟଙ୍କା ଥଳିଏ ସିନା ଅଜାଡ଼ି ଦେଇଯିବ, କିନ୍ତୁ ବାହାଘର ଦିନ ମଥା କୋଡ଼ି ହେବ ।’’ ଦାମୋଦର ସୀତାମଣିଙ୍କ କଥାର ଉଦ୍ଦେଶ୍ୟ ବୁଝି ନ ପାରି ପଚାରିଲେ, ‘‘କାହିଁକି ?’’

 

ସୀତାମଣି—ବିଭାଘର ପର୍ଯ୍ୟନ୍ତ କଣ କମଳା ଥିବ ଯେ— ।

 

ଦାମୋଦର—(ଉଦ୍‌ବିଗ୍ନ ହୋଇ) ଆଉ କେଉଁଆଡ଼େ ଯିବ ?

 

ସୀତାମଣି—ଯମପୁରକୁ ।

 

ଦାମୋଦର—ଏଁ, ଏଁ ।

 

ସୀତାମଣି—ମୋ ପାଖରେ ତ କହୁଥିଲା, ମଙ୍ଗନ ଦିନ ରାତିରେ କନିୟର ମଞ୍ଜି ଖାଇଦେବ ବୋଲି । ମୁଁ ଯେତେ ରାଣ ନିୟମ ପକାଇ ତାର ମନ ଭୁଲାଇବାକୁ ଚେଷ୍ଟା କଲି; କିନ୍ତୁ ସେ କଣ ମୋ କଥା ମାନିବ । ତା ପ୍ରାଣକୁ ବାଧୁଛି । ଏତେବେଳକୁ ତ କାମ ସରି ସାରନ୍ତାଣି; କିନ୍ତୁ ବୁଢ଼ା ଉପରେ ରାଗଟା ବେଶୀ ବୋଲି ଏପର୍ଯ୍ୟନ୍ତ କିଛି କରୁ ନାହିଁ । କହୁଥିଲା, ‘‘ବୁଢ଼ା ଟଙ୍କାଥଳି ଅଜାଡ଼ି ଦେଇ ସାରୁ, ବିଭାଘର ଆୟୋଜନ କରି ସାରୁ, ବିଭା ହେବାକୁ ଆସିବ ତ ଦେଖିବ ଫାଙ୍କା-। ତେବେ ଯାଇ ବୁଝିବ ବାହା ହେବା କେଡ଼େ ମଜା । ତା ନ ହେଲେ ଯେ ସବୁ ଫସ୍‌କି ଯିବ-।’’

 

ଦାମୋଦର କାଷ୍ଠପିତୁଳା ପରି ବସି ହାଁ କରି ସୀତାମଣିର କଥା ସବୁ ଶୁଣି ଯାଉଥିଲେ । ବିମଳାର ଆତ୍ମହତ୍ୟା ସଙ୍କଳ୍ପ ଶୁଣି ଦାମୋଦରଙ୍କ ଦେହ ଶୀତେଇ ଉଠିଲା । ବିମଳାର ହୃଦୟର ବେଦନା ଯେ କେତେଦୂର ଗଭୀର, ତାହା ବର୍ତ୍ତମାନ ଦାମୋଦର ସ୍ପଷ୍ଟ ବୁଝି ପାରିଲେ । ଦାମୋଦର କଣ ଭାବି ଗୋଟାଏ ଦୀର୍ଘଶ୍ୱାସ ପକାଇ କହିଲେ, ‘‘ଯଦି କେହି ଯୁବକ ସେତିକି ଟଙ୍କା କିମ୍ୱା ଦରକାର ପଡ଼ିଲେ ତାଠାରୁ ବେଶୀ ଟଙ୍କା ଦେବାକୁ ରାଜି ହୁଏ, ତେବେ ବିମଳାର ପିତା ଅମଙ୍ଗ ହେବେ ନାହିଁ ତ ?’’

 

ଗୌରହରି ଓ ସୀତାମଣିଙ୍କ ହୃଦୟ ଆନନ୍ଦରେ ନାଚି ଉଠିଲା—କାର୍ଯ୍ୟ ସଫଳ ହୋଇଛି-।

 

ଗୌରହରି—ଅମଙ୍ଗ କାହିଁକି ହେବେ ? ତାଙ୍କର ତ ଲୋଡ଼ା ଟଙ୍କା । ବୁଢ଼ା ହେଉ, ଟୋକା ହେଉ, ଯେ ତାଙ୍କୁ ଟଙ୍କା ଦେବ, ସେ ତାକୁ ଝିଅ ଦେବେ । ୪।୬ ଟଙ୍କା ବେଶୀ ଦେଲେ ତ ବରଂ ଦ୍ୱିଗୁଣ ଖୁସି ହେବ ।

 

ଦାମୋଦର—କଥା ଯେ ଠିକ୍‌ ହୋଇଛି ସାନ୍ତରାଙ୍କ ସାଙ୍ଗରେ ।

 

ଗୌରହରି—ଝିଅବିକା ଯାହାର ବ୍ୟବସାୟ, ତାର ଗୋଟା କଥାରେ ଠିକ୍‌ କଣ । କଥା କଣ କହୁଛ, ବର ବେଦୀକୁ ଆସିଲେ ଆଉ କେହି ଯଦି ୫।୭ ଟଙ୍କା ବେଶୀ ଯାଚେ ତ, ବରକୁ ବେଦୀରୁ ବାହୁଡ଼ାଇ ଦେବେ, କିନ୍ତୁ ଏତେ ଟଙ୍କା କିଏ କାହିଁକି ଦେବାକୁ ଯିବ ।

 

ଦାମୋଦର—ମୁଁ ଦେବି ।

 

ଦଣ୍ଡେକାଳ ସମସ୍ତେ ନୀରବ ହୋଇଗଲେ ।

 

ଗୌରହରି—ତୁମର ପରା ଚୌଧୁରୀଙ୍କ ଝିଅ ସହିତ ବିବାହ ସ୍ଥିର ହୋଇଛି ? ଜମି ପାଇବ, ଟଙ୍କା ପାଇବ, ବଡ଼ଲୋକ ହେବ ।

 

ଦାମୋଦର—ମୋର ସେ ସବୁ କଣ ହେବ ହେ ? ମୁଁ ସେ ସବୁ କିଛି ଚାହେଁ ନା ।

 

ଗୌରହରି—ଆଚ୍ଛା ବିମଳାକୁ ଦେଖିଛ ନା, କହୁଛ ବିଭା ହେବ ବୋଲି ?

 

ଦାମୋଦର—ଦେଖିବାର ଦରକାର ନାହିଁ । ଦେଖି କରି ଅଧିକ କଣ ପାଇବି ?

 

ଗୌରହରି—ଚୌଧୁରୀଙ୍କ ଝିଅ ତୁଳନାରେ ବିମଳା ତ ସେତେ ସୁନ୍ଦରୀ ନୁହେଁ ।

 

ଦାମୋଦର—କିଏ କହିଲା ନୁହେଁ ?

 

ଗୌରହରି—ମୁଁ କହୁଛି । ମୁଁ ଦୁହିଙ୍କି ଦେଖିଛି । ବିମଳାର ଦେହର ରଙ୍ଗ ତ ଗୋରା ନୁହେଁ ।

 

ଦାମୋଦର—ହୋ-ହୋ ! ତୁମେ ପରା ଏହିପରି ଭାବରେ ସୁନ୍ଦରୀ ଅସୁନ୍ଦରୀ ବାଛ । ମୁଁ କିନ୍ତୁ ସେପରି ଭାବେ ନାହିଁ । ଯାହାର ଅନ୍ତର ସୁନ୍ଦର, ସେହି ପ୍ରକୃତ ସୁନ୍ଦରୀ । ଖାଲି ଉପର ରଙ୍ଗରୁ ମନୁଷ୍ୟ ସୁନ୍ଦର ହୁଏ ନାହିଁ । ଯାହାର ଅନ୍ତରର ସୌନ୍ଦର୍ଯ୍ୟ ଥାଏ, ଯାହାର ଗୁଣ ସୁନ୍ଦର, ସେହି ପ୍ରକୃତ ସୁନ୍ଦରୀ । ଦ୍ରୌପଦୀ ତ କଳା ଥିଲେ, ତାଙ୍କ ପାଇଁ କାହିଁକି ତେବେ ସାରା ଭାରତବର୍ଷର ରାଜାମାନେ ଝୁରୁଥିଲେ ?

 

ଗୌରହରି—ଆଚ୍ଛା, ତା ଜାଣି ହେଲା । ତୁମେ ଏତେ ଟଙ୍କା ବର୍ତ୍ତମାନ ପାଇବ କାହୁଁ ?

 

ଦାମୋଦର—ଜମି ବିକିବି । ୫।୬ ମାଣ ଜମି ବିକି ଦେବି ।

 

ଗୌରହରି—ଆଉ ରହିବ କେତେ ?

 

ଦାମୋଦର—ଯାହା ରହିବ । ଭାଗ୍ୟରେ ଥିଲେ କେତେ ଜମି ହେବ ।

 

ସୀତାମଣି ଗୌରହରିକୁ ଚାହିଁ କହିଲେ, ‘‘ଦେଖିଲ, ମୋର ଭାଇର ହୃଦୟ କେଡ଼େ ଉଚ୍ଚ, କେଡ଼େ ଉଦାର ।’’ ଗୌରହରି ଦାମୋଦରକୁ ଆନନ୍ଦରେ କୁଣ୍ଢାଇ ପକାଇ କହିଲେ, ‘‘ବୁଝିଲି, ବୁଝିଲି ଦାମୋଦର, ତୁମେ ସାମାନ୍ୟ ମନୁଷ୍ୟ ନୁହଁ । ତୁମ ଦ୍ୱାରା ସମାଜର ଅନେକ କଲ୍ୟାଣ ସାଧିତ ହେବ ।’’

 

+ + +

 

[ସାତ]

 

ଭୋର ଭୋର ଉଠି ଦାମୋଦର ଘରକୁ ଯିବାକୁ ବାହାରିଲେ; କିନ୍ତୁ ଗୌରହରି ଓ ସୀତାମଣି ଛାଡ଼ିଲେ ନାହିଁ । ସୀତାମଣି କହିଲେ, ‘‘ନନା ! ଏତେ ଦିନ ପରେ ଆସିଛ, ଅଖିଆ ଅପିଆ ଏମନ୍ତ କି ଅଦାନ୍ତଘସା ସେମିତି ଚାଲିଯିବ ? ଏଇଟା ଗୋଟାଏ କଥା ନାଁ ? ଖାଇ ପିଇ ଖରେ ଖରେ ବାହାରିଯିବ ଯେ, ଠିକ୍‌ ସମୟରେ ଘରେ ପହଞ୍ଚିଯିବ । ସୀତାମଣିଙ୍କ ଜିଗର ଏଡ଼ି ନ ପାରି ଦାମୋଦର ସେ ଓଳିକ ରହିବା ପାଇଁ ରାଜି ହେଲେ ।

 

ଦାନ୍ତ ଘସିସାରି ଗୌରହରି ସ୍କୁଲକୁ ଚାଲିଗଲେ । ଦାମୋଦର ଜଳଖିଆ କରି ସାରି ଦାଣ୍ଡଘରେ ବସି ଖଣ୍ଡିଏ ଉପନ୍ୟାସ ବହି ପଢ଼ିବାରେ ଲାଗିଲେ ।

 

ସୀତାମଣି ବାଟ ଚାହିଁ ବସିଛି, ବିମଳା କେତେବେଳେ ଆସିବ । ସେ ଯଦି ନ ଆସେ, ତେବେ ତ ଦାମୋଦରକୁ ଅଟକାଇ ରଖିବା ଉଦ୍ଦେଶ୍ୟଟା ବିଫଳ ହୋଇଯିବ । ନା, କହି ଯାଇଛି, ନିଶ୍ଚୟ ଆସିବ । ସୀତାମଣି ବସି ଏହିପରି ଭାବୁଛନ୍ତି, କାମରେ ମନ ଲାଗୁ ନାହିଁ; ହଠାତ୍‌ ପଛରେ କାହାର ପଦଶବ୍ଦ ଶୁଣି ସୀତାମଣି ମୁହଁ ଫେରାଇ ଦେଖିଲେ ବିମଳା ଆସୁଛି ।

 

‘‘ବିମ ! ମୁଁ ତୋତେ ପରା ଏତେ କରି କହିଥିଲି, ଭୋର୍‌ ଭୋର୍‌ ଆସିବୁ ବୋଲି—ଏତେ ଡେରି କଲୁ କାହିଁକି ?’’

 

‘‘କଅଣ କରିବି ନାନି ! ଟିକିଏ ଶୋଇ ପଡ଼ିଲି ।’’

 

କାହିଁକି ? କାଲି ରାତିରେ କଅଣ ଶୋଇ ନ ଥିଲୁ କି ? ସମୁଦ୍ରରେ କଅଣ ନିଆଁ ଲାଗିଥିଲା ଯେ ନିଭାଇବାକୁ ଯାଇଥିଲୁ ?’’ ସୀତାମଣି ଟିକିଏ ଭଲ ଭାବରେ ବିମଳା ମୁହଁକୁ ନିରୀକ୍ଷଣ କରି କହିଲେ, ‘‘ଓହୋ ! ବୁଝିଛି, କାଲି ରାତିରେ ଶୁଆ ହୋଇନାହିଁ ପରା । କଅଣ କରୁଥିଲୁ କି ? ଆଖି ଦିଇଟା ନାଲ୍‌ ନାଲ୍‌ ଦେଖାଯାଉଛି ଯେ ? କାନ୍ଦୁଥିଲୁ ପରା—ନୁହେଁ ? ଆଉ କାନ୍ଦିବାକୁ ହବ ନାହିଁ ଲୋ । କାନ୍ଦିବାକୁ ହବ ନାହିଁ । ମୋ ବଧେଇ କାହିଁ ଆଣ୍‌ ?’’

 

ବିମଳା ଇଷତ୍‌ ଲଜ୍ଜିତ ହୋଇ କହିଲେ, ‘‘ନାନିର ଯୋଉ କଥା’’—

 

‘‘ହଉ, ହଉ ନେଇଯା ତ ଏ ପାନ ଚାରିଖଣ୍ଡ ନନାଙ୍କୁ ଦେଇ ଆସିବୁ ।’’

 

‘‘କେଉଁଠି ଅଛନ୍ତି ସେ ?’’

 

‘‘ଦାଣ୍ଡଘରେ ବସିଛନ୍ତି ।’’

 

ପାନ ଚାରିଖଣ୍ଡି ଗୋଟିଏ କାଚ ଥାଳିଆରେ ରଖା ହୋଇଥିବାର ଦେଖି ବିମଳା ପଚାରିଲା, ‘‘କିଲୋ ନାନି ! ଗଉରି ନନାଙ୍କ ପାନଡ଼ବା କୁଆଡ଼େ ଗଲା କି ? ଏ ଥାଳିଆରେ ପାନ ଦେଉଛୁ ।’’

 

ସୀତାମଣି ଟିକିଏ ହସି ହସି କହିଲେ, ‘‘ନେଇ ଯା ସେଇଥିରେ ଏତେ କଥାରୁ ତୁ କଅଣ ପାଇବୁ ?’’

 

ସରଳା ବିମଳା ପାନଥାଳିଆଟି ନେଇ ଦାଣ୍ଡଘରକୁ ଚାଲିଗଲା । ସୀତାମଣି ମୁରୁକି ମୁରୁକି ହସି ହସି ତା ପଛେ ପଛେ ଗଲେ । ଅନ୍ୟମନସ୍କ ଭାବରେ କଣ ଭାବି ଭାବି ବିମଳା ତଳକୁ ମୁହଁ ପୋତି ଚାଲି ଯାଉଛି । କବାଟ ମେଲା ଥିଲା । ସେହିପରି ତଳକୁ ମୁହଁ ପୋତି ନିଃସଙ୍କୋଚଭାବରେ ବିମଳା ବରାବର ଚାଲିଗଲା ଖଟ ପର୍ଯ୍ୟନ୍ତ । ଖଟ ପାଖରେ ପହଞ୍ଚି ‘ନନା ! ପାନ ନିଅ’ ବୋଲି କହି ଯେମିତି ଉପରକୁ ଚାହିଁ ଦେଇଛି, ବିମଳାର ମୁହଁ ଲଜ୍ଜାରେ ଲାଲ୍‌ ପଡ଼ିଗଲା-। ଏ କିଏ ? ଗଉରନନା କାହାନ୍ତି ? ଦାମୋଦରଙ୍କୁ ବିମଳା ଅନେକ ଦିନ ତଳେ ଦିନେ ସନ୍ଧ୍ୟାବେଳେ ଥରେ ମାତ୍ର ଦେଖିଥିଲା; ସୁତରାଂ ଭଲ କରି ଚିହ୍ନି ପାରିଲା ନାହିଁ । ପାନଥାଳିଆଟି ରଖିଦେଇ ହଠାତ୍‌ ଫେରି ପଡ଼ିଲା । ବିମଳାକୁ ଦେଖି ଦାମୋଦରଙ୍କ ମନରେ ପ୍ରଶ୍ନ ଉଠିଲା, ଏ କିଏ-? ଇଏ କଣ ସେହି ବିମଳା ? ଯାହାର ହାତର କାମ ଦେଖି କାଲି ରାତିରେ ସେ ଅଜ୍ଞାତ ଭାବରେ ତାଙ୍କର ହୃଦୟ ସମର୍ପଣ କରି ଦେଇଥିଲେ । ଦାମୋଦରଙ୍କ ଆଖିକୁ ବିମଳାର ଚେହେରାଟି କାହିଁକି ବଡ଼ ସୁନ୍ଦର ଦେଖାଗଲା । ବିମଳାର ଦେହର ରଙ୍ଗ ଗୋରା ନୁହେଁ ସତ, ସାଧାରଣଙ୍କ ଚକ୍ଷୁରେ ବିମଳା ଯେତେ ସୁନ୍ଦରୀ ବୋଲି ଦେଖା ନ ଗଲେ କଅଣ ହେବ, ଦାମୋଦରଙ୍କ ଚକ୍ଷୁକୁ କେଜାଣି କାହିଁକି ବିମଳା ଭାରି ସୁନ୍ଦର ଦେଖାଗଲା, ଦାମୋଦରଙ୍କ ଚକ୍ଷୁକୁ ଦେଖାଗଲା ବିମଳା ଯେପରି ଭଲ କାରିଗର ହାତରେ ଗଢ଼ା ଦେବୀ ପ୍ରତିମାଟିଏ । ଏହାର ତୁଳନାରେ ଚୌଧୁରୀଙ୍କ କନ୍ୟାର ରୂପ ତ କିଛି ନୁହେଁ । ଧନ୍ୟ ପ୍ରେମ ! ପ୍ରେମ ଯାଦୁକରର ଶକ୍ତି ଅସୀମ । ପ୍ରେମର କାଉଁରୀଦଣ୍ଡ ସ୍ପର୍ଶରେ ପଲକ ମଧ୍ୟରେ କଳା ଧଳା ହୁଏ, ଧଳା କଳା ହୋଇଯାଏ; ସୁନ୍ଦର ଅସୁନ୍ଦର ହୋଇଯାଏ–ଅସୁନ୍ଦର ସୁନ୍ଦର ହୋଇଯାଏ । ଗ୍ରୀକ୍‌ ଦାର୍ଶନିକ ପ୍ଳେଟୋ କହିଅଛନ୍ତି–'Beauty lies not in the object but in the eyes of the observer'' ଅର୍ଥାତ୍‌ ସୌନ୍ଦର୍ଯ୍ୟ ବସ୍ତୁରେ ନ ଥାଏ, ଥାଏ ଦର୍ଶକର ଚକ୍ଷୁରେ । ତା ନ ହୋଇଥିଲେ ଏକ ବସ୍ତୁ ଜଣକୁ ପ୍ରୀତିକର, ଅନ୍ୟକୁ ଅପ୍ରୀତିକର ବୋଧ ହୁଅନ୍ତା କାହିଁକି ? ସୌନ୍ଦର୍ଯ୍ୟର ସ୍ରଷ୍ଟା କିଏ ? ପ୍ରେମ ବା ସ୍ନେହ-। ସେହି ପ୍ରେମର ସ୍ପର୍ଶ ଅଛି ବୋଲି ଜନକ ଜନନୀ ସ୍ୱୀୟ ସନ୍ତାନ ସନ୍ତତିମାନଙ୍କ ମୁଖକମଳରେ ସ୍ୱର୍ଗୀୟ ସୌନ୍ଦର୍ଯ୍ୟ ଦର୍ଶନ କରିଥାଆନ୍ତି । ପ୍ରକୃତିର ଯେଉଁ ଦୃଶ୍ୟାବଳୀ ସାଧାରଣ ଦର୍ଶକର ଚକ୍ଷୁରେ ସୌନ୍ଦର୍ଯ୍ୟହୀନ, ବୈଚିତ୍ର୍ୟହୀନ ବୋଧହୁଏ; ସେହି ଦୃଶ୍ୟାବଳୀ କବିର ଚକ୍ଷୁରେ ନନ୍ଦନକାନନର ସୌନ୍ଦର୍ଯ୍ୟ ଧାରଣ କରେ । କାରଣ କବି ପ୍ରକୃତିର ପ୍ରେମିକ । ଛାଡ଼ ସେ କଥା ।

 

ବିମଳାକୁ ଦେଖି ଦାମୋଦରଙ୍କର ସର୍ବାଙ୍ଗରେ ଗୋଟିଏ ତଡ଼ିତ ପ୍ରବାହ ଖେଳିଗଲା । ବିମଳା ପଛକୁ ଫେରିବା ବେଳେ ଦେଖିଲା, ସୀତାମଣି ଦୁଆର ପାଖରେ ପହଞ୍ଚି ଗଲେଣି । ବିମଳାକୁ ଫେରି ଆସିବାର ଦେଖି ସୀତାମଣି ତା ହାତ ଧରି ଘର ଭିତରକୁ ପୁଣି ଟାଣି ନେଉଁ ନେଉଁ କହିଲେ, ‘‘ପଳେଇ ଯାଉଛୁ କୁଆଡ଼େ ବିମ ! ଆ ଦାମନନାଙ୍କ ସଙ୍ଗେ ତୋର ଚିହ୍ନା ପରିଚୟ କରାଇ ଦିଏଁ ।’’

 

ଏଇ କଅଣ ଦାମୋଦର ? ଏଇ କଣ ତା ପ୍ରାଣର ଦେବତା ? ଏଡ଼େ ସୁନ୍ଦର ! ବିମଳାର ହୃଦୟ ଆନନ୍ଦରେ ନାଚି ଉଠିଲା । ଲଜ୍ଜାରେ ମୁହଁ ଲାଲ ପଡ଼ିଗଲା । ବିମଳାକୁ ଟାଣି ନେଇ ଖଟ ପାଖରେ ପହଞ୍ଚି ସୀତାମଣି ଦାମୋଦରଙ୍କୁ ଲକ୍ଷ୍ୟ କରି କହିଲେ, ‘‘ଏଇ, ନନା ବିମଳା । ଯାହାର ହସ୍ତାକ୍ଷର ଓ ସୂତାକାମ ଦେଖି କାଲି ଏତେ ପ୍ରଶଂସା କରୁଥିଲ, ଏ ସେହି ବିମଳା ।’’

 

ସୀତାମଣିର କଥା ଶୁଣି, ସେ କାହିଁକି ତା ହସ୍ତାକ୍ଷର ଖାତା ଇତ୍ୟାଦି ମଗାଇଥିଲା ବିମଳା ଝଟ୍‌କରି ବୁଝିନେଲା । ଦାମୋଦର ଆଗରେ ଏପରି ଭାବରେ ଛିଡ଼ା ହୋଇ ସୀତାମଣିର କଥା ଶୁଣି ବିମଳା ଲାଜରେ ସଢ଼ିଗଲା । ପଳାଇଯିବାର ବାଟ ନାହିଁ କିମ୍ୱା ମୁହଁ ଉପରକୁ ଓଢ଼ଣା ଟାଣି ଦେବାର ଉପାୟ ନାହିଁ; କାରଣ ସୀତାମଣି ତା ଦୁଇ ହାତ ଜୋର୍‌କରି ଧରି ସମ୍ମୁଖରେ ଛିଡ଼ା ହୋଇଥିଲେ । ଅନ୍ୟ ଆଡ଼କୁ ମଧ୍ୟ ମୁହଁ ଫେରାଇ ଚାହିଁବାର ଉପାୟ ନାହିଁ; କାରଣ, ଦାମୋଦର ନିର୍ନିମେଷ ଦୃଷ୍ଟିରେ ତାହାରି ମୁହଁକୁ ଚାହିଁ ରହିଛନ୍ତି । ସୀତାମଣି ବିମଳାର ମୁହଁର ଭାବଭଙ୍ଗୀ ଦେଖି ମୁରୁକି ମୁରୁକି ହସି କହିଲେ, ‘‘କିଲୋ ବିମ ! ଲାଜ କରୁଛୁ କାହାକୁ ?’’ ବିମଳା ଆହୁରି ଲାଜରେ ବୁଡ଼ିଗଲା । ‘‘ଏତେ କହି ହଉଥିଲୁ ଏବେ ଦେଖିଲୁ ତ ! ଚାଲ୍‌’’ କହି ସୀତାମଣି ବାହାରକୁ ବାହାରିଗଲେ । ବିମଳା ମଧ୍ୟ ତାଙ୍କ ପଛେ ପଛେ ଚାଲିଗଲା ।

 

ସୀତାମଣିଙ୍କର ଶେଷ କଥାଟି ଶୁଣି ଦାମୋଦରଙ୍କର ହୃଦୟ ପୁଲକିତ ହୋଇ ଉଠିଲା । ‘ଏତେ କହି ହଉଥିଲୁ ।’ କିଏ ଏତେ କହି ହେଉଥିଲା ? ବିମଳା ? କାହା କଥା ? ତାଙ୍କରି କଥା ? ତେବେ କଅଣ ବିମଳା ତାଙ୍କୁ ଆଗରୁ ଦେଖିଛି ? ତେବେ କଣ ବିମଳା ତାଙ୍କୁ ସ୍ନେହ କରେ ? ଏ ଯେ ଅତି ଆନନ୍ଦର କଥା । ସତେ କଅଣ ଭଗବାନ୍‌ ଆନନ୍ଦକୁ ସ୍ଥାୟୀ କରିବେ । ସତେ କଅଣ ବିମଳା ତାଙ୍କର ଏତେ ହେବ । ଦାମୋଦର ଅନ୍ୟମନସ୍କ ଭାବରେ ବସି ଏହିପରି କେତେ କଥା ଭାବିଗଲେ ।

 

ବାହାରକୁ ଚାଲିଯିବା ପରେ ବିମଳା ଚୁପ୍‌ ଚୁପ୍‌ କରି ସୀତାମଣିଙ୍କୁ କହିଲା, ‘‘ନାନି ! ତୁ ଏଡ଼େ ଦୁଷ୍ଟ ନାଁ ?’’ ସୀତାମଣି ହସି ହସି ଖୁବ୍‌ ବଡ଼ପାଟି କରି କହିଲେ, ‘‘ଏଁ ! ଦିନରେ ଭୋକ କରୁ ନ ଥିଲା, ରାତିରେ ନିଦ ମାଡ଼ୁ ନ ଥିଲା । ଏବେ କଣ ନାଁ, ନାନୀ ହେଲା ଦୁଷ୍ଟ ବିମଳା ସୀତାମଣିଙ୍କ ହାତକୁ ଟିପି ଧରି କହିଲା, ‘‘ହେ ନାନି ! ତୁନି କରି ଭଲା ଟିକିଏ କଥା କହ, ଶୁଭିବ ଯେ ?’’ ସୀତାମଣି ଆହୁରି ବଡ଼ ପାଟି କରି କହିଲେ, ‘‘ଶୁଭୁ, ମୁଁ କଣ ମିଛ କଥା କହୁଛି କି ?’’ ବିମଳା ମୁରୁକି ମୁରୁକି ହସି କହିଲା, ‘‘ନାନି ! ତୋ ସାଙ୍ଗରେ ଆଉ ପାରିବି ନାହିଁ, ବାପା ତେଣେ ଗାଳି ଦେଉଥିବେ, ଯାଉଛି ।’’ ସୀତାମଣି ହସି ହସି କହିଲେ, ‘‘ହଉ, ଯା—ଦେଖିଲୁ, ହନୁମାନ ପ୍ରଶ୍ନ ସତ ହେଲା କି ନାହିଁ ?’’ ବିମଳାକୁ ତା କଥା ଶୁଭିଲା ପରି ମୁରୁକି ମୁରୁକି ହସି ଚାଲିଗଲା ।

 

ଦିନ ୧୦ଟା ସମୟରେ ଗୌରହରି ଫେରି ଆସିବାରୁ ସୀତାମଣି ସବୁକଥା ତାଙ୍କ ଆଗରେ କହିଗଲେ । ଗୌରହରି ଶୁଣି ତ ଆନନ୍ଦରେ ଅସ୍ଥିର । ଦାଣ୍ଡଘରକୁ ଦୌଡ଼ିଯାଇ ଦେଖିଲେ, ଦାମୋଦର ଅନ୍ୟମନସ୍କ ଭାବରେ ଖଟ ଉପରେ ବସି କଅଣ ଭାବୁଛନ୍ତି । ଗୌରହରି ହସି ହସି କହିଲେ, ‘‘ଆଜି ଶକୁନ୍ତଳାଙ୍କ ସହିତ ଦୁଷ୍ମନ୍ତଙ୍କର ଭେଟ ହୋଇଗଲା ପରା । ଆଃ ! ମୁଁ ଯାହା ସେ ମିଳନଟା ଦେଖି ପାରିଲି ନାହିଁ !’’

 

ଦାମୋଦର ଗୌରହରିଙ୍କ ହାତ ଧରି ପକାଇ କହିଲେ, ‘‘ନାଁ ଭାଇ ! ଥଟ୍ଟା ନୁହେଁ, ଟିକିଏ ଏଥିରେ ଲାଗିପଡ଼ । ଯଦି ପାଞ୍ଚ ଶହରେ ନ ହୁଏ, ତେବେ ଆହୁରି ପଚାଶ କିମ୍ୱା ଟଙ୍କା ଦେବାକୁ ମୁଁ ପ୍ରସ୍ତୁତ ଅଛି । ଏମିତି ଯଦି ନ ହୁଏ, ମୁଁ ମୋର ସର୍ବସ୍ୱ ଦେବି ପଛକେ ।’’ ଗୌରହରି ମୁର୍‌କି ମୁର୍‌କି ହସି କହିଲେ, ‘‘ହଉ, ହଉ, ଏତେ ଅସ୍ଥିର ହେଉଛ କାହିଁକି ? ଭଗବାନ୍‌ ତ ଯୁଟାଉଛନ୍ତି, ତେବେ କଥାଟା କେଣେ ଫୁଟିଆରା କର ନାଁ । ମୁଁ ମହାପାତ୍ରଙ୍କ ସହିତ ଭିତରେ ଭିତରେ ପରାମର୍ଶ କରି ସମସ୍ତ ଠିକ୍‌ କରି ନେବି । ଏଥିମଧ୍ୟରେ ଏଇ ମାଘ ଶୁକ୍ଳପକ୍ଷ ମଧ୍ୟରେ ସମ୍ୱନ୍ଧ ହୋଇଗଲେ ତ ହେଲା । ଆଉ କଣ ?’’

 

[ଆଠ]

 

ନୂଆଗାଁ ଚୌଧୁରୀଙ୍କ ଘର ପଛପଟକୁ ଲାଗି ଗୋଟିଏ ସୁନ୍ଦର ବଗିଚା । ବଗିଚା ମଧ୍ୟରେ ପୋଖରୀ । ପୋଖରୀର ଏକ ପାର୍ଶ୍ୱରେ ଗୋଟିଏ ଧାନ ଅମାର ଓ ଗୋଟିଏ ବୈଠକଖାନା ଘର । ପୋଖରୀର ଚାରିପାଖରେ ଗୁଆ, ନଡ଼ିଆ ଗଛମାନ ଧାଡ଼ି ଧାଡ଼ି ହୋଇ ଲଗା ହୋଇଛି । ବଗିଚା ମଧ୍ୟରେ ଆମ୍ୱ, ପଣସ, ଲିଚୁ, କରମଙ୍ଗା, ଡାଳିମ୍ୱ, ପିଜୁଳି ପ୍ରଭୃତି ଫଳବୃକ୍ଷମାନ ପୂରି ରହିଛି ।

 

ପୋଖରୀଟି ଖୁବ୍‌ ବଡ଼ । ଜଳ କୁଆଆଖି ପରି ନିର୍ମଳ । ମାର୍ବଲ ପ୍ରସ୍ତରରେ ବନ୍ଧା ଗୋଟିଏ ପ୍ରଶସ୍ତ ଘାଟ । ଘାଟ ପାଖରେ ରୋହି, ଭାକୁଡ଼ ପ୍ରଭୃତି ବଡ଼ ବଡ଼ ମାଛଗୁଡ଼ିକ ନିଜର ଧଳାରୂପ ଦେଖାଇ ଦେଖାଇ ସେହି ସ୍ୱଚ୍ଛ ପାଣିରେ ଆନନ୍ଦରେ ଖେଳି ବୁଲୁଛନ୍ତି । ଗୋଟାଏ ଗୋଟାଏ ବଡ଼ ବଡ଼ କଚ୍ଛପ ଲମ୍ୱା ଲମ୍ୱା ବେକଟିମାନ ବାହାର କରିଦେଇ ଘାଟ ପାଖରେ ନିର୍ଭୟରେ ଖରା ପୁହାଉଛନ୍ତି । ଏ ପୋଖରୀଟି ବଡ଼ ନିରୋଳା । ଏଠାକୁ ପୁରୁଷ ଲୋକ କେହି ଗାଧୋଇବାକୁ ଆସନ୍ତି ନାହିଁ । ଉଆସର ସ୍ତ୍ରୀଲୋକମାନେ କେବଳ ଗାଧୁଅନ୍ତି ।

 

ପୋଖରୀଘାଟଠାରୁ ବୈଠକଖାନା ଘର ପର୍ଯ୍ୟନ୍ତ ଗୋଟିଏ ସୁନ୍ଦର ରାସ୍ତା । ରାସ୍ତା ଦୁଇପାଖରେ ମଲ୍ଲୀ, ଗୋଲାପ, ହେନା ପ୍ରଭୃତି ଫୁଲ ଗଛମାନ ଧାଡ଼ି ଧାଡ଼ି ହୋଇ ଲଗା ହୋଇଅଛି-। ମଝିରେ ମଝିରେ ନାନା ପ୍ରକାର ବିଚିତ୍ରବର୍ଣ୍ଣ ପତ୍ରବିଶିଷ୍ଟ ବିଲାତ କୋଟନ୍‌ (ବାକ୍‌ସଗଛ)-। ସ୍ଥାନେ ସ୍ଥାନେ ମର୍ମରପ୍ରସ୍ତରନିର୍ମିତ ରମଣୀମୂର୍ତ୍ତିମାନ ଛିଡ଼ା ହୋଇ ବଗିଚାର ଶୋଭାକୁ ଖୁବ୍‌ ବଢ଼ାଇ ଦେଇଛନ୍ତି ।

 

ପୋଖରୀଘାଟ ନିକଟରେ ଫୁଲରେ ଭରା ଗୋଟିଏ ବଉଳଗଛ । ଗନ୍ଧରେ ଚାରିଦିଗ ମହକି ଉଠୁଛି । ଅଦୂରରେ ଗୋଟିଏ ହେନା ଗଛର ଫୁଲ ପେନ୍ଥାମାନ ଝୁଲୁଛି । ସୁଲୁସୁଲିଆ ପବନରେ ତାର ବାସ ଭାସି ଆସି ପ୍ରାଣକୁ ପୁଲକିତ କରି ଦେଉଛି ।

 

ଦିନ ଗଡ଼ିଗଲାଣି, କିନ୍ତୁ ସନ୍ଧ୍ୟା ହେବାକୁ ବିଳମ୍ୱ ଅଛି । ଦିନମଣି ଦିନର କାର୍ଯ୍ୟ ସମାପନ କରି ବିଶ୍ରାମ ନେବାପାଇଁ ଘରକୁ ଯାଉଛନ୍ତି । ସେଥିପାଇଁ ତାଙ୍କ ରଙ୍ଗା ମୁହଁଟି ହସରେ ଭରା । ଜଳରେ, ସ୍ଥଳରେ ଚାରିଆଡ଼େ ସୁନାର କିରଣ ବୁଣି ହୋଇ ଯାଇଛି । ଖଣ୍ଡେ ଖଣ୍ଡେ ରଙ୍ଗା ବଉଦ କୌତୁକରେ ଦଣ୍ଡକ ପାଇଁ ଦିନମଣିଙ୍କ ମୁହଁକୁ ଲୁଚାଇ ଦେଇ ପୁଣି ଅପସରି ଯାଉଛି । ଜଳରେ, ସ୍ଥଳରେ, ଆକାଶରେ ଆନନ୍ଦର ସ୍ରୋତ ଖେଳି ଯାଉଛି ।

 

ପୋଖରୀଘାଟ ଉପରେ ବସି ଦୁଇଟି ସ୍ତ୍ରୀଲୋକ କଅଣ କଥାବର୍ତ୍ତା ହେଉଛନ୍ତି । ଗୋଟିଏ ପୂର୍ଣ୍ଣ ଯୁବତୀ, ବୟସ ପ୍ରାୟ ସତର ଅଠର ହବ । ଯୁବତୀଟି ଦେଖିବାକୁ ପରମ ସୁନ୍ଦରୀ । ତା ଉପରେ ଭରା ଯୌବନ ସେ ସୌନ୍ଦର୍ଯ୍ୟକୁ ଦ୍ୱିଗୁଣ ବଢ଼ାଇ ଦେଇଛି । ଦେହର ରଙ୍ଗଟି ଉଜ୍ଜ୍ୱଳ ଗୌରବର୍ଣ୍ଣ । ଅଙ୍ଗଲତାଟି କ୍ଷୀଣ, କିନ୍ତୁ ସୁଗଠିତ । ଶରୀର ମଧ୍ୟରୁ ଲାବଣ୍ୟର ଆଭା ଫୁଟି ଉଠୁଛି; କିନ୍ତୁ ସେ ଲାବଣ୍ୟରେ ସ୍ନିଗ୍‌ଧତା ନାହିଁ—ଅଛି ମାଦକତା । ସେ ଲାବଣ୍ୟ ନୟନପ୍ରୀତିକର ନୁହେଁ, ବରଂ ଦର୍ଶକର ଚକ୍ଷୁକୁ ଝଲସାଇ ଦିଏ । ଆଖିଯୋଡ଼ିକ ଲମ୍ୱା ଲମ୍ୱା । ତାରାଟିମାନ ଖୁବ୍‌ ଉଜ୍ଜ୍ୱଳ । ଭ୍ରୂଯୁଗଳ ଈଷତ୍‌ କୁଞ୍ଚିତ । ସେ ଆଖିରେ ସରଳତା ହିଁ—ଅଛି ବିଦ୍ୟୁତ୍‌ପୂର୍ଣ୍ଣ କଟାକ୍ଷ । କପାଳଟି ଟିକିଏ ଉଚ୍ଚ କିନ୍ତୁ ଅସୁନ୍ଦର ନୁହେଁ । ତା ଉପରେ କଳା ବାଳଗୁଡ଼ିକ ବୁଣି ହୋଇ ପଡ଼ିଛି । ଶିମିଳି ଫୁଲ ପରି ଲାଲ ଓଠଯୋଡ଼ିକ ସଦା ହାସ୍ୟରେ ଭରା, କିନ୍ତୁ ସେ ହାସ୍ୟରେ ସରଳତା ନାହିଁ, ଅଛି ରସିକତା । ଏ ଯୁବତୀଟି ନୂଆ ଗାଁ ଚୌଧୁରୀଙ୍କ କନ୍ୟା ଯମୁନା ।

 

ଅପରଟି ଦାସୀ—ନାଁ ଗୁରୁବାରୀ । ଗୁରୁବାରୀର ବୟସ ସତେଇଶି ଅଠେଇଶି ଭିତରେ-। ଦେହର ରଙ୍ଗଟି ଖୁବ୍‌ କଳା ଆଖି ଯୋଡ଼ିକ ସାନ ସାନ । ପାନ ବୋଳରେ ଓଠ ସିଝିଯାଇ କଳା ପଡ଼ିଯାଇଛି ଓ କଳା କଳା ଯୋଡ଼ିଏ ଛାମୁଦାନ୍ତ ଆଗକୁ ବାହାରି ପଡ଼ିଛି ।

 

ଗୁରୁବାରୀ ହସି ହସି କହିଲା, ‘‘ଜେମା ! ତମର ତ ବିଭାଘର ଠିକ୍‌ ହୋଇଗଲାଣି, ଆଉ ଚିନ୍ତା କଅଣ ?’’ ଯମୁନା ଉତ୍ସୁକ ହୋଇ ପଚାରିଲେ, ‘‘କେଉଁଠି ଲୋ ? ତୁ କେମିତି ଜାଣିଲୁ ?’’

 

ଗୁରୁବାରୀ—ହରିପୁର ଗାଆଁରେ । ପଅରଦିନ ଓପରଓଳି ସେ ଗାଆଁରୁ ଭଲଲୋକ ଜବାବ ଘେନି ଆସିଥିଲେ ପରା ? ମକରା ପାନ ନେଇଗଲା ଯେ, ମୁଁ ତାକୁ ପଚାରିଲି । ସେ କହିଲା, ଜେମାଙ୍କ ବିଭାଘର ପ୍ରସଙ୍ଗରେ ଭଲଲୋକ ଆସିଛନ୍ତି । ମୁଁ ସେଠାକୁ ଯାଇ ଟିକିଏ କାନ ପାରି ଶୁଣୁଥିଲି । ଭଲ କରି ଶୁଣି ପାରିଲି ନାହିଁ । ସେଥିପାଇଁ କାଲି ଭୋର୍‌ ଭୋର୍‌ ଚାଲି ଯାଇଥିଲି ମୋ ମାମୁଘରକୁ । ମୋ ମାମୁଘର ସେଇ ଗାଆଁରେ କି ନା ! ସେ ଗାଆଁରେ ଯାଇ ବୁଝିଲି ଯେ, ସେ ଗାଆଁ ରାଧାଶ୍ୟାମ ଦାଶଙ୍କ ପୁଅ ଦାମୋଦରଙ୍କ ସାଙ୍ଗେ ତୁମର ବିଭାଘର କଥା ଚାଲିଛି ।

 

ଯମୁନା—(ମୁର୍‌କି ମୁର୍‌କି ହସି) ସେ ଭାରି ବଡ଼ ଲୋକ ଘର ନାଁ ? କେତେ ଖଣ୍ଡ ଜମିଦାରୀ ଅଛି ଲୋ ?

 

ଗୁରୁବାରୀ—(ମୁହଁ ଶୁଖାଇ) ନାଁ ଗୋ ! ନାଁ, ଜମିଦାରୀ ନା ଫମିଦାରୀ !

 

ଯମୁନା—ତେବେ କଅଣ ବଡ଼ ମହାଜନ ? କେତେ ଟଙ୍କାର କାରବାର ? ଘର କଅଣ ଦୋମହଲା ନା ତିମହଲା ?

 

ଗୁରୁବାରୀ—(ମୁହଁ ବିରିକଟେଇ) ଟଙ୍କା କାରବାର ? ମା ଲୋ ମା ! ଟଙ୍କା କାହୁଁ ପାଇବ ସେ ? ଦୋମହଲା ! ମୋ ମା-ଲୋ-ମା ! ଦୋମହଲା ତା ଜନ୍ମରେ କେବେ ଦେଖିଛି ନା ? ମାଟିଘର ଗୋ ମାଟିଘର ! ଜମି କୁଆଡ଼େ ବାଟିଏ ଖଣ୍ଡେ ଥିଲା; ସେଥିରୁ କେତେ ବିକ୍ରି ହେଲାଣି, କେତେ ବନ୍ଧା ପଡ଼ିଲାଣି ।

 

ଯମୁନା—ଆଉ କଅଣ ଲୋ ?

 

ଗୁରୁବାରୀ—ସେ ଯାହା ହଉ—ବରଟି ଏକା ବେଶ୍‌ । ଦେଖିବାକୁ ଯେମିତି, ଗୁଣ ବି ସେମିତି—ଭାରି ଶାନ୍ତ ଶିଷ୍ଟ । ଦି ଅକ୍ଷର ବି—

 

ତା ପାଟିରୁ କଥା ନ ସରଣୁ ଯମୁନା ଭାରି ବିରକ୍ତ ହୋଇ ରୁକ୍ଷ ସ୍ୱରରେ କହିଲେ, ‘‘ଥାଉ ଥାଉ ! ରଖ୍‌ ରଖ୍‌ ।’’ ତୋର ସେ ରୂପ ଗୁଣ ବର୍ଣ୍ଣନା ରଖିଦେ । ରୂପ-ଆଉ—ଗୁଣ ! ରୂପ ଗୁଣକୁ କଅଣ ଧୋଇ ପିଇବେ ନାଁ ଚାଟି ଖାଇବେ ? ଜମିଦାରୀ ନାହିଁ, ମହାଜନୀ ନାହିଁ, କି ପକ୍କା ଘର ନାହିଁ । ଅଛି କଅଣ, ନାଁ ରୁ-ଉ-ପ-ଆଉ ଗୁ-ଉ-ଣ । ଦୂର୍‌ ପୋଡ଼ାମୁହୀଁଟା । କେଡ଼େ ଗେହ୍ଲେଇ ହେଇ କଥା କହୁଛି ଦେଖ୍‌ ? ଘରେ ତ କହୁଛୁ କଣା କଉଡ଼ି ନାହିଁ । ମନ ମୁତାବକ ଟିକେ ଖାଇ ପାରିବ, ନାଁ ପିନ୍ଧି ପାରିବ । କୋଉଠି ମାଟି ଘର ଚାଳିଆରେ ପଡ଼ି ପଡ଼ି ଦିନ ଯିବ, ଖରା କାକରରେ ମାଟି ଘରେ ପଡ଼ି ପଡ଼ି ଦିହ ରସି ଯିବ । ହାଇରେ ବିଧାତା ! ଯମୁନା ଗୋଟିଏ ଦୀର୍ଘ ଶ୍ୱାସ ପକାଇଲେ । ଗୁରୁବାରୀ ତ ଯମୁନାଙ୍କ କଥା ଶୁଣି ଅବାକ୍‌ । ଗାଳି ଦି’ପଦ ଶୁଣି ସାରିବା ପରେ ଗୁରୁବାରୀ ସବୁ କଥା ବୁଝି ନେଲା । ପୁଣି ମୁହଁ ଶୁଖେଇ, ସକେଇ ସକେଇ କହିଲା, ‘‘ହଁ, ତା ନୁ-ହେଁ କି ? ତିମହଲା ଉପରେ ଗଦି ପଲଙ୍କରେ ଯାହାକୁ ନିଦ ମାଡ଼େ ନାହିଁ, ସେ ପୁଣି ମାଟି ଘରେ ରହିବେ କିପରି ? ଲୋ ମାଆ ! ଘିଅ ଦୁଧରେ ଯାହାଙ୍କୁ ଭାତ ରୁଚେ ନାହିଁ । ସେ ପୁଣି ମୋଟା ଭାତ ଖାଇବେ କିପରି ? ସରୁ ମଲ୍‌ ମଲ୍‌ ଓଢ଼ଣୀ ଯେ ବୋହିବାକୁ କଷ୍ଟ ବୋଧ କରନ୍ତି, ସେ ମୋଟା ଶାଢ଼ି ପିନ୍ଧି ଚଳିବେ କିପରି ? ନାଁ ଶୁଣୁଛି ପରା, ବାପା ସାଆନ୍ତେ ବାଟି ଜମି ଦେବେ, ଆଉ ଏଇ ଗାଆଁରେ ପରସ୍ତେ ଧୂଳିଆଘର ତୋଳେଇ ଦେବେ ।’’ ଗୁରୁବାରୀ ମନେ କରିଥିଲା, ଏଥର ତ କଥା ଶୁଣି ଯମୁନା ଖୁସି ହେବେ ପରା; କିନ୍ତୁ ଯମୁନାଙ୍କ ମୁଖଭଙ୍ଗ ଦେଖି ଗୁରୁବାରୀର ସେ ଆଶା ମନ ମଧ୍ୟରେ ମରିଗଲା । ଯମୁନା ମୁହଁ ବିରିକିଟେଇ ପୁନର୍ବାର କହିଲେ, ‘‘ଓହୋ ! ବାପା ପରା ଦେବେ । ନିଜର ତ କ୍ଷମତା ନାହିଁ । ପର ସମ୍ପତ୍ତିରେ ଗୋଟାଏ ଆପଣା ମନ ମୁତାବକ କାମ କରିବୁ-। ମୁଁ ସେମିତିକା ବାହା ହେବି ନାହିଁ । ତୋତେ କହୁଛି ଶୁଣି ଥା ଗୁରୁବାରୀ ! ସେମିତିକା ହେଲେ ମୁଁ ବିଷ ଖାଇ ଦେବି, ନଇଲେ ଏ ପୋଖରୀକି ଡେଇଁ ପଡ଼ିବ । ଦୁନିଆରେ କଅଣ ବର ଅପୂର୍ବ ହୋଇଛନ୍ତି ? ନାଁ ଘର ଅପୂର୍ବ ହୋଇଛି ? ନ ମିଳିଲା ପରି, ଯିବି କଅଣ ନାଁ, ଖଣ୍ଡିଆ ଘରେ ମୁଣ୍ଡ ଗୁଞ୍ଜିବାକୁ ?’’ ଗୁରୁବାରୀ ପୁଣି କହିଲା, ‘‘ନାଁ ଗୋ ନାଁ, ତା କାହିଁକି କରିବ ଗୋ ? ତମେ ରଜାଘର ଝିଅ, କୋଉ କଥା ତୁମକୁ ଅପୂରୁବ ଯାହା ମନ କରିବ, ତାହାହିଁ ହେବ । ଲୋକଗୁଡ଼ାକ କଅଣ ଅନ୍ଧ ନାଁ କଣା ଗୋ ? ଏମିତି ସୁନା ପ୍ରତିମାକୁ କଅଣ ବର ମିଳିବ ନାହିଁ ? ବାପା ସାଆନ୍ତେ କେମିତି ମଙ୍ଗିଲେ କେଜାଣି ? ଗୋବିନ୍ଦପୁର ସାଆନ୍ତରା ଘରକୁ ଦେଇଥିଲେ କଣ ମନ୍ଦ ହୋଇଥାନ୍ତା-?’’ ଯମୁନା ଭାରି ଆଗ୍ରହ ସହିତ ପଚାରିଲେ, ‘‘କିଏ ଲୋ କିଏ ?’’

 

ଗୁରୁବାରୀ—ହେଇ ପରା, ଗୋବିନ୍ଦପୁର ଗୋବର୍ଦ୍ଧନ ସାଆନ୍ତରା ବାହା ହବା ପାଇଁ କନ୍ୟା ଖୋଜୁଛନ୍ତି ଯେ, ସେଇ କଥା କହୁଥିଲି ।

 

ଯମୁନା—ସେ କଣ ଭାରି ବଡ଼ଲୋକ ।

 

ଗୁରୁବାରୀ—ଏ କଥା ପୁଣି ପଚାରୁଛ ? ଆଡ଼ ଦୀର୍ଘ ଦଶ କୋଶରେ ନାମ ଡାକ, ଜମିଦାରୀ ଗଣି ବସିଲେ ଆଠ କି ଦଶ କି ଚାଳିଶି କି ଶହେ ଖଣ୍ଡେ ହେବ । ଦୋମହଲା ତିମହଲା କୋଠା । ଚାକର ଚାକରାଣୀ ପୋଇଲୀ ପରିବାରୀ ଅଗଣିତା ।

 

ଯମୁନା—ଏଁ ! ଏଁ । ସତ ନା ଲୋ ?

 

ଗୁରୁବାରୀ—ମୁଁ କଅଣ ଆଉ ମିଛ କହୁଛି ? ମୋ ଆଖି ଛୁଉଁଚି । ମିଛ କହୁଥିଲେ ମୋ ଆଖି ଫୁଟିଯିବ । ମୁଁ ସେଦିନ ମହାପାତ୍ରଙ୍କ ଘରୁ ଗୋଟାଏ ବୋଝ ନେଇ ସେ ଗାଁକୁ ଯାଇଥିଲି ଯେ, ଦେଖି ଅଇଲି ପରା । ବାହାଘର ପାଇଁ ଏଇକ୍ଷଣି ଭାରି ଆୟୋଜନ ଲାଗିଛି । କେତେ ବାଣ ରୋଷଣି ତିଆରି ସରିଲାଣି । ସବୁ କାମ କହିବାକୁ ଗଲେ ସରି ଗଲାଣି, ଖାଲି ବାକି ଅଛି କନ୍ୟା । ଚାରିଆଡ଼େ ଲୋକ ଯାଇଛନ୍ତି କନ୍ୟା ଖୋଜିବାକୁ । ବରର ଟିକିଏ ବୟସ ବେଶୀ ସତ, ତେବେ ହେଲେ କଅଣ ହେଲା, ଯେ ଦୁଧ ଘିଅ ଖାଇ ବଢ଼ି ଆସିଛି ତାର କଅଣ ଜୋତି କମିଯିବ ?

 

ଯମୁନା—ବରକଥା କିଏ ପଚାରୁଛି ଲୋ ? ମନ, ଧନ, ବୁଦ୍ଧି ଏ ତିନିଟା ଥିଲେ କଅଣ କିଛି ଅଭାବ ରହେ ?

 

ଗୁରୁବାରୀ—ସାଆନ୍ତରା ତ ସେଦିନ ହାଙ୍କି ଯାଉଥିଲେ ପାଞ୍ଚଶହ ପଡ଼ୁ, ହଜାରେ ପଡ଼ୁ କି ଦଶ ହଜାର ପଡ଼ୁ କି ଶହେ ହଜାର ପଡ଼ୁ ସେଥିପାଇଁ ତାଙ୍କର ଚିନ୍ତା ନାହିଁ । ଖାଲି ଲୋଡ଼ା ଗୋଟିଏ କନ୍ୟା । ଦଶ ହଜାର, ପଚିଶ ହଜାର ଟଙ୍କାର ଖାଲି ସୁନା ଗହଣା ତିଆରି ହୋଇ ଗଲାଣି-। ଆହୁରି କହୁଛନ୍ତି, ନୂଆ ବୋହୂ ଆସିଲେ କେମିତି ତାଙ୍କ ସମ୍ପତ୍ତିର ଆଠପଣ ଏକାକୀ ତାଙ୍କ ନାମରେ ଲେଖି ପଢ଼ି ଦେବେ ଯେ; ସେ ଚିରକାଳ ବସି ଖାଉଥିବେ ।’’

 

ଗୁରୁବାରୀ କଥା ଶୁଣି ଯମୁନା ଏକାବେଳକେ ସ୍ୱର୍ଗକୁ ଉଠିଗଲେଣି ? ମୁର୍‌କି ମୁର୍‌କି ହସି କହିଲେ, ‘‘କଅଣ କରିବା ? କହ ତ ଗୁରୁବାରୀ, ସେଇଠି ହେଲେ ଏକା ଖୁବ୍‌ ଭଲ ହୁଅନ୍ତା । ତୁ ଟିକିଏ ଉଦ୍ୟମ କରି ଲାଗି ଯାଆ, ତୋ ମନ ଖୁସି କରିଦେବି । ଯାହା ମାଗିବୁ ତାହା ଦେବି । ଏ କାମରେ ଟିକିଏ ଲାଗିବାକୁ ହେବ ଏକା ? ଗୁରୁବାରୀ ଦେଖିଲା ଯେ ମନ୍ତ୍ରଣା ଠିକ୍‌ କାଟୁ କରିଛି । ଏହି ହେଉଛି ଅସଲ ବେଳ । ଗୁରୁବାରୀ ହସି ହସି କହିଲା, ‘‘ଓହୋ ! କି କଥା କହୁଛ ଜେମା ! ତମର ଅଇଁଠା ଖାଉଛି, ତମ ପାଇଁ ଉଦ୍ୟମ କରିବି ନାହିଁ, ଆଉ କାହାପାଇଁ କରିବି ? ଶୁଣୁଛି, ସାଆନ୍ତରା ପରା ଲାଞ୍ଚ ଶହେ ଟଙ୍କା ଦେବାକୁ କରାଳ କରି କେଉଁଠି ଗୋଟିଏ କାଳୀ କନିଆଁ ଠିକ୍‌ କରିଛନ୍ତି ।’’

 

ଯମୁନା—(ଉଦ୍‌ବିଘ୍ନ ହୋଇ) ଏଁ । ତେବେ କଣ ହବ ?

 

ଗୁରୁବାରୀ—ଓଃ ! ଏଇ କଥାକୁ ଗୋଟାଏ ଚିନ୍ତା । ଗୁରୁବାରୀ ବାରିକାଣୀ ଯେଉଁଥିରେ ହାତ ଦବ, ତାକୁ ହାସଲ୍‍ ନ କରି ଛାଡ଼ିବା ଲୋକ ସେ ନୁହେଁ ଯେ । ଜେମାମଣି ! ସେ ଭାର ମୋ ଉପରେ ରହିଲା । ତୁମେ ନିଶ୍ଚିନ୍ତ ହୁଅ । ତୁମ ରୂପ ଗୁଣ କଥା ଶୁଣିଲେ ସାଆନ୍ତରା କଅଣ, ଭୋଳା ମହାଦେବ ତ ଭୁଲିଯିବେ । ତେବେ କଥା ରହିଲାଣି ବାପା ସାଆନ୍ତଙ୍କଠେଇଁ ।

 

ଯମୁନା—ଆଚ୍ଛା ! ବାପାଙ୍କୁ କେମିତି ରାଜି କରାଇବା ?

 

ଗୁରୁବାରୀ—ଦେଖାଯିବ । ସେଥିପାଇଁ କଅଣ କାମଟା ଅଟକି ଯିବ ? କଳେ କୌଶଳେ ଯେପରି ହଉ ଦେଖାଯିବ । କଥାରେ କହନ୍ତି, ବୁଦ୍ଧି ଥିଲେ—ଗୁରୁବାରୀ ପାଟିରୁ କଥା ନ ସରୁଣୁ ଯମୁନା ବ୍ୟସ୍ତ ହୋଇ ତା ହାତ ଧରି ପକାଇ କହିଲେ, ‘ଏ ଗୁରୁବାରି ! ପାଟଶାଢ଼ି ସୁନାହାର ବକସିସ୍‌ ଦେବି । ଯେତେ ଟଙ୍କା ମାଗିବୁ ଦେବି । ଏଥିରେ ଟିକିଏ ଲାଗିପଡ଼ । ତା ନ ହେଲେ ଏକା ମୁଁ ଜୀବନ ହରାଇ ଦେବି, ଜାଣିଥା । ’

 

ଗୁରୁବାରୀ—ଥୟ ହୁଅ, ଯେମା ! ଏତେ ବ୍ୟସ୍ତ ହେଉଛୁ କାହିଁକି ? ମୁଁ ତା ଉପାୟ କରୁଛି ।

 

[ ନଅ ]

 

ଖାଇ ପିଇ ସାରି ଦିନ ପ୍ରାୟ ଦୁଇଟା ବାଜିବା ପରେ ଦାମୋଦର ସୀତାମଣି ଘରଠାରୁ ବିଦାୟ ହୋଇ ଗଲେ । ଦାମୋଦରଙ୍କ ମନରେ ବିଷମ ଚିନ୍ତା ଉପସ୍ଥିତ ହେଲା, କିପରି ମାଆଙ୍କ ଆଗରେ ଏ କଥା ପ୍ରକାଶ କରିବେ, କିପରି ବା ନିର୍ବିଘ୍ନରେ ନିର୍ବିବାଦରେ ମାଆଙ୍କ ସମ୍ମତି ନେଇ ବିମଳାକୁ ଲାଭ କରି ପାରିବେ । କେତେବେଳେ ଆଶା ଦାମୋଦରଙ୍କ ମାନସକ୍ଷେତ୍ରରେ ସ୍ୱର୍ଗର ନନ୍ଦନକାନନର ସୃଷ୍ଟି କରି ଦେଉଛି, ଦାମୋଦର ଓ ବିମଳାକୁ ରାଜରାଣୀ କରି ତହିଁରେ ବସାଇ ଦେଉଛି, କେତେବେଳେ ଅବା ଦାମୋଦର ଭାବୁଛନ୍ତି—ତାଙ୍କର ସମାଜ ଲୋଡ଼ା ନାହିଁ, ବିମଳାକୁ ପାଇଲେ ସେ ସୁଖୀ ହେବେ । ସାଙ୍ଗେ ସାଙ୍ଗେ କଳ୍ପନା ଆସି ଦାମୋଦରଙ୍କ ମନମୁତାବକ ଶୂନ୍ୟମହଲ ସୃଷ୍ଟି କରି ଦେଉଛି । ସେ ମାନସଚକ୍ଷୁରେ ଦେଖୁଛନ୍ତି, ନିର୍ଜନ ନଦୀକୂଳରେ ଗୋଟିଏ କ୍ଷୁଦ୍ର କୁଟୀର, ଦାମୋଦର ଓ ବିମଳା ସେଠାରେ ରହି ନିର୍ମଳ ପ୍ରେମାମୃତ ପାନ କରୁଅଛନ୍ତି । ହଠାତ୍‌ ଆଶଙ୍କା ଆସି କାନେ କାନେ କହିଦେଲା—ସବୁ ତ ଜାଣି ହେବ, କିନ୍ତୁ ବିମଳାର ବାପ ଯଦି ରାଜି ନ ହୁଅନ୍ତି—ତେବେ ତ ସର୍ବନାଶ ! ବିମଳା ନିଶ୍ଚେଁ ଆତ୍ମହତ୍ୟା କରିବ; ଦାମୋଦରଙ୍କର ସମସ୍ତ ଆଶା ଭରସା ବିଲୁପ୍ତ ହେବ । ଆଚ୍ଛା ! କିଛି ଚିନ୍ତା ନାହିଁ । ସେ ବିମଳାର ସ୍ମୃତିକୁ ଚିରସଙ୍ଗିନୀ କରି ପ୍ରେମର ସନ୍ନ୍ୟାସୀ ସାଜି ଘରୁ ବାହାରି ଯିବେ, ବିମଳାକୁ ସିନା ପାଇ ପାରିବେ ନାହିଁ, କିନ୍ତୁ ତା ସ୍ମୃତିକୁ ତ କେହି ତାଙ୍କଠାରୁ ଛଡ଼ାଇ ନେଇ ପାରିବେ ନାହିଁ । ଏହିପରି ଆକାଶ ପାତାଳ ଭାବି ଭାବି ଦାମୋଦର ବାଟ ଚାଲିଥାନ୍ତି । ହଠାତ୍‌ ତାଙ୍କ ଦାଣ୍ଡଦୁଆରେ ଥିବା ଆମ୍ୱଗଛଟିକୁ ଦେଖି ଦାମୋଦରଙ୍କର ଚେତନା ହେଲା । କେତେବେଳେ ଯେ ସେ ଏ ଦୀର୍ଘ ପାଞ୍ଚମାଇଲ୍‌ ବାଟ ଚାଲି ଆସିଲେଣି, ତାହା ତାଙ୍କୁ ଆଦୌ ଜଣା ପଡ଼ିଲା ନାହିଁ । ଦାଣ୍ଡ ଦୁଆରେ ଆସି ଶୁଣିଲେ, ଘର ଭିତରେ ତାଙ୍କ ମାଆ ଓ ମାର୍କଣ୍ଡ ମିଶ୍ରେ ବସି କଥାବାର୍ତ୍ତା କରୁଛନ୍ତି । ମାର୍କଣ୍ଡ କେତେ ଆଶାର କଥା କେତେ ସୁଖର କାହାଣୀ ଗାଇ ଯାଉଛି । ବୁଢ଼ୀ ଆନନ୍ଦରେ ଅଧୀରା ହୋଇ ଶୁଣି ଯାଉଛନ୍ତି । ଦାମୋଦର ଦାଣ୍ଡ ପାଖରେ ଛିଡ଼ା ହୋଇ ଟିକିଏ କାନ ପାରି ଶୁଣିଲେ ।

 

ମାର୍କଣ୍ଡ କହୁଛି—ତମର ବଡ଼ ଭାଗ୍ୟ । ତା ନ ହେଲେ କି ଏମିତି ସୁଯୋଗ ଆପେ ଆପେ ଆସି ଯୁଟି ଯାଆନ୍ତା । ସୁନାଖଡ଼ିକା ପରି ବୋହୂ । ତା ସାଙ୍ଗେ ଧନ ଦୌଲତ, ଟଙ୍କା କଉଡ଼ି, ଗହଣା ଗାଣ୍ଠି, ଜମି ବାଡ଼ି, ଘର ଦୁଆର-ଆଉ କଅଣ ଲୋଡ଼ା ?

 

ବୁଢ଼ୀ—କେଜାଣି କଅଣ ହେଉଛି । ମାଆ ମଙ୍ଗଳା ସତେ ଏ ଦୁଃଖୀର ଡାକ ଶୁଣିବେ ?

 

ମାର୍କଣ୍ଡ—ଶୁଣିବେ ନାହିଁ ? ଶୁଣି ସାରିଲେଣି ତ, ଶୁଣିବେ ଆଉ କଅଣ ? ଚୌଧୁରୀଙ୍କ ଉଆସକୁ ପଅର ଦିନ ଚାଲ ଚାଲ ହୋଇ ଯାଇଥିଲି ପରା । ଚୌଧୁରୀ କହୁଥିଲେ, ପାଞ୍ଚ ହଜାର ଟଙ୍କାର ସୁନା ଗହଣା ତିଆରି କରି ରଖିଲେଣି । ଗୋଟିଏ ବୋଲି ଝିଅ, ନ ଦେବେ କାହିଁକି ? ବାହାଘରଟା ସରିଗଲେ ଘରତୋଳାର ଆୟୋଜନ ଲାଗିବ ।

 

ବୁଢ଼ୀ ତ ଏ ସବୁ ଶୁଣି ଆନନ୍ଦରେ ଅଧୀରା ହୋଇ ଗଲେଣି । ପେଟ ଭିତରେ ଆନନ୍ଦକୁ ସମ୍ଭାଳି ପାରୁ ନାହାନ୍ତି । ଭାବୁଛନ୍ତି, ପୁଅ ଏତିକିବେଳେ ପାଖରେ ଥାଆନ୍ତା କି, ଶୁଣି କେତେ ଖୁସି ହୁଅନ୍ତା ପରା ? ସେଦିନ ପରା ଏତେ ଯୁକ୍ତି କରୁଥିଲା !

 

ଦାମୋଦର କାଷ୍ଠପିତୁଳା ପରି ଛିଡ଼ା ହୋଇ ସବୁ କଥା ଶୁଣି ଯାଉଥାଆନ୍ତି । ମାଆଙ୍କର ଏତେ ଆନନ୍ଦ ମଧ୍ୟରେ ସେ କିପରି ତାଙ୍କର ମନୋଭାବ ପ୍ରକାଶ କରିବେ । ମାଆ ଯଦି ଅମତ ହୁଅନ୍ତି ? —ହେବେ ତ ନିଶ୍ଚୟ । ତେବେ ସେ କଅଣ କରିବେ, କି ଉପାୟରେ ମାଆଙ୍କୁ ରାଜି କରାଇବେ । ଏହି ଚିନ୍ତା ଦାମୋଦରଙ୍କ ମସ୍ତିଷ୍କରେ ପ୍ରବେଶ କରି ତାଙ୍କୁ ବିବ୍ରତ କରି ପକାଇଲା । ସେ ଦାଣ୍ଡ ତୁଳସୀ ଚଉରା ଉପରେ ଗୁମ୍‌ ମାରି ବସିଗଲେ । ଚାହିଁ ଦେଖିଲେ, ସୂର୍ଯ୍ୟ ବୁଡ଼ିବାକୁ ବସିଲେଣି । ଏତିକି ବେଳେ ଦାମୋଦର ଶୁଣିଲେ ଯେ, ମିଶ୍ରେ କହୁଛନ୍ତି, ‘‘ହଉ, ଦାମ ତ ନାହିଁ—ଆସୁ, କାଲି ସକାଳେ ମୁଁ ଆସିବ ।’’ ବୁଢ଼ୀ କହିଲେ; ‘‘ହଉ, ମୋ ରାଣ ଅଛିଟି; କାଲି ସକାଳେ ମୁଁ ଆସିବି ।’’ ବୁଢ଼ୀ କହିଲେ,‘‘ହଉ, ମୋ ରାଣ ଅଛିଟି; କାଲି ସକାଳେ ଟିକିଏ ଆସିବି ।’’ ଦାମ ଆସୁ, ଯେମିତି ହେଉ ଲାଗିପଡ଼ି କାମଟା ଟିକିଏ ତୁଲାଇ ନିଅ । ଆଉ କିଏ ଅଛି ?’’ ମାଆଙ୍କ ଆଗ୍ରହ ଓ ମାର୍କଣ୍ଡ ମିଶ୍ରଙ୍କ ପ୍ରସ୍ତାବ ଶୁଣି ଦାମୋଦରଙ୍କ ବୁଦ୍ଧି ବୃତ୍ତ ଲୋପ ହେବାକୁ ବସିଲାଣି । ଶେଷରେ ସ୍ଥିର କଲେ ଯେ, ସେ ଦୃଢ଼ଭାବରେ ନାହିଁ କରିବେ । ମିଶ୍ରେ ବାହାରି ଆସିବା ପୂର୍ବରୁ ଦାମ ଘର ଭିତରକୁ ପଶିଗଲେ । ବାଟରେ ମିଶ୍ରଙ୍କ ସହିତ ଭେଟ ହେଲା । ମିଶ୍ରେ କହି ଉଠିଲେ, ‘‘ହେଇ ତ ! ଦାମ ଆସି ଗଲାଣି, କିରେ ଦାମ ! କୁଆଡ଼େ ଦି ଦିନ ହେଲା ଯାଇଥିଲୁ କି ମାଆ ବୁଢ଼ୀଟାକୁ ଏକଲା ଛାଡ଼ିଦେଇ ?’’ ଦାମ କିଛି ଉତ୍ତର ଦେଇ ପାରିଲେ ନାହିଁ । ମିଶ୍ରେ ପୁଣି କହିଲେ, ‘‘ଆଚ୍ଛା, ଘର ଭିତରକୁ ଯା । ମାଆଙ୍କଠାରୁ ସବୁ ଶୁଣିବୁ ! ଆଜି ସନ୍ଧ୍ୟା ହୋଇ ଗଲାଣି, ମୁଁ ଯାଉଛି, କାଲି ବଡ଼ିଭୋର ଆସିବି ।’’ ମିଶ୍ରେ ଦ୍ରୁତଗତିରେ ଚାଲିଗଲେ । ଦାମୋଦର ମିଶ୍ରଙ୍କଠାରୁ ଅବ୍ୟାହତି ପାଇ ଘର ଅଗଣା ଭିତରକୁ ପଶିଗଲେ । ପୁଅକୁ ଦେଖି ବୁଢ଼ୀଙ୍କ ମନ ଆନନ୍ଦରେ କୁଣ୍ଢେ ମୋଟ ହୋଇଗଲା । କେମିତି ପୁଅ ଆଗରେ ସବୁ କଥା କହିବେ । ଦାମୋଦର ଗୋଡ଼ ହାତ ଧୋଇ ସାରି ବସିଲାରୁ ତାଙ୍କୁ ମୁଢ଼ି, ଚିନି ଓ ଦୁଧ ଜଳଖିଆ କରିବାକୁ ଦେଲେ । ଦାମ ଜଳଖିଆ ଖାଇ ସାରିବାରୁ ବୁଢ଼ୀ ପଚାରିଲେ, ‘‘କି ରେ ଦାମ ! କୁଆଡ଼େ ଯାଇ ଦି ଦିନ ହେଲା ଥିଲୁ ? ମଉସା ଆସିଥିଲେ, ତୋତେ ଢେର ଖୋଜୁଥିଲେ ।’’

 

ଦାମୋଦର—କାହିଁକି ଖୋଜୁଥିଲେ ?

 

ବୁଢ଼ୀ—ସେ ପରା ପଅର ଦିନ ଚଉଧୁରୀଙ୍କ ଉଆସକୁ ଯାଇଥିଲେ । ଏକାବେଳେକେ ଲଗ୍ନ ଠିକ୍ କରି ଆସିଛନ୍ତି, ଏଇ ଫଗୁଣ ଦି ଦିନକୁ । ଆହୁରି କହୁଥିଲେ, ଚୌଧୁରୀଏ ପରା ପାଞ୍ଚ ହଜାର ଟଙ୍କାର ସୁନା ଗହଣା ଗଢ଼େଇ ସାରିଲେଣି । ଘର ତୋଳାଇ ଦେବାର ଆୟୋଜନ ମଧ୍ୟ ଚାଲିଛି । ବାଟିଏ ଜମି ଦେବେ ପରା !

 

ଦାମୋଦର—ଆମର ସେ ସବୁ କଅଣ ହେବ ? ମା ! ମୁଁ ସେଠାରେ ବିଭା ହେବି ନାହିଁ-

 

ଦାମୋଦରଙ୍କ କଥା ଶୁଣି ବୁଢ଼ୀଙ୍କର ଏତେ ଯତ୍ନରେ ଗଢ଼ା ଆଶାସୌଧଟି ଭାଙ୍ଗି ଧୂଳିସାତ୍ ହୋଇଗଲା, ତାଙ୍କ ମସ୍ତକରେ ଯେପରି ବଜ୍ର ପଡ଼ିଲା । ଏ କଅଣ ଦାମ ମୁହଁରୁ ଶୁଣୁଛନ୍ତି ସେ ! ବୁଢ଼ୀ ନିଜର କର୍ଣ୍ଣକୁ ବିଶ୍ୱାସ କରି ପାରିଲେ ନାହିଁ ।

 

ବୁଢ଼ୀ—ଏ କଅଣ କହୁଛୁରେ ବାପ !

 

ଦାମ—ମୁଁ ସେଠାରେ ବିଭା ହେବି ନାହିଁ ।

 

ବୁଢ଼ୀ—ଏ କି କଥାରେ ! ଚମ୍ପାକଢ଼ୀ ପରି କନ୍ୟା, ଟଙ୍କା କଉଡ଼ି, ଜମି ବାଡ଼ି, ଧନ ଦୌଲତ—ଏ ସବୁ କାହା କପାଳରେ ଜୁଟେ ? ତୁ ଏମିତିକା ମୂଢ଼ କଥା କହିଲେ ହବ ନା ? ଭଗବାନ ଯୁଟାଉଛନ୍ତି, ୟାକୁ ଛାଡ଼ିବା ଠିକ୍‌ ନୁହେଁ ।

 

ଦାମ—ନା, ମୁଁ ସେଠାରେ ବିଭା ହେବି ନାହିଁ ।

 

କଥାଟା କଅଣ, ବୁଢ଼ୀ କିଛି ବୁଝି ପାରିଲେ ନାହିଁ । ସେ ଭାବିଲେ, ସେଦିନ ଯେ ଦାମ ଟଙ୍କା ଦେବାପାଇଁ ଚୌଧୁରୀଙ୍କ ଘରକୁ ଯାଇଥିଲା ଓ ଚୌଧୁରୀଏ ରାଗି କରି କଅଣ ଦି’ପଦ କଥା କହିଦେଇ ଥିଲେ, ସେଇଥିପାଇଁ ବୋଧହୁଏ, ଦାମ ରାଗରେ ମନା କରୁଛି । ବୁଢ଼ୀ ସାକୁଲେଇ କରି କହିଲେ, ‘‘ଜାଣିଲୁ ବାପ ! ସେ ହେଲେ ବଡ଼ଲୋକ ମହାଜନ, ମହାଜନମାନେ ଟଙ୍କା ଅସୁଲ କଲାବେଳେ ଖାତକମାନଙ୍କୁ ସେହିପରି ଫିଙ୍ଗା ଫୋପଡ଼ା କଥା କହନ୍ତି । ଏଇଟା ହେଲା ତାଙ୍କ ବେଉସା । ସେତେବେଳେ ରାଗ ତମରେ ଏପରି କହି ଦେଇଥିଲେ ସିନା । କଅଣ ହବ, ହେଲେ ଚୌଧୁରୀଏ ବେଶ୍‌ ଭଲ ଲୋକ । ଯେତେବେଳେ ଝିଅ ଦେଇ ଜ୍ୱାଇଁ କରିବେ, ସେତେବେଳେ କଅଣ ଆଉ ସେପରି ବ୍ୟବହାର କରିବେ ? ଦେଖିବୁ ଫେର ମୋ କଥାଟା ସତ କି ମିଛ । ମୋ ବାପଟା ପରା । ରାଜି ହୋଇ ଯା । ଲକ୍ଷ୍ମୀ ସାଆନ୍ତାଣୀ ଆସି ଆପେ ଆପେ ଆମ ଘରେ ପଶୁଛନ୍ତି । ଆମର ତାଙ୍କୁ ଆଦରରେ ମୁଣ୍ଡେଇ ନେବା ଦରକାର ସିନା ।’’

 

ଦାମୋଦର—ନା, ମା ! ମୁଁ ସେଠି ବିଭା ହେବି ନାହିଁ । ଲକ୍ଷ୍ମୀ ହୁଅନ୍ତୁ ବା ଯିଏ ପାର ସେ ହେଉନ୍ତୁ ।

 

ବୁଢ଼ୀ—(ଦଣ୍ଡେ କାଳ ଗୁମ୍‌ ମାରି ବସି ଯାଇ)—ତୁ ଯଦି ବିଭା ନ ହବୁ, ତୋ ମନରେ ଯଦି ଏତେ କଥା ଥିଲା, ତେବେ ମୋତେ ନେଇ କୁଆଡ଼େ ଛାଡ଼ି ଆ । ମୁଁ ମୋର ମରେଁ ବା ବଞ୍ଚେ । ତୁ ତୋର ଯାହା କରିବୁ କର ।

 

ଦାମୋଦର ମାଆଙ୍କ ବେଦନା ବୁଝିପାରି ଧୀରେ ଧୀରେ କହିଲେ, ‘‘ମୁଁ କଅଣ ଏକାବେଳେ ବିଭା ହେବି ନାହିଁ ବୋଲି କହୁଛି ? ମୁଁ ସେଠାରେ ବିଭା ହେବି ନାହିଁ ।’’

 

ବୁଢ଼ୀ—ସେଠାରେ ହବୁ ନାହିଁ ତ ଆଉ କୋଉଠୁଁ ପାଇବୁ; ଯେଉଁଠିକୁ ଯିବୁ ତ, ସେଠି ଟଙ୍କା ଗଣିବାକୁ ପଡ଼ିବ ।

 

ଦାମୋଦର—ଟଙ୍କା ପଡ଼ିଲେ ଦିଆଯିବ ।

 

ବୁଢ଼ୀ—ଆଜିକାଲି ପୋଡ଼ାମୁହାଁଗୁଡ଼ାକ କନ୍ୟାଙ୍କ ଦର ଯେ ଚଢ଼େଇ ଦେଲେଣି, ୫୦ ଟଙ୍କାରେ ହବ ନା ୬୦ ଟଙ୍କାରେ ହବ ? ଗୋଟିଏ କନ୍ୟା ପାଇବାକୁ ଗଲେ ଆମ ବ୍ରାହ୍ମଣ ଜାତିରେ ଦି’ଶ କି ଚାରିଶ, କି ପାଞ୍ଚଶ ଟଙ୍କା ଲୋଡ଼ା ହବ ।

 

ଦାମୋଦର—ପାଞ୍ଚ ଶହ ଲାଗିଲେ ପାଞ୍ଚ ଶହ ଦିଆଯିବ ।

 

ବୁଢ଼ୀ—ଏତେ ଟଙ୍କା ପାଇବୁ କୋଉଁଠୁ ?

 

ଦାମୋଦର—ଜମି ବିକିବି ।

 

ବୁଢ଼ୀ—ଜମି ବିକିଦେଲେ ଖାଇବୁ କଅଣ ? କେତେ ଅବା ଜମି ?

 

ଦାମୋଦର—ଭଗବାନ୍ ଜନ୍ମ ଦେଇଛନ୍ତି ଯେତେବେଳେ ଖାଇବାକୁ କଣ ଦେବେ ନାହିଁ-? କପାଳରେ ଯାହା ଥିବ, ହବ ।

 

ବୁଢ଼ୀ—ଜମି ବିକିବୁ, ପାଞ୍ଚ ଶହ ଟଙ୍କା ଦେଇ ବିଭା ହବୁ, ଶେଷରେ ଦାଣ୍ଡର ଭିକାରୀ ହୋଇ ବୁଲିବୁ, ଏଇଟା କଅଣ ସୁନ୍ଦର ହବ ? ରଜାଘର ଝିଅ, ସମ୍ପତ୍ତି ବାଡ଼ୀ, ଏ ସବୁ ଖାଲି ଖାଲି ଆସି ପାଖରେ ପହଞ୍ଚୁଛି, ସେଥିରେ ମନ ମାନୁ ନାହିଁ ! ଚୌଧୁରୀଙ୍କ ଜୋଇଁ ହବୁ । ଲୋକେ କେତେ ଖାତିରି କରିବେ—କେତେ ମର୍ଯ୍ୟାଦା କରିବେ ।

 

ଦାମୋଦର—ମା ! ସେ ଗୁଡ଼ାକ କାହିଁକି କହୁଛୁ, ମୋର ସେ ଖାତିରିରେ ଦରକାର ନାହିଁ, କି ସେ ସମ୍ପତ୍ତି ଲୋଡ଼ା ନାହିଁ, କି ସେ ରଜାଝିଅକୁ ମୁଁ ଚାହେଁ ନାହିଁ । ମା ! ତୁ ସିନା ଏଇକ୍ଷଣି ଏମିତିକା କହୁଛୁ ମାର୍କଣ୍ଡ ମିଶ୍ରଙ୍କ କଥା ଶୁଣି, କିନ୍ତୁ ପଛକୁ ବୁଝି ପାରିବୁ ଯେ, ସେତେବେଳେ ଚେତୁଥିବୁ—ସେତେବେଳେ ଲେଡ଼ିଗୁଡ଼ କହୁଣିକି ବୋହି ଯାଇ ସାରିଥିବ, ଆଉ କଣ ବାଟ ଥିବ ? ମୁଁ କହୁଛି, ତୁ ସେ ଡହରା ମାର୍କଣ୍ଡ ମିଶ୍ର କଥାରେ ପଡ଼୍‌ନା । ମୁଁ ଆଉ ଗୋଟିଏ ଜାଗାରେ ପାତ୍ର ଠିକ୍‌ କରିଛି । ଏକା ବୋହୂ ପରି ଗୋଟିଏ ବୋହୂ ପାଇବୁ । ସେତେବେଳକୁ ମୋତେ କହିବୁ, ମୁଁ ମିଛୁଆ କି ସତିଆ । ଚୌଧୁରୀଙ୍କୁ ତୁ ଚିହ୍ନି ନାହୁଁ, କି ତାଙ୍କ ଘରକଥା ତୁ ଜାଣି ନାହୁଁ । ଜାଣିଲେ ମୋତେ ଆଉ ଏକଥା କହନ୍ତୁ ନାହିଁ ।

 

ବୁଢ଼ୀ—କେଜାଣିରେ ବାପ ! ମୋ ମନ ତ ତୋ କଥାରେ ବୁଝୁ ନାହିଁ । ଦେଖ୍‌ ଭଲ କରି ଭାବି ଚିନ୍ତି ଦେଖ୍ । ଏ ସୁଯୋଗ ଛାଡ଼୍‍ନା ।

 

[ ଦଶ ]

 

ଦିନ ଠିକ୍‌ ରତ ରତ ହେଉଛି । ଯମୁନା ଓ ଗୁରୁବାରୀ ଆସି ଠିକ୍‌ ସେହି ପୋଖରୀ ଘାଟରେ ବସିଲେ । ଯମୁନା ପଚାରିଲା; ‘‘ଗୁରୁବାରି ! କଅଣ ଠିକ୍‌ କଲୁ ? କହନି କି ବୁଦ୍ଧି ପାଞ୍ଚିଲୁ ? ବାପାଙ୍କୁ ତ ସେ କଥା କହି ହବ ନାହିଁ; ସେ ତ ଯେମିତିକା ଲୋକ ତୁ ଜାଣୁ ?’’ ଗୁରୁବାରୀ ହସି ହସି କହିଲା, ‘‘ଗୁରୁବାରୀ ବାରିକାଣୀ ପାଖରେ କଅଣ ବୁଦ୍ଧିର ଅଭାବ ଅଛି ? ବାପା ସାଆନ୍ତଙ୍କୁ କହିବାର କିଛି ଦରକାର ନାହିଁ । ଏମିତି ଭାବରେ କଳ ବୁଲେଇ ଦେବି ଯେ ସବୁ କାମ ଆପେ ଆପେ ହୋଇଯିବ ।’’ ଯମୁନା ଭାରି ଖୁସିଟାଏ ହୋଇ କହିଲେ, ‘‘ଆଚ୍ଛା ! କି ବୁଦ୍ଧି ପାଞ୍ଚିଛୁ ? କହନି; ଶୁଣିବି ।’’

 

ଗୁରୁବାରୀ—‘‘ଶୁଣିବ, ହଉ ଶୁଣ । ମୁଁ କାଲି ବଡ଼ି ଭୋରରୁ ଯିବି ମାମୁଁଘରକୁ । ଏକାବେଳକେ ସବୁ କାମ ଫତେ କରିଦେଇ ଆସିବି । ଶୁଣୁଛି, ଟୋକାଟା କୁଆଡ଼େ ମଙ୍ଗୁ ନାହିଁ । ଗରିବର ପୁଅ କି ନା ? କିନ୍ତୁ ତା ମା ବୁଢ଼ୀଟା ତାକୁ ଲଗେଇଛି । ବୁଢ଼ୀର ଭାରି ଲୋଭ ହୋଇଛି; ଟଙ୍କା ପଇସା ପାଇବ ଆଉ ଏମିତିକା ବୋହୂ ପାଇବ । ହାଃ, ହାଃ, ହାଃ, ହାଃ ! କି ଆଶା ଦେଖ । ବାମନର ଚାନ୍ଦ ଧରିବାକୁ ଆଶା । କୁଆଡ଼େ ଗୋଟେ କୁଜୀଟା ଘଷି ଗୋବର ଗୋଟଉଥିଲା, ସେ ପୁଣି ଆଶା କଲାଣି, ଆମ ଜେମାକୁ ବୋହୂ କରିବ; ଆମ ଜେମା ଫେର୍ ତା ଗୋଡ଼ ଘଷି ଦେବେ ।

 

ଗୁରୁବାରୀ ଦେଖିଲା ଯେ, ତା କଥା ଶୁଣି ଯମୁନା ଭାରି ଖୁସି ହେଉଛି ଓ ମୁର୍‌କି ମୁର୍‌କି ହସୁଛି । ତାର ହେମତ୍‌ ବଢ଼ିଗଲା । ପୁଣି କହିଲା, ‘‘କାଲି ମୁଁ ଯାଇ ବୁଢ଼ୀକି ବାଗେଇ ଦେଇ ଆସୁଛି ରହ । ଆଉ ଦିନେ ବୋଲି ଦିନେ ଏକଥା ମୁହଁରୁ କାଢ଼ିବ ନାହିଁ ।’’

 

ଗୁରୁବାରୀ କଥା ଶୁଣି ଯମୁନା ଭାରି ଖୁସିଟାଏ ହେଲେ ଓ ଗୁରୁବାରୀକୁ ଖୁବ୍‌ ପ୍ରଶଂସା କରି କହିଲେ, ‘‘ବା ! ଗୁରୁବାରୀ ନ ହେଲେ କି ହୁଏ । ଆଚ୍ଛା, କିଛି ଚିନ୍ତା କର ନା, ପାଟଶାଢ଼ି ତତେ ବଧେଇ ଦେବି ।’’ ପୁଣି ଟିକିଏ ଚିନ୍ତା କରି କହିଲେ, ‘‘ଆଚ୍ଛା, ସେଠିକା କଥା ସିନା ହେଲା, କିନ୍ତୁ ଏଠି ?’’ ଗୁରୁବାରୀ ଭାରି ଫୁଲେଇ ହୋଇ ହସି ହସି କହିଲା, ‘‘ଏଠିକା କଥା ତ ହାତ ମୁଠାରେ ରହିଛି । ବାପାଙ୍କୁ କହିବା ଦରକାର ହେବ ନାହିଁ । କଥା ସାଆନ୍ତରାଙ୍କ ପାଖରେ । ତାଙ୍କୁ ଏମିତି ଭାବରେ ବାଗେଇ ଦେବି ଯେ, ସେ ନିଜେ ଆସି ବାପାଙ୍କ ପାଖରେ ସେ କଥା ପକେଇବେ । ସେ ଫେର୍‌ ଏମିତି ବେଳେ କଥା ହବ ଯେ, ବାପା ସାଆନ୍ତ ସେଥିରେ ରାଜି ନ ହେଇ ରହି ପାରିବେ ନାହିଁ । ତମେ ଏତେ ଅଥୟ ହଉଚ କାହିଁକି ମଁ ? ଦମ୍ଭ ଧର । ତମେ ଖାଲି ବସି ଦେଖୁ ଥାଅ, ଗୁରୁବାରୀ ବାରିକାଣୀ କଅଣ କରୁଛି । କିନ୍ତୁ ମୋ କଥାଟା ଏକା—’’ ତା ପାଟିରୁ କଥା ନ ସରୁଣୁ ଯମୁନା କହି ପକାଇଲେ, ‘‘ଓହୋ ! ସେ କଥା ପାଇଁ ଚିନ୍ତା କର ନା । ମୁଁ ତ ଥରେ ଜବାବ ଦେଇଛି-। ଯାହା ଚାହିଁବୁ ତାହା ଦେବି । ଥରେ ନୁହେଁ ଯେତେବେଳେ ଯାହା ଚାହୁଁଥିବୁ-।’’ ଗୁରୁବାରୀ ମନେ ମନେ ଭାରି ଖୁସିଟାଏ ହେଲା ଓ ମନେ ମନେ କେତେ ସୁଖ କଳ୍ପନା କରିବାରେ ଲାଗିଲା-। ଟିକିଏ ପରେ କହିଲା, ‘‘ସଞ୍ଜ ହୋଇଗଲାଣି, ଏବେ ଉଆସ ଭିତରକୁ ଚାଲ । ତେଣେ ବି ମୋର ଟିକିଏ କାମ ଅଛି । ଟିକିଏ ଚାହିଁ ଆସିବି ସେ ଗାଆଁର କେହି ଲୋକବାକ ଆଉ ଆସିଛନ୍ତି କି ନାହିଁ-। ସେ ପୋଡ଼ାମୁହାଁ ଅଳପାଇସିଆ ମାର୍କଣ୍ଡ ମିଶ୍ରୁଟା ଉପରେ ମୋ ଦିହ ଖାଲି ନିଆଁ ହେଇଯାଉଛି-। ସେଇ ପୋଡ଼ା ମୁହାଁ, ନଈଶୁଆ, ଗାତପଶା ଏତେ କାଣ୍ଡ ଲଗେଇଛି । ପୋଡ଼ାମୁହାଁ କିଛି ପୁଳାଏ ପାଇବ ବୋଲି ଏତେ ଧାଇଁଛି । ଦେଖାଯାଉ, ସେ ତ ମର୍ଦ୍ଦ, ଆଉ ମୁଁ ତ ତିର୍ଲାଟେ । କିଏ ଜିତେ, କିଏ ହାରେ ।’’

 

ଯମୁନା ହସିକରି କହିଲେ, ‘‘ତା ସାଙ୍ଗରେ ତୁ କଅଣ କରି ପାରିବୁ ?’’

 

ଗୁରୁବାରୀ—ପାରିବି ନାହିଁ ? ସାତଘାଟ ପାଣି ପିଆଇ ଦେବି, ପାରିବି ନାହିଁ ? ଏମିତିକା କେତେ ଗଣ୍ଡା ମର୍ଦ୍ଦଙ୍କୁ ତ ସାତଥର ବିକି ଦେଇ ସାତଥର କିଣି ଆଣି ପାରିବି, ଏ କଅଣ ମୋ ଆଗରେ ଚଲାଖି ଦେଖେଇବେ ?

 

ଯମୁନା—(ହସି ହସି କହିଲେ) ଆଚ୍ଛା ହଉ, ଦେଖାଯିବ ଲଢ଼େଇ ଭୂଇଁରେ । ‘‘କାଚ କାଚ ମଣି ମଣି, ବେପାର ଭୂଇଁରେ ଜଣାଜଣି ।’’

 

ଆଜି ଯମୁନା ବି ଖୁସି, ଗୁରୁବାରୀ ବି ଖୁସି । ଦିହେଁ ମନେ ମନେ କେତେ ସୁଖ କଳ୍ପନାରେ ଭାସି ଯାଉଛନ୍ତି । ଦୁହିଁଙ୍କ ମନ୍ତ୍ର ଦୁହିଙ୍କୁ କାଟୁ କରିଛି । ଉଆସ ପାଖରେ ପହଞ୍ଚିଯିବାରୁ ଗୁରୁବାରୀ କହିଲା, ‘‘ତମେ ଉଆସ ଭିତରକୁ ଯାଅ, ମୁଁ ଏଇବାଟେ ସଦର କଚେରୀ ପରସ୍ତ ବାଟେ ଟିକିଏ ବୁଲିଯାଉଛି । ଚାହିଁଯାଏଁ, ଖବରଟା କଅଣ ? ଗୁରୁବାରୀ ବାଡ଼ି ପଟେ ଦାଣ୍ଡ ପାଖକୁ ବୁଲିଗଲା । ଦାଣ୍ଡ କବାଟ ଫାଙ୍କରେ ଟିକିଏ ଚାହିଁଦେଲା । ଦେଖିଲା ଯେ, ବଙ୍ଗଳାର ଏକ ପାଖରେ ବସି ଚୌଧୁରୀଏ ଓ ମାର୍କଣ୍ଡ ମିଶ୍ରେ କଅଣ ଫୁସ୍‌ଫାସ୍ କଥାବାର୍ତ୍ତା ହେଉଛନ୍ତି । ସେମାନେ ଯେଉଁଠି ବସି କଥାବାର୍ତ୍ତା ହେଉଥାଆନ୍ତି, ସେଇପାଖ କାନ୍ଥରେ ବାହାରକୁ ଗୋଟିଏ ଖିଡ଼ିକି ଥାଏ । ଶୀତଦିନ ବୋଲି ତାହା ବନ୍ଦ ଥିଲା, ଗୁରୁବାରୀ ସେଇ ଖିଡ଼ିକି ପାଖକୁ ଯାଇ କାନ ପାରି ଶୁଣିଲା ।

 

ମିଶ୍ରେ କହୁଛନ୍ତି—‘‘ଟୋକାଟା କାହିଁକି ଭାରି ମୂଢ଼ପଣ କରୁଛି । ସେ କହୁଛି, ବିଭା ହବ ନାହିଁ । କିନ୍ତୁ ତା ମାଆ ବୁଢ଼ୀକୁ ମୁଁ ଯେପରି କହି ଦେଇଛି, ସେ ତ ଖାଲି ଅସ୍ଥିର ହେଉଛି । ଦିନ ରାତି ପୁଅ ସଙ୍ଗେ ଲଗେଇଛି, ବଳେ ମଙ୍ଗିଯିବ ଯେ ।’’

 

ଚୌଧୁରୀ—ନ ମଙ୍ଗିଲେ ଅନ୍ୟ ଉପାୟ ଅଛି । ତା ବାପ ନାମରେ ଗୋଟାଏ ତମସୁକ ଅଛି—ଦେଖାଯିବ । ଶେଷକୁ ଯଦି ସବୁ ଚେଷ୍ଟା ବିଫଳ ହୁଏ, ସେ ନ ମଙ୍ଗେ, ତେବେ ମୁଁ କଅଣ ଛାଡ଼ିବା ଲୋକ । ସେତେବେଳକୁ ଯିବ କୁଆଡ଼େ ? ବଳେ ବଳେ ଆସି ଗୋଡ଼ତଳେ ଏଣ୍ଡୁଅ ପରି ଗଡ଼ିବ । ବର୍ତ୍ତମାନ ଆମେ ତାକୁ ଖୋସାମତ କରୁଛୁ । ସେତେବେଳକୁ— । ଆଚ୍ଛା, ମିଶ୍ରେ ! ତମେ ଏକା ଗୋଟାଏ ସାକ୍ଷୀ ପଡ଼ିବ ।

 

ମିଶ୍ରେ—ହଉ, ସେଥିପାଇଁ କଅଣ ଚିନ୍ତା ଅଛି ? ଆପଣ ଏ ମାର୍କଣ୍ଡ ମିଶ୍ରଙ୍କୁ ସହଜ ଭାବନ୍ତୁ ନାହିଁ । ଆପଣ ଯଦି କହିବେ ତ, ନିଆଁକୁ ପଶିଯିବାକୁ ବି ରାଜି ଅଛି, କିନ୍ତୁ ଗରିବକଥାଟା ଏକା-

 

ଚୌଧୁରୀ—ରାମ, ରାମ, ରାମ୍‌ ! ମିଶ୍ରେ ! କି କଥାଗୁଡ଼ାକ କହୁଛ ?

 

ମୁଁ ତ ଥରେ ଜବାବ ଦେଇଛି, ଜୀବନ ଯିବ ପଛକେ ଜବାବ ଛାଡ଼ିବାର ଲୋକ ମୁଁ ନୁହେଁ ।

 

[ ଏଗାର ]

 

ସେଦିନ ଦିନ ଥାଉଁ ଥାଉଁ ଗୌରହରି ଇସ୍କୁଲରୁ ବାହାରି ପଡ଼ିଲେ । ସଳଖେ ସଳଖେ ଯାଇ ପହଞ୍ଚିଲେ ଗୋପାଳ ମହାପାତ୍ରଙ୍କ ଘରେ । ମହାପାତ୍ରେ ପିଣ୍ଡାରେ ବସି ଦଉଡ଼ି ବଳୁଥିଲେ ।

 

‘‘କିହୋ ମାଷ୍ଟରେ ! ଇଆଡ଼େ କିମିତି ଚାଲି ଆସିଲ ?’’

 

‘‘ଏଇ ଟିକିଏ ବୁଲିବା ପାଇଁ ଚାଲି ଅଇଲି । ଲୋକେ ଯେ ହାଟ ବସେଇ ସାରିଲେଣି ନାଁ-। ଭାବିଲି ଲୋକଗୁଡ଼ାକ ତ କୁଆ ତାଙ୍କ କଥାରେ ସତ କେତେ ମିଛ କେତେ ? ଭାବିଲି, ଯାଉଛି ମିଶ୍ରଙ୍କ ଘର ଆଡ଼ୁ ଟିକିଏ ବୁଲି ଆସେଁ—କଥାଟା ସତ କି ମିଛ ବୁଝି ଆସେଁ ।’’

 

ମହାପାତ୍ରେ ଉତ୍ସୁକ ଭାବରେ ପଚାରିଲେ—‘‘କଅଣ ? କଅଣ ? ଲୋକେ କଅଣ ହାଟ ବସେଇଛନ୍ତି ?’’

 

‘‘ଛାଡ଼, ସେ ଗୁଡ଼ାକଙ୍କ କଥା । ଆଜିକାଲି ଲୋକଗୁଡ଼ାକ ତ ହେଲେ କୁଆ, ଆଙ୍ଗୁଳିଏ କଥାକୁ ବଢ଼େଇ ବଢ଼େଇ କରିବେ ପାଞ୍ଚ ହାତ ।’’

 

ମହାପାତ୍ରେ ଆହୁରି ଆଗ୍ରହାନ୍ୱିତ ହୋଇ ପଚାରିଲେ—‘‘କଅଣ କଅଣ ? କଅଣ କହୁଛନ୍ତି ଲୋକେ ।’’

 

‘‘ଲୋକେ କହୁଛନ୍ତି, ମହାପାତ୍ରେ ପାଛିଆଏ ଟଙ୍କା ନେଉଛନ୍ତି ବୁଢ଼ା ବରରେ ଝିଅ ବିକି । ସାଆନ୍ତରାଙ୍କ ସଙ୍ଗରେ କେତେ ଟଙ୍କା କଥା ହୋଇଛି କି ?’’

 

‘‘କାହିଁ, କି ଟଙ୍କା ହୋ ? ଧାଇଁ ଧାଇଁ ଟଙ୍କା ପାଞ୍ଚ ଶହ । ସେଇ ବାହାଘର ପିଛାରେ ସେ ଟଙ୍କା ଶେଷ । ସେଇ ଝିଅଟା ପଛରେ ତ କମ୍ ଖର୍ଚ୍ଚ ଲାଗିବ ନାହିଁ । ଲୁଗାରେ, ପଟାରେ ଗହଣାରେ, ଗଣ୍ଠିରେ, ତେଲରେ, ହଳଦିରେ, କେତେ ଖରଚ ? ହିସାବ କରି ବସିଲେ ତ କଥା ନାହିଁ । ଝିଅଟା ଯେ ତେର ଚଉଦ ବର୍ଷ ହେଲା ବସି ବସି ଖାଇଲାଣି, ତା ଉପରେ ପଢ଼େଇଲି, ଶୁଣେଇଲି, ତାଲିମ କଲି ସେଥିରେ କଅଣ କମ୍ ଖରଚ ହେଉଛି ? ଏ କଥାକୁ ତ ଆଉ କେହି ନଜର ଦେବେ ନାହିଁ । ଖାଲି ଲୋକଙ୍କ ଆଖିଟା ଡେଇଁ ପଡ଼ୁଛି ଟଙ୍କା ଉପରେ । ପାଛିଆଏ-ପାଛିଆଏ ଟଙ୍କା !

 

ଗୌରହରି ଆହୁରି ଟିକିଏ ବଢ଼େଇ ଦେଇ କହିଲେ, ‘‘ହେଁ ! ହେଁ ! ସେଗୁଡ଼ାକ କଅଣ ଜାଣନ୍ତି ? ମୂର୍ଖଗୁଡ଼ାକ, ଆହୁରି କହୁଛନ୍ତି କଅଣ ନା, ଟଙ୍କା ନେଲା, ବୁଢ଼ାଟାକୁ ଭଲା ଦେଇ ନ ଥାନ୍ତା ।’’

 

ମହାପାତ୍ରେ ଟିକିଏ ଉତ୍ତେଜିତ ହୋଇ କହିଲେ, ‘‘ବୁଢ଼ା ! ବୁଢ଼ା କଅଣ ହେ ? ଲାଉ ନା କଖାରୁ ବୁଢ଼ା ? ବଡ଼ଜୋର୍‌ ବରଷ ଷାଠିଏଟା ହବ କି ନାହିଁ । ସାଆନ୍ତରା କହୁଥିଲେ, ପିଲାଦିନେ ତାଙ୍କ ମଥାରେ କି ତଇଳହାତ ମାରି ଦେଇଥିଲେ ବୋଲି ଅଳ୍ପ ବୟସରେ ତାଙ୍କ ବାଳଗୁଡ଼ାକ ପାଚିଗଲା । ବଡ଼ଲୋକ ଘର ପିଲା । ଏକେ ତ ଦାନ୍ତ ସରସା, ତା ଉପରେ ପ୍ରତିଦିନ ଶହ ଶହ ଖଣ୍ଡ ପାନ ଚୋବାଉଥିଲେ ବୋଲି ଦାନ୍ତଗୁଡ଼ାକ ନ ହେଲା ଖସି ପଡ଼ିଛି । ତା ନ ହେଲେ ଆଉ କଅଣ ଦେହର ଜ୍ୟୋତି କମି ଯାଇଛି ? ଏଇଥିରେ କହୁଛନ୍ତି କଅଣ ନା ବୁଢ଼ା ବୁଢ଼ା । ହଁ ହେ ! ତମ ଆଜିକାଲିକା କଳିକାଳ ଟୋକାଙ୍କୁ ଆମେ ଦେଖୁଛୁଁ ଯେ, ତାଳପତ୍ର ସିପେଇ-ଫୁଙ୍କିଦେଲେ ଉଡ଼ିଯିବେ । ସାଆନ୍ତରାଙ୍କୁ ତ ବୁଢ଼ା କହୁଛ, ଆଚ୍ଛା ! ତମର ଗଜା ଗଜା ଭେଣ୍ଡିଆ ଟୋକା ବେହେରା ଆଠ ଦଶ ଜଣରୁ କମ୍ ହେଲେ ସାଆନ୍ତରାଙ୍କ ସବାରୀକୁ ଭୂଇଁରୁ ଉଠାଇ ପାରନ୍ତି ନା ? ସାଆନ୍ତରା ତ କାଲିକା ପିଲା ଆମେ ସେତେବେଳେ ଆଠ ଦଶ ବର୍ଷର ଛୋଟ ପିଲା ହୋଇଥାଉଁ, ଚାହାଳିରେ ପଢ଼ୁଥାଉଁ, ଦେଖିଛୁ ପରା ସାନ୍ତରା ସେତେବେଳେ ଗଜା ଭେଣ୍ଡିଆ, ନଦୀଗାଁ ମଙ୍ଗରାଜଙ୍କ ଘରୁ ପହିଲେ ବିଭା ହୋଇ ପାଲିଙ୍କିରେ ବସି ଆସୁଥାଆନ୍ତି । ଆମେ ଚାହାଳୀ ପିଲାଏ ଧାଇଁ ଯାଇ ଦେଖିଲୁ । ତାଙ୍କୁ ଆଉ କିଏ ଚାହିଁ ପାରେ ? ଠିକ୍ ଯେମିତି ଗୋଟାଏ ରଜା-ବାଦସା ପୁଅ । ଏଇ ତ, ସେଦିନକାର କଥା କାଲି ପରି ଲାଗୁଛି ।’’

 

ଗୋପାଳ ମହାପାତ୍ରେ ପୁଣି ବକି ଲାଗିଲେ । ‘‘ହଇହେ ମାଷ୍ଟରେ ! ଆଚ୍ଛା ତୁମେ ତ ପାଠ ଶାଠ ପଢ଼ିଛ । ଆଚ୍ଛା ! ତୁମେ କହିଲ ଭଲା, ସାନ୍ତରା କଅଣ ବୁଢ଼ା ? ଏଁ, ଏଇ ତ ଆମ ଆଖି ଆଗରେ ଦେଖିବା କଥା । ଶୁକଦେବପୁର ରାଧୁ ଶତପସ୍ତୀଏ ପଞ୍ଚାନବେ ବର୍ଷରେ ଆଠ ବର୍ଷର ଗଉରୀ କନ୍ୟା ବିଭା ହୋଇ କିଛି ଦିନ ସୁଖ ଭୋଗ କରିଥିଲେ । ତୁମେ ଖୁବ୍‌ କହିବ, ସେ କନ୍ୟାଟା ରାଣ୍ଡ ହେଲା । କିହୋ ! ତା କପାଳରେ ଥିଲା, ସେଇଟା ଅଲକ୍ଷଣୀ ବୋଲି ରାଣ୍ଡ ହେଲା ! ସେଥିପାଇଁ କଅଣ ଶତପସ୍ତୀଏ ଦାୟୀ ହେଲେ ? ସେ କଅଣ ତାକୁ ରାଣ୍ଡ ହେବାକୁ କହି ଦେଇ ଥିଲେ ? ଅସଲ କପାଳ-କପାଳ । ‘କର୍ମ ତୋହର ନିଜ ଗୁରୁ, କର୍ମକୁ କିପାଁ ନିନ୍ଦା କରୁ’ । ଝିଅ କପାଳେ ଯଦି ସୁଖ ଥିବ ତ, ସେଇ ସାନ୍ତରାଙ୍କୁ ନେଇ କେତେ ସୁଖ କରିବ । ତା ଯଦି ନ ଥିବ ତ ମୁଁ କାହୁଁ ଆଣି ପୂରାଇ ଦେବି ? ବାପ ଜନ୍ମ ଦେଇଛି ବୋଲି କଅଣ କର୍ମ ଦେଇଛି ?’’

 

ମହାପାତ୍ରଙ୍କ କଥା ବନ୍ଦ ନ ହେବା ଦେଖି ଗୌରହରି ମନେ ମନେ ଭାରି ବିରକ୍ତ ହେଲେଣି, ଆଉ ସମ୍ଭାଳି ନ ପାରି କହିଲେ, ‘‘ହଁ ହେ ! ବୁଢ଼ା କି ବୁଢ଼ା ? ତମେ ସେ ସବୁ ଲୋକଙ୍କ କଥାରୁ କି ପାଇବ ? ଆଚ୍ଛା, ମହାପାତ୍ରେ ! ଏତିକି ଟଙ୍କାରେ ରାଜି ହେଲ କାହିଁକି ? ଆଜିକାଲି ତ ପଚିଶ ବର୍ଷିଆ ଭେଣ୍ଡିଆ ଟୋକାଏ ପାଞ୍ଚ ଶହରୁ ଉପର ଯାଚୁଛନ୍ତି, ସେଦିନ ତ ଗୋଟାଏ ଆସି ମତେ କହୁଥିଲା, ପଛକେ ପାଞ୍ଚ ଶହରୁ ବେଶୀ ଟଙ୍କା ଦେବି, ଗୋଟାଏ କନ୍ୟା କରିଦିଅ । ଭାରି ଜିଗର କଲା । ମୁଁ ଆଖି ଫେରେଇ ଦେଖିଲି । ଭାବିଲି, ଆଚ୍ଛା ଆମ ମହାପାତ୍ରଙ୍କ ଝିଅ ବିମଳୀ ତ ଅଛି, ଦି’ ଦିନ ହେଲା ଆସିବି ଆସିବି ବୋଲି ଆସି ପାରୁ ନ ଥିଲି ।’’

 

ମହାପାତ୍ରେ ଉତ୍ସୁକ ଭାବରେ ପଚାରିଲେ, ‘‘କେତେ ଟଙ୍କା ? କେତେ ଟଙ୍କା ଦେବ, କହୁଥିଲା ?’’

 

ଗୌର—ପାଞ୍ଚ ଶହରୁ ଉପର ।

 

ମହାପାତ୍ରେ-ସତ ନା ?

 

ଗୌର—ଆଉ କଅଣ ଆପଣଙ୍କ ପାଖରେ ମିଛ କହୁଛି ? ତା ହେଲେ ଏକା ଭଲ ହୁଅନ୍ତା । ଆମେ ତ ଟଙ୍କାକୁ ଟଙ୍କା ପାନ୍ତୁ, ଆଉ ଏ ଲୋକଗୁଡ଼ାକ ଯାହା ‘ବୁଢ଼ାବର’ ‘ବୁଢ଼ାବର’ ହଉଛନ୍ତି, ୟାଙ୍କ ପାଟି ବି ବନ୍ଦ ହୋଇ ଯାଆନ୍ତା । ଜାଣିଲେ, ମହାପାତ୍ରେ ସାଆନ୍ତେ, ଆମର ସେଥିରେ କ୍ଷତି କଅଣ ?

 

ମହାପାତ୍ରେ—କ୍ଷତି କଅଣ ? ବରଂ ଲାଭ । ଲୋକଗୁଡ଼ାକ ଯାହା ପାଟି କରି ହଉଛନ୍ତି, ତାଙ୍କ ପାଟି ପଡ଼ିଯିବ; କିନ୍ତୁ ଟଙ୍କା ଦେବ ତ ?

 

ଗୌରହରି—ମଲା, ଆମେ କଅଣ ସେମିତି ଲୋକ ? ସେ ଆମଙ୍କୁ ଫାଙ୍କି ଦେବ ? ଆମେ ଆଉ ପାଠ ଶାଠ ପଢ଼ିଥିଲୁ କାହିଁକି ନା ଭଦ୍ରଲୋକି କରିବୁ କାହିଁକି ? ଆଗେ ରୋକ୍‌ ଠୋକ୍ ଟଙ୍କା ଗଣି ନବା, ତା ପରେ କଥା ହବ ।

 

ମହାପାତ୍ରେ—ହଁ, ସେୟା, ମାଷ୍ଟରୀ ବୁଦ୍ଧି ନ ହେଲେ କି ହୁଏ ?

 

ଗୌରହରି—ତା ହେଲେ ସବୁଆଡ଼ୁ ଭଲ ହେବ, ବିମଳୀ ବି ଖୁସି ହବ । ଗାଆଁ ଲୋକଙ୍କ ମୁହଁ ବି ଭାଙ୍ଗିଯିବ । ବରପାତ୍ରଟି ଏକା ବେଶ୍ । ଜମିବାଡ଼ି ବି ପନ୍ଦର ଷୋଳ ମାଣ ଅଛି, ପାଠଶାଠ ବି ଦି ଅକ୍ଷର ପଢ଼ିଛି ।

 

ମହାପାତ୍ରେ—ଏତେ କଥା କିଏ ପଚାରୁଛି ହେ ! ଟଙ୍କା ଦେବ ତ କୁହ ?

 

ଗୌରହରି—ରୋକ୍ ଠୋକ୍ । ତେବେ ଗୋଟାଏ କଥା କରିବାକୁ ହବ ଏକା ।

 

ମହାପାତ୍ରେ—କଅଣ ? କଅଣ ? କି କଥା କହୁଛ ?

 

ଗୌରହରି—କଥା କଅଣ କି; ବାହାଘରଟା ଯେତେ ଶୀଘ୍ର ପାର ଏହାରି ମଧ୍ୟରେ କରିନବାକୁ ହବ । କାରଣ, ଶାସ୍ତ୍ରରେ ଅଛି ‘‘ଶୁଭସ୍ୟ ଶୀଘ୍ରଂ ।’’ ଡେରି କଲେ କୁଆଡ଼େ କିଛି ବିଗିଡ଼ି ଯାଇପାରେ ! ଜାଣିଲେ ନାଁ, ମହାପାତ୍ରେ ସାଆନ୍ତେ ! ଟୋକା ବର, ତା ଉପରେ ପାଞ୍ଚ ଶହ ଟଙ୍କା । ଏ ସୁଯୋଗ କି ସହଜେ କେହି ଛାଡ଼ନ୍ତି । ବେଶୀ ଡେରି କଲେ ଆଉ କଥାଟା ଫୁଟିଆରା ହୋଇ ପଡ଼ିଲେ କେତେ ଲୋକ ମାଡ଼ି ବସିବେ । ପିମ୍ପୁଳିଆ ମୌଜାର ବାସୁଦେବ ତିହାଡ଼ିଏ ଗୋଟିଏ ବର ଖୋଜୁଛନ୍ତି ବୋଲି ଶୁଣିଲି । ତାଙ୍କ କାନରେ ଯଦି ଏ କଥା ବାଜିଯାଏ, ତେବେ କି ଆଉ ସେ ଛାଡ଼ିବେ ? ଝପ୍‌ କରି ଧରି ନେବେ । ଆଉ ଯଦି ପାଞ୍ଚ ସାତ ଟଙ୍କା କମ୍‌ରେ ଦେବାକୁ ରାଜି ହୁଅନ୍ତି, ତେବେ ତ କଥା ସରିଲା ।

 

ମହାପାତ୍ରେ—ହଁ ତା ଯାହା କହିଲ, ଠିକ୍‌ ଏକା ! ଆମର ଆଉ ଡେରି କିଆଁ ହେବ ? କେବେ ଲଗ୍ନ ଅଛି ?

 

ଗୌରହରି—ମୁଁ ପାଞ୍ଜି ଦେଖିଥିଲି । ଏଇ ମାଘ ୨୧ ଦିନ ବୁଧବାର ଗୋଟାଏ ଭଲ ତିଥି ଅଛି । ସେଇ ଦିନ କରିଦେଲେ ତ ଭଲ ହୁଅନ୍ତା ? ଆମର ସେତେ ଆଡ଼ମ୍ବର ଟହବର ନ ହଉ-। ଟଙ୍କା ଗୁଡ଼ାକ ଅକାରଣରେ କାହିଁକି ବରବାଦ କରିଦବୁଁ ।

 

ମହାପାତ୍ରେ—ହଁ, ସେଇ କଥା ବେଶ । ତେବେ ଟଙ୍କାଟା ଆଗରୁ—

 

ଗୌରହରି—ଓଃ ! ସେଥିପାଇଁ ଆପଣ କିଛି କରନ୍ତୁ ନାହିଁ । ଏଇକ୍ଷଣି ଯଦି ନଗଦ ଟଙ୍କା ନ ଦିଏ, ତେବେ ତାର ପାଞ୍ଚ ଛଅ ମାଣ ଭଲ ଭଲ ଜମି ବନ୍ଧକ ଲେଖାଇ ନବା । ଆଜିକାଲି ଜମିର ଦର ତ ଦେଖୁଚ ? ଖୁବ୍‌ କମରେ ସେ ଜମି ମାଣ ଦୁଇଶହ ଅଢ଼େଇ ଶହରୁ ଊଣା ହବ ନାହିଁ-। ତାହାହେଲେ ଛଅ ମାଣ ଜମିର ଦାମ ଖୁବ୍‌ କମରେ ବାର ଶହ କି ଚଉଦ ଶହ ଟଙ୍କା-! ଯଦି ଟଙ୍କା ଦେଲା ତ ଭଲ, ତା ନ ହେଲେ ରୋକ୍‌ ଠୋକ୍‌ ଦେଢ଼ ହଜାର ଟଙ୍କାର ସମ୍ପତ୍ତି ଆମ ହାତରେ ରହିଲା-

 

ମହାପାତ୍ରେ—(ଟିକିଏ ଗମ୍ଭୀର ହୋଇ ବସି ଚିନ୍ତାକରି କହିଲେ) ହଁ, ତା ବି ମନ୍ଦ ନୁହେଁ-। ତେବେ ବର୍ତ୍ତମାନ ବାହାଘର ଖର୍ଚ୍ଚ ପାଇଁ କିଛି ନଗଦ ନ ହେଲେ ଚଳିବ କିପରି ?

 

ଗୌରହରି—ହଁ, ମୁଁ ବି ତା’ଇ ଭାବୁଛି । ଆଚ୍ଛା ଆମର ସେତେ ବାଜାଦାର ଫାଜାଦାର ନ ଆଣିଲେ କଅଣ ହେବ ? ମୁଁ ତାକୁ କହିଦେବି ସେ ଆଗ ଦିନରୁ ଆସି ଆମ ଘରେ ଥିବ । ବାହାଘର ଦିନ ଠିକ୍ ଲଗ୍ନ ବେଳେ ମୁଁ ଆଣି ତାକୁ ହାଜର କରାଇ ଦେବି । ଶଙ୍ଖ ଗୋଟେ ବଜାଇ ଦେଇ ହାତଗଣ୍ଠିଟା ପଡ଼ିଗଲେ କାମ ସରିଲା । ତେବେ ବାହାଘର ଖର୍ଚ୍ଚ ପାଇଁ ଦଶ ପଚାଶ ଟଙ୍କା ବର୍ତ୍ତମାନ ଦେଉ ? ନ ଦେବ କାହିଁକି ? ଅଲବତ୍‌ ଦବ । ମୁଁ ଯେମିତି ନଗଦ ପଚାଶଟି ଟଙ୍କା ତା ପାଖରୁ ନ ନେଇ ଛାଡ଼ୁ ନାହିଁ ।

 

ମହାପାତ୍ରେ ଗୌରହରି କଥା ଶୁଣି ଭାରି ଖୁସି ହୋଇଗଲେ । ନଗଦ ଦେଢ଼ ହଜାର ଟଙ୍କାର ସମ୍ପତ୍ତି ହାତକୁ ଆସିବ । ତାପରେ ବାହାଘରରେ କିଛି ଖରଚ ନାହିଁ । ସାଆନ୍ତାରାଙ୍କୁ ଝିଅ ଦେଇଥିଲେ ତ ସେ ଆଉ ସେମିତି ଆସନ୍ତେ ନାହିଁ ? ହଜାର କି ପାଞ୍ଚଶ ଲୋକ ନେଇ ଆସନ୍ତେ, କେବଳ ବରଯାତ୍ରୀଙ୍କୁ ଖୁଆଉ ଖୁଆଉ ଦୁଇ ଶହ କି ଅଢ଼େଇ ଶହ ଟଙ୍କା ଖରଚ ହୋଇ ଯାଆନ୍ତା । ଲାଭ ଭିତରେ ତ କିଛି ନାହିଁ, କେବଳ ଗୋଟିଏ ନିନ୍ଦା ହେବ । ବୁଢ଼ା ବରରେ ଝିଅ ବିକିଲା । ଏହିପରି ମହାପାତ୍ରେ କେତେ କଥା ଭାବି ଯାଇ ମନେ ମନେ ଭାରି ଖୁସିଟାଏ ହେଲେ । କପାଳ ଫିଟିଲେ ସୁଯୋଗ ଫେର ଏମିତି ଆପେ ଆପେ ଆସେ । ପଇସାଏ ପାହୁଲାଏ ବି ଖରଚ ନାହିଁ, ତା ପରେ ଦେଢ଼ ହଜାର ଟଙ୍କାର ସମ୍ପତ୍ତି, ତା ଉପରେ ପୁଣି ନଗଦ ପଚାଶ ଟଙ୍କା ! ମହାପାତ୍ରେ ତ ଆନନ୍ଦରେ ଅସ୍ଥିର । ଭାରି ଗୋଟାଏ ଖୁସି ହୋଇ ମୁର୍‌କି ହସି କହିଲେ, ‘‘ବାଃ ମାଷ୍ଟରୀ ବୁଦ୍ଧି । ଲୋକେ କଣ ଏତେ ଟଙ୍କା ପଇସା ସାରି ପାଠ ଶାଠ ପଢ଼ିଥାନ୍ତି ମିଛରେ ?’’ ଗୌରହରି ମହାପାତ୍ରଙ୍କର ହସ ହସ ମୁହଁ ଦେଖି ଭାବିଲେ ଯେ, ଆଜି ତାଙ୍କର ଆସିବା ସଫଳ ହେଇଛି । ତାଙ୍କ ମନ୍ତ୍ରଟି ବେଶ୍ କାଟୁ କରିଛି । ଗୌରହରି ଉଠୁ ଉଠୁ ହୋଇ କହିଲେ, ‘‘ହେଉ ତେବେ ଆସେଁ ଏଇ କଥା ତ ହେଲା ।’’

 

ମହାପାତ୍ରଙ୍କ ମନେ ପଡ଼ିଗଲା । ସେ ଘର ଭିତରକୁ ଡାକ ପକାଇଲେ, ‘‘ଆଲେ ବିମଳି, ଲୋ ବିମ, ମାଷ୍ଟରଙ୍କ ଲାଗି ପାନ ଖଣ୍ଡେ ଦେଇ ଯା ତ’’ । ବିମଳା କବାଟ ଉହାଡ଼ରେ ରହି ସବୁ କଥା ଶୁଣୁଥିଲା । ଚଟ୍‌କରି ଘର ଭିତରକୁ ଚାଲି ଯାଇ ପାନ ଦୁଇଖଣ୍ଡ ଭାଙ୍ଗି ଆଣିଲା । ମହାପାତ୍ରେ ତ ଏକଧ୍ୟାନରେ ତଳକୁ ମୁହଁ ପୋତି ଦଉଡ଼ି ବଳୁଛନ୍ତି, ଆଉ ଏ ଶୁଭ ସୁଯୋଗ କଥା ଭାବି ମନେ ମନେ କଳ୍ପନାରାଜ୍ୟରେ ବୁଲୁଛନ୍ତି । ତାଙ୍କର ଆଉ ଅନ୍ୟଆଡ଼େ ଲକ୍ଷ୍ୟ ନାହିଁ । ବିମଳା ପାନ ଆଣି ଗୌରହରିଙ୍କୁ ଦେବା ବେଳେ ଗୌରହରି ତା ମୁହଁକୁ ଚାହିଁ ଟିକିଏ ହସି ଦେଲେ । କୃତଜ୍ଞତା, ଆନନ୍ଦ ଓ ଲଜ୍ଜାର ଗୋଟିଏ ମୃଦୁ ହାସ୍ୟରେଖା ବିମଳାର ରକ୍ତିମ ଅଧର ମଧ୍ୟ ଦେଇ ଖେଳିଗଲା । ବିମଳାର ମନର ଭାବ ଲକ୍ଷ୍ୟ କରି ଗୌରହରିଙ୍କର ସରଳ ଅନ୍ତଃକରଣରେ ଗୋଟିଏ ପବିତ୍ର ଆନନ୍ଦର ସ୍ରୋତ ବହିଗଲା । ବିମଳା ଚାଲିଯିବା ପରେ ଗୌରହରି କହିଲେ, ‘‘ହେଉ, ମହାପାତ୍ର ସାନ୍ତେ, ବସନ୍ତୁ । ମୁଁ କାଲି ଠିକ୍ ଏଇ ସମୟରେ ଆସିବି ।’’ ମହାପାତ୍ରେ ଗୌରହରି ମୁହଁକୁ ଚାହିଁ କହିଲେ, ‘ହେଉ ତେବେ— ।’ ତାଙ୍କ ପାଟିରୁ କଥା ନ ସରୁଣୁ ଗୌରହରି ମହାପାତ୍ରଙ୍କ ଉଦ୍ଦେଶ୍ୟ ବୁଝି ନେଇ ଚଟପଟ୍‌ କହି ପକାଇଲେ, ‘‘ଏଇ ଦିନେ ଦୁଇ ଦିନ ଭିତରେ କରିନେବା । ଲଗ୍ନ ହେଲା ମାସର ୨୧ ଦିନ । ଆଜି ହେଲାଣି ଗୁରୁବାରକୁ ଗୁରୁବାର ମାସର ପନ୍ଦର ଦିନ । ଷୋଳ, ସତର, ଅଠର, ଊଣେଇଶି, କୋଡ଼ିଏ । ମଝିରେ ରହିଲା ଆଉ ପାଞ୍ଚଟା ଦିନ । ପରଦିନ ଆଡ଼କୁ ଯିବ । ଆଚ୍ଛା, ମୁଁ କାଲି ଉପର ଓଳି ଆସେଁ ।’’ ମହାପାତ୍ରେ ତରତର କରି କହି ପକାଇଲେ, ‘ନା, ନା, ତୁମେ ଏତେ କଷ୍ଟ କାହିଁକି କରିବ । ମୁଁ କାଲି ସକାଳେ ତୁମ ଇସ୍କୁଲ ଆଡ଼େ ଯିବି ।’ଗୌରହରି କହିଲେ, ‘ମୁଁ ତ କାଲି ସକାଳେ ଇସ୍କୁଲକୁ ଯିବି ନାହିଁ । ମୁଁ ଭୋର ଭୋର୍ ଯିବି ପରା ତା ପାଖକୁ ? ତାକୁ ଆଣିଲେ ସିନା ଯାହା ହେବ ?’

 

ମହାପାତ୍ରେ—ହଁ, ହଁ, ହଉ ତେବେ କାଲି ତାକୁ ନିଶ୍ଚୟ ନିଶ୍ଚୟ ସଙ୍ଗରେ ଘେନି ଆସିବେ, ପରଦିନ ଅନୁକୁଳ କରି ବାହାରି ଯିବା ।

 

ଗୌରହରି—ଆଚ୍ଛା ହେଉ, କିନ୍ତୁ ଦେଖନ୍ତୁ, କଥାଟା ଯେପରି ଫୁଟିଆରା ନ ହୁଏ ।

 

ମହାପାତ୍ରେ—ଆରେ, ସେ କଥା ଫେର୍‌ ମୋତେ କହୁଛ ?

 

ଗୌରହରି ନମସ୍କାରଟିଏ କରି ପ୍ରସନ୍ନମନରେ ଘରକୁ ଫେରିଲେ । ବିମଳା କବାଟ ଉହାଡ଼ରେ ଛିଡ଼ା ହୋଇ କୃତଜ୍ଞତାପୂର୍ଣ୍ଣ ନୟନରେ ଗୌରହରିଙ୍କ ଗନ୍ତବ୍ୟ ପଥକୁ ଚାହିଁ ରହିଥାଏ ।

 

ତେବେ ଗୌରହରିଙ୍କର ଇସ୍କୁଲରୁ ଫେରିବାର ସମୟ ଗଡ଼ିଯିବାରୁ ସୀତାମଣି ଅସ୍ଥିର ହେଲାଣି । କୁଆଡ଼େ ଆଉ ଗଲେ ? ମନରେ ଆଶଙ୍କା ହେଉଛି, କାଳେ ମହାପାତ୍ରେ ରାଜି ନ ହୁଅନ୍ତି-। ମନର ଅସ୍ଥିରତା ଯୋଗୁଁ ସେ ଗୋଟିଏ ସ୍ଥାନରେ ସ୍ଥିର ହୋଇ ବସି ପାରୁ ନାହାନ୍ତି-। ଖାଲି ଘରୁ ଦାଣ୍ଡକୁ ଦାଣ୍ଡରୁ ଘରକୁ ଯା ଆସ କରୁଛନ୍ତି । କେତେ ଥର ଦାଣ୍ଡ ରାସ୍ତା ପର୍ଯ୍ୟନ୍ତ ଆସି ଫେରି ଗଲେଣି । ଗୌରହରି ଯାଇ ଘରେ ପହଞ୍ଚିଲା ମାତ୍ରକେ ସୀତାମଣି ଉତ୍ସୁକ ଭାବରେ ପଚାରିଲେ, ‘କଣ ହେଲା ?’ସୀତାମଣିଙ୍କ ଛାତି ଦମ୍ ଦମ୍ ପଡ଼ୁଥାଏ । ଗୌରହରି ଟିକିଏ ରହସ୍ୟ ଦେଖିବା ପାଇଁ ମୁହଁ ଶୁଖେଇ କହିଲେ, ‘ହେବ ଆଉ କଣ ? ମହାପାତ୍ରେ କଣ ବୁଝିବା ଲୋକ ?’

 

ଗୌରହରିଙ୍କ କଥା ଶୁଣି ସୀତାମଣି ତ ଏକାବେଳେକେ କାଠ ହୋଇଗଲେ । ହାୟ ! ହାୟ ! ଏତେ ପରିଶ୍ରମ ସବୁ ବୃଥା ହେଲା ! ସୀତାମଣିଙ୍କ ଅବସ୍ଥା ଦେଖି ଗୌରହରି ଆଉ ହସ ସମ୍ଭାଳି ପାରିଲେ ନାହିଁ । ଠୋ ଠୋ କରି ହସି ପକାଇଲେ । ସୀତାମଣି ସବୁ ବୁଝି ପାରି କହିଲେ, ‘ଯାଃ, ତୁମେ ଏଡ଼େ ଦୁଷ୍ଟ ନା ?’ ‘ହଉ, ଦୋଷ କଲି ଯଦି ଜରିମାନା ଦେଉଛି ?’ କହ ଗୌରହରି ସୀତାମଣିଙ୍କୁ ଛାତି ପାଖକୁ ଟାଣି ନେଇ ତାଙ୍କର ଗଣ୍ଡଦେଶରେ ଗୋଟିଏ ସ୍ନେହଚୁମ୍ବନ ଅଙ୍କନ କରିଦେଲେ ।

 

‘‘ହେଉ, ହେଉ, ଛାଡ଼ ଛାଡ଼, କଥାଟା ଆଗେ କଣ ହେଲା କହିବାକୁ ନାହଁ, ଖାଲି—’’ ।

 

“ହେବ ଆଉ କଣ ? ହେଉଛି ।’’

 

ଗୌରହରିଙ୍କର କଥା ଶୁଣି ସୀତାମଣି ଆନନ୍ଦରେ ଅସ୍ଥିର ହୋଇ ଉଠିଲେ । ତର୍‌ ତର୍‌ କରି ପାଣି ଢାଳ ଆଣି ଗୌରହରିଙ୍କର ଗୋଡ଼ ଧୋଇଦେଲେ । ତାପରେ ଆସନ ପକାଇ ଜଳଖିଆ ଆଣି ଦେଲେ । ଜଳଖିଆ ଖାଉଁ ଖାଉଁ ଗୌରହରି ଆଦ୍ୟୋପ୍ରାନ୍ତ ସମସ୍ତ କଥା ବର୍ଣ୍ଣନ କରିଗଲେ । ବିମଳାର ସହାସ୍ୟ ସଲଜ୍ଜ ଭାବର ବର୍ଣ୍ଣନା ସୁଦ୍ଧା ବାକି ରହିଲା ନାହିଁ । ସୀତାମଣି ତାଙ୍କର କଥା ଶୁଣୁ ଶୁଣୁ ଆନନ୍ଦସ୍ରୋତରେ ଭାସିଗଲେ ।

 

[ ବାର ]

 

ସକାଳେ ଦିନ ତିନି ଘଡ଼ି କି ପହରେ ହେବ । ଦାମୋଦରଙ୍କ ମା ବୁଢ଼ୀ ଗାଡ଼ିଆ ଘାଟରେ ବସି ଦାନ୍ତ ଘସୁଛନ୍ତି ଆଉ ପୁଅ କଥା ଭାବୁଛନ୍ତି । ପୁଅ ଯେ କାହିଁକି ଚୌଧୁରୀଙ୍କ ଘରେ ବିଭା ହେବାପାଇଁ ନାହିଁ କରୁଛି, ବୁଢ଼ୀ ତାର କାରଣ କିଛି ବୁଝିପାରୁ ନାହାନ୍ତି । ଗୁରୁବାରୀ ଯାଇ ବୁଢ଼ୀଙ୍କ ପାଖରେ ଦୁମ୍‌ କରି ବସି ପଡ଼ିଲା । ବୁଢ଼ୀ ତ ଗୁରୁବାରୀକି ଚିହ୍ନନ୍ତି ନାହିଁ, ପଚାରିଲେ, ‘କିଏ ଲୋ ମା, ତୋ ଘର କେଉଁଠି ? କେଉଁଠିକି ଆସିଥିଲୁ ?’ଗୁରୁବାରୀ କହିଲା, ‘ଲୋ ମା, ମୋ ଘର ନୂଆ ଗାଆଁରେ । ମୋ ମାମୁଁ ଘର ଏଇ ଗାଆଁର ଆର ମୁଣ୍ଡରେ । ଆମ ଗାଆଁ ଚୌଧୁରୀ ଘର ପରା ତମ ପୁଅକୁ ଝୁଅ ଦେଉଛନ୍ତି ? ସେଥିପାଇଁ ଟିକିଏ ଚାଲି ଅଇଲି ବୁଲିଯିବି ।’’

 

ବୁଢ଼ୀ—ଲୋ ମା, ଚୌଉଧୁରୀଙ୍କ ଘରଠାରୁ ତୋ ଘର କେତେ ଛଡ଼ାରେ ?

 

ଗୁରୁବାରୀ—ମୁଁ ପରା ତାଙ୍କ ଘରେ ଥାଏଁ ? ତମର ଯେ ବହୁ ହୋଇ ଆସିବେ ତାଙ୍କରି ପାଖରେ ମୁଁ ପରା ଖଞ୍ଜା ହୋଇଛି ? ତାଙ୍କରି କାମ ପାଇଟି କରେଁ !

 

ବୁଢ଼ୀ—ଚୌଧୁରୀଙ୍କ ଝିଅ ପାଖରେ ଖଞ୍ଜା ହୋଇଛୁ ? ତାଙ୍କର କି କାମ କରୁ ଲୋ ମା-?

 

ଗୁରୁବାରୀ—ଏଇ ତାଙ୍କର ଦିହଲଗା କାମ ସବୁ କରେଁ । ତାଙ୍କ ବିଛଣା ସଜାଇ ଦିଏ, ଲୁଗା କୁଞ୍ଚାଇ ଦିଏ, ଜଳଲୋଟା ଦାନ୍ତକାଠି ଆଣିଦିଏଁ । ତେଲ ଲଗେଇ ଦେଇ ଗାଧେଇ ଦିଏଁ, ତାଙ୍କ ଲୁଗାପଟା କାଚି ଧୋଇଆଣେ, ପୁଣି ସଞ୍ଜବେଳେ ତାଙ୍କୁ ବଗିଚାକୁ ବୁଲେଇ ନେଇଯାଏଁ, ଏହିପରି ତାଙ୍କର ଦିହଲଗା କାମସବୁ ମୋ ଜିମା । ଚୌଧୁରୀ ସାଆନ୍ତଙ୍କ ଉଆସରେ କେତେ ବା ପୋଇଲୀ ପରିବାରୀ ନାହାନ୍ତି; କିନ୍ତୁ ଜେମାଙ୍କର ମୋ ଉପରେ ଭାରୀ ସେନେହ ।

 

ଗୁରୁବାରୀ କଥା ଶୁଣି ବୁଢ଼ୀଙ୍କର ଅକଲ ଗୁଡ଼ୁମ ହେଲାଣି । ଏ କଣ ଲୋ ମା ! ତିରିଲା ଝିଅ ହେଇଚି । ନିଜେ କିଛି କାମ ପାଇଟି କରିବ ନାହିଁ, ସାଙ୍ଗେ ସାଙ୍ଗେ ଗୋଟିଏ ପୋଇଲୀ ଖଞ୍ଜା !

 

ବୁଢ଼ୀଙ୍କ ମନରେ ଗୋଟାଏ ଆତଙ୍କ ପଶିଗଲା । ସେ ଭାବିଥିଲେ, ପୁଅକୁ ବାହା କରାଇ ବୋହୂ ଆଣିଲେ ତାଙ୍କର କଷ୍ଟ ଘୁଞ୍ଚିଯିବ ବୋହୂ ଆସିଲେ ଘରର କାମ ପାଇଟି କରିବ, ଭାତ ରାନ୍ଧିବ, ବୁଢ଼ୀଙ୍କ ସେବା ଶୁଶ୍ରୂଷା କରିବ । ଏ କଣ ଲୋ ମା, ଯାହାକୁ ବହୁ କରିବାକୁ ଯାଉଛନ୍ତି, ତା ପିଚ୍ଛେ ପୁଣି ଆଉ ଗୋଟିଏ ପୋଇଲୀ ଖଞ୍ଜା । ବୁଢ଼ୀଙ୍କ ମନ ଭାଙ୍ଗିଲା । ଏତେବେଳେ ସେ ପୁଅ କଥା ଟିକିଏ ଟିକିଏ ବୁଝି ପାରିଲେ । ପୁଅ ପରା ଏଇଥିପାଇଁ ମନା କରୁଥିଲା । ବୁଢ଼ୀଙ୍କ ମନରେ ଭାରି ଦୁଃଖ ଜାତ ହେଲା । ମୁହଁଟି ଶୁଖିଲା ପଡ଼ିଗଲା । ଗୁରୁବାରୀ ବୁଢ଼ୀଙ୍କ ମନବ ଭାବ ଲକ୍ଷ୍ୟ କରୁଥାଏ ଓ ଭାବୁଥାଏ ? ମାଛ ଥୋପ ଗିଳିଛି । ଦେଖାଯାଉ, ଯିବ କୁଆଡ଼େ—ଲୋଭ ତ ସହଜେ ଛାଡ଼େ ନାହିଁ—ବୁଢ଼ୀ ପୁଣି ଭାବିଲେ—ହଁ, ବଡ଼ଲୋକ ଘର ଝିଅ, ତା ନ ହେଲେ ଚଳିବ କିପରି—ହେଲେ, ତା ବାପ ତ କହୁଛି, ଘର କରି ଦେବ, ଜମି ବାଡ଼ି ଦେବ, ସେ କଣ ଆଉ ତା ଝିଅ ପାଇଁ ପୋଇଲୀ ରାନ୍ଧୁଣୀ ଦେବ ନାହିଁ—ବୁଢ଼ୀଙ୍କ ମନରେ ପୁଣି ଟିକିଏ ସାହସ ବସିଲା । ଟଙ୍କା ପଇସାର ଲୋଭ ମଣିଷ କେତେକେ ଛାଡ଼େ—ଆଶା ବୈତରଣୀ ନଦୀ—ବୁଢ଼ୀ କଣ ଆଶା ସହଜେ ଛାଡ଼ୁଛି–ବୁଢ଼ୀ ପୁଣି ପଚାରିଲେ, ‘‘ଲୋ ମା, ତୁ କିଛି ଶୁଣିଥିଲୁ ନା—ଚୌଧୁରୀଏ ପରା କହୁଛନ୍ତି ଘର ତୋଳାଇ ଦେବେ, ଜମି ବାଡ଼ି ଦେଇ ମୋ ଦାମକୁ ଘରଜୋଇଁ କରି ରଖିବେ ।’’

 

ଗୁରୁବାରୀ ଚଟ୍‌କରି ବୁଝିନେଲା । ମନେ ମନେ ଭାବିଲା—ଆରେ ମାଛ ତ ଥୋପ ଛାଡ଼ିଦେଲା । ଆଛା ଦେଖେଁ କୁଆଡ଼େ ଯାଏ ? ଗୁରୁବାରୀ ଟିକିଏ ଇତସ୍ତତଃ କରି ଏଣିକି ତେଣିକି ଦୁଇ ଚାରିଥର ଚାହିଁ କହିଲା, ‘‘ହଁ ଲୋ ମା ବଡ଼ଲୋକ ଘର ବଡ଼ କଥା । କହିବାକୁ ଡର ମାଡ଼ୁଛି । ତମେ ଏକା କେଣେ କହିବ ନାହିଁଟି । ମୋ ରାଣ ପକାନି ?’’

 

ବୁଢ଼ୀ—ନା ଲୋ ଝିଅ, ମୁଁ ମୋର କାହିଁକି କହିବି ।

 

ଗୁରୁବାରୀ—ମୋର ରାଣ ପକାନି, କେଣେ କହିବ ନାହିଁ । ଯେବେ ଚଉଧୁରୀ ଶୁଣି ପାରନ୍ତି, ତେବେ ମୋ କଥା ଶେଷ ।

 

ବୁଢ଼ୀ—ନା ଲୋ ଝିଅ, ଏ କି ଗୋଟାଏ କଥା ! ମୁ ସେମିତି ଡବଡ଼ବୀ ନୁହେଁ ଯେ ଯାହା ତାହା ଆଗରେ କହି ପକାଇବି ! ମୋ ପେଟର କଥା ତ ଚଢ଼େଇ ଚିରୁଗୁଣୀ ବି ଜାଣି ପାରିବେ ନାହିଁ-

 

ଗୁରୁବାରୀ ଆଉ ଟିକିଏ ପାଖକୁ ଘୁଞ୍ଚିଯାଇ ବୁଢ଼ୀଙ୍କ କାନ ପାଖରେ ଫୁସୁ ଫୁସ୍‌ କରି କହିଲା, ‘‘ଲୋ ମା, ଚଉଧୁରୀଏ ସେଇଟା ଉପରେ ଲୋକଙ୍କୁ ଶୁଣେଇଛନ୍ତି ସିନା ତାଙ୍କ ଇଚ୍ଛା ଝିଅକୁ ବାହା କରାଇ ଦେଇ ସାରିଲେ ଆଉ ସେ କିଏ—ନା ତୁମେ କିଏ ? ଜମି ନା ବାଡ଼ି । ତାଙ୍କ ଝିଅ ତାଙ୍କ ଘରେ ରହିବ । ଜୋଇଁ ତାଙ୍କର ତାଙ୍କ ଘରେ । କେବେ କେବେ ମାସେ ପକ୍ଷେ ନେଇ ଜୋଇଁଙ୍କୁ ତାଙ୍କ ଘରେ ରଖିପାରନ୍ତି । ଲୋ ମା, ମୋ ରାଣ ଅଛିଟି ? କାହାରି ଆଗରେ କହିବ ନାହିଁ-। ଏକଥା ଚଉଧୁରୀ ଆଉ ତାଙ୍କ ସାଙ୍ଗ ଲୋକ ଆଉ ଏଇ ଗାଆଁ ମାର୍କଣ୍ଡ ମିଶ୍ରଙ୍କ ଛଡ଼ା ଆଉ କେହି ଜାଣନ୍ତି ନାହିଁ । ସେଦିନ ନୀରୋଳାରେ ବସି ଏଇସବୁ ପରାମର୍ଶ ପଡ଼ିଥିଲା ଯେ, ମୁଁ ଟିକିଏ କାନ ପାରି ଶୁଣିଥିଲି । ଲୋ ମା, ମୋ ରାଣ ପକାନି, କାହାରି ଆଗରେ କହିବ ନାହିଁ । ନୋହିଲେ ତ ମୋ ଭେକାଳ ବୁଡ଼ିଲା ।’’

 

ଗୁରୁବାରୀ କଥା ଶୁଣି ବୁଢ଼ୀ ତ କାଠ ହୋଇ ଗଲେଣି । ଆଉ ସେ କଣ କହିବେ ? ପାଟିରୁ ଭାଷା ବାହାରୁ ନାହିଁ । ଭାବୀ ବୋହୂଙ୍କ ଗୁଣ ଶୁଣି ତ ବୁଢ଼ୀ ଥଣ୍ଡା ହୋଇ ଯାଇଥିଲେ, ଏଣେ ଚୌଧୁରୀଙ୍କ କଥା ଶୁଣି ଏକାବେଳକେ ବରଫ ପାଲଟିଗଲେ । ଏଣେ ଗୁରୁବାରୀ କଥାକୁ ତେଣେ ପୁଅକଥା ଠିକ୍‌ ଖାପ ଖାଇଗଲା । କିଛିକ୍ଷଣ ପରେ ବୁଢ଼ୀ ଖନେଇ ଖନେଇ କହିଲେ, ‘‘ସତ ନା ଲୋ ଝିଅ ?’’

 

ଗୁରୁବାରୀ—ଲୋ ମା, ମୋର କି ଗରଜ ପଡ଼ିଛି । ମୁଁ କାହିଁକି ଗୋଟାଏ ମିଛକଥା କହିବାକୁ ଯିବି ?

 

ବୁଢ଼ୀ—ପୋଡ଼ାମୁହାଁ ମାର୍କଣ୍ଡ ମିଶ୍ର ବି ସେଇ ପରାମର୍ଶରେ ଅଛି ନା ?

 

ଗୁରୁବାରୀ—ଆଉ ? କଥା ହେଇଛି, ଏ ବିଭାଘରଟା ହେଇଗଲେ ମିଶ୍ରଙ୍କୁ କୁଆଡ଼େ ପଚାଶ ନା ଶହେ ଟଙ୍କା ମିଳିବ । କାହାରି ପାଖରେ କହିବ ନାହିଁଟି ମା ? ମାର୍କଣ୍ଡ ମିଶ୍ର ତମ ଘରକୁ ଆସେ କି ? ତାକୁ ଏ ସବୁ କଥା କହିବ ନାହିଁଟି ମା ? ମୋ ଦାନା ମୁଠାକ ଯିବ ।

 

ବୁଢ଼ୀ—ଆଖି ଛୁଉଁଚି, ଝିଅ ! ତୁ ଡର ନା, ମୁଁ କାହାରି ଆଗରେ କହିବି ନାହିଁ । ଏମନ୍ତ କ୍ତି ମୋ ପୁଅ ବି ଜାଣିବ ନାହିଁ । ଅଳପାଇସିଆ ପୋଡ଼ାମୁହାଁ ମିଶ୍ରଟା ବି ଏମିତି ନା ? ହାୟରେ ଦଇବ । ଏବେ ଆଉ କହିବି କାହାକୁ ?

 

ଗୁରୁବାରୀ—ଲୋ ମା, ମୁଁ ଏବେ ଯାଉଛି, ମାମୁଁ ଦୁଆରୁ ଭାତ ଗୁଣ୍ଡେ ଖାଇଦେଇ ଖରେ ଖରେ ଚାଲି ଯିବି ।

 

ବୁଢ଼ୀ—ଲୋ ଝିଅ ଏତେ ତରତର କାହିଁକି ? ଉପରଓଳି ଯାଇ ନ ପାରିଲେ କାଲି ସକାଳେ ଯିବୁ ।

 

ଗୁରୁବାରୀ—ସେ କଥା ଅଛି କି ଲୋ ମା । ସେ ଯେ ଆମର ଜେମା, ସେ ଏ ପର୍ଯ୍ୟନ୍ତ ଗାଧୋଇ ଥିବେ କି ନାହିଁ । ମୋତେ ଚାହିଁଥିବେ । ଗାଧୋଇବେ କେମିତି ? ମୁଁ ତ ଇଆଡ଼େ ।

 

ବୁଢ଼ୀ—କାହିଁକି ପୋଖରୀରେ କଣ ପାଣି ନ ଥିବ ?

 

ଗୁରୁବାରୀ—ନା ଲୋ ମା, ବଡ଼ଲୋକ ଘର ଝିଅ, ରାଜାଘର ଝିଅ । ସେ କଣ ପୋଖରୀକି ଓହ୍ଲେଇବେ । ମୁଁ ଗଲେ ବାସତେଲ ଲଗେଇ ଦେବି, କୁଣ୍ଡରେ ପାଣି ଭରି ଦେବି, ତେବେ ଯାଇଁ ଗାଧୋଇବେ ସିନା । ମୁଁ ଯାଉଛି ଲୋ ମା, ବସ ।

 

ଗୁରୁବାରୀ ଉଠିଲା, ବୁଢ଼ୀଙ୍କ ଗୋଡ଼ ତଳେ ମୁଣ୍ଡିଆଟିଏ ମାରି ଚାଲିଗଲା । ବୁଢ଼ୀ ସେଇଠି ଗୁମ୍‌ ମାରି ବସିଛନ୍ତି । ଦାନ୍ତ ଘସୁଛନ୍ତି, ଆଉ ଆକାଶ ପାତାଳ କଣ ଭାବୁଛନ୍ତି—ବେଳ ଯେ କେତେ ହେଲାଣି, ପୁଅ ଲାଗି ଭାତ ରାନ୍ଧିବାକୁ ହେବ, ଏକଥା ତାଙ୍କୁ ମାଲୁମ ନାହିଁ ।

 

ସେଇ ଗାଆଁ ହଗୁରାମାଆ ସେଇ ବାଟେ ଚାଲି ଯାଉଥିଲା । ବୁଢ଼ୀଙ୍କୁ ବସି ଦାନ୍ତ ଘସୁଥିବାର ଦେଖି ପଚାରିଲା, ‘‘କିଲୋ ମା, ଆଜି ଏତେବେଳ ହେଲାଣି ଦାନ୍ତ ଘସୁଛୁ, ଗାଧେଇବୁ କେତେବେଳେ କି ?’’ ବୁଢ଼ୀଙ୍କର ଚମକ ଭାଙ୍ଗିଗଲା । ଉପରକୁ ଚାହିଁଦେଲେ ଯେ, ଖରା ମୁଣ୍ଡ ଉପରକୁ ଉଠି ଆସିଲାଣି । ବୁଢ଼ୀ ତରତର କରି ଗାଧେଇ ପଡ଼ି ଚୁଲି ଲଗେଇବାକୁ ଗଲେ । ଦାମୋଦର କୁଆଡ଼େ ଯାଇଥିଲେ ଆସି ପହଞ୍ଚିଲେ । ବୁଢ଼ୀ ପୁଅକୁ ଦେଖି ଆଉ ରହି ପାରିଲେ ନାହିଁ-। କହି ପକାଇଲେ, ‘‘ବାପ ! ତୁ ଯାହା କହୁଥିଲୁ, ତା ସତ । ସେ ହେଲେ ବଡ଼ଲୋକ, ଆମେ ତାଙ୍କ ସାଙ୍ଗରେ କାନ୍ଧ ଦେଇ ପାରିବା ନାହିଁ ତୁ ଆଉ କୌଣସି ଆଡ଼େ ଗୋଟିଆ କନ୍ୟା ଦେଖ ।

 

ମାଆଙ୍କ କଥା ଶୁଣି ଦାମୋଦର ଅବାକ୍‌ ହୋଇଗଲା । କାଲି ରାତିରେ ଯେଉଁ ମାଆ ଏତେ ଲଗେଇଥିଲେ ଚୌଧୁରୀଙ୍କ ଘରେ ବନ୍ଧୁ କରିବାପାଇଁ, ଆଜି ସକାଳେ ପୁଣି ସେଇ ମାଆ ଏପରି କଥା କହୁଛନ୍ତି କିପରି ? ଦାମୋଦର ଭାବିଲେ ବୋଧହୁଏ, ଏତେବେଳେ ମାଆ ସବୁ କଥା ବୁଝି ପାରିଛନ୍ତି !

 

ଦାମୋଦର—ଟଙ୍କା ଲାଗିବ ଯେ ?

 

ବୁଢ଼ୀ—ଲାଗିବ ତ ଦବା, ଆଉ କଣ କରିବା ।

 

ଦାମୋଦର—କନ୍ୟା ତ ଠିକ୍‌ ହେଇ ସାରିଛି । କିନ୍ତୁ ଢେର ଟଙ୍କା ଲାଗିବ—ପାଞ୍ଚଶହ ।

 

ବୁଢ଼ୀ—କେଉଁଠିରେ ମୋତେ ତ କହିନାହୁଁ ?

 

ଦାମୋଦର—ତୁ ତ ଲୋଭରେ ପଡ଼ି ଚୌଉଧୁରୀ ଘରେ (ବଡ଼ଲୋକ ଘରେ) ବନ୍ଧୁ କରିବା ପାଇଁ ଅସ୍ଥିର ହେଉଥିଲୁ, ତୋତେ କହନ୍ତି କିଆଁ ?

 

ତାପରେ ଦାମୋଦର ମାଙ୍କୁ ସବୁ କଥା କହିଗଲେ ଓ ଏକଥା କାହାରି ଆଗରେ ପ୍ରକାଶ ନ କରିବା ପାଇଁ କହିଲେ । ବୁଢ଼ୀ ଖୁସି ହୋଇ କହିଲେ, ‘‘ମୋ ସୀତାମଣିଟି ଚିରଦିନ ଅହ୍ୟ ରାଣୀ ହୋଇ ଥାଉ, ପୁଅ ନାତି ଘେନି ଯୁଗ ରାଇଜ କରୁ ।’’

 

[ ତେର ]

 

ଭୋର ଭୋର ଉଠି ଗୌରହରି ଦାମୋଦରଙ୍କ ଘରକୁ ଯିବାପାଇଁ ବାହାରି ପଡ଼ିଲେ । ଦାମୋଦରଙ୍କ ଘରଠାରେ ପହଞ୍ଚିବା ବେଳକୁ ଦିନ ପ୍ରାୟ ତିନିଘଡ଼ି କି ପହରେ ହେବ । ଗୌରହରିଙ୍କୁ ଦେଖି ଦାମୋଦରଙ୍କ ମା ବୁଢ଼ୀ ତ ଆନନ୍ଦରେ ଅସ୍ଥିର । ଗଲା କାଲି ରାତିରେ ସେ ଦାମୋଦରଙ୍କ ଠାରୁ ସୀତାମଣି ଓ ଗୌରହରିଙ୍କର ଉଦଯୋଗ ଓ ଯତ୍ନ ବିଷୟ ସବୁ ଶୁଣିଥିଲେ । ଆନନ୍ଦ ଗଦଗଦ ସ୍ୱରରେ ବୁଢ଼ୀ କହିଲେ, ‘‘ବାପ, ତୁମ୍ଭେମାନେ ମୋ ପୁଅକୁ ରକ୍ଷା କଲ । ନୋହିଲେ ତ ମୋ ଦଶା କଣ ହେଇଥାନ୍ତା କେଜାଣି ଅଳପଆଇସିଆ ପୋଡ଼ାମୁହାଁ ମାର୍କଣ୍ଡ ମିଶ୍ର କଥାରେ ପଡ଼ି ମୁଁ ମୋ ପୁଅର ସର୍ବନାଶ କରିବାକୁ ଯାଉଥିଲି । ବାପ, ତମର ଦି ଶହ ବର୍ଷ ପରମାୟୁ ହେଉ । ମୋ ସୀତାମଣି ଚିରଦିନ ଅହ୍ୟ ରାଣୀ ହୋଇଥାଉ ତା ହାତର ଶଙ୍ଖା ବଜ୍ର ହେଉ-। ପୁଅ ନାତି ଘେନି ଯୁଗ ରାଇଜ କରୁ ତୁମର ଭଗବାନ୍‌ ଢେର୍‌ ଢେର୍‌ ଉନ୍ନତି କରିବେ ବାପା-!’’ ବୁଢ଼ୀଙ୍କ କଥା ଶୁଣି ଗୌରହରି ଅବାକ୍‌ ହୋଇଗଲେ । କାରଣ ଦାମୋଦର ତାଙ୍କ ପାଖରେ କହିଥିଲେ ଯେ, ଚୌଧୁରୀଙ୍କ ଘରେ ବନ୍ଧୁ କରିବା ପାଇଁ ତାଙ୍କ ମାଙ୍କର ଭାରି ଆଗ୍ରହ । ଆଜି ବୁଢ଼ୀଙ୍କ ମୁହଁରୁ ଏପରି କଥା ଶୁଣି ଗୌରହରି ଆନନ୍ଦରେ ଅସ୍ଥିର ହୋଇଗଲେ । ଭଗବାନଙ୍କୁ ମନେ ମନେ କେତେ ଧନ୍ୟବାଦ ଦେଲେ । ଗୌରହରି ଖୁସି ହୋଇ କହିଲେ, ‘‘ମା, ତୁମେ ଯାହାକୁ ବୋହୂ କରିବାକୁ ଯାଉଛ, ସେଇ ଏକା ତୁମ ଲାଖି ବୋହୂ । ସବୁ ବିଷୟରେ ପରିପୂର୍ଣ୍ଣ-। କୌଣସି ବିଷୟରେ ବାଛିବାକୁ ନାହିଁ ତେବେ ଗୋଟିଏ କଥା, ଦେହର ରଙ୍ଗଟି ଟିକିଏ ଶ୍ୟାମଳ-।’’

 

ବୁଢ଼ୀ କହି ପକାଇଲେ, ହଉ, ହଉ, ମୋର ସେଇ ଖୁବ୍‌ ସୁନ୍ଦର । ‘କୁଳ କନ୍ୟା କାଳିଆ ହେଉ, ତୀର୍ଥଜଳ ଗୋଳିଆ ହଉ ।’ ହଁ, ଭିତରେ ସୁନ୍ଦର ହେଲେ ସବୁ ସୁନ୍ଦର । ମହାକାଳ ଫଳ ଭଳିଆ ଉପରେ ସୁନ୍ଦର ଭିତରେ ପୋଡ଼ା ଅଙ୍ଗାର, ହେଲେ ଲାଭ କଣ ? ତା ପରେ ବୋହୂକୁ ନେଇ ଯେ ଘର କରିବ, ସେଇ ପୁଅର ଯେତେବେଳେ ରାଜି, ସେଥିରେ ମୋର ଅମତ କଣ ? ତାଙ୍କ ଘର ସେ କରିବେ । ମୁଁ ବା ଆଉ କେତେକାଳ ବଞ୍ଚିବି ? ଖାଲି ଆଖି ସୁଲଭ ତାଙ୍କ ସୁଖ ଖେଳା ଲୀଳା ଟିକିଏ ଦେଖିବି ବୋଲି ଆଶା କରିଛି । ଭଗବାନ୍‌ କଣ କରୁଛନ୍ତି କେଜାଣି ? ଚକାଆଖି କାଳିଆ ରେ ! ସବୁ ତୋହରି ଲୀଳା !’’

 

ବୁଢ଼ୀଙ୍କ କଥା ଶୁଣି ଗୌରହରି ଆହୁରି ଖୁସି ହୋଇଗଲେ । ପଚାରିଲେ, ‘‘ମା, ଦାମୋଦର କାହିଁ ?’’

 

‘‘ଏଇଠି ତ ଥିଲା, କୁଆଡ଼େ ଯାଇଛି, ଏଇକ୍ଷଣି ବଳେ ଆସିବ ଯେ ।’’ ବୁଢ଼ୀଙ୍କ ପାଟିରୁ କଥା ନ ସରୁଣୁ ଦାମୋଦର ଆସି ପହଞ୍ଚିଗଲେ ।

 

‘‘ଆରେ, ଏ କିଏ ସେ ? କେତେବେଳୁ ଆସିଲଣି ମ ?’’ ଦାମୋଦର ଗୌରହରିଙ୍କୁ ଗୋଟିଏ ନମସ୍କାର କରି ସେଠାରେ ବସି ପଡ଼ିଲେ ।

 

ଗୌରହରି କହିଲେ, ‘‘ଏଇ ତ ଘଡ଼ିଏ ହେଲା ଆସି ପହଞ୍ଚିଲି । ମାଆଙ୍କ ସଙ୍ଗରେ ବସି ଦିପଦ କଥାବାର୍ତ୍ତା ହେଉଥିଲି ।’’

 

‘‘ହଁ, କଥା କଣ ହେଲା ?’’

 

‘‘ଏଁ, ଯାହାର ବାହା, ତାର ନାଁ ନାହିଁ, ସାଇ ପଡ଼ିଶାରେ ନିଦ ନାହିଁ,’’ ଗୌରହରି ଠୋ ଠୋ ହସି ପକାଇଲେ ।

 

‘‘ନା, ମୁଁ ପଚାରୁଛି ଯେ, ସେ କଥା କଣ ହେଲା । ରାଜି ହେଲେ ତ ?’’

 

‘‘ମ, ହେବେ ନାହିଁ କୁଆଡ଼େ ଯିବେ ମ ? ଏ ତ ବିହି ପ୍ରଜାପତି ଖେଳ, ଯେ ଯାହାର ସେ ତାହାର । ଆଗରୁ ଜନ୍ମ ହେଲା ବେଳୁ, ବିହି ପ୍ରଜାପତି ଖଞ୍ଜେଇ ରଖିଛନ୍ତି । ତା ନ ହୋଇଥିଲେ ଏତେ ସୁରୁଖୁରୁରେ କାମଟା ହୋଇ ଯାଇଥାନ୍ତା କେମିତି ?’’

 

‘‘କଣ ହେଲା, ସବୁ ଫିଟାଇ କହୁ ନାହଁ ।’’

 

‘‘ମୁଁ ଆଉ ଗୋଟିଏ କଥା ରାଜି କରି ଆସିଛି । ମୁଁ ଭାବିଲି, ଏଇକ୍ଷଣି ତ ସେ ଟଙ୍କା ଖୋଜି ବସିବ, ତୁ ସାଥେ ସାଥ୍‌ ଏତେ ଟଙ୍କା ଆଣିବୁ କୁଆଡ଼େ ? ସେଥିପାଇଁ ମୁଁ କଥା କରି ଆସିଛି ଯେ ବର୍ତ୍ତମାନ ନଗଦ ପଚାଶ ଟଙ୍କା ଦେବାକୁ ପଡ଼ିବ, ଆଉ ଛ’ମାଣ ଜମି ମହପାତ୍ରଙ୍କୁ ବନ୍ଧକ ଲେଖି ଦେବାକୁ ହେବ । ଜମି ବିକି ପକାଇଲେ ତ ଗଲା । ବନ୍ଧକ ଥାଉ । କୁଆଡ଼େ ଯାଉଛି ଯେ । ତୋହରି ସମ୍ପତ୍ତି ତୋରି ପାଖକୁ ଆସିବ । ମହାପାତ୍ରଙ୍କର ଆଉ କିଏ ଅଛି ଯେ ଖାଇବ । ମହାପାତ୍ରଙ୍କ ଅନ୍ତେ ତୁଇ ଭୋଗ ଦଖଲ କରିବୁ ।’’

 

ଦାମୋଦର—ତାଙ୍କର ଆଉ କେହି ଉଆରସ୍‌ ବାହାରିବେ ନାହିଁ ?

 

ଗୌରହରି—ଥାନ୍ତୁ ନା ଉଆରସ୍‌, ମହାପାତ୍ରେ ତାଙ୍କର ସମସ୍ତ ସମ୍ପତ୍ତିକୁ ଝିଅ ନାଁରେ ଉଇଲ କରିଦେଇ ଗଲେ ଆଉ ଉଆରସ୍‌ କଣ କରିବେ ।

 

ଦାମୋଦର—ହାଃ ହାଃ ହାଃ ! ଯେ ଝିଅକୁ ବୁଢ଼ା ବରରେ ବିକି ପାଞ୍ଚ ଶହ ବନ୍ୟାସୁନା ନେବାକୁ ପ୍ରସ୍ତୁତ, ସେ ପରା ସମ୍ପତ୍ତି ଉଇଲ କରି ଦେଇ ଯିବ ଝିଅକୁ ।

 

ଗୌରହରି—ଦେବ କି ନାହିଁ ଦେଖିବୁ । ସେ ଭାର ମୋ ଉପରେ । ତୁ ଏତେ ଅସ୍ଥିର ହେଉଛୁ କାହିଁକି । ସେ ପର୍ଯ୍ୟନ୍ତ ଆଗେ କଥା ଯାଉ । ବାହାଘରଟା ଆଗେ ହୋଇଯାଉ ।

 

ଗୌରହରିଙ୍କର କଥା ସବୁ ବୁଢ଼ୀ ଏକଧ୍ୟାନରେ ଶୁଣି ଯାଉ ଥିଲେ । ତାଙ୍କର ହୃଦୟ ଆନନ୍ଦ ଓ କୃତଜ୍ଞତାରେ ଏତେ ଭରି ଯାଇଥିଲା ଯେ, ଗୌରହରିଙ୍କି ସେ କଣ କହି ଆଶୀର୍ବାଦ କରିବେ, ଭାବି ପାରିଲେ ନାହିଁ । ଆନନ୍ଦରେ ଗୌରହରିର ମୁଣ୍ଡରେ ହାତ ଦେଇ କହିଲେ, ‘‘ବାପ ! ତୁ ମୋର ପୁଅ । ତୋର ଋଣ ଦାମୋଦର କେବେ ଶୁଝି ପାରିବ ନାହିଁ ।’’

 

ଗୌରହରି—ମା ଏତେ ଅସ୍ଥିର ହେଉଛ କାହିଁକି ? କାର୍ଯ୍ୟଟା ଆଗେ ହେଇ ଯାଉ (ଦାମୋଦର ଆଡ଼କୁ ଚାହିଁ) ଜାଣିଲୁ ନା ଦାମ; ଆଉ ଗୋଟିଏ କଥା ଏ କଥାଟା ଯେପରି ଫୁଟିଆରା ନ ହୁଏ । ଖୁବ୍‌ ଗୋପନରେ କାର୍ଯ୍ୟ କରିବାକୁ ହେବ । ବାହାଘରର କୌଣସି ଯୋଗାଡ଼ କରିବୁ ନାହିଁ । ମୁଁ ମହାପାତ୍ରଙ୍କୁ ମନା କରିଦେଇ ଆସିଛି । ସାବଧାନ, ଲୋକେ ଯେପରି ଏହାର ଟେର୍‌ ନ ପାନ୍ତି । ହାତଗଣ୍ଠିଟା ଆଗେ ପଡ଼ି ସାରୁ, ତା ପରେ ଯାହା ହେବାର ହେଉଥିବ । ବାହାଘର ଆଗ ଦିନ ଆମ ଘରଠାକୁ ଯିବୁ । ସେଠାରୁ ବାହା ହେବାକୁ ଯିବୁ ।

 

ବୁଢ଼ୀ—ମୁଁ ଆଉ ବୋହୂ କୁ ଦେଖି ପାରିବି ନାହିଁ ନା ?

 

ଗୌରହରି—ମା, ଏମିତି ଅସ୍ଥିର ହେଉଛ କାହିଁକି ? ତୁମ ବୋହୂ କୁ ତୁମେ ଦେଖିବ ନାହିଁ ନା ? ଆଗେ ବାହାଘରଟା ହୋଇଯାଉ, ତୁମ ପୁଅ ବୋହୂ ଙ୍କୁ ବାଜା ପାଲିଙ୍କି କରି ତୁମ ଘରେ ଛାଡ଼ିଦେଇ ଯିବି । ଏକଥା ଏକା କାହାରି ପାଖରେ କହିବ ନାହିଁ । ମାର୍କଣ୍ଡ ମିଶ୍ର ଆସିଲେ ତାକୁ ନାହିଁ କରିବ ନାହିଁ । ଖାଲି, ହଁ ହଁ ମାରୁଥିବ, ଜାଣିଲ ।

 

ବୁଢ଼ୀ—ହେଉ ବାପ, ଯାହା କରିବୁ କର । ତୁ ତ ମୋ ପୁଅ ? ପୋଡ଼ିଯାଉ ମୋ ମନ । ଛୁଆଟା ମୋର କେତେ ବାଟରୁ ଚାଲି ଚାଲି ଆସିଲାଣି । ଯାଉଛି ଭାତଦିଟା ବସାଇ ଦିଏ । ବୁଢ଼ୀ ଚାଲିଗଲେ ।

 

ଉପର ଓଳି ଖାଇପିଇ ସାରି ଦାମୋଦର ଓ ଗୌରହରି ବାହାରି ପଡ଼ିଲେ । ତେଣେ ସୀତାମଣି ବାଟ ଚାହିଁ ବସିଛନ୍ତି ଦିନ ଠିକ୍‌ ରତ ରତ ହେଉଛି; ଦାମୋଦର ଓ ଗୌରହରି ଘରଠାରେ ଆସି ପହଞ୍ଚିଲେ । ଘରେ ପହଞ୍ଚି ଗୌରହରି ଦାମୋଦରକୁ କହିଲେ, ‘‘ଦାମ, ତୁ ତୋ ଭଉଣୀ ସାଙ୍ଗରେ କଥାବାର୍ତ୍ତା ହେଉଥା, ମୁଁ ଟିକିଏ ମହାପାତ୍ରଙ୍କ ଘର ଆଡ଼ୁ ବୁଲି ଆସେଁ । ଦାମୋଦର କହିଲେ, ‘‘ସନ୍ଧ୍ୟା ହେଲାଣି, ଏତେବେଳେ ଆଉ ନ ଗଲେ ହେବ ନାହିଁ ନା ? କାଲି ସକାଳେ ଯିବ ।’’

 

ଗୌରହରି କହିଲେ, ‘‘ନା ଭାଇ, ଆଜି ଉପରଓଳି ଯାଇ ପହଞ୍ଚିବି ବୋଲି କହି ଆସିଥିଲି, ନ ଗଲେ କାଳେ ଅବିଶ୍ୱାସ କରି କଣ ଗୋଟାଏ କରି ପକାଏ । ତାକୁ ଖାଲି ଡରି ଡରି ଚାଲିବାକୁ ହେଉଛି । ଏକ୍ଷଣି ଏଇ ସାଥେ ସାଥ ଫେରି ଆସିବି, କେତେ ବାଟ ଯେ— ।’’

 

ସୀତାମଣି କହିଲେ, ‘‘ତେବେ ଲଣ୍ଠନଟା ହାତରେ ନେଇ ଯାଅ । ଆସିବା ବେଳକୁ ରାତି ହୋଇଯାଇ ପାରେ ।’’ ଗୌରହରି କହିଲେ, ‘‘ନାଁ ଥାଉ, ଡେରି ହେବ । ବାଡ଼ିଟା ଆଣ ।’’ ସୀତାମଣି ଗୋଟାଏ ମଜଭୁତ ବାଉଁଶ ବାଡ଼ି ଆଣି ଦେଲେ । ଗୌରହରି ଟିକେ ଭାବି ସୀତାମଣିକୁ କହିଲେ, ‘‘ଆଚ୍ଛା ସେ ଦିନ ଯେ ତୁମକୁ ତିରିଶଟା ଟଙ୍କା ଦେଇଥିଲି ଆଣ ତ ।’’ ସୀତାମଣି ପଚାରିଲେ, ‘‘ସବୁ ଆଣିବି ନା ?’’ ଗୌରହରି ଟିକିଏ ଭାବି କହିଲେ, ‘‘ନା, କୋଡ଼ିଏଟା ଆଣ ।’’ ଗୌରହରି ଦାମୋଦରଙ୍କୁ କହିଲେ, ବର୍ତ୍ତମାନ ତୁଚ୍ଛା ହାତଟାରେ ଯିବା ଭଲ ନୁହେଁ । କିଛି ଟଙ୍କା ଆଗେ ଦେଖେଇବା ଦରକାର । ଆଜି କୋଡ଼ିଏଟା ଟଙ୍କା ନେଇଥାଉ ।’’

 

ସୀତାମଣି ଟଙ୍କା କୋଡ଼ିଏଟି ଖଣ୍ଡିଏ ରୁମାଲରେ ବାନ୍ଧି ଆଣି ଦେଲେ । ଗୌରହରି ଟଙ୍କାକୁ ପକେଟରେ ରଖି ‘ଓଁ ବିଷ୍ଣୁଃ’ କହି ବାହାରି ପଡ଼ିଲେ । ଗୌରହରିଙ୍କ କଥା ଶୁଣି ଓ କାର୍ଯ୍ୟ ଦେଖି ଦାମୋଦରଙ୍କ ହୃଦୟ ଆନନ୍ଦ ଓ କୃତଜ୍ଞତାରେ ଭରିଗଲା ।

 

ସୀତାମଣି ଓ ଦାମୋଦର ପିଣ୍ଡାରେ ବସି କଥାବାର୍ତ୍ତା ହେଉଥାନ୍ତି । ସୀତାମଣି ବିମଳାର ପ୍ରଶଂସା ଅନର୍ଗଳ ବକି ଯାଉଥାନ୍ତି । ଦାମୋଦର ସେ କଥା ଶୁଣି କଳ୍ପନା ରାଜ୍ୟରେ ବିଚରଣ କରୁଥାନ୍ତି । ପ୍ରାୟ ଅଧଘଣ୍ଟା ବାଦ୍‌ ଗୌରହରି ଫେରି ଆସିଲେ । ସୀତାମଣି ତରତରରେ ଜଳ ଲୋଟାଏ ଆଣି ସ୍ୱାମୀଙ୍କ ଗୋଡ଼ ଧୋଇଦେଲେ । ଗୌରହରି ଜଳଖିଆ ଖାଉଁ ଖାଉଁ ସୀତାମଣି ପଚାରିଲେ, ‘‘କଣ କଥା ଠିକ୍‌ କଲ ?’’

 

ଗୌରହରି କହିଲେ, ‘‘ସବୁ ଠିକ୍‌ ହୋଇଛି, କାଲି ଭୋର୍‌ ଭୋର ବାହାରିଯିବା ।’’

 

[ଚଉଦ]

 

ଯମୁନାଙ୍କର ଶୋଇବା ଘର ତିନିମହଲା ଉପରେ । ଘରଟି ବେଶ ସୁସଜ୍ଜିତ । ଦକ୍ଷିଣକୁ ଦୁଇଟି ବଡ଼ ବଡ଼ ଖିଡ଼ିକି ଅଛି । ଖିଡ଼ିକି ପାଖରେ ଗୋଟିଏ ସୁନ୍ଦର ସାଗୁଆନ କାଠର ପଲଙ୍କ । ଘର କାନ୍ଥରେ ନାନାପ୍ରକାର ସୁନ୍ଦର ସୁନ୍ଦର ଯୁବକ ଯୁବତୀଙ୍କର ପ୍ରେମଲୀଳାସମ୍ବଳିତ ରଙ୍ଗିନ ଛବିମାନ ଟଙ୍ଗା ହୋଇଛି । ଦିନ ପ୍ରାୟ ଦୁଇ ପହର ହେବ । ଯମୁନା ଖାଇସାରି ପଲଙ୍କ ଉପରେ ଆରାମ କରୁଛନ୍ତି । ପାଖରେ ଗୋଟିଏ ପିଆଶାଳ କାଠର ଛୋଟ ଗୋଲ ଟେବୁଲ ଉପରେ ଗୋଟିଏ ହାରମୋନିୟମ୍ ରଖା ହୋଇଛି । ମୁଣ୍ଡଆଡ଼େ କାନ୍ଥକୁ ଲାଗି ଆଉ ଗୋଟିଏ ବଡ଼ ଟେବୁଲ ତା ଉପରେ ଏକ ପାଖରେ ଗୋଟିଏ ହର୍ଣ୍ଣବାଲା ବଡ଼ ଗ୍ରାମୋଫୋନ ଯନ୍ତ୍ର ଥୁଆ ହୋଇଛି । ଅନ୍ୟ ପାଖରେ ଆରସି, ପାନିଆ, ବାସତେଲ ଶିଶି ଇତ୍ୟାଦି କେଶୋପକରଣମାନ ସଜା ହୋଇ ରଖା ହୋଇଛି ।

 

ଯମୁନା ପଲଙ୍କ ଉପରେ ଶୋଇଛନ୍ତି ସତ, କିନ୍ତୁ ଆଖିକି ନିଦ ଆସୁନାହିଁ । ଗୁରୁବାରୀ ଯାଇଥିଲା, ଏ ପର୍ଯ୍ୟନ୍ତ କାହିଁକି ଆସିଲା ନାହିଁ, କଣ ହେଲା,ଭାବି ଭାବି ମନଟା ବଡ଼ ଅସ୍ଥିର ହେଉଛି-। ଶେଷରେ ଉଠି ଖିଡ଼ିକି ପାଖରେ ଆସି ଛିଡ଼ା ହେଲେ । ହଠାତ୍‌ ପଛଆଡ଼େ ପଦଶବ୍ଦ ଶୁଣି ଚମକି ପଡ଼ି ଚାହିଁ ଦେଖିଲେ ଯେ ଗୁରୁବାରୀ ଧଇଁ ସଇଁ ହୋଇ ଘର ଭିତରେ ପ୍ରବେଶ କଲା । ଗୁରୁବାରୀ କଣ କହିବାକୁ ଯାଉଥିଲା—ଯମୁନା ତାକୁ ଆଖି ଠାରିଦେଇ କବାଟ କିଳି ଦେବାପାଇଁ ଇଙ୍ଗିତ କଲେ । ଗୁରୁବାରୀ ଚଟ୍‌ କରି କବାଟଟା କିଳି ଦେଇ ପଲଙ୍କ ତଳେ ବସିପଡ଼ିଲା । ଯମୁନା ମଧ୍ୟ ଉଠି ବସିଲେ । ଯମୁନା ଚୁପ୍‌ ଚୁପ୍ ପଚାରିଲେ, ‘‘ହଁ, କଣ ହେଲା ? ଗୁରୁବାରୀ ହସି ହସି କହିଲା, ‘‘ସବୁ ଠିକ୍‌ ଠାକ୍‌ କରିଦେଇ ଆସିଛି । ଗୁରୁବାରୀ ବାରିକାଣୀ ଯେଉଁଥିରେ ହାତ ଦେବ, ତାକୁ କଣ ଶେଷ ନ କରି ଛାଡ଼ିବ ?’’ ଯମୁନା ହସ ହସ ମୁହଁରେ ପଚାରିଲେ, ‘‘ଆଚ୍ଛା କଣ ଠିକ୍‌ କରିଛୁ କହନି-?’’ ଗୁରୁବାରୀ କହିଲା, ‘‘କରିବି ଆଉ କଣ ବୁଢ଼ୀ ଯେମିତି ଶୁଣିଛି ଯେ ତୁମ ପିଛେ କେତେ ପୋଇଲୀ ପରିବାର ଖଟୁଛନ୍ତି, ସେମିତି ବୁଢ଼ୀର ଭଡ଼ଙ୍ଗ ଭାଙ୍ଗି ଯାଇଛି । ବୁଢ଼ୀ ମନେ କରିଥିଲା ଯେ, ତୁମକୁ ବହୁ କରି ନେବ । ତମେ ତା ଗୋଡ଼ ଘଷିଦେବ, ଭାତ ରାନ୍ଧିବ, ବାସନ ମାଜିବ, ଘରକାମ କରିବ । ଯେମିତି ଶୁଣିଛି ଯେ, ତମ ପିଛେ କେତେ ଦାସୀ ଚାକରାଣୀ ଲାଗିଛନ୍ତି, ସେମିତି ତୁନି ହୋଇ ଯାଇଛି । ମୋ କଥା ଶୁଣି ବୁଢ଼ୀ କହିଲା, ‘‘ମାଲୋ ମା, ଏମିତିକା ବହୁ ମୋର କଣ ହବ; ସେ ସବୁ ରାଜା ରାଜୁଡ଼ା ଘରକୁ ଶୋଭାପାଏ ।’’ ମୁଁ କହିଲି, ‘‘ହଁ, ତା ନୁହେ ତ କଣ-? ରଜାଝିଅ ରଜାଘରକୁ ଶୋଭା । ତୁମେ ମା ସେଠାରେ କାହିଁକି କରିବ ? ପଛକୁ ନିଜେ ହରକତ ହେବ ।’’ ବୁଢ଼ୀ ତ ସେଠୁଁ ଥଣ୍ଡା ହୋଇଗଲା । ପୁଅ ତ ଆଗରୁ ନାରାଜ ଥିଲା । ଏବେ ବୁଢ଼ୀ ବି ନାରାଜ । ଆଉ ହେବ କାହାଦେଇ ।’’ ଗୁରୁବାରୀ କଥା ଶୁଣି ଯମୁନା ଭାରି ଖୁସିଟାଏ ହେଲେ-। ଯାହା ହେଉ, ଗୋଟାଏ ଆପଦ ଗଲା ।

 

ଯମୁନା କିଛିକ୍ଷଣ ଗୁମ୍‌ ମାରି ବସି କହିଲେ, ‘‘ଆଚ୍ଛା, ତା ସିନା ହେଲା, କିନ୍ତୁ—’’ ତାଙ୍କ ପାଟିରୁ କଥା ନ ସରୁଣୁ ଗୁରୁବାରୀ କହି ପକାଇଲା, ‘‘କେଉଁଠିକା କଥା ? ସାନ୍ତରାଙ୍କ କଥା ପଚାରୁଛ ନା ହୋ ହୋ ହୋ, ସେଥିପାଇଁ ଚିନ୍ତା କର ନାହିଁ । ସେ କାମ ଆପେ ହୋଇଯିବ ।’’

 

ଯମୁନା ଆଶ୍ଚର୍ଯ୍ୟ ହୋଇ ପଚାରିଲେ, ‘‘ଆପେ ଆପେ କଣ ହୋଇଯିବ ଲୋ ?’’

 

ଗୁରୁବାରୀ ଚୁପ୍‌ ଚୁପ୍ କହିଲା, ‘‘କେଣେ ପ୍ରକାଶ କରିବ ନାହିଁ ଏକା । କାମଟା ଆଗ ହେଇଯାଉ । ମୁଁ ଏତେଦିନଯାଏ ଆଉ କଣ ବସିଥିଲି ? ବୁଢ଼ୀ ପାଖରୁ ତ ଗଲି, ସେ ଦିନକ ରହିଲି ମାମୁଁ ଘରେ । ତା ପର ଦିନ ବାହାରିଲି । ମାଇଁ କହିଲା, ‘ଏତେଦିନେ ଆସିଛୁ, ଆଜି ଦିନକ ରହିଯା, ମୋ ଦେହ ଖରାପ ଅଛି; କାଲି ଯିବୁ ମାଇଁଟା ଯେତେବେଳେ କହୁଛି, ବିପଦ ବେଳେ ନ ରହନ୍ତି ବା କିପରି ? ସେ ଦିନଟା ବି ରହିଗଲି । ତା ପରଦିନ ଭୋର ଭୋର ଉଠି ସଳଖେ ସଳଖେ ଚାଲିଗଲି ବଳରାମପୁର ଗାଆଁକୁ । ଯମୁନା—ବଳରାମପୁର କେଉଁଠିଲୋ ? ସେଠାକୁ କାହିଁକିଗଲୁ ?

 

ଗୁରୁବାରୀ—ତମେ ଆଗେ ଶୁଣି ସାର । ଏତେ ଅସ୍ଥିର ହେଉଛ କାହିଁକି ? ବଳରାମପୁର ମହାପାତ୍ରଙ୍କ ଝିଅକୁ ପରା ସାନ୍ତରା ବିଭା ହେବାର କଥା କରିଥିଲେ—ଭାବିଲି, ଦେଖେ ଆଗେ କନ୍ୟାଘରର ହାଲଚାଲ କଣ ! ମହାପାତ୍ରଙ୍କ ଘରେ ପହଞ୍ଚି ଦେଖିଲି ଯେ ମହାପାତ୍ରେ ଘରେ ନାହାନ୍ତି ।

 

ତାଙ୍କର ଜଣେ ଚାକରାଣୀ ଯେ, ତା ନା ଶୁକୁରୀ । ତା ସାଙ୍ଗରେ ପଦେ ଦିପଦ କଥାବାର୍ତ୍ତା କରି ନେଇ ଚିହ୍ନା ପରିଚୟ ହୋଇଗଲି । ସବୁ କଥା ପଚାରିଲି । ସେ ପ୍ରଥମେ କିଛି କହୁ ନ ଥିଲା । ବାଆଁରଉ ଥିଲା । ଗୁରୁବାରୀ ଆଖିରେ କି ସେ ଧରା ପଡ଼ିବ ନାହିଁ ? ଅନେକ ବେଳକେ କହିଲା ଯେ, ମହାପାତ୍ରେ ଯାଇଛନ୍ତି ଭଦ୍ରକ । ତା ପରେ ସବୁ କଥା ଆସ୍ତେ ଆସ୍ତେ ତା ପେଟରୁ ବାହାର କଲି । କଥା କଣ କି ? ଦାମୋଦର ତ ଆଗରୁ ଆମ ଏଠାରେ ବିଭା ହେବାକୁ ନାରାଜ ଥିଲା । ତା ପରେ ମୁଁ ଯେମିତି ସେଦିନ ବୁଢ଼ୀକୁ ବାଗେଇ ଦେଲି, ସେମିତି ବୁଢ଼ୀ ବି ତ ନାରାଜ ହେଲା । ମୁଁ ଆସିବା ପରେ ବୋଧହୁଏ ମା ପୁଅଙ୍କର କଥାବାର୍ତ୍ତା ହେଇଛି । ଏଠିକା କଥା ଯେମିତି ନ ହେଲା, ବୁଢ଼ୀ ବୋଧହୁଏ ପୁଅକୁ କହିଛି ଅନ୍ୟ ଜାଗାରୁ ଦେଖିବାକୁ । ବୁଢ଼ୀ ତ ବହୂ ଦେଖିବା ପାଇଁ ଅସ୍ଥିର ହେଲାଣି । ଟୋକା ଖୋଜି ଖୋଜି କେଣେ ପାଇଲା ନାହିଁ, ଆସି ହାଜର ହେଲା ମହାପାତ୍ରଙ୍କ ଘରେ । ମହାପାତ୍ରଙ୍କୁ କୁଆଡ଼େ କେତେ ଜମି ବିକ୍ରି କରିଦେଇ ସେଠାରେ ବାହା ହେଉଛି । ଚୁପ୍‍ଚାପ୍‍ ବାହାଘରଟା ହୋଇଯିବ । ମହାପାତ୍ରେ ଚାଲାଖ ଲୋକ କି ନା ? ଜମି ଯେମିତି ପାଇଛନ୍ତି ସେମିତି ରାଜି ହେଇଗଲେ,କା ହିଁକି ନା ସାନ୍ତରା ଯେତେ ଟଙ୍କା ଦେଇଥାନ୍ତେ, ତାର ଅଧେ ଖାଇ ଯାଇଥାନ୍ତେ ବରଯାତ୍ରୀ । ଏଠାରୁ ମହାପାତ୍ରେ ପାଇବେ ନଗଦ ଜମି, ପୁଣି ଏକ ପଇସା ଖରଚ କରିବାକୁ ହେବ ନାହିଁ । ଏଥିରେ ସେ ରାଜି ନ ହୁଅନ୍ତେ କାହିଁକି ? ଜାଣିଲ, ଗୋଟିଏ କଥା ଏକା । ଯେପରି ଏ କଥା ଫୁଟିଆରା ନ ହୁଏ । ବାପା ସାନ୍ତଙ୍କ କାନରେ ପଡ଼ିଲେ ସେ କାଳେ ବାହାଘର ବନ୍ଦ କରାଇଦେବେ । ତେବେ ତ ଆମର ଏତେ ଫନ୍ଦ ଫିକର ବୃଥା ହୋଇଯିବ । ଶୁଣୁଛି, ପଅର ଦିନ ବାହାଘର । ଏ ବାହାଘରଟା ଆଗେ ହୋଇଯାଉ । ତାପରେ ସାନ୍ତରା ଓ ବାପାସାନ୍ତଙ୍କ କଥା ଦେଖିବା । ଆଗେ ଆପଦଟା କଟିଯାଉ ତେଣିକି ଆଉ କଣ କାମ ରହିଯିବ ?

 

ଗୁରୁବାରୀ କଥା ଶୁଣି ଯମୁନା ଭାରି ଖୁସି ହେଲେ । ଗୁରୁବାରୀକି ପ୍ରଶଂସା କରି କହିଲେ, ‘‘ବାଃ, ଗୁରୁବାରୀ ନ ହେଲେ କି ହୁଏ ?’’ ତା ପରେ ନିଜର ବାକ୍‌ସ ଫିଟାଇ ପାଞ୍ଚଟି ଟଙ୍କା ଗୁରୁବାରୀ ହାତରେ ଗୁଞ୍ଜିଦେଲେ । ଗୁରୁବାରୀ ଅସନ୍ତୋଷ ପ୍ରକାଶ କଲା ଭଳି ଟିକିଏ ମୁହଁ ବିଚିକିଟେଇ ଦେଲା । ଯମୁନା ବୁଝିପାରି କହିଲେ, ‘‘ହଉ, ହଉ, ଏଇଖିଣି ଏତକ ରଖିଥା, ଏଟା ହେଲା ତୋର ପାନ ଖରଚ । ପରେ ତୋ ମନଖୁସି କରିଦେବି ଯେ ।’’ ଗୁରୁବାରୀ ଟଙ୍କା ପାଞ୍ଚୋଟି ଭଲ କରି ଗଣି ଗୁନ୍ଥି ଅଣ୍ଟିରେ ଖୋସିଦେଲା ।

 

ଯମୁନା ପଚାରିଲେ, ‘‘ଆଲୋ ଗୁରୁବାରି ! ତୁ ଖାଇଆସିଛୁ ?

 

ଗୁରୁବାରୀ ଖାଇ ଆସିଥିଲେ ସୁଦ୍ଧା କହିଲା, ‘‘ନା, ଆଉ ଖାଇଲି କେତେବେଳେ ? ଏକା ନିଶ୍ୱାସରେ ତ ଧାଇଁଛି ତମ ପାଖକୁ ।’’

 

‘‘ହଉ, ହଉ, ଖାଇବୁ ଯା’’ କହି ଯମୁନା ପଲଙ୍କ ଉପରେ ଶୋଇ ପଡ଼ିଲେ । ଗୁରୁବାରୀ ଖୁସି ମନରେ ବାହାରକୁ ଚାଲିଗଲା ।

 

[ ପନ୍ଦର ]

 

ବଡ଼ ଗୋପନରେ ବଡ଼ ସତର୍କ ଭାବରେ ବିଭାଘରଟା ହୋଇଗଲା । ମହାପାତ୍ରେ ଗୋପନରେ ବାରିକ, ପୁରୋହିତ ସମସ୍ତ ଠିକ୍‌ଠାକ୍‌ କରି ରଖିଥିଲେ । ବିଭାଘର ଦିନ ଆଗ ରାତିରୁ ଦାମୋଦର ଅନୁକୂଳ କରି ଘରୁ ବାହାରିଯାଇ ସୀତାମଣିଙ୍କ ଘରେ ରହିଥିଲେ । ବିଭାଘର ଦିନ ରାତି ପହରକ ସମୟରେ ବିଭା ହେବାପାଇଁ ବାହାରିଗଲେ । ବରଯାତ୍ରୀ ହୋଇ ଗଲେ ଗୌରହରି-। ଆଉ ବର ଅନୁକୂଳ ସମୟରେ ବାଜାଦାରର କାମ ତୁଲେଇ ନେଲେ ସୀତାମଣି । ଭୋ, ଭୋ, ଭୋ, କରି ଶଙ୍ଖଟା ବଜେଇ ଦେଲେ । ସେତେବେଳେ ସୀତାମଣିଙ୍କ ମନର ଆନନ୍ଦ ଦେଖେ କିଏ-? ଦାମୋଦର ଓ ଗୌରହରି ଯାଇ ପହଞ୍ଚିବା ବେଳକୁ ମହାପାତ୍ରେ ସବୁ ଠିକ୍‌ କରି ରଖିଛନ୍ତି-। ଯେମିତି ବାଟବରଣ ସରି ଯାଇଛି, ସେମିତି ବାହାଘର କାମ ଆରମ୍ଭ ହୋଇଗଲା-। ପୁରୋହିତ କଳେଇ ତିହାଡ଼ିଏ ଖୁବ୍‌ ପାଟିକରି ମନ୍ତ୍ର ପଢ଼ି ବିଭାଘର କାମ ବଢ଼େଇ ଦେଲେ । ହାତଗଣ୍ଠି ପଡ଼ିଗଲା । ହାତଗଣ୍ଠି ପଡ଼ିବା ସମୟରେ ଦାମୋଦରଙ୍କର ସର୍ବାଙ୍ଗରେ ଗୋଟିଏ ବିଦ୍ୟୁତ୍‌ ସ୍ରୋତ ଖେଳିଗଲା । ବିମଳାର ଶରୀର ମଧ୍ୟ ଆନନ୍ଦାତିଶଯ୍ୟାରେ ପୁଲକିତ ହୋଇ ଉଠିଲା ।

 

ବିଭାଘର କାମ ସରିଲା ପରେ ଜ୍ୱାଇଁ ସେଠାରେ ରହି ସାତଦିନ ସାରିବା ପାଇଁ ମହାପାତ୍ରେ ପ୍ରସ୍ତାବ କଲେ । କିନ୍ତୁ ଗୌରହରି କହିଲେ ‘‘ନାହିଁ, ନାହିଁ ଦାମୋଦରଙ୍କର ମା ବହୂ ଦେଖିବା ପାଇଁ ଭାରି ଆକୁଳ ହେଉଛନ୍ତି । ମୁଁ ବାଜା ପାଲିଙ୍କି କରି ବରକନ୍ୟାକୁ ତାଙ୍କ ଘରେ ପହଞ୍ଚାଇ ଦେବି ।’’ ମହାପାତ୍ରେ ପଚାରିଲେ, ‘‘ଆଚ୍ଛା ବର୍ତ୍ତମାନ ଗଉଡ଼ ବାଜାଦାର କେଉଁଠୁ ପାଇବ-?’’

 

ଗୌରହରି ହସି ହସି କହିଲେ, ‘‘ସେମାନେ ସବୁ ସଜହୋଇ ଆମ୍ଭ ଘରଠାରେ ବସିଛନ୍ତି-।’’

 

ଗୌରହରି ଆଗରୁ ସମସ୍ତ ଠିକ୍‌ କରି ରଖିଥିଲେ । କଥା ହୋଇଥିଲା, ବର ବାହାରିଯିବା ପରେ ସେମାନେ ଆସି ଗୌରହରିଙ୍କ ଘରେ ହାଜର ହେବେ ।

 

ଗୌରହରିଙ୍କ ପ୍ରସ୍ତାବରେ ମହାପାତ୍ରେ ଅତି ସହଜରେ ମଙ୍ଗିଗଲେ । କାରଣ ମହାପାତ୍ରେ ବଡ଼ ଚଲାକ୍‌ ଲୋକ । ଦେଖିଲେ ସେ ଏଥିରେ ତାଙ୍କର ଲାଭ ଛଡ଼ା କ୍ଷତି ନାହିଁ । ବର କନ୍ୟା ଯେତେ ଶୀଘ୍ର ବିଦାୟ ହୋଇ ଯାଆନ୍ତି ତାଙ୍କର ସେତେ ଲାଭ ।

 

ଗୌରହରି ଘରକୁ ଦୌଡ଼ିଯାଇ ପାଲିଙ୍କି ବେହେରା, ବାଜାଦାର ସବୁ ଆଣି ପହଞ୍ଚାଇ ଦେଲେ । ଘଣ୍ଟାକ ମଧ୍ୟରେ ବର କନ୍ୟା ବାହାରି ପଡ଼ିଲେ । ପେଏଁ, ପେଏଁ, ପେଏଁ ମହୁରୀ ବାଜି ଉଠିଲା । ଢୋଲ, କଡ଼ାନାଗରା ପ୍ରଭୃତି ବାଜା ବାଜି ଉଠିଲା । ଗାଆଁର ଲୋକେ କିଏ କେଉଁଠି ଶୋଇ ପଡ଼ିଥିଲେ, ବାଜା ଶବ୍ଦ ଶୁଣି ଚମକି ପଡ଼ିଲେ । ଲୋକମାନେ ଡକାଡକି ହୋଇ ଉଠି ଦେଖିବା ବେଳକୁ ବର କନ୍ୟା ଆସି ଗୌରହରିଙ୍କ ଦାଣ୍ଡଦୁଆରେ ପହଞ୍ଚିଲେଣି । ଗୌରହରିଙ୍କ କଥା ଅନୁସାରେ ସବାରୀ ପାଲିଙ୍କି ତାଙ୍କ ଦାଣ୍ଡଦୁଆରେ ଥୁଆ ହେଲା । ସୀତାମଣି ଆସି ବରକନ୍ୟାଙ୍କୁ ଘରକୁ ନେଇଗଲେ । ସେତେବେଳେ ତାଙ୍କ ମନର ଆନନ୍ଦ ଦେଖେ କିଏ ? ମୁହଁର ହସ ସମ୍ଭାଳି ପାରୁ ନାହାନ୍ତି । ତାଙ୍କର ଉଦ୍ଦେଶ୍ୟ ଆଜି ସଫଳ ହୋଇଛି । ତାଙ୍କର ପ୍ରାଣପ୍ରିୟତମା ସଖୀ ବିମଳାକୁ ଆଜି ସେ ମୃତ୍ୟୁବିଭୀଷିକା ପୂର୍ଣ୍ଣ ନରକରୁ ଉଦ୍ଧାର କରି ନନ୍ଦନକାନନର ରାଣୀ କରି ପାରିଛନ୍ତି । ତାଙ୍କରି ପ୍ରିୟ ବିମଳା ଆଜି ନବବଧୁ ବେଶରେ କି ସୁନ୍ଦର ଦେଖାଯାଉଛି । ଦାମୋଦରଙ୍କୁ ବିଛଣାରେ ବସାଇ ଦେଇ ସୀତାମଣି ବିମଳାକୁ ଘର ଭିତରକୁ ନେଇଗଲେ । ଆଲୁଅରେ ଓଢ଼ଣା କାଢ଼ିଦେଇ ବିମଳା ମୁହଁକୁ ଚାହିଁ ସୀତାମଣି ଠୋ ଠୋ ହସି ପକାଇଲେ । ବିମଳା ମଧ୍ୟ ଆନନ୍ଦରେ ହସି ପକାଇଲା । ଦୁହିଁଙ୍କ ମନରେ ଆଜି ଯେ କି ଆନନ୍ଦର ସ୍ରୋତ ଖେଳିଯାଉଛି, ତାହା ବର୍ଣ୍ଣନା କରିବା ଅସମ୍ଭବ । ସୀତାମଣିଙ୍କ ପ୍ରତି କୃତଜ୍ଞତାରେ ବିମଳାର ହୃଦୟ ଭରା । କଣ କହି ଯେ ତାର ହୃଦୟର କୃତଜ୍ଞତା ଜଣାଇବ, ବିମଳା ଭାବି ପାରିଲା ନାହିଁ । ଶେଷରେ କେବଳ ଏତିକି ମାତ୍ର କହିଲା, ‘‘ନାନି ! ତମର ଋଣ ସାତ ଜନ୍ମରେ ସୁଦ୍ଧା ସୁଝି ପାରିବି ନାହିଁ ।’’ ଏହା କହୁଁ କହୁଁ ବିମଳାର ଆଖି ଛଳ ଛଳ ହୋଇ ଆସିଲା । ‘ଇସ୍‌, ଥାଉ ସେତିକି ଥାଉ’ କହି ସୀତାମଣି ଆନନ୍ଦରେ ବିମଳାକୁ କୁଣ୍ଢାଇ ପକାଇଲେ ।

 

ଗୌରହରି ବାହାରୁ ଡାକ ପକାଇଲେ, ‘‘ଏଥର ବାହାରି ଆସ । ବିଚରା ଦାମୋଦର ଯେ ଏକୁଟିଆ ବସି ରହିଲା ?’’

 

ସୀତାମଣି ବିମଳାକୁ ଆଣି ଦାମୋଦରଙ୍କ ପାଖରେ ବସାଇ ଦେଇ କଉଡ଼ି ଖେଳାଇବାରେ ଲାଗିଗଲେ । ସାତଥର ଖେଳାଇ ସାରି କଉଡ଼ି ମୁଠାକ ବିମଳା ମଥା ଉପରକୁ ରଖିଦେଇ ସୀତାମଣି ଠୋ ଠୋ ହୋଇ ହସି ପକାଇଲେ । ବିମଳା ମଧ୍ୟ ହସ ସମ୍ଭାଳି ପାରିଲା ନାହିଁ, ଓଢ଼ଣା ଭିତରେ ହସି ପକାଇଲା ।

 

କିଛି ସମୟ ପରେ ବରକନ୍ୟା ବିଦାୟ ହୋଇ ହରିପୁର ଅଭିମୁଖରେ ଚାଲିଲେ । ସଙ୍ଗରେ ଗଲେ ଗୌରହରି । ମାର୍କଣ୍ଡ ମିଶ୍ରଙ୍କ ଘର ଆଉ ଅଳ୍ପ ଦୂର ଅଛି, ଜୋରରେ ବାଜା ବଜାଇବା ପାଇଁ ଗୌରହରି କହିଦେଲେ । ପେଁ ପେଁ ପେଁ ମହୁରୀ ବାଜି ଉଠିଲା । ଦୁମ୍‌ ଦୁମ୍‌ ଦୁମ୍‌ ବାଜା ମଧ୍ୟ କମ୍ପି ଉଠିଲା । ମାଘମାସିଆ ଦିନ । ମିଶ୍ରଙ୍କ ନିଦ ଭାଙ୍ଗି ଯାଇଥିଲେ ସୁଦ୍ଧା ଶୀତ ଯୋଗୁଁ ବିଛଣା ଛାଡ଼ି ପାରୁ ନ ଥିଲେ । ବାଜା ଶବ୍ଦ ଶୁଣି ଚମକି ପଡ଼ିଲେ । ତରତର କରି ବିଛଣାରୁ ଉଠିପଡ଼ି ଅମୁହଁଧୂଆ ଧାଇଁ ଗଲେ ଦାଣ୍ଡକୁ । ଆଖି ମଳି ମଳି ଚାହିଁ ଦେଖିଲେ ଯେ, ଦଳେ ବାହାଘରିଆ ଆସୁଛନ୍ତି । ପାଲିଙ୍କି ଆସି ଦୁଆର ପାଖରେ ପହଞ୍ଚିଗଲା । ପାଲିଙ୍କିକୁ ଚାହିଁ ଦେଲାକ୍ଷଣି ମିଶ୍ରଙ୍କର ଫାକାସ ଉଡ଼ିଗଲା । ଏ କଣ ? ତାଙ୍କ ଆଖିରେ କିଛି ଦୋଷ ନାହିଁ ତ ? ଭଲ କରି ଆଖି ମଳି ଦେଇ ଚାହିଁଲେ । ସେହି ଦୃଶ୍ୟ । ଦାମୋଦର ହାତରେ ଆମ୍ବପତ୍ର ଗୋଛାଏ ବାନ୍ଧି ମୁଣ୍ଡରେ ଦୋଳ ପିନ୍ଧି ବରବେଶରେ ବସିଛନ୍ତି । ତା ପଛରେ ଖଣ୍ଡିଏ ସବାରୀ । ସବାରୀ ପାଖରେ ଚାଲିଛନ୍ତି ଗୌରହରି । ମିଶ୍ରଙ୍କ ବୁଦ୍ଧି ହଜିଗଲା । ଚାରିଦିଗରେ ଅନ୍ଧକାର ଦେଖାଗଲା । ମଥା ଘୂରେଇ ଦେଲା-। ହାୟ ହାୟ ! ଏ କଣ ହେଲା ? ଏତେ ଆଶା ଏତେ ଆକାଙ୍କ୍ଷା ସବୁ ବୃଥା ହେଲା ସିନା-? ମିଶ୍ରେ କେତେ ମତଲବ ପାଞ୍ଚିଥିଲେ । ପାଟଯୋଡ଼, ଶହେ କି ଦି ଶହ ଟଙ୍କା ସବୁ ସିନା ପାଣିରେ ପଡ଼ିଲା-। କି ମୁହଁରେ ଆଉ ଚୌଧୁରୀଙ୍କ ଆଗରେ ମୁହଁ ଦେଖାଇବେ ? ଆଉ ଭାବି ପାରିଲେ ନାହିଁ-। ମଥା ଘୂରିଗଲା । ଦୁଇ ହାତରେ ମଥାକୁ ଚାପି ଧରି ମିଶ୍ରେ ବସି ପଡ଼ିଲେ । ପ୍ରାୟ ଘଡ଼ିଏ କାଳ ମିଶ୍ରେ ସେହିପରି ଭାବରେ ବସି ଯାଇଛନ୍ତି, ତାଙ୍କୁ କିଛି ମାଲୁମ ନାହିଁ, କିଛିକ୍ଷଣ ପରେ ଚାହିଁ ଦେଖନ୍ତି ଯେ ବରଯାତ୍ରୀ ଚାଲିଗଲେଣି ! ଭଲ କରି ଆଖି ମଳି ଦେଇ ଚାହିଁ ଦେଖିଲେ କେହି କୁଆଡ଼େ ନାହିଁ-। କେବଳ ଦୁମ୍‌ ଦୁମ୍‌ ବାଜା ଶବ୍ଦ ଶୁଭୁଛି, ପେଁ ପେଁ ପେଁ ମହୁରୀ ଶୁଭୁଛି ଓ ହୁଁ ହା ହୁଁ ବେହେରା ଡାକ ଶୁଭୁଛି । ଆଛା, କଥାଟା ତ କିଛି ବୁଝାଗଲା ନାହିଁ । ମହାପାତ୍ରେ ପାଛୁଡ଼ା ଖଣ୍ଡ ଘୋଡ଼ି ହୋଇ ବାହାରି ପଡ଼ିଲେ ।

 

ହରିପୁର ମୌଜାର ଲୋକମାନେ ବାଜା ଶବ୍ଦ ଶୁଣି ଚମକି ପଡ଼ିଲେ । ପିଲା ଛୁଆ ସମସ୍ତେ ଧାଇଁଲେ ବରକନ୍ୟା ଦେଖିବାପାଇଁ । ଦିନ ପ୍ରାୟ ଘଡ଼ିଏ ବେଳକୁ ବରକନ୍ୟା ଘରେ ପହଞ୍ଚିଗଲେ । ବୁଢ଼ୀ ତ ଆନନ୍ଦରେ ଅସ୍ଥିର । ତର ତର କରି ଆସି ପୁଅବୋହୂଙ୍କୁ ସଙ୍ଖୋଳି ନେଲେ-। ସଙ୍ଗେ ସଙ୍ଗେ ପିଲାଛୁଆ ବହୂ ଝିଅମାନେ ଆସି ଦାମୋଦରଙ୍କ ଘରେ ଭରିଗଲେ-। ଗାଆଁରେ ପୁରୁଷ ଲୋକମାନେ ପରସ୍ପର ମଧ୍ୟରେ କଥାବାର୍ତ୍ତା ହେବାକୁ ଲାଗିଲେ-ଏ କଣ ହେଲା, ଦାମୋଦର କୁଆଡ଼ୁ କିପରି ବିଭା ହୋଇ ଆସିଲା । ସମସ୍ତେ ଜାଣିଥିଲେ, ଚୌଧୁରୀଙ୍କ ଝିଅ ସହିତ ଦାମୋଦରର ବିଭାଘର ପ୍ରସଙ୍ଗ ସ୍ଥିର ହୋଇଥିଲା । ଗାଆଁର ମାଇପି ମହଲରେ ମଧ୍ୟ ଆଲୋଚନା ଲାଗିଲା । କ୍ରମେ କ୍ରମେ ଏ କାନରୁ ସେ କାନ ହେଉଁ ହେଉଁ କଥାଟା ପ୍ରଘଟ ହୋଇଗଲା ଯେ, ଦାମୋଦର ବଳରାମପୁର ଗୋପାଳ ମହାପାତ୍ରଙ୍କ ଝିଅକୁ ବିଭା ହୋଇ ଆସିଛନ୍ତି । ବରଯାତ୍ରୀ ସଙ୍ଗେ ସଙ୍ଗେ ବିଭାଘର ଭାର ସଉଦାପତ୍ର ସବୁ ଆସିଥିଲା । ଗୌରହରି ଆଗରୁ ସବୁ ବନ୍ଦୋବସ୍ତ କରି ରଖାଇଥିଲେ । ସାଙ୍ଗେ ସାଙ୍ଗେ ରୋଷେୟା ବ୍ରାହ୍ମଣମାନେ ଲାଗିଲେ ରୋଷେଇ କରିବାକୁ-। କାଲି ସନ୍ଧ୍ୟାବେଳେ ଦାମୋଦରଙ୍କ ଘର ଶୂନ୍‌ଶାନ୍‌ ନୀରବ ନିସ୍ତବ୍ଧ ଥିଲା । ରାତି ପାହିଲାବେଳକୁ ଏ କଣ ? ଲୋକବାକରେ ଭରା, ହାସ୍ୟ ଉତ୍ସବର ଢେଉ ଖେଳିଯାଉଛି । ବୁଢ଼ୀଙ୍କ ଆନନ୍ଦ ଦେଖେ କିଏ-? ଗୋଡ଼ ତଳେ ପଡ଼ୁନାହିଁ । ଗାଆଁର ସାଇପଡ଼ିଶାର କେତେକ ବୋହୂ ଝିଅ ଆସି ପହଞ୍ଚି ଗଲେଣି-। ବୁଢ଼ୀ ସେମାନଙ୍କୁ ମା ଲୋ, ଝିଅ ଲୋ କହି କାମରେ ଲଗେଇ ଦେଉଛନ୍ତି । ସେମାନେ ବି ଖୁସି ମନରେ କାମରେ ଲାଗି ଯାଉଛନ୍ତି । ସମସ୍ତଙ୍କ ମୁହଁରେ ହସ । ଏ ଉତ୍ସବ ଆନନ୍ଦରେ କେବଳ ଜଣଙ୍କ ମୁହଁ ବଡ଼ ବିଷଣ୍ଣ-ସେ ଜଣକ ମାର୍କଣ୍ଡ ମିଶ୍ର । ସେ ନିରୋଳାରେ ଛିଡ଼ା ହୋଇ ଜଣେ ପାଣ ବାଜାଦାରଠାରୁ ସମସ୍ତ ବିଷୟ ଶୁଣି ଯାଉଛନ୍ତି ।

 

କଥାରେ କହନ୍ତି-ତୁଣ୍ଡ ବାଇଦ ସହସ୍ରେ କୋଶ । ସାଥେସାଥି କଥାଟା ଯାଇ ନୂଆ ଗାଆଁ ଚୌଧୁରୀଙ୍କ କାନରେ ବାଜିଗଲା । ଗୋବିନ୍ଦପୁର ଗୋବର୍ଦ୍ଧନ ସାନ୍ତଙ୍କ କାନରେ ମଧ୍ୟ ବାଜିଗଲା ।

Unknown

 

[ ଷୋହଳ ]

 

ଦିନ ପ୍ରାୟ ଘଡ଼ି ଛଅ ହେବ । ଚୌଧୁରୀଏ ବଡ଼ ବିଷଣ୍ଣବଦନରେ ମୌନ ହୋଇ ଗୋଟିଏ ବଡ଼ ତକିଆକୁ ଆଉଜି ବସିଛନ୍ତି । ଟିକିଏ ଛଡ଼ାରେ ମାର୍କଣ୍ଡ ମିଶ୍ରେ ମଧ୍ୟ ମୁହଁ ତଳକୁ ପୋତି ବସିଛନ୍ତି । ଚୌଧୁରୀଏ ସମୟ ସମୟରେ ଉପରକୁ ଚାହିଁ କଣ ଭାବୁଛନ୍ତି । ତାଙ୍କ ଆଖି ରାଗରେ ବିସ୍ଫାରିତ ହୋଇ ଉଠୁଛି । ଭ୍ରୂ ଯୁଗଳ କୁଞ୍ଚିତ ହୋଇ ଉଠୁଛି । ଚୌଧୁରୀଙ୍କ ମୁଖମଣ୍ଡଳକୁ ନିରୀକ୍ଷଣ କଲେ ଜଣାଯାଏ, ଯେପରି ଚିନ୍ତା, ବିଷାଦ, କୋପ ଏକସଙ୍ଗରେ ତାଙ୍କର ମାନସ କ୍ଷେତ୍ରରେ କ୍ରୀଡ଼ା କରୁଛନ୍ତି । କିଛିକ୍ଷଣ ପରେ ଚୌଧୁରୀଏ ବଡ଼ ପାଟି କରି ଡାକିଲେ, ‘ପଟ୍ଟନାୟକେ, ପଟ୍ଟନାୟକେ ଓ ପଟ୍ଟନାୟକେ !’ ‘ଆଜ୍ଞା’ କହି ଚୌଧୁରୀଙ୍କ ପ୍ରଧାନ ଗୁମାସ୍ତା ଗୋକୁଳି ପଟ୍ଟନାୟକେ ଆସି ଆଗରେ ଛିଡ଼ା ହୋଇଗଲେ । ଚୌଧୁରୀଏ ପଚାରିଲେ, ‘ଆଚ୍ଛା ରାଧାଶ୍ୟାମ ଦାଶେ ଯେ ହେଣ୍ଡନୋଟ ଲେଖି ଦେଇ ଟଙ୍କା ନେଇଥିଲେ, ସେ ହେଣ୍ଡନୋଟ କାହିଁ ?’’

 

ପଟ୍ଟନାୟକେ ବିନୀତ ଭାବରେ କହିଲେ, ‘‘ଆଜ୍ଞା-ଅଛି ।’’ ‘କାହିଁ-ଆଣିଲ ?’’

 

ପଟ୍ଟନାୟକେ ହେଣ୍ଡନୋଟ ଆଣିବା ପାଇଁ ଚାଲିଗଲେ । କିଛି ଦୂର ଗଲା ପରେ ଚୌଧୁରୀଏ ପୁଣି ଡାକିଲେ, ‘‘ଓ ପଟ୍ଟନାୟକେ ଖାତାଟା ବି ଘେନି ଆସିବ ।’’ ‘‘ଆଜ୍ଞା’’ କହି ପଟ୍ଟନାୟକେ ଚାଲିଗଲେ ।

 

ଚୌଧୁରୀଏ କଣ ଭାବି ଦୁଇ ତିନିଥର ମୁଣ୍ଡ ଟୁଙ୍ଗାରି କହିଲେ, ଦେଖାଯିବ ଟୋକାର କେତେ ଦିମାକ୍‌ । ବେଙ୍ଗ ପାଟିରେ ଘିଅ ପଶିବ କାହୁଁ ? ଆଚ୍ଛା ହେଉ ଟୋକାକୁ ଦେଖେଇ ଦେବି, ବୁଝୁଥିବ । ମିଶ୍ରେ ତୁମେ ଏକା ଗୋଟାଏ ସାକ୍ଷୀ ହେବ । ମିଶ୍ରେ କହିଲେ, ‘ଆଜ୍ଞା’ ମୁଁ କଣ ସେଥିରେ ନାରାଜ ? ଆପଣ ଯଦି ମୋତେ ନିଆଁକୁ ପଶିବାକୁ କହିବେ ତ ମୁଁ ନିଆଁକୁ ପଶିଯିବି । ପାଣିକି ଡେଇଁ ପଡ଼ିବାକୁ କହିବେ ତ ପାଣିକି ଡେଇଁ ପଡ଼ିବି । ଆପଣଙ୍କ ଦାନା ଖାଉଛି, କଣ ନିମକହରାମ ହେବି ? ତା କେବେ ମାର୍କଣ୍ଡ ମିଶ୍ର ଦ୍ୱାରା ହେବ ନାହିଁ । କିନ୍ତୁ ବଡ଼ ଦୁଃଖ ହେଉଛି; ଆପଣଙ୍କ କାମଟା କରି ପାରିଲି ନାହିଁ ।’’ ମିଶ୍ରେ ଅଧୋମୁଖରେ ବସି ମଥା କୁଣ୍ଡାଇବାକୁ ଲାଗିଲେ ।

 

ଚୌଧୁରୀଏ କହିଲେ, ‘‘ସେଥିରେ ଆଉ ତୁମର ଦୋଷ କଣ ? ତୁମେ ତ ଯଥାସାଧ୍ୟ ଚେଷ୍ଟା କରିଛ । ହେଉ, କୁଛ୍‌ ପରବାୟ ନାହିଁ । ଆମ ଝିଅ କଣ ଅଭିଆଡ଼ା ରହିଯିବ ? ଏଥର ଆଉ ଏ କଉପୁନିଆଙ୍କ ସାଥିରେ କଥାବର୍ତ୍ତା ନୁହେ । ଯେତେ ପଡ଼ିବ ପଡ଼ୁ ପଛକେ ମୋର ସମାନସ୍କନ୍ଧ ଲୋକ ଦେଖି ଝିଅ ଦେବି ।’’

 

ମିଶ୍ରେ—ଆଜ୍ଞା ସାନ୍ତରାଙ୍କ ଘରଠାରେ—

 

ଚୌଧୁରୀ—ହେଉ, ମୋର କୌଣସି ଆପତ୍ତି ନାହିଁ । ସାନ୍ତରା କିନ୍ତୁ ରାଜି ହେବେ ତ ?

 

ମିଶ୍ରେ—ମଲା ? କି କଥା କହୁଛନ୍ତି ଆପଣ ? ଆପଣଙ୍କ ଝିଅକୁ ବିଭା ହେବା ପାଇଁ ସାନ୍ତରା ରାଜି ହେବେ ନାହିଁ ? ଆପଣ ଖାଲି ସମ୍ୱନ୍ଧ ପଠାନ୍ତୁ ତ ଦେଖିବେ । ସାନ୍ତରା କେଡ଼େ ଖୁସି ହୋଇ ଆପଣଙ୍କ ସଙ୍ଗରେ ବନ୍ଧୁ କରିବେ । ସେ କଣ ଆଉ ଏମିତିକା ଛିଣ୍ଡା କଉପୁନିଆ ହୋଇଛନ୍ତି-? ଭଦ୍ରଲୋକଙ୍କର ଭଦ୍ର କଥା । ସାନ୍ତରା ଏକା ଆପଣଙ୍କର ବନ୍ଧୁ ହେବା ଯୋଗ୍ୟ । ସେତେବେଳେ ଏକା ମୁଁ ବି ସେଇ କଥା ଭାବୁଥାଏଁ । କିନ୍ତୁ ଆପଣ କହୁଥିଲେ ବୋଲି ମୁଁ ଚେଷ୍ଟା କରୁଥିଲି-। ତା ନ ହେଲେ ସେଇ ଅରକ୍ଷିତଟା ଲାଗି କାହିଁକି ଚେଷ୍ଟା କରନ୍ତି ? ଏଠାରେ ଦେଲେ ଆପଣଙ୍କର ଝିଅ ବି ସୁଖରେ ରହିବେ । ଆପଣ ତ ଉପଯୁକ୍ତ ବନ୍ଧୁ ପାଇବେ । ବରର ଟିକିଏ ବେଶୀ ବୟସ ହୋଇଛି ସତ, ତା ବୋଲି ସାନ୍ତରାଙ୍କୁ ଦେଖିଲେ କେହି ଆଉ ବୁଢ଼ା ବୋଲି କହିବେ ନା ?

 

ଚୌଧୁରୀ—ହଅଁ, ସେଥିରେ କଣ ଅଛି ହେ ? ବୁଝିଲ ମିଶ୍ରେ, ତା କପାଳରେ ଯଦି ଥିବ, ସେଇଥିରେ ସେ କେତେ ସୁଖଭୋଗ କରିବ ।

 

ମିଶ୍ରେ—ତେବେ କାଲି ସକାଳେ ମୁଁ ସାନ୍ତରାଙ୍କ ଘରଆଡ଼େ ବୁଲି ଆସେଁ ।

 

ଚୌଧୁରୀ—ହେଉ, କାଲି ସକାଳେ ତୁମେ ଯାଅ, ବୁଝାସୁଝା କରି ଆସ । ତାପରେ ନିୟମ ମୁତାବକ ଲଗ୍ନ ଠିକ୍‌ କରିବା ।

 

ମିଶ୍ରେ—ହେଉ ତେବେ ।

 

ଚୌଧୁରୀ—ସେ ଯାହା ହେଉ, ଏ ଟୋକାଟାକୁ ମୁଁ ଦେଖି ନେବି । କେଉଁ ବାପ ବୁଦ୍ଧିରେ ପଡ଼ିଛି ଦେଖିବି । ସେ ବାପ ଆସି ରଖିବ ପରା ?

 

ପଟ୍ଟନାୟକ ଖାତାପତ୍ର ଓ ହେଣ୍ଡନୋଟ ଆଣି ପହଞ୍ଚାଇଲେ ।

 

ଚୌଧୁରୀ—କାଢ଼, ରାଧାଶ୍ୟାମ ଦାଶଙ୍କ ଜମା ଖରଚ ଫରଦ ।

 

ପଟ୍ଟନାୟକ ଜମାଖରଚ ଫରଦ ବାହାର କରି ଦେଖାଇଲେ-ଅସୁଲ ଟ୪୦୧ ଯାଇ ଟ୧୨୪ ବାକି ଅଛି । ଚୌଧୁରୀଏ ତାକୁ ଭଲ କରି ଦେଖି କହିଲେ, ‘‘ଆଚ୍ଛା, ହେଣ୍ଡନୋଟ କାହିଁ ଆଣିଲ ?’’

 

ପଟ୍ଟନାୟକେ ହେଣ୍ଡନୋଟଟି ଚୌଧୁରୀଙ୍କ ହାତକୁ ବଢ଼ାଇ ଦେଲେ । ଚୌଧୁରୀଏ ହେଣ୍ଡନୋଟ ପଢ଼ି ଦଣ୍ଡେ କାଳ ଗୁମ୍‌ ମାରି ବସିଗଲେ । ସେ ଭାବିଥିଲେ ହେଣ୍ଡନୋଟରେ ଯେତେ ଟଙ୍କା ଥିବ, ତା ଡାହାଣରେ ଶୂନ୍ୟ ଯୋଗ କରି ଦେଇ କାମ ହାସଲ କରାଇ ନେବେ । କିନ୍ତୁ ଏ କଣ-? ଅକ୍ଷରରେ ଲେଖା ହୋଇଚି ପଚିଶି ଟଙ୍କା । କାଟିକରି ଲେଖିଲେ ତ ଧରାପଡ଼ି ଯିବେ, କରନ୍ତି ଏବେ କଣ ? ଦଣ୍ଡକ ପରେ ଗୋଟାଏ ବୁଦ୍ଧି ପାଞ୍ଚିଲେ । ଗୋଟାଏ କଥା ମନେ ପଡ଼ିଗଲା, ଭାରି ଖୁସିଟାଏ ହେଇ କହିଲେ, ‘‘ଆଚ୍ଛା, ପଟ୍ଟନାୟକେ, ଆଠ ଦଶ ବର୍ଷର ପୁରୁଣା କାଗଜ ଦୁଇ ଚାରିଖଣ୍ଡ ଆଣିଲ ?’’

 

ପଟ୍ଟନାୟକେ ଚୌଧୁରୀଙ୍କ ଆଡ଼କୁ ଚାହିଁ କହିଲେ, ‘‘ଆଜ୍ଞା, ଏତେ ପୁରୁଣା କାଗଜ କାହୁଁ ଆଣିବି ?’’

 

‘‘ଆରେ, ପୁରୁଣା ଖାତା ନାହିଁ ନା ? ସେଥିରୁ ଛିଣ୍ଡାଇ ଆଣ ।’’ ପଟ୍ଟନାୟକେ ଉଠି ଚାଲିଗଲେ ।

 

ଚୌଧୁରୀଏ ମାର୍କଣ୍ଡ ମିଶ୍ରଙ୍କ ମୁହଁକୁ ଚାହିଁ କହିଲେ, ‘‘ଆଚ୍ଛା, ମିଶ୍ରେ, ତୁମେ ରାଧାଶ୍ୟାମ ଦାଶଙ୍କ ନାଁରେ ୨ । ୩ ଖଣ୍ଡ ହେଣ୍ଡନୋଟ ଲେଖି ଦେଲ ? ଆଉ ଦେଖ (ହେଣ୍ଡନୋଟ ଦେଖାଇ) ଏହିପରି ତୁମେ ରାଧାଶ୍ୟାମ ଦାଶଙ୍କ ନାମ ଲେଖିଦେଇ ପାରିବ ନାହିଁ ?

 

ମିଶ୍ରେ—ଆଜ୍ଞା, ପାରିବି ନାହିଁ କାହିଁକି ? ମିଶ୍ରଙ୍କୁ ନ ଆସେ କେଉଁ କାମ ? ତେବେ ମୁଁ ଆସିଥିଲି ବଳଦ ଗୋଟେ କିଣିବାକୁ ହେବ । ହାତରେ ଏକ ପଇସା ନାହିଁ, କିଛି-

 

ଚୌଧୁରୀ—କିଛି ଟଙ୍କା ନେବ ? ଆଚ୍ଛା, କୁଛ୍‌ ପରବାୟ ନାହିଁ । କେତେ ହେଲେ ହେବ-?

 

ମିଶ୍ରେ—ଆଜ୍ଞା, ଆଜିକାଲି ତ ଗୋରୁର ଦାମ୍‌ ଦେଖୁଛନ୍ତି, ପଚାଶ ଟଙ୍କାରୁ କମ୍‌ ହେଲେ ଆଉ-

 

ଚୌଧୁରୀ—ଆଚ୍ଛା, ଆଚ୍ଛା, ପଟ୍ଟନାୟକେ ଆସନ୍ତୁ ।

 

ପଟ୍ଟନାୟକେ ପୁରୁଣା କାଗଜ ଓ କାଳି ଇତ୍ୟାଦି ଘେନି ଆସି ପହଞ୍ଚିଲେ । ଚୌଧୁରୀଏ କହିଲେ, ‘‘ଆଚ୍ଛା, ପଟ୍ଟନାୟକେ ପାଞ୍ଚଖଣ୍ଡ ଦଶଟଙ୍କିଆ ନୋଟ ଆଣିଲ ।’’ ପଟ୍ଟନାୟକେ ଟଙ୍କା ଆଣିବାକୁ ଗଲେ । ଚୌଧୁରୀଏ ମିଶ୍ରଙ୍କ ହାତକୁ ହେଣ୍ଡନୋଟ ଖଣ୍ଡି ବଢ଼ାଇ ଦେଇ କହିଲେ, ‘‘ଠିକ୍‌ ଏଇ ରକମ ତିନିଖଣ୍ଡ ଲେଖି ପକାଅ । କେବଳ ଟଙ୍କା ଘରଟା ଫାଙ୍କ ରଖିଥିବ । ଆଉ ଦସ୍ତଖତ୍‌ କରିବ ଏଇ ଟିକଟ ଉପରେ ।’’

 

ପଟ୍ଟନାୟକେ ଟଙ୍କା ଘେନି ଆସିବା ବେଳକୁ ମିଶ୍ରଙ୍କ ହେଣ୍ଡନୋଟ ଲେଖା ସରିଲାଣି । ଚୌଧୁରୀଏ ହେଣ୍ଡନୋଟ ଦେଖି ଭାରି ଖୁସି ହେଲେ । ବେଶି ଖୁସି ହେଲେ ଦସ୍ତଖତ୍‌ ଦେଖି । ଠିକ୍‌ ଅବିକଳ ମିଳି ଯାଉଛି । ମିଶ୍ରଙ୍କ ଉପରେ ଭାରି ଖୁସି ହୋଇ କହିଲେ, ‘‘ବାଃ, ମିଶ୍ରେ ନ ହେଲେ କି ହୁଏ ? ମିଶ୍ରେ ତ ବାଇଗଣ ପରିବା, ଯେଉଁ କାମରେ ଲଗେଇ ଦେବ, ସେ କାମକୁ ଯୋଗା । ଆଚ୍ଛା ଟଙ୍କାଟା ପକାଇ ଦିଅ । ହଁ ଏଇଟାରେ ଟ୩୫୦ ତିନି ଶହ ପଚାଶ ଟଙ୍କା ଅଙ୍କ ଓ ଅକ୍ଷରରେ ଲେଖିଦିଅ । ହେଲା ? ’

 

‘‘ଆଜ୍ଞା, ହଁ’’

 

‘‘ହୁଁ—ଏଇଟାରେ ଟ୪୭୦ ଚାରିଶହ ସତୁରି ଟଙ୍କା ।’’

 

‘‘ହୁଁ—’’

 

‘‘ଆଉ ଏଇଟାରେ ଟ ୨୮୫ ଦୁଇଶହ ପଞ୍ଚାଅଶୀ ।’’

 

‘‘ହୁଁ’’

 

‘‘ବାଃ—ଏଥର ତ ଠିକ୍‌ ହୋଇଗଲା । ତୁମେ ଗୋଟାଏ ସାକ୍ଷୀ ପଡ଼ ।’’

 

ମିଶ୍ରେ ଖୁବ୍‌ ଛାଟି ଛାଟି ତାଙ୍କ ନାମ ଦସ୍ତଖତ୍‌ କରିଦେଲେ ।

 

ଚୌଧୁରୀଏ ଭାରି ଖୁସି ହୋଇ କହିଲେ, ‘‘ବାଃ ମିଶ୍ରେ ଅବିକଳ ମିଳିଯାଇଛି ଏକା । ଏଥର ହାକିମ ତ ହାକିମ, ହାକିମ ବାବା ବି ଠଉରେଇ ପାରିବ ନା ? ଦେଖିବା ଏଥର ଟୋକାକୁ । କେଉଁ ବାପ ଆସି ରଖିବ ? ଆହେ ପଟ୍ଟନାୟକେ ତମେ ଏ ସବୁର ସୁଧ ଅସଲ କଷି ହିସାବ କରି ପକାଅ । ଆଉ ଯେଉଁ ହେଣ୍ଡନୋଟ ଖଣ୍ଡି ଯେଉଁ ସାଲର ସେହି ସାଲର ଖାତାରେ ବଢ଼େଇ ଦିଅ । ଦେଖ କାଳି ଯେପରି ଫରକ୍‌ ନ ହୁଏ । ବୁଝିଲ ? ଏଇ ଜମା ଖରଚ ଫରଦଟା ଏକାବେଳକେ ଛିଣ୍ଡାଇ ପକାଇ ଦିଅ, ବୁଝିଲ ?’’

 

‘‘ଆଜ୍ଞା—ହଁ ।’’

 

‘‘ହଁ, ଭାରି ହୁସିଆରିରେ କାମ କରିବ, ଦେଖ ଯେପରି ଧରା ନ ପଡ଼େ, ବୁଝିଲ ?

 

‘‘ଆଜ୍ଞା, ହଁ । ତେବେ ହେଣ୍ଡନୋଟର ମିଆଦ ତ ମୋଟେ ତିନି ବର୍ଷ, ଏ ତ ଆଠ ନଅବର୍ଷ ହୋଇ ଗଲାଣି ।’’

 

‘‘ତେବେ ଉପାୟ ? ଏତେ ପରିଶ୍ରମ ସିନା ବୃଥା ଗଲା ?’’

 

ମିଶ୍ରେ ମୁରୁକି ମୁରୁକି ହସି କହିଲେ, ବୃଥା ଯିବ କାହିଁକି ? ମିଶ୍ରେ ଯେଉଁଥିରେ ହାତ ଦେଇଛନ୍ତି ସେ କଣ ‘‘ବୃଥା ହେବ ? ହେଣ୍ଡନୋଟର ନିୟମ, ପ୍ରତି ତିନି ବର୍ଷ ମଧ୍ୟରେ ଯଦି କିଛି କିଛି ଅସୁଲ ପଡ଼ୁଥାଏ, ତେବେ ତାହା ତମାଦି ହୋଇଯିବ ନାହିଁ । ରାଧାଶ୍ୟାମ ଦାଶେ ତ ମଲେଣି ପାଞ୍ଚ ବର୍ଷ ହେଲା । ଏଣିକି ତାଙ୍କ ପୁଅଙ୍କ ନାରେ କିଛି କିଛି ଅସୁଲ ପକାଇ ଦେଲେ ହେଲା । ଆଚ୍ଛା ଦାମୋଦରର ଦସ୍ତଖତ୍‌ କେଣେ ଅଛି ନା ?’’

 

‘‘ପଟ୍ଟନାୟକେ ଖାତା ଦେଖି କହିଲେ, ‘‘ହଁ, ସେଦିନ ତ ଦାମ ଟଙ୍କା ଦେବାକୁ ଆସିଥିଲେ-। ଏଇ ଖାତାରେ ଦସ୍ତଖତ୍‌ କରି ଦେଇଛନ୍ତି ।’’

 

ମିଶ୍ରେ ଖାତାଟା ଟାଣି ନେଇ ଦେଖି ମୁହଁ ବିଚିକିଟେଇ କହିଲେ, ‘‘ଉଁ ହୁଁ, ଟୋକାଟା ତ ଇଂରେଜୀରେ ଦସ୍ତଖତ୍‌ କରିଛି । ଏ ବିଦ୍ୟା ତ ଆମକୁ ଆସିବ ନାହିଁ ।’’

 

ଚୌଧୁରୀଏ କହି ପକାଇଲେ, ‘‘ଓହୋ, ଏଇଥିପାଇଁ ରହିଯିବ ନା ? ଡାକ ମାଷ୍ଟରଙ୍କୁ ।’’ ଗାଆଁ ମାଇନର ସ୍କୁଲର ସେକେଣ୍ଡ ମାଷ୍ଟର ଚୌଧୁରୀଙ୍କ ଘରେ ଥାଆନ୍ତି ।

 

ମାଷ୍ଟ୍ରେ ଆସିବାରୁ ଚୌଧୁରୀଏ ତାଙ୍କୁ ସବୁ କଥା ଫିଟାଇ କହିଲେ । ମାଷ୍ଟ୍ରେ ଚୌଧୁରୀଙ୍କ ନିମକ ଖାଉଛନ୍ତି, ସେ କଣ ନିମକ ହାରାମ୍‌ ହେବେ ? ଚୌଧୁରୀଙ୍କ କଥା ମୁତାବକ ମାଷ୍ଟ୍ରେ ହେଣ୍ଡନୋଟରେ ଦାମୋଦରଙ୍କ ନାମରେ କିଛି ଅସୁଲ ପକାଇ ତାଙ୍କ ନାମକୁ ଅବିକଳ ନକଲ କରି ଲେଖିଦେଲେ ।

 

ଏଥର ଚୌଧୁରୀଏ ଭାରି ଖୁସିଟାଏ ହୋଇ ନିଶ ନ ଥିଲେ ସୁଦ୍ଧା ନାକତଳ ଦୁଇପାଖରେ ନିଶ ମୋଡ଼ିଲା ପରି ଦୁଇଥର ହାତ ମାରି ଦେଇ ଗର୍ଜି ଉଠି କହିଲେ, ‘‘ଦେଖିବା ଟୋକାକୁ ଏବେ । କେଉଁ ବାପ ବୁଦ୍ଧି ଦେଇଛି ପରା ?’’

 

ମିଶ୍ରେ ଟିକିଏ ମୁରୁକି ମୁରୁକି ହସି କହିଲେ, ‘‘ଆଜ୍ଞା ଆପଣଙ୍କ ଆଗରୁ ବର୍ତ୍ତିଯିବାର କାହାର ଚାର ଅଛି । ସିଂହ ଆଗରୁ କି ବିଲୁଆ ଖସିଯିବ ?’’

 

ପଟ୍ଟନାୟକେ ଖାତା ପତ୍ର ଓ ହେଣ୍ଡନୋଟ ତିନି ଖଣ୍ଡ ନେଇ ଚାଲିଗଲେ । ମିଶ୍ରେ ଉଠୁ ଉଠୁ ହୋଇ କହିଲେ, ‘‘ଆଜ୍ଞା, ତେବେ ଆସେଁ ?’’

 

ଚୌଧୁରୀଏ ମିଶ୍ରଙ୍କ ହାତକୁ ନୋଟ ପାଞ୍ଚଖଣ୍ଡି ବଢ଼ାଇ ଦେଇ କହିଲେ, ‘‘ହେଉ ତେବେ ନିଅ ।’’

 

ମିଶ୍ରେ ନୋଟଗୁଡ଼ିକୁ ଏ ପାଖ ସେ ପାଖ ଭଲ କରି ଓଲଟାଇ ଦେଖି ଗଣି ଅଣ୍ଟାରେ ଗୁଞ୍ଜି ଦେଲେ । ହସି ହସି କହିଲେ, ‘‘କାଲି ତେବେ ସାଆନ୍ତରାଙ୍କ ଘରବାଟେ ବୁଲି ଆସିବି ?’’

 

ଚୌଧୁରୀଏ ଅଳ୍ପ ହସି କହିଲେ, ‘‘ଆଚ୍ଛା !’’

 

ମିଶ୍ରେ ନମସ୍କାରଟିଏ କରି ଚାଲିଗଲେ ।

 

[ସତର]

 

ବିମଳା ଯେ ବିଭା ହେଇ ଯାଇଛନ୍ତି, ଆଉ ବାପଘର ମୁହାଁ ହୋଇ ନାହାନ୍ତି । ମହାପାତ୍ରେ ମଧ୍ୟ ଝିଅକୁ ଆଣିବା ପାଇଁ ଆଉ ଚେଷ୍ଟା କଲେ ନାହିଁ । କାଳେ ଖରଚ ବେଶୀ ପଡ଼ିଯିବ-। ବାହାଘର ପରେ କେତେକ ଭାର ଇତ୍ୟାଦି ପଠାଇ ଦେଇ ପ୍ରଥମ ଓ ପୁନର୍ବିଭା ଘରର କାମ ଏକ ସଙ୍ଗେ ବଢ଼ାଇ ଦେଲେ । ବିମଳା ଅତି ପିଲାଟି ଦିନୁଁ ମାଆଙ୍କୁ ହରାଇ ମାତୃସ୍ନେହ ଅନେକଟା ଭୁଲି ଯାଇଥିଲେ, କିନ୍ତୁ ଶାଶୁଘରକୁ ଯାଇ ଶାଶୁଙ୍କ ଆଦର ବ୍ୟବହାରରେ ସେ ମାତୃସ୍ନେହ ପୁଣି ଫେରି ପାଇଛନ୍ତି । ବୁଢ଼ୀ ବୋହୂ କୁ ଭାରି ଦେଖି ପାରନ୍ତି । ନିଜର ଝିଅ ପରି ଦେଖନ୍ତି । ବୋହୂ ମଧ୍ୟ ଶାଶୁଙ୍କୁ ନିଜର ମା ପରି ଭକ୍ତି କରନ୍ତି । ସାଧାରଣତଃ ନୂଆବୋହୂ ଆସିଲେ ଯେପରି ଶାଶୁଙ୍କୁ ଲାଜ କରି ଓଢ଼ଣା ଟାଣି ଚାଲନ୍ତି, ଭଲ କରି କଥାବାର୍ତ୍ତା କରନ୍ତି ନାହିଁ, ଆମର ଏ ଶାଶୁ ବୋହୂ ମଧ୍ୟରେ ସେପରି ଭାବ ନାହିଁ । ପ୍ରଥମେ ବିମଳା ଟିକିଏ ଲାଜ ଲାଜ କରୁଥିଲେ ଦିନେ କଅଣ କହିବାକୁ ଆସି ଶାଶୁଙ୍କ ଆଗରେ ଓଢ଼ଣା ପକାଇ ଛିଡ଼ା ହେଲେ । ବୁଢ଼ୀ ବୋହୂ ଙ୍କ ଓଢ଼ଣା ଟାଣି ଦେଇ କୋଳକୁ ଆଉଯାଇ ନେଇ ହସି ହସି କହିଲେ, ‘‘ହୋଃ ! ହୋଃ ! ହୋଃ ! ଗୋଟାଏ ହାତେ ଲମ୍ୱ ଓଢ଼ଣା ଟାଣି ଦେଇ ଆସିଲା ଦେଖ । ତୁ ତ ମୋ ଝିଅ, ତୁ ଗୋଟାଏ ଲାଜ କରୁଛୁ କଅଣ ? ଛି ! ଛି-! ତୋତେ ଏ କଥା କିଏ ଶିଖେଇଲା ? ସେମିତିକା ଓଢ଼ଣା ଦେଇ ଆସିଲେ ମୁଁ ତୋ ସାଙ୍ଗରେ କଥା କହିବି ନାହିଁ ।’’ ସେହିଦିନୁଁ ବିମଳା ଆଉ ଶାଶୁଙ୍କ ଆଗରେ ଓଢ଼ଣା ଦିଅନ୍ତି ନାହିଁ । ଝିଅ ମାଆଙ୍କ ସଙ୍ଗରେ ଯେପରି ବ୍ୟବହାର କରେ ସେ ସେହିପରି ଶାଶୁଙ୍କ ସଙ୍ଗରେ ବ୍ୟବହାର କରନ୍ତି । ଗୋବର ପାଣି ପକାଇବା, ଘର ବାହାର ଓଳାଇବା, ଲିପାପୋଛା କରିବା ଇତ୍ୟାଦି ବାସି ପାଇଟିଠାରୁ ରନ୍ଧାବଢ଼ା ପର୍ଯ୍ୟନ୍ତ ସବୁ କାମ ବିମଳା ନିଜ ହାତରେ କରି ପକାନ୍ତି । ବୁଢ଼ୀଙ୍କୁ କିଛି କାମ କରିବାକୁ ଦିଅନ୍ତି ନାହିଁ ? ବୁଢ଼ୀଙ୍କର ଇଚ୍ଛା ବୋହୂ ଟା ପିଲା ମଣିଷ, ଏତେ କାମ ଗୁଡ଼ାକୁ କଅଣ ପାରିବ-? ତାଙ୍କର ଇଚ୍ଛା, ନିଜେ କିଛି କରି ପକାନ୍ତେ । ବୋହୂକୁ ଏତେ କାମ କରିବାକୁ ନ ପଡ଼ୁ, କିନ୍ତୁ ତାଙ୍କର ସେ ଇଚ୍ଛା ପୂର୍ଣ୍ଣ ହୁଏ ନାହିଁ; ବୁଢ଼ୀ ଯେତେବେଳେ କିଛି କାମ କରିବାକୁ ଗଲେ, ବିମଳା କେଉଁଠି ଥାଆନ୍ତି, ଦୌଡ଼ି ଯାଇ ବୁଢ଼ୀଙ୍କ ହାତରୁ କାମ ଛଡ଼ାଇ ନିଅନ୍ତି । ସ୍ନେହରେ ସମସ୍ତେ ବଶ ହୁଅନ୍ତି-

 

ନୂଆ ବୋହୂ ଟିଏ ଘରଦ୍ୱାର ଛାଡ଼ି, ବାପ ମା ଛାଡ଼ି ଶାଶୁଘରକୁ ଆସିଲା । ଶାଶୁ ଶ୍ୱଶୁରଙ୍କର କର୍ତ୍ତବ୍ୟ ଯେ, ସେମାନେ ତାକୁ ନିଜର ଝିଅ ପରି ସ୍ନେହ କରିବେ—ଯେପରି କି ସେ ତା ନିଜର ବାପ ମା, ଘରଦ୍ୱାର ଭୁଲିଯାଇ ସେମାନଙ୍କୁ ବାପ ମା ବୋଲି ଭାବିବ ଓ ସେମାନଙ୍କ ଘରକୁ ନିଜର ଘର ବୋଲି ମଣିବ । କିନ୍ତୁ ଆଜିକାଲିକା ସମାଜରେ ଏପରି ଦୃଶ୍ୟ ଖୁବ୍‌ ବିରଳ । ଅନେକ ସ୍ଥାନରେ ଦେଖାଯାଏ, ଶାଶୁ ବୋହୂ ଙ୍କ ଭିତରେ ଅପଡ଼ । ଶାଶୁମାନେ ବୋହୂ ମାନଙ୍କର ଦୋଷ ଖୋଜିବାରେ ବ୍ୟସ୍ତ; ଟିକିଏ ଛିଦ୍ର ପାଇଲେ ତିନି କଥା ଝାଡ଼ି ପକାଇବେ । ସେଥିରେ ବୋହୂ ର ମାନସିକ ଭାବ କିପରି ହେବ, ତାହା ସହଜରେ ଅନୁମେୟ ।

 

ପୁଅ ବିଚାରା ଏବେ କରେ କଅଣ ? ଏଆଡ଼େ ମା ସେଆଡ଼େ ସ୍ତ୍ରୀ । ସେ ବିଚାରା ମଝିରେ ପଡ଼ି ତ୍ରିଶଙ୍କୁ ଅବସ୍ଥା ପ୍ରାପ୍ତ ହୁଏ । ଏହାହିଁ ହେଉଛି ବର୍ତ୍ତମାନ ସମାଜର ସାଧାରଣ ଅବସ୍ଥା । ଶାଶୁ ବୋହୂ ର ଗୁରୁ । ସେ ଯଦି ବୋହୂ କୁ ସ୍ନେହ ଦ୍ୱାରା କଅଁଳ କଥା କହି ବଶ କରି ନେଉଥାନ୍ତେ, ତେବେ ଆଜି ଶାଶୁ ବୋହୂ କଳିର ସୃଷ୍ଟି ହୋଇ ନଥାନ୍ତା । ଅବଶ୍ୟ ବୋହୂ ମାନଙ୍କର ଯେ ଦୋଷ ନାହିଁ, ତା ନୁହେଁ । ଅନେକ ସମୟରେ ବୋହୂ ଯଦି ଟିକିଏ ବଡ଼ଲୋକ ଘର ଝିଅ ହୋଇଥାଏ କିମ୍ୱା ତଥାକଥିତ ଶିକ୍ଷିତ ହୋଇଥାଏ, ତେବେ ସେ ଶାଶୁଙ୍କୁ ଖାତିର କରେ ନାହିଁ; ତଥାପି ଏପରି ସ୍ଥଳେ ଉଦ୍ଧତା ବଧୂମାନଙ୍କୁ ସ୍ନେହଦ୍ୱାରା ବଶ କରିବାହିଁ ଏକମାତ୍ର ପନ୍ଥା ।

 

ସୁଖର ବିଷୟ, ଆମ ଦାମୋଦରଙ୍କ ପରିବାରରେ ସେପରି କୌଣସି ଅଶାନ୍ତି ନାହିଁ । ଆମ ବିମଳା ଆଦର୍ଶ ବଧୂ ଓ ଆମର ବୁଢ଼ୀ ଆଦର୍ଶ ଶାଶୁ । ବୁଢ଼ୀ କେବେ ବିମଳାକୁ ବୋହୂ ବୋଲି, ପରଝିଅ ବୋଲି ଭାବନ୍ତି ନାହିଁ । ବିମଳା ବି କେବେ ବୁଢ଼ୀଙ୍କୁ ଶାଶୁ ବୋଲି ଭାବନ୍ତି ନାହିଁ । ମାଆ ଝୁଅ ପରି ସୁଖରେ ଶାନ୍ତିରେ ସେମାନଙ୍କର ସମୟ କଟିଯାଏ । ବୋହୂ ଭଲ କଲେ ବି ବୁଢ଼ୀ ଖୁସି, ମନ୍ଦ କଲେ ବି ଖୁସି । କାରଣ ଯେ ଯାହାକୁ ସ୍ନେହ ଚକ୍ଷୁରେ ଦେଖେ, ସେ ତାହା ଗୁଣକୁ ସର୍ବଦା ଦେଖେ, ଦୋଷ ତାହା ଆଖିରେ ପଡ଼େ ନାହି । ବୁଢ଼ୀ ଯେଉଁଠି ବସିଲେ ବୋହୂ ର ପ୍ରଶଂସା ଦିପଦ ନ କହି ରହି ପାରନ୍ତି ନାହିଁ ।

 

ବିମଳାଙ୍କୁ ପାଇ ଦାମୋଦର ଭାରି ଖୁସି, ବିମଳା ମଧ୍ୟ ଦାମୋଦରଙ୍କୁ ପାଇ ମହାଖୁସି । ବିମଳାଙ୍କ ହୃଦୟ ସ୍ୱାମୀପ୍ରେମରେ ଭରା । ଦାମୋଦର ବଡ଼ ଲୋକଘର, ସୁନ୍ଦରୀ କନ୍ୟା, ଟଙ୍କା କଉଡ଼ି, ଜମିବାଡ଼ି, ଜାୟ ଜଉତୁକ ସବୁ ଛାଡ଼ି ନିଜର ଜମି ବିକି ବିମଳାଙ୍କୁ ବିବାହ କରି ଅଛନ୍ତି, କେବଳ ତାଙ୍କୁ ରକ୍ଷା କରିବା ପାଇଁ । ଏକଥା ମନେ ପଡ଼ିଲେ ବିମଳାଙ୍କ ଦେହ ଶୀତେଇ ଉଠେ—କୃତଜ୍ଞତାରେ ହୃଦୟ ଭରିଯାଏ ।

 

ସ୍ୱାମୀ ସ୍ତ୍ରୀ ମଧ୍ୟରେ ଯେଉଁ ଅନାବିଳ ପବିତ୍ର ପ୍ରେମ ରହିବାର କଥା, ତାହା ଆମ ଏଇ ନବବିବାହିତ ଦମ୍ପତି ପୂର୍ଣ୍ଣମାତ୍ରାରେ ଅନୁଭବ କରୁଥାଆନ୍ତି । ବିମଳା ଦାମୋଦରଙ୍କୁ ଭାରି ଦେଖିପାରନ୍ତି । ଦାମୋଦର ମଧ୍ୟ ବିମଳାଙ୍କୁ ଖୁବ୍‌ ସ୍ନେହ କରନ୍ତି । ସ୍ୱାମୀଠାରୁ ଓ ଶାଶୁଠାରୁ ଏପରି ପ୍ରେମ ଓ ସ୍ନେହ ପାଇ ବିମଳାଙ୍କ ଦିନସବୁ ଆନନ୍ଦରେ କଟି ଯାଉଥାଏ, ବାପଘର କଥା ତ ଏକାବେଳକେ ଭୁଲିଗଲେ । ତା ପରେ ସୀତାମଣିଙ୍କ ପାଖକୁ ଯେ ଦେବାପାଇଁ କହି ଆସିଥିଲେ, ତାହା ମଧ୍ୟ ଭୁଲିଗଲେ ।

 

ଦିନେ ଉପରଓଳି, ବୁଢ଼ୀ କୁଆଡ଼େ ବୁଲିବାକୁ ଯାଇଅଛନ୍ତି । ବିମଳା ଏକୁଟିଆ ପିଣ୍ଡାରେ ବସି ଖଣ୍ଡିଏ ରାମାୟଣ ପଢ଼ୁଥିଲେ । ଦାମୋଦର କୁଆଡ଼େ ବୁଲି ଯାଇଥିଲେ, ଫେରି ଆସି ପଚାରିଲେ, ‘‘ମା କାହାନ୍ତି ?’’ ବିମଳା ତରତର ହୋଇ ଉଠି ବସି କହିଲେ ‘‘କୁଆଡ଼େ ବୁଲି ଯାଇଛନ୍ତି ।’’

 

ଦାମୋଦର ପିଣ୍ଡାପାଖରେ ପହଞ୍ଚିବାରୁ ବିମଳା ମସିଣାରୁ ଉଠି ଯାଉଥିଲେ । ଦାମୋଦର ତାଙ୍କ ହାତ ଧରି ଟାଣି ନେଇ ମସିଣାରେ ବସି ପଡ଼ି କହିଲେ, ‘‘ରହ, ରହ, ପଳେଇ ଯାଉଛୁ କୁଆଡ଼େ । ମୁଁ କଅଣ ବାଘ ନାଁ ଭାଲୁ ।’’

 

‘‘ହଉ, ଛାଡ଼ ଛାଡ଼’’ ବିମଳା ଯେତେ କହିଲେ; ହାତ ଛାଡ଼ୁଛି କିଏ ? ବିମଳା ବାଧ୍ୟ ହୋଇ ସେହି ମସିଣାରେ ବସି ପଡ଼ିଲେ । ଦାମୋଦର ଯାକେଟ ପକେଟରୁ ଚିଠି ଖଣ୍ଡିଏ ବାହାର କରି ବିମଳାଙ୍କୁ ଦେଖାଇଲେ । ବିମଳା ଦେଖିଲେ ଯେ, ତାଙ୍କରି ନାଆଁ ଲେଖା ଅଛି । ହସ୍ତାକ୍ଷରରୁ ଚିହ୍ନି ପାରିଲେ ଯେ, ସୀତାମଣି ଲେଖି ଅଛନ୍ତି । ବିମଳା କହିଲେ, ‘‘ମୋ ଚିଠିଟା ଦିଅ ।’’

 

‘‘କାହିଁକି ?’’

 

‘‘ଏଁ ମୋ ଚିଠିଟା, ମୋତେ ଦବ ନାହିଁ ?’’

 

ଦାମୋଦର ହସି ହସି କହିଲେ, ‘‘ମୋତେ କଅଣ ବକ୍‌ସିସ୍‌ ମିଳିବ, ଆଗେ କହିସାର, ମୁଁ ଚିଠି ଦେବି ।’’

 

ବିମଳା ସେହିପରି ହସି ହସି କହିଲେ, ‘‘ମଲା ! ମୋ ଚିଠିଟା ମତେ ଦବ, ଏଥିରେ ଗୋଟାଏ ବକ୍‌ସିସ୍‌ କଅଣ ?

 

‘‘ତେବେ ପାଇବ ନାହିଁ’’ କହି ଦାମୋଦର ଚିଠି ଖଣ୍ଡି ଅଣ୍ଟାରେ ଗୁଞ୍ଜି ଦେଲେ ।

 

‘‘ଦିଅ, ଦିଅ’’ କହି ବିମଳା ଯେମିତି ଟିକିଏ ଉହୁଙ୍କି ପଡ଼ି ଦାମୋଦରଙ୍କ ଅଣ୍ଟାକୁ ହାତ ବଢ଼େଇ ଦେଇଛନ୍ତି, ସେମିତି ଦାମୋଦର ବିମଳାଙ୍କ ହାତକୁ ଧରି ଟାଣି ନେଇ ତାଙ୍କ ସୁକୋମଳ ଗଣ୍ଡଦେଶରେ ଗୋଟିଏ ସ୍ନେହଚୁମ୍ୱନ ଅଙ୍କିତ କରିଦେଲେ ।

 

ବିମଳା ସଲଜ୍ଜଭାବରେ ହସି ହସି କହିଲେ; ‘‘ଛି ! ମା ଆସୁଥିବେ, ଛାଡ଼ ଛାଡ଼ ।’’ ତାଙ୍କ କଥା ଶୁଣୁଛି କିଏ ? ଦାମୋଦର ପୁଣି ଆଉ ଗୋଟିଏ ସ୍ନେହଚୁମ୍ୱନ ଦେଲେ । ବିମଳା ସଲଜ୍ଜଭାବରେ ମୁର୍‌କି ମୁର୍‌କି ହସି କହିଲେ, ‘‘ହଉ, ଏବେ ହେଲା ତ ? ଖୁବ୍‌ ଲାଞ୍ଚ ପାଇଲଣି, ଏବେ ମୋ ଚିଠିଟା ଦିଅ ।’’

 

ଦାମୋଦର ଆଉ କଅଣ କହିବାକୁ ଯାଉଥିଲେ, ଦାଣ୍ଡଆଡ଼େ ବାଡ଼ି ଠୁକୁଠୁକୁ ଶୁଭିଲା । ମା ଆସିଲେଣି, ଜାଣି ପାରି ଦାମୋଦର ବିମଳା ଆଡ଼କୁ ଚିଠିଖଣ୍ଡ ଫିଙ୍ଗିଦେଇ ବାଡ଼ିଆଡ଼କୁ ଚାଲିଗଲେ ।

 

ବୁଢ଼ୀ ଆସି ବିମଳାଙ୍କୁ ପଚାରିଲେ, ‘‘ମା ! ପୁଅ ଆସିଲାଣି ?’’

 

‘‘ହଁ, ଏଇ ବାଡ଼ିଆଡ଼କୁ ଯାଇଛନ୍ତି’’ କହି ବିମଳା ଜଳ ଲୋଟାଏ ଆଣି ଶାଶୁଙ୍କ ଗୋଡ଼ ଧୋଇଦେଲେ ।

 

ସନ୍ଧ୍ୟାଦୀପ ଲଗେଇ ଦେଇ ଆଲୁଅ ଜାଳି ବିମଳା ସୀତାମଣିଙ୍କ ପତ୍ରଖଣ୍ଡି ପଢ଼ିଲେ । ସୀତାମଣି ଲେଖିଛନ୍ତି—

 

‘‘ସ୍ନେହର ବିମ !

 

ତୁ ଯେ କହି ଯାଇଥିଲୁ ଚାରିଦିନକୁ ଚାରିଦିନ ଭାଷା ଦେବୁ ବୋଲି, ଖୁବ୍‌ ଦେଉଛୁ ଏକା-? ଏକାବେଳକେ ଭୁଲିଗଲୁ ନାଁ ? ହଁ, ଭୁଲିଯିବୁ ନାହିଁ କାହିଁକି ? ହଉ, ମୋତେ ପଛକେ ଭୁଲି ଯା, କିନ୍ତୁ ମୁଁ ଆଶା କରେଁ, ତୁ ସୁଖରେ ଥିବୁ । ଦାମୋଦର ନନା କିପରି ଅଛନ୍ତି ? ବଡ଼ମା କିପରି ଅଛନ୍ତି-? ଟିକିଏ ମୋ ପାଖକୁ ଭାଷା ଲେଖିବୁ ମୁଁ ଓ ତୋ ନନା ଭଲ ଅଛୁଁ । ତୋ ପତ୍ରକୁ ଚାହିଁ ରହିଲି-। ଇତି ।

 

ତୋର

ନାନୀ’’

 

ସୀତାମଣିଙ୍କର ପତ୍ର ପଢ଼ି ବିମଳାଙ୍କ ମନରେ ଭାରି କଷ୍ଟ ହେଲା ଯାହା ଯୋଗୁଁ ଆଜି ସେ ଏ ଅତୁଳ ସୁଖର ଅଧିକାରିଣୀ, ସେହି ପ୍ରାଣର ସଙ୍ଗିନୀ ସୀତାମଣିଙ୍କ ପାଖକୁ ଚିଠି ଖଣ୍ଡିଏ ସୁଦ୍ଧା ଦେବାପାଇଁ ଭୁଲି ଯାଇଛନ୍ତି । ବିମଳାଙ୍କ ଆଖିରୁ ଟପ୍‌କିନି ଟୋପାଏ ଲୁହ ଗଡ଼ି ପଡ଼ିଲା । ତା ପରେ କାଗଜ କଲମ ଆଣି ଅନେକ କ୍ଷମା ପ୍ରାର୍ଥନା କରି ସେ ସୀତାମଣିଙ୍କ ପାଖକୁ ଖଣ୍ଡିଏ ପତ୍ର ଲେଖିଲେ ।

 

[ ଅଠର ]

 

ଏଥି ମଧ୍ୟରେ ଦୁଇ ମାସ କାଳ ଗତ ହୋଇ ଗଲାଣି । ଏହି ଅଳ୍ପ ସମୟ ମଧ୍ୟରେ ଅନେକ ଘଟନା ଘଟିଗଲାଣି । ଗୋବର୍ଦ୍ଧନ ସାଆନ୍ତରାଙ୍କ ସହିତ ଯମୁନାର ବିଭାଘର ହୋଇଗଲାଣି-। ସାଆନ୍ତରାଙ୍କ ଲାଗି ଠିକ୍‌ ହୋଇଥିବା କନ୍ୟାକୁ ଦାମୋଦର ବିଭା ହେଇ ଯିବାରୁ ସାଆନ୍ତରା ବଡ଼ ମନଦୁଃଖରେ ଥିଲେ; କିନ୍ତୁ ମାର୍କଣ୍ଡ ମିଶ୍ରଙ୍କଠାରୁ ଚୌଧୁରୀଙ୍କ ଝିଅ କଥା, ବିନା ପଇସାରେ ସୁନ୍ଦରୀ କନ୍ୟାଲାଭ କଥା ଶୁଣି ବୁଢ଼ାଙ୍କ ପାଟିରୁ ଲାଳ ଗଡ଼ି ପଡ଼ିଲା । ସେ ଅତି ଖୁସିରେ ରାଜି ହୋଇଗଲେ-। ଯଥା ସମୟରେ ଯଥାବିଧି ଚୌଧୁରୀଏ ଗୋବର୍ଦ୍ଧନ ସାଆନ୍ତରାଙ୍କ ହାତରେ କନ୍ୟାରତ୍ନଟିକି ସମର୍ପଣ କରି ଦେଇ କନ୍ୟାଦାୟରୁ ମୁକ୍ତ ହେଲେ; ମଥାରୁ ଗୋଟାଏ ଗୁରୁଭାର ଓହ୍ଲାଇ ଗଲା-। ବିବାହ ପରେ ଯମୁନା ମଧ୍ୟ ଭାରି ଖୁସି ହୋଇ ଗୁରୁବାରୀକି ଗୋଟିଏ ପାଟଶାଢ଼ି ଓ ଗୋଟିଏ ସୁନାର ଡେଉଁରିଆ ମାଳି ପୁରସ୍କାର ଦେଲେ ଓ ବାପାଙ୍କ ପାଖରେ ଅଳି କରି ଗୁରୁବାରୀକି ସାଙ୍ଗରେ ନେଇଗଲେ । ବିଭାଘରରେ ମଧ୍ୟସ୍ଥତା କରି ମିଶ୍ରଙ୍କର ମଧ୍ୟ ବେଶ ଦି ପଇସା ହାତପୈଠ ହେଲା-। ବିଭାଘର ପରେ ମିଶ୍ରେ ଚୌଧୁରୀଙ୍କ ପକ୍ଷରୁ ଗୋଟିଏ ପାଟଯୋଡ଼ ଓ ସାଆନ୍ତରାଙ୍କ ଆଡ଼ୁ ଗୋଟିଏ ପାଟଯୋଡ଼, ଏପରି ଦୁଇ ଯୋଡ଼ ପାଟ ବିଦାକୀ ପାଇଲେ, ଆଉ ଟଙ୍କା ପଇସା କାହାଠାରୁ କଅଣ ପାଇଲେ, ସେ କଥା ଆମକୁ ଜଣା ନାହିଁ । ତେବେ ଶୁଣୁଛୁଁ, ବିଭାଘର ପରେ ମିଶ୍ରେ କୁଆଡ଼େ ଦୁଇ ମାଣ ଜମି ନଗଦା ନଗଦି କିଣି ପକାଇଛନ୍ତି ।

 

ଝିଅ ବିଦାୟ କରି ସାରି ଚୌଧୁରୀ ନିଶ୍ଚିନ୍ତ ହୋଇ ବସି ପାରିଲେ ନାହିଁ । ବର୍ତ୍ତମାନ ଆଉ ଗୋଟିଏ ଚିନ୍ତା ତାଙ୍କ ମଗଜରେ ପ୍ରବେଶ କଲା । ସବୁ ତ ହେଲା—ହଁ, କିନ୍ତୁ ଦାମୋଦରକୁ ତ ଜବ୍ଦ କରି ହେଲା ନାହିଁ । ଟୋକାଟାର ଏଡ଼େ ବହପ ଯେ, ଚୌଧୁରୀ ସାଆନ୍ତଙ୍କ ପରି ପ୍ରବଳପରାକ୍ରାନ୍ତ ଜମିଦାରଙ୍କୁ ଟିକିଏ ବୋଲି ଖାତିରି କଲା ନାହିଁ ।

 

ଦିନେ ଚୌଧୁରୀଏ ମାର୍କଣ୍ଡ ମିଶ୍ରଙ୍କୁ ଡକାଇ ତାଙ୍କ ସହିତ ପରାମର୍ଶ କରି ଦାମୋଦରଙ୍କ ନାଆଁରେ ୧୫୫୦ ଟଙ୍କାରେ ଗୋଟିଏ ନାଲିସ ଭଦ୍ରଖ ମୁନସଫି କୋଟରେ ଦାଏର କରି ଦେଲେ-। ମିଶ୍ରେ ତ ରହିଲେ ହେଣ୍ଡନୋଟର ସାକ୍ଷୀ । ଟଙ୍କା ନେବା ସମୟରେ ସାକ୍ଷୀ ରହିଲେ ମଦନ ମହାନ୍ତି, ଶଙ୍କର ଦାସେ ଓ ନରହରି ମହାପାତ୍ରେ ।

 

ମହାପାତ୍ରେ ଟିକିଏ ମୋଡ଼ିମାଡ଼ି ହେଉଥିଲେ । ଚୌଧୁରୀଏ ତାଙ୍କୁ ସାକ୍ଷୀ ହେବାକୁ କହିବାରୁ ମହାପାତ୍ରେ ଟିକିଏ ଇତସ୍ତତଃ କରି କହିଲେ; ‘‘ଆଜ୍ଞା ! କେମିତି ସେ କଥାଟା କହିବାକୁ ଯିବି ? ମୁଁ ତ ଆଜ୍ଞା ନ ଥିଲି ସେ ସମୟରେ ।’’

 

ମହାପାତ୍ରଙ୍କ କଥା ଶୁଣି ଚୌଧୁରୀଏ ଟିକିଏ ରାଗିଯାଇ କହିଲେ, ‘‘ହେଉ ତେବେ ତମଲାଗି କଅଣ ଆମ କାମ ଅଟକି ଯିବ ? ଆଚ୍ଛା ! ଆମର ବର୍ତ୍ତମାନ ଖରଚ ଅଛି । ତୁମେ ଯେ ଦୁଇଶ ଟଙ୍କା ନେଇଥିଲ, କାଲି ଭିତରେ ଦେଇଗଲ ?’’ ମହାପାତ୍ରେ ଅନୁନ୍ୱୟ ସ୍ୱରରେ କହିଲେ ‘‘ଆଜ୍ଞା । ଆପଣ ତ ଦେଖୁଛନ୍ତି, ଏ ବର୍ଷ ଚାଷର ହାଲ ଯେପରି, ଏତେ ଟଙ୍କା ବର୍ତ୍ତମାନ କୁଆଡ଼ୁ ପାଇବି ?’’

 

ଚୌଧୁରୀଏ ଗର୍ଜି ଉଠି କହିଲେ, ‘‘ଦେବାକୁ ହେବ, ଅଲବତ୍‌ ଦେବାକୁ ହେବ । ଆମେ କଅଣ ତମ ବେଠିଆ ଥିଲୁଁ କି ? ତମକୁ ଟଙ୍କା ଦବା ତମ ଗରଜ ବେଳେ, ଅଥଚ ସମୟ ଅସମୟରେ ଗୋଟାଏ କଥା କହିଲେ ଆମ କଥାଟା ଖାତିରି ପଡ଼ିବ ନାହିଁ ।’’

 

ମଦନ ମହାନ୍ତି ଖୁଁ ଖୁଁ କାସି କଅଣ କହିବାକୁ ଯାଉଥିଲେ । ଚୌଧୁରୀଙ୍କର ଭୈରବ ମୂର୍ତ୍ତି ଦେଖି ତାଙ୍କ କଥା ତାଙ୍କପେଟ ଭିତରେ ଅଟକିଗଲା । ମାର୍କଣ୍ଡ ମିଶ୍ରେ ଚୁପ୍‌ ଚୁପ୍‌ ମହାପାତ୍ରଙ୍କ କାନ ଭିତରେ କହିଲେ, ‘‘ହେଇ ହେ ! ଗୋଟାଏ ସାକ୍ଷୀ ହୋଇଯାଅ । ନ ହେଲେ ଏତେ ହରବରରେ ପଡ଼ିବ କାହିଁକି ?

 

ମହାପାତ୍ରେ ଅନୁନ୍ୱୟ ସ୍ୱରରେ ହାତଯୋଡ଼ି କହିଲେ; ‘‘ହେଉ ଆଜ୍ଞା, ସାକ୍ଷୀ ହେବି ପଛକେ, ମୋତେ ଏ ସମୟରେ ମାଫ୍‌ କରନ୍ତୁ ।’’

 

ଚୌଧୁରୀ ଆଉ ଟିକିଏ ବେଶୀ ରାଗି ଉଠି କହିଲେ, ‘‘ନାହିଁ ନାହିଁ, ଆମର ସାକ୍ଷୀ ଢେର୍‌ ଅଛନ୍ତି । ଆଉ ଆମର ସାକ୍ଷୀ ଲୋଡ଼ା ନାହିଁ । ତମେ ଆମ ଟଙ୍କାଟା କାଲି ମଧ୍ୟରେ ଦେଇଯାଅ ତ-।’’

 

ମହାପାତ୍ରେ ତ ଭଲା ଅଡ଼ୁଆରେ ପଡ଼ିଲେ, କରୁଛନ୍ତି ଏବେ କଅଣ ? ଚୌଧୁରୀଏ ଯେତେବେଳେ ଅଡ଼ି ବସିଲେଣି, ଆଉ ବା ତାଙ୍କ ଆଗରେ କଥା କହୁଛି କିଏ ? ଶେଷରେ ମିଶ୍ରଙ୍କ ଆଡ଼କୁ ଚାହିଁଲେ ।

 

ମିଶ୍ରେ ବୁଝି ପାରି କହିଲେ, ‘ଆଜ୍ଞା ! ସେଟା ତାଙ୍କର ଦୋଷ ହୋଇଛି, କ୍ଷମା କରନ୍ତୁ ।’’ ମହାପାତ୍ରେ ହାତଯୋଡ଼ି କହିଲେ, ‘ଆଜ୍ଞା ! ମୋ ଦୋଷ ମାଫ୍‌ କରନ୍ତୁ ।’’

 

ଚୌଧୁରୀ ଟିକିଏ ନରମିଯାଇ ମୁର୍‌କି ମୁର୍‌କି ହସି କହିଲେ ‘‘ସେୟା ତ କରିବାର ଥିଲା-। ଏତେ ବଦ୍‌ମାସି ବାହାରୁଥିଲା କାହିଁକି ? ଜାଣ ନାହିଁ; ମୋ ନାଆଁ ଜନାର୍ଦ୍ଦନ ଚୌଧୁରୀ । ଚିହ୍ନ ନାହିଁ ମୋତେ ?’’

 

ମିଶ୍ରେ କହିଲେ, ‘‘ହେଉ ଆଜ୍ଞା ! ତାଙ୍କୁ ଏଥରକ କ୍ଷମା ଦିଅନ୍ତୁ ସେ ସାକ୍ଷୀ ହେବାକୁ ରାଜି ଅଛନ୍ତି ।’’

 

ଚୌଧୁରୀଏ ଆହୁରି ଟିକିଏ ନରମିଯାଇ କହିଲେ, ‘‘ନାଁ, ସେ କଥା ମୁଁ କହୁ ନାହିଁ ଯେ, ଦେଖ ତ ୟାଙ୍କର ଅକଲ । ମୁଁ ଗୋଟାଏ କଥା କହୁଛି—ତା ଉପରେ ୟାଙ୍କର ତିନି କଥା । କିହୋ ମହାନ୍ତିଏ ! କିହୋ ଦାସେ ?

 

ମହାନ୍ତିଏ ଖନେଇ ଖନେଇ କହିଲେ, ‘‘ଆ-ଆ-ଜ୍ଞା ! ତା ଯା କହିଲେ, ଏକା ସ ଅ-ଅ ତ-। ଆ-ଆ-ଆ-ପଣଙ୍କ ମୁହଁ ଉପରେ ଗୋ-ଗୋ-ଗୋଟାଏ କଥା ଅ-ଅ-ଅଛି ନାଁ ?’’

 

ଦାସେ ବି ଟିକିଏ ଗଳା ଖଙ୍କାରି ଦେଇ କହିଲେ, ‘‘ଆଜ୍ଞା ! କଥା ତ ସେୟା । ସେ ଟିକିଏ ଏତିକି ସମଝି ପାରିଲେ ନାହିଁ, ଆପଣଙ୍କ କଥାର ମୂଲ୍ୟ କେତେ । ଆପଣଙ୍କ କଥା ଉପରେ କଥା କହିବାଟା କଅଣ ଭଲ ?’’

 

ମହାପାତ୍ରଙ୍କର ଚୌଧୁରୀଙ୍କ ଉପରେ ଯେତେ ରାଗ ହୋଇ ନ ଥିଲା, ଦାସଙ୍କ ଓ ମହାନ୍ତିଙ୍କ କଥା ଶୁଣି ସେ ମନେ ମନେ ଜଳୁଥାଆନ୍ତି; ରାଗିଲେ—କିନ୍ତୁ ପାଟି ଫିଟେଇବାର ଉପାୟ ନାହିଁ । ଚୌଧୁରୀଏ ପଚାରିଲେ, ‘‘ହଇ ହେ ମିଶ୍ରେ; ଓକିଲ କାହାକୁ ଦେବା ?’’

 

ମିଶ୍ରେ ଟିକିଏ ଗମ୍ଭୀରଭାବରେ ବସି କହିଲେ, ‘‘ଆଜ୍ଞା ! ସଦାଶିବ ବାବୁ ସହର ଭିତରେ ବଡ଼ ଓକିଲ । ତାଙ୍କର ଫିସ୍‌ ଦିନକୁ ଷୋହଳ ଟଙ୍କା, ଜାଣିଲେ ! ଏତେ ଟଙ୍କାର ନାଲିଶ; ଦିପଇସା ବେଶି ପଡ଼ୁ ପଛକେ ଗୋଟାଏ ଟାଣୁଆ ଓକିଲ ଦବା ଦରକାର ।’’

 

ଚୌଧୁରୀଏ ଖୁସି ହୋଇ କହିଲେ, ‘‘ହଁ, ହଁ, ଠିକ୍‌ କହିଲ, ପଇସାକୁ ପଚାରେ କିଏ ହେ-? କାମ ହେଲେ ହେଲା । ହଁ, ସେହି ସଦାଶିବ ବାବୁଙ୍କୁ ଓକିଲ ଦବା । ତମେ ଟିକିଏ କାଲି ଭୋର୍‌ ଭୋର୍‌ ଉଠି ଚାଲିଯାଅ । ଓକିଲ ସଙ୍ଗେ ପରାମର୍ଶ କରି ସବୁ ଠିକ୍‌ଠାକ୍‌ କରିବ ।’’

 

[ ଉଣେଇଶ ]

 

ଗୋବର୍ଦ୍ଧନ ସାଆନ୍ତରାଙ୍କର ଅନେକ କୁଟୁମ୍ୱ । ସବୁବେଳେ ଗହଳ ଚହଳ ଲାଗିଥାଏ । ଯମୁନାଙ୍କୁ ସେ ଗୁଡ଼ାକ ସୁଖ ଲାଗିଲା ନାହିଁ । ଯମୁନା ଗୁରୁବାରୀ ହାତରେ ସାଆନ୍ତରାଙ୍କ ପାଖକୁ କହି ପଠାଇଲେ ଯେ, ନିରୋଳା ଜାଗା ନ ହେଲେ ତାଙ୍କୁ ନିଦ ହେବ ନାହିଁ । ସେ ଏମିତିକା ଗୋଳମାଳ ଭିତରେ ରହି ପାରିବେ ନାହିଁ । ସାଆନ୍ତରାଙ୍କ ଭିତରି ପରସ୍ତକୁ ଲାଗି ଆଉ ଗୋଟିଏ ପରସ୍ତ ଥିଲା, ସେଟା ବି ପକ୍କା । ତାହାର ଏକ ପାଖରେ ଗୋଟାଏ ବଡ଼ ଅମାର, ଅନ୍ୟ ଅନ୍ୟ ପାଖରେ ଘର । ତଳ ମହଲାରେ ତିନୋଟି ଓ ଉପର ମହଲାରେ ଦିଓଟି କୋଠରୀ । ସେ ପରସ୍ତଟାରେ କେହି ରହନ୍ତି ନାହିଁ । କେବଳ ଅମାର ଜଗିବା ପାଇଁ ଚାକର ବାକରମାନେ ରାତିରେ ଶୁଅନ୍ତି । ଯମୁନାଙ୍କ ରହିବା ଲାଗି ସେହି ପରସ୍ତଟା ସଫା ସୁତୁରା କରାଗଲା । ଉପର ମହଲାରେ ବଡ଼ ବଡ଼ ଖିଡ଼ିକି ଲୁଗା ଗୋଟିଏ ଘର ଯମୁନାଙ୍କର ଶୋଇବା ଘରରୂପେ ଠିକ୍‌ ହେଲା । ଅନ୍ୟ ଘରଟିରେ ଶୋଇବ ଗୁରୁବାରୀ ।

 

ବିଭା ହୋଇ ଗଲା ଦିନୁ ସାଆନ୍ତରାଙ୍କ ସହିତ ଯମୁନାଙ୍କର ଭେଟ ହୋଇନାହିଁ । ଯମୁନା ଗୁରୁବାରୀକି ଆଗରୁ କହି ଦେଇଥାଆନ୍ତି, ବୁଢ଼ା ସେ ପରସ୍ତକୁ ଆସିଲେ ଗୁରୁବାରୀ ଯାଇ କହେ, ‘‘ଆଜ୍ଞା ! ସାଆନ୍ତାଣୀଙ୍କର ଦେହ ଆଜି ଭାରି ଖରାପ । ସେ କବାଟ କିଳି ଶୋଇ ପଡ଼ିଛନ୍ତି ।’’ କେବେ ମଥା ବିନ୍ଧୁଛି, କେବେ ପେଟ ଟାଣୁଛି, କେବେ ଝାଡ଼ା ହେଉଛି । ଏହିପରି କହି ଗୁରୁବାରୀ ବୁଢ଼ାଙ୍କୁ ଭୁଲାଇ ଦେଉଥାଏ । ସାକ୍ଷାତରେ କଥାବାର୍ତ୍ତା ନ ହେଲେ କଅଣ ହେବ, ବୁଢ଼ାଙ୍କୁ ଫରମାସ କରିବାରେ ଯମୁନା ଛାଡ଼ୁ ନ ଥାନ୍ତି । ଗୁରୁବାରୀ ଦ୍ୱାରା ସବୁ କାମ ହୋଇ ଯାଉଥାଏ । ଆଜି ଏ ଗହଣାଟା ଲୋଡ଼ା, କାଲି ସେ ଲୁଗାଟା ଲୋଡ଼ା, ଏହିପରି ନାନାପ୍ରକାର ସୌଖିନ ଦ୍ରବ୍ୟର ଫରମାସ ପ୍ରତିଦିନ ଯମୁନା ଗୁରୁବାରୀ ମାରଫତରେ ବୁଢ଼ାଙ୍କ ପାଖକୁ ପଠେଇ ଦେଉଥାନ୍ତି । ବୁଢ଼ା ମଧ୍ୟ ନବପରିଣୀତାଙ୍କ ପ୍ରେମଲାଭ କରିବା ଆଶାରେ ମୁହୂର୍ତ୍ତେ ବିଳମ୍ୱ ନ କରି ସେ ସବୁ ଜିନିଷମାନ ଯୋଗାଇ ଦେଉଥାନ୍ତି । ହାୟ, ଆଶା !

 

ହାୟ ଆଶା ! ମନୁଷ୍ୟ ଆଶାର ପ୍ରଲୋଭନରେ ପଡ଼ି, କୁହୁକିନୀର କୁହୁକ ମନ୍ତ୍ରରେ ଭୁଲି କଅଣ କରି ନ ପାରେ ! ମନୁଷ୍ୟ ଆଶା କରେ ସବୁ, କିନ୍ତୁ କେତେ ଜଣଙ୍କ ଆଶାରେ ସଫଳ ହୋଇଥାଏ ? ସାଅନ୍ତରା ବୁଢ଼ାଙ୍କର ଆଶାରେ ସୀମା ନାହିଁ । ଆଶାମରୀଚିକା ଜଳରେ ନିମଗ୍ନ ହୋଇ ବୁଢ଼ା ଧାଇଁଛନ୍ତି ସୁଖଲାଭ ପାଇଁ । ସୁନ୍ଦରୀ ଷୋଡ଼ଶୀ ଯୁବତୀ ବିବାହ କରିଛନ୍ତି । ଆଶା ଥିଲା, କେତେ ହସ କୌତୁକରେ, କେତେ ଆମୋଦ ପ୍ରମୋଦରେ ସମୟ କାଟିବେ, କିନ୍ତୁ କାହିଁ ? ବିଭାଘର ତ ଦୁଇମାସ ବିତିଗଲାଣି । ଦିନେ ହେଲେ ତ ନବବଧୂଙ୍କ ଶ୍ରୀମୁଖ ଦର୍ଶନ କରିବା ବୁଢ଼ାଙ୍କ ଭାଗ୍ୟରେ ଘଟିଲା ନାହିଁ ?

 

ନୂଆ ସାଆନ୍ତାଣୀଙ୍କ ଉଆସରୁ ବାରମ୍ୱାର ଫେରି ଫେରି ବୁଢ଼ା ଜାଣି ପାରିଲେ ଯେ ଏଥିମଧ୍ୟରେ କୌଣସି ଗୂଢ଼ ରହସ୍ୟ ଅଛି । ଦିନେ ସନ୍ଧ୍ୟା ସମୟରେ ବୁଢ଼ା ଖୁବ୍‌ ଦୃଢ଼ପ୍ରତିଜ୍ଞ ହୋଇ ଗଲେ, ଆଜି ଆଉ ଫେରି ଆସିବେ ନାହିଁ । ଯେମିତି ହେଉ, ଥରେ ଦେଖା କରିବେ ।

 

ଅନ୍ଧକାରରେ ତିନି ଚାରି ଜାଗା ପଡ଼ି ଉଠି ବୁଢ଼ା ଯାଇ ନବ ପରିଣୀତାଙ୍କ ଶୟନଗୃହ ପାଖରେ ପହଞ୍ଚି ଦେଖିଲେ ଯେ, ଭିତରୁ କବାଟ କିଳା ହୋଇଛି । ଭିତରେ ଦୁଇ ଜଣ ବସି କଥାବାର୍ତ୍ତା ହେଉଥିବା ଶୁଣାଗଲା ।

 

ବୁଢ଼ାଙ୍କ କାନରେ ହଠାତ୍‌ ବାଜିଗଲା କିଏ ଯେପରି କହୁଛି, ‘‘ବୁଢ଼ାଟା ତ ଭାରି ଗୋଳମାଳ କଲା ରୋଜ୍‌ ରୋଜ୍‌ ଆସୁଛି, ତାକୁ ଏବେ ପ୍ରତିଦିନ କଅଣ କହି ବିଦାୟ କରିବୁଁ ? ଏମିତି କିଛି ଉପାୟ ନାହିଁ ଯେ ବୁଢ଼ା ଆଉ ଯେପରି ନ ଆସି ପାରିବ ।’’

 

କିଏ ଏ, କାହାର ସ୍ୱର ଶୁଭୁଛି, ଏ ତ ଗୁରୁବାରୀର ସ୍ୱର, ନୁହେଁ ? ଗୁରୁବାରୀର ସ୍ୱର ତ ଏଡ଼େ କୋମଳ ନୁହେଁ ? ଗୁରୁବାରୀର ସ୍ୱର ତ ବୁଢ଼ା ଅନେକଥର ଶୁଣିଛନ୍ତି ? ଏ ତ ତା ସ୍ୱର ପରି ଜଣାଯାଉ ନାହିଁ । ତେବେ ଆଉ କାହାର ? ଅନ୍ୟ ଲୋକ ତ କେହି ଏଠାରେ ନାହାନ୍ତି । ଅଛି ଏକା ଗୁରୁବାରୀ ଆଉ ତାଙ୍କ ନବପରିଣୀତା ସୁନ୍ଦରୀ ସ୍ତ୍ରୀ ! ଏ ତେବେ କଅଣ ତାଙ୍କ ସ୍ତ୍ରୀଙ୍କ କଥା ? ତାଙ୍କ ନବବିବାହିତା ପ୍ରେୟସୀଙ୍କ କଥା ? ବୁଢ଼ା ଆଉ ଭାବି ପାରିଲେ ନାହିଁ । ମଥା ଘୂରେଇ ଦେଲା । ପୁଣି ଭାବିଲେ, ‘‘ନାଁ ମୋର ବୋଧହୁଏ ଭ୍ରମ ହୋଇଥିବ । ଆଚ୍ଛା ଦେଖେଁ ।’’ ବୃଦ୍ଧ ଆଉ ଟିକିଏ ପାଖେଇ ଯାଇ ଅତି ସନ୍ତର୍ପଣରେ କାନଡେରି ଶୁଣିଲେ, କିଏ ଯେପରି ଅତି କୋମଳ ସରୁ ଗଳାରେ କହୁଛି ‘‘ଗୁରୁବାରୀ ! ଏଥର ସେ ଆସିଲେ ତୁ କହିଦେବୁ ଯେ, ତାଙ୍କ ଦେହ ବଡ଼ ଖରାପ୍‌; ଭଲ ନ ହେବା ପର୍ଯ୍ୟନ୍ତ ସେ ଯେପରି ନ ଆସନ୍ତି ।

 

ବୃଦ୍ଧଙ୍କର ମଥା ପୁଣି ଗରମ ହୋଇ ଉଠିଲା । ତାଙ୍କରି ସ୍ତ୍ରୀ ତାଙ୍କରି ପତ୍ନୀ, ତାଙ୍କରିଠାରୁ ଦୂରରେ ରହିବାକୁ ଚାହେଁ । ତାଙ୍କୁ ଦୂରକୁ ତଡ଼ି ଦେବାକୁ ଚାହେଁ ? ବୃଦ୍ଧ ଆଉ ସମ୍ଭାଳି ପାରିଲେ ନାହିଁ । ଉତ୍ତେଜିତ ସ୍ୱରରେ ଡାକିଲେ, ‘‘ଗୁରୁବାରି ! ଏ ଗୁରୁବାରି ! କବାଟ ଫିଟା ।’’

 

କବାଟ ଫିଟିଲା ନାହିଁ । ଭିତରୁ ଗୁରୁବାରୀ ପଚାରିଲା, ‘‘କିଏ ?’’

 

ବୃଦ୍ଧ ରାଗରେ କମ୍ପି କମ୍ପି କହିଲେ, କିଏ ମାଲୁମ ପଡ଼ୁ ନାହିଁ ? ମୁଁ—’’

 

ଭିତରୁ ଜବାବ ଆସିଲା, ‘‘ଆଜ୍ଞା ! ସାଆନ୍ତ, ନାଁ କିଏ ? ଆଜ୍ଞା ଆପଣ ଆଗରୁ ଖବର ନ ପଠାଇ ଆସିଲେ କିପରି ? ଆଜ୍ଞା ଆଜି ତ ସାଆନ୍ତାଣୀଙ୍କ ଦେହ ଭାରି ଖରାପ । ମଥାଟା ଭାରି ବିନ୍ଧୁଛି । ମୁଁ ଜଳପଟି ଦେଇ ବସିଛି । ଆଜ୍ଞା ଛାଡ଼ିକରି କିପରି ଯିବି ? ଆଜ୍ଞା ! ଆଜି ଫେରିଯାଆନ୍ତୁ, କାଲି ସକାଳେ ଯାଇ ଆପଣଙ୍କୁ ଖବର ଦେବି ।’’

 

ବୃଦ୍ଧ ରାଗରେ ଜଳି ଉଠିଲେ । କଅଣ କହିପକାଇବାକୁ ଯାଉଥିଲେ, ପୁଣି ଭାବିଲେ, ‘‘ନାଃ, ଦେଖାଯାଉ କଅଣ ହଉଛି ।’’ ଟିକିଏ ନରମ ସ୍ଵରରେ କହିଲେ, “କେତେବେଳୁଁ ମଥା ବିନ୍ଧିଲାଣି ? ଆଚ୍ଛା, ଟିକିଏ କବାଟ ଫିଟାଇଲୁ, ମୁଁ ଦେଖେଁ । ତାହାହେଲେ ଗୋଟାଏ କିଛି ଉପାୟ କରିବାକୁ ହବ । ବଇଦ କବିରାଜ ଡକାଇବାକୁ ହବ । ତାହା ନ ହେଲେ କେତେ ଦିନ ଆଉ ଏପରି କଷ୍ଟ ପାଉଥିବେ ?’’

 

ବୁଢ଼ାଙ୍କ କଥା ଶୁଣି ଯମୁନା ଓ ଗୁରୁବାରୀ ଦୁହିଙ୍କର ସାହସ ହେଲା । ପ୍ରଥମେ ବୁଢ଼ାଙ୍କ ଉତ୍ତେଜିତ ସ୍ୱର ଶୁଣି ସେ ଭାବିଥିଲେ—ବୋଧହୁଏ ବୁଢ଼ା ସବୁ ଶୁଣିଛନ୍ତି—କିନ୍ତୁ ବୁଢ଼ାଙ୍କର କଥା ଶୁଣି ତାଙ୍କର ବିଶ୍ୱାସ ହେଲା ଯେ, ବୁଢ଼ା କିଛି ଶୁଣି ନାହାନ୍ତି ।

 

ପୁଣି ଭିତରୁ ଜବାବ୍‌ ଆସିଲା, ‘‘ଆଜ୍ଞା ! ସାଆନ୍ତାଣୀଙ୍କୁ ବର୍ତ୍ତମାନ ଟିକିଏ ନିଦ ହୋଇ ଯାଇଛି, ଦିନଯାକ ତ ଛଟପଟ ହେଉଛନ୍ତି । ବର୍ତ୍ତମାନ ତାଙ୍କ ନିଦଟା ଭଙ୍ଗେଇ ଦବା ଭଲ ନୁହେଁ । ଆପଣ ବର୍ତ୍ତମାନ ଯାଆନ୍ତୁ, କାଲିଆଡ଼କୁ ଆସିବେ, ନୋହିଲେ ମୁଁ ଯାଇ ଖବର ଦେଇ ଆସିବି’’

 

ବୃଦ୍ଧ ପୁଣି କହିଲେ, ‘‘ଆଚ୍ଛା ହେଉ, ଶୁଅନ୍ତୁ ! ତୁ ଟିକିଏ କବାଟ ଫିଟା, ମୁଁ ଦେଖି ଚାଲିଯିବି ।’’

 

ଆଉ ଉପାୟ ନାହିଁ ଦେଖି ଯମୁନା ଖଟ ଉପରକୁ ଯାଇ ମିଛରେ ଆଖି ବୁଜି ଶୋଇ ପଡ଼ିଲେ । ଗୁରୁବାରୀ ଖଣ୍ଡିଏ ସରୁ କନା ପାଣିରେ ଭିଜାଇ ତାଙ୍କ କପାଳ ଉପରେ ଲଗାଇ ଦେଲା ।

 

ବୃଦ୍ଧ ପୁଣି ଡାକିଲେ, ଶୀଘ୍ର କବାଟ ଫିଟା ?’’ ‘‘ଆଜ୍ଞା ! ଫିଟାଉଛି,’’ କହି ଗୁରୁବାରୀ କବାଟଟା ଫିଟାଇ ଦେଲା ।

 

ବୃଦ୍ଧ ଘର ଭିତରକୁ ପଶିଗଲେ । ପଲଙ୍କ ଉପରକୁ ଚାହିଁ ଦେଲା ମାତ୍ରେ ତାଙ୍କର ଆଖିର ପଲକ ପଡ଼ିଲା ନାହିଁ । ଏ ତାଙ୍କର ସ୍ତ୍ରୀ, ଏଡ଼େ ସୁନ୍ଦର—ଠିକ୍‌ ଯେପରି ଚିତ୍ରପ୍ରତିମା । ସୁନ୍ଦର ଆୟତ ଆଖି ଯୋଡ଼ିକ ମୁଦ୍ରିତ । ନବୀନ ଯୌବନ ଓ ଲାବଣ୍ୟର ମିଶ୍ରଣରେ ତାଙ୍କ ଦେହ ଯେପରି ଝଟକି ଉଠୁଛି । ବୃଦ୍ଧ ଆତ୍ମବିସ୍ମୃତ ହୋଇ ପଡ଼ିଲେ, ଗୋଲାପ ଫୁଲର ତୋଡ଼ା ମଧ୍ୟରେ ଯେ କାଳରୂପିଣୀ ସର୍ପିଣୀ ଲୁଚି ରହିଛି, ତାହା ସେ ଭାବି ପାରିଲେ ନାହିଁ । ଭାବିଲେ ସେ ଯାହା ଶୁଣିଛନ୍ତି, ସେ ସମସ୍ତ ତାଙ୍କର ଭ୍ରମ । ମନେ ମନେ ଭାବିଲେ, ‘‘ହଉ, ମୋରି ତ, ମୁହିଁ ତ ଦିନେ ଭୋଗ କରିବି ? ଏତେ ଅଥୟ ହେବି କାହଁକି ?’’

 

ବୃଦ୍ଧ ଆଉ ଲୋଭ ସମ୍ଭାଳି ପାରିଲେ ନାହିଁ, ଟିକିଏ ସ୍ପର୍ଶସୁଖ ଅନୁଭବ କରିବା ପାଇଁ ତାଙ୍କର ଲୋଭ ହେଲା । ଗୁରୁବାରୀକୁ ଶୁଣାଇ କହିଲେ, ‘‘ଆଚ୍ଛା, ନାଡ଼ୀ କିପରି ଚାଲୁଛି ଦେଖେଁ । ଦେହ ଗରମ ଅଛି କି ?’’ ବୃଦ୍ଧ ଯମୁନାର କୁସୁମକୋମଳ ହସ୍ତଟିକୁ ନିଜର ରୁକ୍ଷ ଲଳିତ ହସ୍ତରେ ଧାରଣ କଲେ । ବୃଦ୍ଧଙ୍କ ଶରୀର ଆନନ୍ଦରେ ରୋମାଞ୍ଚିତ ହୋଇ ଉଠିଲା । ଯମୁନାଙ୍କର ଦେହ ଘୃଣାରେ ଶିରିଶିରେଇ ଉଠିଲା । ଯମୁନାଙ୍କ ସୁନ୍ଦର ଲଲାଟରେ ଘୃଣାବ୍ୟଞ୍ଜକ କୁଞ୍ଜନ ଜାତ ହେଲା । ବୃଦ୍ଧ ଭାବିଲେ, ବୋଧହୁଏ ପୀଡ଼ା ଯୋଗୁଁ ଏପରି ହେଉଛି ।

 

ବୃଦ୍ଧ ବ୍ୟଥିତ ହୋଇ ଗୁରୁବାରୀକୁ ପଚାରିଲେ, ‘‘ଆଚ୍ଛା, ଗୁରୁବାରୀ ଏପରି ରୋଗ ଆଉ କେବେ ହୋଇଥିଲା, ନାଁ ଏଠାରେ ହେଉଛି ?’’

 

ଗୁରୁବାରୀ କହିଲା, ‘‘ଆଜ୍ଞା ! ତାଙ୍କ ବାପଘରଠାରେ ମଧ୍ୟ ସମୟ ସମୟରେ ହେଉଥିଲା-। ତାଙ୍କ ଗାଆଁରେ ଦୀନୁ କବିରାଜ ବୋଲି ଜଣେ ଅଛନ୍ତି । ସେ ଦେଖିଲାଠାରୁ ରୋଗ ଆଉ ନ ଥିଲା-। ଫେର୍‌ ତ ବାହାରିଲାଣି ।’’

 

ବୃଦ୍ଧ ପଚାରିଲେ, ‘‘ଆଚ୍ଛା, ସେ ଦୀନୁ କବିରାଜଙ୍କୁ ଡକାଇ ପଠାଇଲେ ସେ ଆସିବେ ନାଁ-?’’

 

‘‘ଆଜ୍ଞା ! ଆପଣ ଡକେଇଲେ ସେ ଆସିବେ ନାହିଁ ? ଆପଣ ଖାଲି ଜଣେ ଲୋକ ପଠାଇଦିଅନ୍ତୁ ତ ସେ ଖଡ଼େଦମ୍‌ ଆସି ପହଞ୍ଚିଯିବେ ।’’

 

‘‘ହେଉ, ଅନ୍ୟ ଲୋକ କିଏ ଯିବ ? ତୁ ଯା, କାଲି ସକାଳୁ ତାଙ୍କୁ ଡାକିଆଣିବୁ । ସକାଳେ ଗଲେ ସନ୍ଧ୍ୟାକୁ ଫେରିଆସିବୁ ଯେ ?’’ ‘‘ଆଜ୍ଞା, ସନ୍ଧ୍ୟା କାହିଁକି ହେବ । ଦିନ ଥାଉଁ ଥାଉଁ ଫେରି ଆସିବି ଯେ ।’’

 

ବୃଦ୍ଧ ଗୋଟିଏ ଦୀର୍ଘଶ୍ୱାସ ପକାଇ କହିଲେ, ‘‘ହଉ ତେବେ, କାଲି ସକାଳେ ଯିବୁ, ଆଜି ରାତିରେ ଆଉ କିଛି ଖାଇବେ ନାଁ ?’’

 

‘‘ଆଜ୍ଞା ! ନ ଖାଇଲେ ତ ରୋଗ ବେଶୀ ବଢ଼ିଯିବ । ଏ କଅଣ ସେମିତିକା ଜର ସର୍ଦ୍ଦିରୋଗ ହେଉଛି କି ? ଏ ରୋଗରେ ଭଲ ଭଲ ପୃଷ୍ଟିକର ଖାଦ୍ୟ ଖାଇଲେ ରୋଗ ଭଲ ହୋଇ ପାରେ । ଆମ ଘରଠାରେ ପରା ବାପା ସାଆନ୍ତେ ଦୁଧ ଘିଅ ହେରିକା ଭଲ ଭଲ ଜିନିଷ ସାଆନ୍ତାଣୀଙ୍କ ପାଇଁ ବରାବର ଖଞ୍ଜେଇ ରଖିଥିଲେ ? ଏଠେଇଁ ତ ସେସବୁ କିଛି ମିଳିଲା ନାହିଁ, ରୋଗଟା ବଢ଼ିଲା । ଏଠେଇଁ ତ ହେଲେ ପଲେ କୁଟୁମ୍ବ, ସମସ୍ତଙ୍କ ପାଇଁ ଯାହା ହବ, ୟାଙ୍କ ପାଇଁ ସିନା ସେୟା ହବ ।’’

 

ବୃଦ୍ଧ କହି ପକାଇଲେ, ‘‘ନାହିଁ, ନାହିଁ, ୟାଙ୍କ ପାଇଁ ଅଲଗା ରୁଷେଇ ଏଇ ପରସ୍ତରେ ହେବ, ମୁଁ କାଲି ସକାଳେ ସବୁ ବନ୍ଦୋବସ୍ତ କରି ଦେଉଛି ।’’

 

‘‘ଆଜ୍ଞା ! ଆପଣ ଟିକିଏ ମନ ନ ଦେଲେ ହବ କିପରି ? ଆପଣଙ୍କ ସହିତ ଦେଖା ସାକ୍ଷାତ କରି ପାରୁ ନାହାନ୍ତି ବୋଲି ସାଆନ୍ତାଣୀଏ ଯେ ବ୍ୟସ୍ତ ହେଉଛନ୍ତି, ସେ କଥା ଆଉ କୁହନ୍ତୁ ନାହିଁ । ନିଆଁ ଲଗା ରୋଗଟା ବଇରୀ ହେଲା ।’’

 

ଗୁରୁବାରୀର କଥାବାର୍ତ୍ତା ଓ ଚଲାଖି ଦେଖି ଯମୁନା ମନେ ମନେ ତାକୁ ପ୍ରଶଂସା କରୁଥାଆନ୍ତି ଓ ହସୁଥାଆନ୍ତି ।

 

ବୃଦ୍ଧ କହିଲେ, ‘‘ମୋତେ ତ ଏତେଦିନ ଯାଏ ସେ କଥା କହି ନାହୁଁ, ଏମିତି ଗୋଟାଏ ରୋଗ ଅଛି ବୋଲି । ମୁଁ ଆଗରୁ ଜାଣିଥିଲେ ତାର ପ୍ରତିକାର କରି ସାରନ୍ତିଣି ।’’

 

ଯମୁନା ଟିକିଏ କଡ଼ ମୋଡ଼ିଦେଇ ଉଁଉଁ ହେଇ କୁନ୍ଥେଇଲେ ।

 

ଗୁରୁବାରୀ ବୁଝିପାରି କହିଲା, ‘‘ଆଜ୍ଞା ! ଆପଣ ଟିକିଏ ଅବିକା ଯାଆନ୍ତୁ । ପାଟି ଶୁଣିଲେ ନିଦ ଭାଙ୍ଗିଯିବ । ସେଥିପାଇଁ ତ ଏ ନୀରୋଳା ଜାଗାକୁ ଆସିଲେ, ସେ ଟିକିଏ ଶୁଅନ୍ତୁ ।’’

 

‘‘ହଉ, ହଉ, ମୁଁ ଯାଉଛି, ତୁ କାଲି ଭୋର୍‌ ଭୋର୍‌ ଚାଲିଯିବୁ ।’’

 

‘‘ଆଜ୍ଞା ହଁ ।’’

 

ବୃଦ୍ଧ ଘରୁ ବାହାରି ଚାଲିଗଲେ, ‘‘ଆଜ୍ଞା ! ଅନ୍ଧାରରେ କିପରି ଯିବେ’’ କହି ଗୁରୁବାରୀ ଲଣ୍ଠନଟା ବାହାରକୁ ଦେଖାଇଲା । ବୃଦ୍ଧ ଆଶା ମରୀଚିକାରେ ସନ୍ତରଣ କରି ବୈଠକଖାନା ଘରକୁ ଚାଲିଗଲେ ।

 

ଗୁରୁବାରୀ ଘରକୁ ଆସିବାରୁ ଯମୁନା ଓ ଗୁରୁବାରୀ ଖୁବ୍‌ ଝୁଙ୍କେ ମନଇଚ୍ଛା ହସିଲେ । ଯମୁନା ଗୁରୁବାରୀକି ପ୍ରଶଂସା କରି କହିଲେ, ଗୁରୁବାରୀ ନ ହେଲେ କି ହୁଏ ? ସବୁ ଠିକ୍‌ଠାକ୍‌ କରି ଦେଲା । ଖିଆ ପିଆ ଠିକ, ମଉଜମଜଲିସ୍‌ ବି ଠିକ୍‌ । ତୁ କାଲି ଭୋର୍‌ ଭୋର୍‌ ଖୁବ୍‌ଶୀଘ୍ର ଚାଲି ଯା । ସେ ମୋ ନାଆଁ ଶୁଣିଲେ ଚାଲି ଆସିବେ ଯେ । ତାଙ୍କୁ ସବୁ କଥା ବୁଝାଇଦେବୁ, ସେ ଆସି ଯେପରି କହିବେ ଯେ, ଏ ଭାରି ଛନ୍ଦୁଆଣ ରୋଗ । ଦିନରାତି ଚବିଶ ଘଣ୍ଟା ପାଖରେ ରହି ଔଷଧ ନ ଦେଲେ ଭଲ ହେବ ନାହିଁ ଜାଣିଲୁ ? ତୁ ତ ସବୁ ଜାଣୁ, ତୋତେ ଆଉ ବେଶୀ କଅଣ କହିବି ? ସେ ଖାଲି ଆସି ପହଞ୍ଚିଲେ ହେଲା ! ବରାବର ନ ରହି ପାରିବେ ତ ଚାରିଦିନକୁ ଥରେ ଲେଖାଏଁ ଆସିବେ ।

 

ଗୁରୁବାରୀ ମୁରୁକି ମୁରୁକି ହସି କହିଲା, ‘‘ସେଥିପାଇଁ ଚିନ୍ତା କର ନାହିଁ । ମୁଁ କାଲି ସକାଳେ ସବୁ ଠିକ୍‌ କରି ଦଉଛି । ଗୁରୁବାରୀ ବାରିକାଣୀକି କେଉଁ କଥା ନ ଆସେ ?’’

 

[ କୋଡ଼ିଏ ]

 

ସମନ ପାଇଲାକ୍ଷଣି ଦାମୋଦର ମଥା ଘୂରେଇ ଦେଲା । ଏ କଅଣ ? ସେ ତ ସବୁ ଶୁଝି ଦେଇ ବସିଥିଲେ । ଆଉ ବାକି ଟ୧୨୧ ଥିଲା ବୋଲି ହେଣ୍ଡନୋଟ କାଢ଼ିଆଣି ପାରି ନ ଥିଲେ-। ଏ ୧୫୫୦ ଟଙ୍କା କାହୁଁ ଆସିଲା ? ଯଦି ଚୌଧୁରୀଙ୍କର ଡିଗ୍ରୀ ହୁଏ, ତେବେ ତ ସର୍ବନାଶ-। ଦାମୋଦରଙ୍କର ଯେ ଘରଡ଼ିହ ସୁଦ୍ଧା ରହିବ ନାହିଁ । ଭାରି ଗୋଟାଏ ଚିନ୍ତା ଉପସ୍ଥିତ ହେଲା-। ଏ କଥା ଶୁଣିଲା ବେଳୁଁ ଦାମୋଦରଙ୍କ ମାଆ ବୁଢ଼ୀଙ୍କର ହଲକ ଶୁଖିଗଲା । ବିମଳା ଶୁଣି ମୁହଁ ଶୁଖେଇଲେଣି । ସେ ଭାବୁଛନ୍ତି, ‘‘ମୁଁ ସତନ୍ୟାଶୀ କାହିଁକି ସୀତାମଣିଙ୍କି କହିଲି ? କାହିଁକି ସେ ମୋତେ ବିବାହ କଲେ ? ମୁଁ ସିନା ଏବେ ତାଙ୍କର ସର୍ବନାଶର କାରଣ ହେଲି । ପାଞ୍ଚ ମାଣ କି ସାତ ମାଣ ଜମି ବିକି ମୋତେ ବିଭା ହେଲେ, ତା ପରେ ଏ ଦଶା । ତା ନ ହୋଇଥିଲେ ତ ସେ ବଡ଼ଲୋକଘର କନ୍ୟାକୁ ବିଭା ହେଇଥାନ୍ତେ, କେତେ ଜମୀ ବାଡ଼ି ଟଙ୍କା କଉଡ଼ି ଯଉତୁକ ପାଇଥାଆନ୍ତେ, ମୁହିଁ ସିନା ତାଙ୍କର ସର୍ବନାଶର କାରଣ ।

 

ଦାମୋଦର ଦଣ୍ଡେ କାଳ ଗୁମ୍‌ ମାରି ବସି ଭାବିଲେ, ‘ଆଚ୍ଛା ବାପ ତ କେଉଁ ଏତେ ଟଙ୍କା ଆଣି ନାହାନ୍ତି । ମିଛରେ କଅଣ ସେ ମକଦ୍ଦମା ଡିଗ୍ରି କରି ନେବ । ତେବେ କଅଣ ଦୁନିଆରେ ସତ ବୋଲି ଗୋଟାଏ ପଦାର୍ଥ ନାହିଁ ? ସତ ମିଛ ଯେବେ ବଛା ହୋଇ ନ ପାରିବ, ତେବେ ଏତେ ଆଇନ କାନୁନ୍‌, କଚିରି ଦରବାର ହୋଇଛି କାହିଁକି ? ସଂସାରରେ ଯଦି ସତ୍ୟ ବୋଲି ଗୋଟାଏ ପଦାର୍ଥ ନାହିଁ, ତେବେ ଚନ୍ଦ୍ର, ସୂର୍ଯ୍ୟ କାହାର ନିୟମ ମାନି ଚଳୁଅଛନ୍ତି ? ଦେଖାଯାଉ, ଭଗବାନ୍‌ କଅଣ କରୁଅଛନ୍ତି । ଯଦି ସଂସାରରେ ଭଗବାନ୍‌ ବୋଲି କେହି ଜଣେ ଥାଏ, ତେବେ ସତ୍ୟର ଜୟ ନିଶ୍ଚୟ ହେବ ।

 

ଦାମୋଦରଙ୍କ ମନରେ ଦମ୍ଭ ଆସିଲା । ସବୁ କଥା ମାଆଙ୍କୁ ଓ ସ୍ତ୍ରୀଙ୍କି ବୁଝେଇ ଦେଲେ ଓ କହିଲେ, କିଛି ଚିନ୍ତା କର ନାହିଁ; ଭଗବାନ୍‌ ପାର୍‌କରି ନେବେ; କାଲି ସକାଳେ ମୁଁ ଯାଉଛି ଗୌରହରି ପାଖକୁ, ଦୁହେଁ ପରାମର୍ଶ କରି ଯେପରି ହେଉ ଉପାୟ ଠିକ୍‌ କରିବୁଁ ।

 

ଏହି ସମୟରେ ଦିପହରିଆ ବିଲୁଆ ‘ହୁକେ ହୋ, ହୁକେ ହୋ’ କରି ରଡ଼ି ଛାଡ଼ିଲେ । ଓଃ-! ବସୁ ବସୁ ଏତେ ରାତି ହୋଇଗଲାଣି ! ‘‘ମାଆ, ଭାତ ଖାଇବ ଯାଅ’’ କହି ଦାମୋଦର ଉଠିଗଲେ ।

 

‘‘ହଅ ! ଆଉ କି ଭାତ ଖାଇବି ? ହଉ, ମୁଠେ ଦବୁ ଚାଲ ।’’

 

ବୁଢ଼ୀ ଭାତ ଖାଇସାରି ଶୋଇବାକୁ ଗଲେ ।

 

ଦାମୋଦର ଖାଇସାରି ତାଙ୍କ ଶୋଇବା ଘରେ ଯାଇ ବସିଲେ । ବିମଳାଙ୍କୁ ଆଉ ଭାତ ରୁଚିଲା ନାହିଁ । ଖାଲି କାନ୍ଦ ମାଡ଼ୁଥାଏ । ତାଙ୍କୁ କିଏ ଯେପରି କହି ଦେଉଥାଏ, ଇଏ ସର୍ବନାଶର ମୂଳ କାରଣ ଅଟନ୍ତି । ସେ ଯାହା ହେଉ, କିଛି ସମୟ ପରେ ବିମଳା ମଧ୍ୟ ଶୋଇବା ପାଇଁ ଗଲେ । ଦେଖିଲେ, ଦାମୋଦର ଖଟ ଉପରେ ବସି ଗଭୀର ଚିନ୍ତାରେ ନିମଗ୍ନ । ଏହା ଦେଖି ବିମଳାଙ୍କ ହୃଦୟ ଫାଟିଗଲା, ଆଉ ସମ୍ଭାଳି ପାରିଲେ ନାହିଁ, ଖଟ ପାଖରେ ଛିଡ଼ା ହୋଇ କଇଁ କଇଁ ହୋଇ କାନ୍ଦି ଉଠିଲେ । ଦାମୋଦର ତାଙ୍କ ହାତ ଟାଣି ନେଇ ଆଦର କରି କହିଲେ, ‘ଛି ! ଏଇଥିପାଇଁ କଣ କାନ୍ଦନ୍ତି ? ଭଗବାନ୍‌ ଅଛନ୍ତି, ଚିନ୍ତା କଅଣ ? ଆମେ ତ ସତରେ ଚାଲିଛୁଁ—ଦେଖାଯାଉ ।’’

 

ବିମଳା କାନ୍ଦି କାନ୍ଦି କହିଲେ, ‘‘ମୁଁ ବଡ଼ ଅଲକ୍ଷଣୀ, ମୋତେ ବିଭା ହୋଇ ଏତେ ବିପଦରେ ପଡ଼ିଲ, ତା ନ ହୋଇଥିଲେ ବଡ଼ ଲୋକର ଝିଅକୁ ବିଭା ହୋଇ କେତେ ସମ୍ପତ୍ତିବାଡ଼ି ପାଇ ଥାଆନ୍ତ, ମୁଁ ସର୍ବନାଶୀ ଆସି ଏତେ ଅନର୍ଥ ଘଟାଇଲି ।’’

 

ବିମଳା ଏପରି ଭାବି କାନ୍ଦୁଛନ୍ତି ବୋଲି ଦାମୋଦରଙ୍କର ଧାରଣା ନ ଥିଲା । ବିମଳାଙ୍କ କଥା ଶୁଣି ଦାମୋଦର ତାକୁ ଛାତି ଉପରକୁ ଟାଣି ନେଇ କହିଲେ, ‘‘କିଏ କହିବ ତୁ ଅଲକ୍ଷଣୀ ବୋଲି ! ଏ ତ ସାମାନ୍ୟ କଥା । ତୋ ଯୋଗୁଁ ମୁଁ ଆଜି ସ୍ୱର୍ଗୀୟ ସୁଖଅନୁଭବ କରୁଛି ।’’

 

ବିମଳା ସ୍ୱାମୀଙ୍କ ବକ୍ଷରେ ମୁହଁ ମାଡ଼ି କାନ୍ଦୁ ଥାଆନ୍ତି । ଦାମୋଦର ଲୁଗାକାନିରେ ସ୍ତ୍ରୀଙ୍କ ଆଖି ପୋଛି ଦେଇ କହିଲେ, ‘‘ଛି ବିମ ! ଏଇଥି ପାଇଁ ଗୋଟାଏ କାନ୍ଦୁଛୁ ? ତତେ ପରା ସେଦିନ ଏତେ କରି ବୁଝେଇ କହିଥିଲି—ଭଗବାନ ଯାହା କରନ୍ତି, ସମସ୍ତ ମଙ୍ଗଳ ପାଇଁ । ବର୍ତ୍ତମାନ ଆମକୁ ଅଡ଼ୁଆ ଲାଗୁଛି, ବିପଦ ଆସିଛି ବୋଲି ଭୟ ହେଉଛି, ଦୁଃଖ ହେଉଛି, କିନ୍ତୁ କିଏ ଜାଣେ; ସେଇ ଚିରମଙ୍ଗଳମୟଙ୍କର କି ମଙ୍ଗଳମୟ ଉଦ୍ଦେଶ୍ୟ ଏଥି ଭିତରେ ରହିଛି ? ଭଗବାନଙ୍କର ଉଦ୍ଦେଶ୍ୟ ବୁଝିବା ମନୁଷ୍ୟର କ୍ଷୁଦ୍ର ବୁଦ୍ଧିର ଅତୀତ । ଔଷଧଟାଏ ଖାଇଲାବେଳେ ପାଟିକି ପିତା ଲାଗେ, କଷା ଲାଗେ, ବଡ଼ ଖରାପ ବୋଧହୁଏ କିନ୍ତୁ ଶରୀର ଉପରେ ତାର ଫଳ ହୁଏ ହିତକର । ସେହିପରି କୌଣସି ଗୋଟାଏ ବିଷୟ ଆପାତତଃ ଖରାପ ବୋଧ ହୋଇ ପାରେ, କିନ୍ତୁ ତାର ଶେଷଫଳ ହୁଏ ତ ଖୁବ୍‌ ଭଲ ହୁଏ । ଭାଗ୍ୟର ଗତି ନିର୍ଣ୍ଣୟ କରିବା ମନୁଷ୍ୟର ଅସାଧ୍ୟ । ଭାଗ୍ୟ ମନୁଷ୍ୟକୁ କେତେବେଳେ କେଉଁ ପଥକୁ ଟାଣିନିଏ ତାହା ଆଗରୁ ଜାଣି ପାରିବା ମନୁଷ୍ୟର ଅସାଧ୍ୟ । ସେଥିପାଇଁ ଭାଗ୍ୟର ଅନ୍ୟ ନାମ ଅଦୃଷ୍ଟ, ଅର୍ଥାତ୍ ଯାହା ଆଖିକୁ ଦେଖାଯାଏ ନାହିଁ । ସଂସାରରେ ପ୍ରତ୍ୟେକ କାର୍ଯ୍ୟ ସେହି ସର୍ବନିୟନ୍ତା ଭଗବାନଙ୍କ ଇଚ୍ଛାରେ ଘଟୁଛି । ଯାହାଙ୍କ ବିଧାନ ଅନୁସାରେ ବିପଦ ଆସେ, ପୁଣି ତାଙ୍କରି ବିଧାନରେ ତ ସମ୍ପଦ ଆସେ; ଯାହାଙ୍କ ଇଚ୍ଛାରେ ଦୁଃଖ ଆସେ, ପୁଣି ତାଙ୍କରି ଇଚ୍ଛାରେ ତ ସୁଖ ଆସେ; ଯାହାଙ୍କର ଇଚ୍ଛାରେ ଅମାବାସ୍ୟା ହୁଏ, ତାଙ୍କରି ଇଚ୍ଛାରେ ତ ପୁଣି ପୂର୍ଣ୍ଣିମା ହୁଏ; ସୁତରାଂ ବର୍ତ୍ତମାନ ବିପଦ ଆସିଛି ବୋଲି ଦୁଃଖ କରିବା କାହିଁକି ? ଦେଖାଯାଉ ଭଗବାନଙ୍କର ଉଦ୍ଦେଶ୍ୟ—ମଙ୍ଗଳମୟଙ୍କର ଇଚ୍ଛା ପୂର୍ଣ୍ଣ ହେଉ !!!

 

[ ଏକୋଇଶି ]

 

ଦିନ ପ୍ରାୟ ଦଶଘଡ଼ି ହେବ । ଦାମୋଦର, ସୀତାମଣି ଓ ଗୌରହରି ବସି ପରାମର୍ଶ କରୁଛନ୍ତି ଯେ, କଅଣ କରିବାକୁ ହେବ । କିପରି ଏ ଉପସ୍ଥିତି ବିପଦରୁ ଆତ୍ମରକ୍ଷା କରିବେ । ଗୌରହରି ପଚାରିଲେ, ‘‘ଆଚ୍ଛା, ତୁମେ କୌଣସି ଦଲିଲ କରି ଦେଇଛ ?’’

 

ଦାମୋଦର—ହଁ, କହୁଥିଲି ପରା ସେଇ କଥା । ବାପା କେବେ ଟ୨୫୧ର ଖଣ୍ଡିଏ ହେଣ୍ଡନୋଟ ଲେଖିଦେଇ ଟଙ୍କା ଧାରଆଣିଥିଲେ, ମୁଁ ସେଦିନ ସୁଝିଦେଇ ଆସିଲି । କେବଳ ଟ ୧୨୪ ବାକି ଥିଲା ।

 

ସୀତାମଣି—ତେବେ ଆଉ ଚିନ୍ତା କଅଣ । କୌଣସି ଦଲିଲ ଦସ୍ତାବିଜ୍‌ ଯେତେବେଳେ ନାହିଁ, ସେତେବେଳେ ଦୁଇ ହଜାର ଛାଡ଼ି ଦଶ ହଜାର ଟଙ୍କାର ନାଲିଶ କରୁ ନାଁ ? ହାକିମ ହୁକୁମା କଅଣ ଏପରି ଓଲ୍ଲୁ ଅଛନ୍ତି ଯେ, ସତ ମିଛ ଧରି ପାରିବେ ନାହିଁ ? ତାହାରି କଥାରେ ବିଶ୍ୱାସ କର ଡିଗିରି ଦେଇଦେବେ ? ସେମାନେ ଧର୍ମର ଅବତାର । ସେମାନେ ଯଦି ସତ ମିଛ ଧରି ନ ପାରିବେ, ତେବେ ଆଉ ହାକିମ୍‌ ହେଇଛନ୍ତି କାହିଁକି ? ଏପରି ଯଦି ମିଛରେ ଲୋକେ ଜିତି ଯାଉ ଥାଆନ୍ତେ, ତେବେ ସତ ବୋଲି ଗୋଟିଏ କଥା ସଂସାରରେ ନଥାନ୍ତା । ନାଁ ଭାଇ ! ଚିନ୍ତା କର ନାଁ । ସତ୍ୟକୁ ପାଳି ସମୁଦ୍ର ବେଳା ଲଘୁଂ ନାହିଁ । ସତ୍ୟରେ ଚନ୍ଦ୍ର ସୂର୍ଯ୍ୟ ଆତପାତ ହେଉଅଛନ୍ତି । ସେଥିପାଇଁ ଚିନ୍ତା କଅଣ ?

 

ଦାମୋଦର—ଦୀର୍ଘ ନିଶ୍ୱାସ ପକାଇ, ନାଁ ରେ ସୀତାମଣି ! ଏଟା କଳିଯୁଗ ପରା ! ଆଜିକାଲି କଅଣ ଧର୍ମାଧର୍ମ ସତ୍ୟାସାତ୍ୟର ବିଚାର ଅଛି ? ଆଜିକାଲି ତ ଓକିଲମାନେ ସତକୁ ମିଛ ମିଛକୁ ସତ, ଧଳାକୁ କଳା, କଳାକୁ ଧଳା କରି ଦେଉଅଛନ୍ତି । ଆଉ ଶୁଣୁଛି ଚୌଧୁରୀଏ ପରା ସହରର ବଡ଼ ଓକିଲ ସଦାଶିବ ବାବୁଙ୍କୁ ନିଯୁକ୍ତ କରୁଅଛନ୍ତି । ସଦାଶିବ ବାବୁ ଯେଉଁ ମକଦ୍ଦମା ନେଉଛନ୍ତି, ତାକୁ କଅଣ ଡିଗ୍ରୀ ନ କରି ସେ ଛାଡ଼ିବେ ! (ଉପରକୁ ଚାହିଁ)ଭଗବାନ !

 

ଗୌରହରି ଦେଖିଲେ, ଦାମୋଦର ଟିକିଏ ହାଲିଆ ହୋଇ ପଡ଼ିଛନ୍ତି ।

 

ଗୌରହରି କହିଲେ, ‘‘ହଅ—ହେଲା କଅଣ ? ସଦାଶିବ ବାବୁ ହେଲେ ବୋଲି କଅଣ ବ୍ରହ୍ମା ହୋଇଗଲେ ? କିଛି ଚିନ୍ତା କର ନାଁ ଦାମ । ମକଦ୍ଦମା କଥା ମୋ ଉପରେ ରହିଲା । ତୋର କିଛି ହବ ନାହିଁ । ମୁଁ ସବୁ ଠିକ୍‌ଠାକ୍‌ କରିଦେବି ।’’

 

ସୀତାମଣି ଟିକିଏ ମୁରୁକି ମୁରୁକି ହସି କରିଲେ, ‘‘ଖାଲି କଥାରେ ଏ ବଢ଼ାଣି, ନାଁ କାମରେ କିଛି ଅଛି ? କଅଣ କରିବାକୁ ହେବ, କିପରି ମକଦ୍ଦମା ଚଳାଇବାକୁ ହବ, ସେ ବିଷୟରେ ତ କିଛି ଚିନ୍ତା ନାହିଁ, ଖାଲି କଅଣ ନାଁ ମୁଁ ସବୁ କରିଦେବି ।’’

 

ସୀତାମଣି ଜାଣନ୍ତି ଯେ, ଗୌରହରି ବଡ଼ ଜିଦିଖୋର । ଗୋଟାଏ ବିଷୟରେ ଯଦି ଜିଦି ଧରିଅଛନ୍ତି, ତେବେ ଜୀବନ ଯାଉ ପଛକେ ସେ କାମକୁ ଫତେ ନ କରି ଛାଡ଼ିବେ ନାହିଁ । ବିମଳାର ବିବାହଠାରୁ ଆରମ୍ଭ କରି ଅନେକ ଅନେକ ଘଟନାରେ ସୀତାମଣି ଗୌରହରିଙ୍କର ନାଡ଼ି ଚିପି ଠିକ୍‌ କରି ନେଇଅଛନ୍ତି । ସେଥିପାଇଁ ତାଙ୍କୁ ଟିକିଏ ଜିଦ୍‌ ଧରାଇ ଦେବାପାଇଁ ଏ କଥାଟା କହିଲେ ।

 

ସତକୁ ସତ, ଗୌରହରି ଜିଦ୍‌ ଧରି କହିଲେ, ‘‘ଆଚ୍ଛା, ଦେଖୁଥା । ଅସ୍ଥିର ହେଉଛୁ କାହିଁକି ? ମୁହଁରେ କହୁଛି, କି କାମରେ କରୁଛି, ଦେଖୁଥା, ଏ ମକଦ୍ଦମା ଯଦି ଜିତି ନ ଆସିବି, ତେବେ ମୋ ନାଆଁରେ କୁତ୍ତା ପାଳିବୁ ।’’

 

ସୀତାମଣି ଦେଖିଲେ ଯେ, ଔଷଧ ଠିକ୍‌ ଧରିଛି । ଦାମୋଦର ଭକୁଆଙ୍କ ପରି ସବୁ କଥା ଶୁଣି ଯାଉଥିଲେ । ଦାମୋଦର ଗମ୍ଭୀର ଭାବରେ ଗୌରହରିଙ୍କୁ କହିଲେ, ‘‘ଆଚ୍ଛା ଗଉର ଭାଇ ! କାହାକୁ ଓକିଲ ଦବା ? ଏତେ ଟଙ୍କା କାହୁଁ ପାଇବା ଏକ୍ଷଣି ?’’

 

ଗୌରହରି କହିଲେ, ‘‘ଆରେ ! ତୋର ଏତେ ଭାବନା କାହିଁକି ? ମୁଁ ସବୁ କରି ଦେଉଛି-। ଟଙ୍କା ଆଣିବା ତୋ ଶ୍ୱଶୁରଙ୍କ ଠାରୁ ।’’

 

ସୀତାମଣି ଠୋ ଠୋ ହସି ପକାଇ କହିଲେ, ‘‘ହୋ ! ହୋ ! ହୋ ! କଥାଟାଏ ଏକା କହିଲ । ତୁମ ମନ ମାନୁଛି ତ ? ଯେ ନିଜର ଜନ୍ମକଲା ଝିଅକୁ ଚାହିଁଲା ନାହିଁ, ସେ ପରା ଟଙ୍କା ଦବ ଜୁଆଇଁକି । କିପରି ଅପସନ୍ଦ କଥାଟାଏ କହିଲ ଭଲା ?’’

 

ଗୌରହରି ପୁଣି ଜିଦ୍‌ ଧରି କହିଲେ, ‘‘ଆଚ୍ଛା ଦେଖୁଥା ସେଇ ଝିଅବିକା ମହାପାତ୍ରଙ୍କଠାରୁ ଯେତେ ଇଚ୍ଛା ସେତେ ଟଙ୍କା କାଢ଼ି ଆଣିବି । ଆଚ୍ଛା, ଦାମ ! ଆଉ ଗୋଟାଏ ରେଜିଷ୍ଟ୍ରି ତୋତେ କରି ଦେବାକୁ ହବ । ଆଉ ଦି ତିନି ମାଣ ଜମି ତୋତେ ବନ୍ଧକ ଦବାକୁ ହବ ।’’

 

ଦାମୋଦର ଉଚ୍ଚକଣ୍ଠରେ କହିଲେ, ‘‘ଜମି ବୋଲି ବା କେତେ ? ସେଥିରୁ ତ ଛଅମାଣ ବନ୍ଧକ ଦେଇ ସାରିଛି । ଏତେ ଜମି ଖଲାସ କରିବି କିପରି ? ଅକାରଣରେ ଜମିଗୁଡ଼ାକ ଯାହା ଅଳ୍ପ ଦାମରେ ଚାଲିଯିବ, ତା ଅପେକ୍ଷା ସେଇ ଦୁଇ ତିନି ମାଣ ଜମି କାହାକୁ ବିକ୍ରି କରିଦେଲେ ତ ଆଉ କିଛି ବେଶୀ ଟଙ୍କା ମିଳନ୍ତା ।’’

 

ଗୌରହରି କହିଲେ, ‘‘ମୁଁ ଯାହା କହୁଛି ଶୁଣ୍‌ । ଏତେ ହତାଶ ହେଉଛୁ କାହିଁକି ? ତୋ ଜମି କୁଆଡ଼େ ଯିବ ନାହିଁ । ଯେତେ ଜମି ବନ୍ଧକ ଦେଇଛୁ, ତାର ଦଶଗୁଣ ଜମି ଫେରି ପାଇବୁ । ମହାପାତ୍ରଙ୍କର ଆଉ କିଏ ଅଛି ? ତାଙ୍କ ସମ୍ପତ୍ତି ଭୋଗ କରିବୁ ତୁ ।’’

 

ସୀତାମଣି ପୁଣି ଠୋ ଠୋ ହସି ପକାଇ କହିଲେ, ‘‘ଓଃ ! କମ କରାମତି କି ? ତାଙ୍କର ପୁଅ ନାହିଁ ସିନା, କିନ୍ତୁ ଭାୟାମାନେ କଅଣ ସମ୍ପତ୍ତି ସହଜରେ ଛାଡ଼ିଦେବେ ଯେ, ତୁମେ ଭୋଗ କରିବ ?’’

 

ଗୌରହରି ପୁଣି ଜିଦ୍‌ ଧରି କହିଲେ, ‘‘ଆଚ୍ଛା ଦେଖୁଥା, ବେଶି ଦିନ ନୁହେ । ମହାପାତ୍ରେ ତାଙ୍କ ସମ୍ପତ୍ତିକୁ ଝିଅ ଜ୍ୱାଇଁଙ୍କି ଉଇଲ କରି ଦେଇଗଲେ ଭାୟାମାନେ ଆଉ ପାଇବେ କିପରି ? ମୁଁ କଣ ତୁଚ୍ଛାଟାରେ ଖାଲି ମହାପାତ୍ରଙ୍କ ଘରକୁ ଏତେ ଧାଇଁଛି, ଏ କଥାଟା ଏକା ଯେପରି ପ୍ରକାଶ ନ ପାଏ । ଏ କଥା ଚାରି କାନରୁ ଛଅ କାନ ହେଲେ ବାର ବରଷର ତପ ଶୁଖୁଆ ପୋଡ଼ାରେ ଯିବଟି-? ହଁ ଜାଣିଥା ।’’

 

ସୀତାମଣି ମୁରୁକି ମୁରୁକି ହସି କହିଲେ, ‘‘ଆଚ୍ଛା ! କଅଣ କରୁଛ କର ।’’

 

[ ବାଇଶି ]

 

‘‘ମହାପାତ୍ର ସାଆନ୍ତେ ! କଣ କରିବା ହେଉଛନ୍ତି, ଅବଧାନ ! ଅବଧାନ !’’ ଗୋପାଳ ମହାପାତ୍ରେ ଦାଣ୍ଡ ପିଣ୍ଡାରେ ଅଖାପାଲି ଖଣ୍ଡିଏ ମେଲେଇ ଦେଇ କଅଣ ଲେଖାଲେଖି କରୁଥିଲେ । ପାଟି ଶୁଣି ଚାହିଁ ଦେଇ ଦେଖିଲେ ଯେ ଗୌରହରି ଆସୁଛନ୍ତି । ବିମଳାର ବିବାହ ଦିନଠୁ ଗୌରହରିଙ୍କ ସହିତ ମହାପାତ୍ରଙ୍କର ଭାରି ଭାବ । ପ୍ରତିଦିନ ଥରେ ଲେଖାଏଁ ଯାଇ ଗୌରହରି ମହାପାତ୍ରଙ୍କ ସହିତ କଥାବାର୍ତ୍ତା କରି ଆସୁଥାଆନ୍ତି ଓ ମହାପାତ୍ରେ ଯେଉଁ କଥା କହନ୍ତି, ସେଥିରେ ପ୍ରତିବାଦ ନ କରି ବରଂ ଅନୁମୋଦନ କରନ୍ତି ଓ ଉପାୟ ବତାଇ ଦିଅନ୍ତି । ଏଥିରେ ମହାପାତ୍ରେ ଭାରି ଖୁସି ହୋଇ ଗୌରହରିଙ୍କ ମାଷ୍ଟର ବୁଦ୍ଧିକୁ ଖୁବ୍‌ ପ୍ରଶଂସା କରନ୍ତି ।

 

ଗୌରହରିଙ୍କି ଦେଖି ମହାପାତ୍ରେ ଖାତାପତ୍ର ରଖିଦେଇ ସୂତାବନ୍ଧା ପ୍ରଚକ୍ଷୁଟି ନାକ ଉପରକୁ କାଢ଼ି ଖୋଳରେ ପୂରାଉ ପୂରାଉ କହିଲେ, ‘‘ଆସ, ଆସ, ଆସ, ମୁଁ ତ ତମ ପାଇଁ ବାଟ ଚାହିଁ ବସିଛି । ଆଜି ଏତେ ଡେରି ହେଲା କାହିଁକି ? ଆଜି ତ ରବିବାର, ଇସ୍କୁଲ କାମ ନାହିଁ । ଆରେ ମଦନା ! ଆଉ ଖଣ୍ଡେ ବିଛଣା ଦେଇ ଯା ତ ?

 

ମଦନା ଆଉ ଖଣ୍ଡିଏ ଅଖାପାଲ ମେଲେଇ ଦେଇଗଲା ।

 

ଗୌରହରି ସେଥିରେ ବସି କହିଲେ, ‘‘କଅଣ କରିବି ଆଜ୍ଞା ! ବାର ଆଡ଼େ ବାର ଧନ୍ଦା, ଘରକୁ ଏକୁଟିଆ ହେଲାଠୁଁ—’’ ତାଙ୍କ ପାଟିରୁ କଥା ନ ସରୁଣୁ ମହାପାତ୍ରେ କହି ପକାଇଲେ, ହଁ, ହଁ, ତା କଅଣ ମୁଁ ବୁଝିପାରୁ ନାହିଁ, ଆଉ ହାଲଚାଲ ସବୁ ଭଲ ତ ?’’

 

‘‘ହଁ, ଆଜ୍ଞା ! ଆପଣମାନଙ୍କ ପା କଲ୍ୟାଣରୁ ।’’ ତା ପରେ ଏଣୁ ତେଣୁ କେତେକ କଥାବାର୍ତ୍ତା ହେଲା ପରେ ଗୌରହରି କଥା ପକାଇଲେ, ‘‘ହଁ, ଗୋଟାଏ କଥା କହିବି ବୋଲି ଭାବିଥିଲି ଇ ଇ—’’

 

‘‘କହୁନାହିଁ ?’’

 

‘‘ଆଜ୍ଞା ! ଆମର ତ ସେଥିରେ କିଛି କ୍ଷତି ନାହିଁ, ବରଂ ଲାଭ । ନଗଦ ଫେର୍‌ ତିନି ମାଣ ଜମି ବନ୍ଧକ, ଆଜିକାଲି ଗୁଣ୍ଠେ ଜମି ମିଳିବା ଯେପରି ଦୁଷ୍କର—’’

 

ଜମିକଥା ଶୁଣି ମହାପାତ୍ରେ ଅତି ଆଗ୍ରହ ସହକାରେ ପଚାରିଲେ, ‘‘କେଉଁଠି ? କେଉଁଠି-?’’

 

ଗୌରହରି ମହାପାତ୍ରଙ୍କ ଆଗ୍ରହଟା ଆଉ ଟିକିଏ ବଢ଼ାଇ ଦେବା ପାଇଁ କହିଲେ, ଟୋକାଟା ପ୍ରଥମେ ଆଉ କାହାକୁ ବନ୍ଧକ ଦବ ବୋଲି କହୁଥିଲା । ମୋ କାନରେ ଯେମିତି ବାଜିଛି, ଭାବିଲି—ଏଁ ! ଆମ ମହାପାତ୍ରେ ଥାଉଁ ଥାଉଁ ଜମିଟା ହାତରୁ ଖସିଯିବ ? ଖୁବ୍‌ ଭଲ ଜମିଟା ଏକା-। ମାଣ ଦି ଭରଣରୁ କମ୍‌ ଫଳିବ ନାହିଁ ।’’

 

ମହାପାତ୍ରଙ୍କ ଉତ୍କଣ୍ଠା ଆହୁରି ବଢ଼ିଗଲା । ସେ ଅତି ଆଗ୍ରହରେ ପଚାରିଲେ, ‘‘କେଉଁଠି-?’’

 

‘‘ଏଇ ଦାମୋଦର କହୁଥିଲା । ଚୌଧୁରୀଏ ତା ଉପରେ ନାଲିସି କରିଛନ୍ତି କି ନାଁ ! ଟଙ୍କା ତ ଲୋଡ଼ା । ଆଉ କେଉଁଠୁ ଆଣିବ ? ଶେଷରେ ଜମି ବିକି ଦବାକୁ ବସିଥିଲା । ମୁଁ ଭାବିଲି, ଆପଣାର ଲୋକଟା ଫେର୍‌ ଆମ ମହାପାତ୍ରଙ୍କ ଜୋଇଁ । ଜମିଟା ତ ବିକିଦେବା ସହଜ, କିନ୍ତୁ କରିବା କଷ୍ଟକର; ପର ହାତକୁ ଗଲେ ଗଲା । ପର ଯାହା ଖାଇଯିବେ, ତା ଅପେକ୍ଷା ଆପଣ ନିଜେ ବନ୍ଧକ ରଖିଲେ ଭଲ ହୁଅନ୍ତା ନାହିଁ ? ଟଙ୍କା ଦେଲା ତ ଫେରାଇ ନେଲା, ନଚେତ୍‌ ଆମ ଜମି ଆମ ହାତରେ ରହିଗଲା ।’’

 

‘‘ହଁ, ତା ସତ ଯେ ଏ ଏ—ତେବେ ଏ ଏ—ନିଜ ଝିଅଟା କଅଣ କହିବ ? ଲୋକେ ବା ଶୁଣି କଅଣ କହିବେ ?’’

 

‘‘କେହି ଆଜ୍ଞା ! ଶୁଣିବେ ନାହିଁ, କି ଜାଣିବେ ନାହିଁ । ଭିତରେ ଭିତରେ କାମ ଫତେ ।’’

 

‘‘ହଉ, ଯାହା କରୁଛ କର । ତେବେ ବେଶୀ ଟଙ୍କା ତ ମୋ ହାତରେ ଅବିକା ନାହିଁ ।’’

 

‘‘ଆଜ୍ଞା ! ଏକାବେଳେକେ ବେଶୀ ଟଙ୍କା ବି ତ ଲୋଡ଼ା ନାହିଁ । ପଚାଶ ଷାଠିଏ କରି ଯେତେବେଳେ ଯାହା ହାତରେ ପଡ଼ୁଥିବ, ଦେଉଥିବେ ।’’

 

‘‘ତା ହେଲେ, ଦେଖାଯିବ ।’’

 

‘‘ତେବେ, ଏଇ କଥା ହେଲା । କାଲି ରେଜିଷ୍ଟ୍ରି କରିବାକୁ ଯିବା ।’’

 

‘‘ହଉ ।’’

 

ଗୌରହରି ଖୁସି ହୋଇ ଦଣ୍ଡବତଟିଏ ପକାଇ ମହାପାତ୍ରଙ୍କ ଠାରୁ ବିଦାୟ ନେଲେ ।

 

[ ତେଇଶି ]

 

ଗୁରୁବାରୀର କଥା ଅନୁସାରେ ସାନ୍ତରା ନୂଆଗାଁ ଦୀନୁ କବିରାଜଙ୍କୁ ଅଣାଇଲେ । କବିରାଜଙ୍କ ବୟସ ପ୍ରାୟ ୨୪/୨୫ ହେବ । ଦେଖିବାକୁ ବେଶ ସୁଢ଼ଳ । କବିରାଜେ ଯମୁନାଙ୍କର ରୋଗ ପରୀକ୍ଷା କରିସାରି ଆସି ସାନ୍ତରାଙ୍କୁ ଜଣାଇଲେ, ‘‘ଆଜ୍ଞା, ଭାରି ଗୋଟାଏ ଭିଡ଼ ରୋଗ ଧରିଛି । ଆମ କବିରାଜ ଶାସ୍ତ୍ରରେ ଏହାର ନାମ ହେଉଛି ‘ବାଧକ ମୂର୍ଚ୍ଛା’ ଜେମାଙ୍କର ପିଲାଟିଦିନୁଁ ଏ ରୋଗ । ଚୌଧୁରୀଙ୍କ ଘରେ ଥିବା ସମୟରେ ମୁଁ ଚାରି ଦିନକୁ ଚାରି ଦିନ ଯାଇ ଔଷଧର ବ୍ୟବସ୍ଥା କରିଦେଇ ଆସୁଥିଲି ବୋଲି ସେ ଟିକିଏ ଭଲ ଥିଲେ । ରୋଗ ବାରପଣ ପର୍ଯ୍ୟନ୍ତ ଭଲ ହୋଇ ଯାଇଥିଲା । ଆଉ କିଛିଦିନ ରହିଥିଲେ ସମୂଳେ ଭଲ କରି ଦେଇଥାନ୍ତି; କିନ୍ତୁ ଏଠାକୁ ଆସି ତ ରୋଗ ଚାରିଗୁଣ ବଢ଼ି ଗଲାଣି । କଣ କରାଯିବ ? ଓଃ ! ଏତେଦୂର ହୋଇଗଲା !’’

 

କବିରାଜଙ୍କ କଥା ଶୁଣି ସାନ୍ତରାଙ୍କ ବୁଦ୍ଧି ହଜିଗଲା ! ହାୟ, ହାୟ, କେତେ ଆଶା କରିଥିଲେ ସେ—ସବୁ କଣ ମାଟି ହୋଇଯିବ ?

 

ସାନ୍ତରା ପଚାରିଲେ, ‘‘ଆଚ୍ଛା, ରୋଗ କଣ ଆଦୌ ଭଲ ହବ ନାହିଁ ?’’

 

କବିରାଜ ଟିକିଏ ଗମ୍ଭୀର ହୋଇ କହିଲେ, ‘‘ହବ ନାହିଁ କଣ ? ରୋଗଟାଏ ଯଦି ଭଲ କରି ନ ପାରିବୁଁ, ତେବେ ଆଉ ଆମେ ଶାସ୍ତ୍ର ନିଦାନ ପଢ଼ିଥିଲୁ କିଆଁ ? ତେବେ କଣ କି, ରୋଗଟା ବେଶୀ ବଳି ପଡ଼ିଲାଣି—ଟିକିଏ ବିଳମ୍ବ ହେବ । ପ୍ରତିଦିନ ସାଙ୍ଗେ ସାଙ୍ଗେ ରହି ଔଷଧ ଦେବାକୁ ହେବ ?’’ ଗୁରୁବାରୀ କବିରାଜଙ୍କ ପାଖରେ ଛିଡ଼ା ହୋଇ ସବୁକଥା ଶୁଣୁ ଥାଏ ଓ ମଝିରେ ମଝିରେ କବିରାଜେ ତା ଆଡ଼କୁ କଣେଇ କଣେଇ ଚାହିଁ ଦେଲେ ସେ ଟିକିଏ ମୁରୁକି ମୁରୁକି ହସି ଦେଉଥାଏ-

 

ସାନ୍ତରା ପଚାରିଲେ, ‘‘ଆଚ୍ଛା, କେତେଦିନ ଲାଗିବ ?’’

 

କବିରାଜେ ଉପରକୁ ଚାହିଁ କହିଲେ— ‘‘ଆଜ୍ଞା, ତା ଆଉ କହି ପାରିବି କିପରି ? ତେବେ ଚିକିତ୍ସା କରାଯିବ । ଔଷଧ ଦେଉଁ ଦେଉଁ ଯାହା ହେବ । ତେବେ ଯେପରି ଶୀଘ୍ର ଆରୋଗ୍ୟ ହୋଇଯିବ, ତାର ଉପାୟ କରିବାକୁ ହେବ । କିନ୍ତୁ ତାହାହେଲେ ବରାବର ପାଖରେ ନ ରହିଲେ ତ ହେବ ନାହିଁ ? ଘଣ୍ଟାକୁ ଘଣ୍ଟା ପରୀକ୍ଷା କରି ଔଷଧ ଦେବାକୁ ହେବ ।’’

 

ସାନ୍ତରା—ତେବେ କେଉଁ ଦିନଠାରୁ ଔଷଧ ପ୍ରୟୋଗ ଆରମ୍ଭ କରିବେ ?

 

କବିରାଜ—ଆଜ୍ଞା, ମୁଁ ଆଜି ଘରକୁ ଯାଉଛି । ଭଲ ଦିନଟିଏ ଦେଖି, ଔଷଧର ଉପାଦାନ ସବୁ ସଂଗ୍ରହ କରି ନେଇ ଆସିବି ।

 

ସାନ୍ତରା—କେତେ ଟଙ୍କାର ମସଲା ଲାଗିବ ?

 

କବିରାଜ—ସେ ବିଷୟ ପରେ ହିସାବ କରି କହିବି । ବର୍ତ୍ତମାନ ଟଙ୍କା ଦଶଟା ଦେଇଥାନ୍ତୁ । ପରେ ହିସାବ କଲେ ଯାହା ଦରକାର ହେବ, ଦେବେ ।

 

ସାନ୍ତରାଙ୍କ ବରାଦମତେ ଦଶଟା ଟଙ୍କା କବିରାଜଙ୍କୁ ଦିଆଗଲା । କବିରାଜେ ଟଙ୍କାକୁ ଅଣ୍ଟାରେ ଗୁଞ୍ଜି ଦଣ୍ଡବତଟାଏ ପକାଇ ଗୃହକୁ ପ୍ରସ୍ଥାନ କଲେ ।

 

ସାନ୍ତରା ଘଡ଼ିଏ କାଳ ଗୁମ୍‌ ମାରି ବସି କହିଲେ, ‘‘ଗୁରୁବାରି, କବିରାଜେ କେଉଁଠି ରହିବେ ?’’

 

ଗୁରୁବାରୀ ଟିକିଏ ଗମ୍ଭୀର ହୋଇ କହିଲା, ‘‘ଆମ ସାଆନ୍ତାଣୀଙ୍କ କୋଠାର ତଳ ମହଲାରେ ଯେଉଁ ଘର ଦୁଇଟା ଅଛି, ସେଥି ମଧ୍ୟରୁ ଗୋଟାକରେ ରହିଲେ ଭଲ ହୁଅନ୍ତା, କିନ୍ତୁ—’’

 

ସାନ୍ତରା ଅସ୍ଥିର ହୋଇ ପଚାରିଲେ, ‘‘କିନ୍ତୁ କଣ ତେବେ ତ ଭଲ ହେବ ।’’

 

ଗୁରୁବାରୀ ଆଉ ଟିକିଏ ଗମ୍ଭୀର ହୋଇ କହିଲା, ‘‘ହଁ ହେବ ଯେ କିନ୍ତୁ ଆମ ଜେମାମଣି ତ ଭାରି ଲାଜକୁଳୀ । ଅନ୍ୟ ଜଣେ ପୁରୁଷ ଲୋକ ତାଙ୍କ ଉଆସ ମଧ୍ୟରେ ରହିବ— ?’’

 

ତା ପାଟିରୁ କଥା ନ ସରୁଣୁ ସାନ୍ତରା କହି ପକାଇଲେ, ‘‘କଣ କରାଯିବ ? ଶାସ୍ତ୍ରରେ ଅଛି, ‘‘ଔଷଧାର୍ଥେ ସୁରାପାନଂ ।’’ ରୋଗ ଯେତେବେଳେ ହୋଇଛି, ଭଲ ହେବାପାଇଁ ଆଉ ଲାଜକଲେ ଚଳିବ । ତେବେ କବିରାଜେ ତାଙ୍କ ବାପ ଗାଆଁର ଲୋକ; ବାପଘରେ ଥିବାବେଳେ ଅନେକ ଥର ତାଙ୍କ ଚିକିତ୍ସା କରିଛନ୍ତି ବୋଲି କହୁଛନ୍ତି..... ।’’

 

ଗୁରୁବାରୀ—ହଁ ତା ନୁହେ କଣ ? ଗାଆଁର ଲୋକ କଣ, ଦୀନୁ ଭାଇ ତାଙ୍କ ନିଜର ଲୋକ ବୋଲି ଜାଣିବେ । ଘର ପାଖରେ ଘର । ପିଲାଦିନୁ ଏକ ସଙ୍ଗରେ ଖେଳି ବୁଲି ଆସିଛନ୍ତି । ତେବେ କଥା କଣ କି, ସେଇଟା ଥିଲା ବାପଘର, ଆଉ ଏଇଟା ହେଲା ଶାଶୁରଘର । ବାପଘରେ ଝିଅର କଣ ଏତେ ଲାଜ ସରମ ଥାଏ ? ଶ୍ୱଶୁରଘରକୁ ଆସିଲେ ଲାଜ ସରମ ବଢ଼ିଯାଏ । ଆପଣା ଭାଇ ସହିତ ମଧ୍ୟ କଥା କହିବାକୁ ଲାଜ ମାଡ଼େ । ଆମ ଜେମା ତ ଆଉ ସେମିତି ଯେ ସେ ହାଟୁଆ ବାଟୁଆଘର ଝିଅ ହୋଇ ନାହାନ୍ତି ଯେ ତାଙ୍କର ଲାଜ ନ ଥିବ । ଯାହା ତାହା ସଙ୍ଗରେ ହେଁ ହେଁ ଫେଁ ଫେଁ ହେଉଥିବେ । ସେମିତି ମହତ୍‌ ଘରର ଝିଅ ବୋଲି କହୁଛି । ଏଇ କବିରାଜଙ୍କୁ ଡକାଇବା କଥାରେ ଜେମା ପରା ମୋଟେ ମଙ୍ଗୁ ନ ଥିଲେ । ଅନେକ ବୁଝେଇବାରେ ଏଇ ବାପଘର ଗାଆଁ କବିରାଜଙ୍କ ନାଆଁ ଶୁଣିଲାଠୁଁ ଟିକିଏ ମଙ୍ଗିଲେ, ‘‘ଫେର୍‌ ଆପଣ ଯେ କହୁଛନ୍ତି, ଏହି ଉଆସରେ ରହିବେ ବୋଲି , ଏଥିରେ କଣ କହୁଛନ୍ତି କେଜାଣି ? ଆପଣ ତ ବୁଝି ପାରୁଥିବେ—ଆଉ...’’

 

ସାନ୍ତରା ମନେ ମନେ ଭାବିଲେ; ତାଙ୍କ ସ୍ତ୍ରୀ ଭାରି ଲଜ୍ଜାଶୀଳା । ସାନ୍ତରାଙ୍କ ମନରେ ଟିକିଏ ଗର୍ବ ଜାତ ହେଲା । ସେ ଟିକିଏ ଗମ୍ଭୀର ହୋଇ କହିଲେ; ‘‘ହଁ, ତାହା ଯେ କହିଲୁ ସତ ଏକା, ତେବେ ଆଉ କଣ କରାଯିବ । ଯେମିତି ହେଉ ରୋଗ ଦାଉରୁ ତ ପୁଣି ରକ୍ଷା ପାଇବାକୁ ହେବ ? ଏତେବେଳେ କି ଆଉ ଲାଜ କଲେ ଚଳେ ? ତୁ ସବୁ ବୁଝାଇ କହିଦେବୁ ।’’

 

ଗୁରୁବାରୀ ଟିକିଏ ମୁଣ୍ଡ ହଲେଇ ମୁହଁ ବିରିକିଟେଇ କହିଲା, ଦେଖେ କଣ ହେଉଛି ?

 

ସାନ୍ତରା ଦୀର୍ଘନିଶ୍ୱାସଟାଏ ପକାଇ କହିଲେ, ‘‘ଗୁରୁବାରୀ, ତୁ ତ ଏଆଡ଼େ ଅଛୁ, ତାଙ୍କ ପାଖରେ ଆଉ କିଏ ଅଛି ?’’

 

ଗୁରୁବାରୀ ଥିବ ଆଉ କିଏ ? ଏକୁଟିଆ ଥିବେ, ମୁଁ ତ ସେଥିପାଇଁ ସାଙ୍ଗେ ସାଙ୍ଗେ ଥାଏଁ-

 

ସାନ୍ତରା—ତେବେ ଆଉ ପୋଇଲୀ ଖଞ୍ଜାଇ ଦିଏଁ । ତୁ ଥିବା ନ ଥିବା ସମୟରେ ସେ ଦେଖାଶୁଣା କରିବ ?

 

ଗୁରୁବାରୀ ଜିଭ କାମୁଡ଼ି ପକାଇ କହିଲା, ‘‘ନାଁ ଲୋ ମା, ତା କରିବେ ନାହିଁଟି ? ସାଆନ୍ତାଣୀ ଏକେ ତ ମଣିଷ ଗହଳ ଚହଳକୁ ଭଲ ପାନ୍ତି ନାହିଁ, ତା ପରେ ରୋଗର ଜ୍ୱାଳା, ମୁଁ ଯେପରି ତାଙ୍କ ମନ ଜାଣି କାମ କରିଦିଏଁ, ଆଉ ଯିଏ ଆସିବ ଆସୁ, ସେ କଣ ସେପରି ଭାବରେ କରି ପାରିବ ? ଖାଲି ଯାହା ସାଆନ୍ତାଣୀଙ୍କୁ ଅଧିକା ବିରକତ କରିବ, ନ ହେଲେ ଆଉ କିଛି ଲାଭ ନାହିଁ, ମୁଁ ତେବେ ଯାଉଛି, ଦେଖେଁ ସାଆନ୍ତାଣୀ କଣ କରୁଛନ୍ତି ।’’

 

ସାନ୍ତରା କହିଲେ; ‘‘ହେଉ, ତେବେ ଯା, ଯା,—କେବେ ପାଖଛଡ଼ା ହେବୁ ନାହିଁ ।’’

 

ଅଧା ବାଟରୁ ପଛକୁ ଚାହିଁ ଗୁରୁବାରୀ କହିଲା, ‘‘ସେ ବିଷୟରେ ଆଉ ଗୁରୁବାରୀକି କହୁଛନ୍ତି ? ଏତେ ପୋଇଲୀ ପରିବାରୀ ତ ଥିଲେ ଚୌଧୁରୀ ସାଆନ୍ତେ ବାଛି ବାଛି ମୋତେ ଏକା କାହିଁକି ଜେମାମଣିଙ୍କ ସାଙ୍ଗରେ ପଠାଇଲେ ?

 

[ ଚବିଶ ]

 

ଶ୍ୱଶୁରଙ୍କ ନିକଟରେ କେତେ ମାଣ ଜମି ବନ୍ଧକ ରଖି ଦାମୋଦର ଟଙ୍କା ଆଣି ମକଦ୍ଦମା ଚଳାଇବାକୁ ଲାଗିଲେ । ଦାମୋଦର କେବଳ ସାକ୍ଷୀଗୋପାଳ ହୋଇ ଥାଆନ୍ତି; କିନ୍ତୁ ମକଦ୍ଦମାର ସମସ୍ତ ଯୋଗାଡ଼ଯନ୍ତ୍ର କରୁଥାନ୍ତି ଗୌରହରି । ସହରର ପ୍ରଧାନ ପୁରୁଣା ପୁରୁଖା ବୁଢ଼ା ଓକୀଲ ସଦାଶିବ ବାବୁ ରହିଲେ ଚୌଧୁରୀଙ୍କ ତରଫରୁ । ଦାମୋଦରଙ୍କ ତରଫରୁ ଓକୀଲ ନିଯୁକ୍ତ ହେଲେ ନୂଆ କଲେଜ ଛାଡ଼ିଥିବା ଓକୀଲ ହରିଶ୍‌ ବାବୁ । ନୂଆ ଓକୀଲଙ୍କ ଚାର୍ଜ କମ୍ । ସେଥିପାଇଁ ଗୌରହରି ବାଛି ବାଛି ନୂଆ ଓକୀଲଙ୍କ ମଧ୍ୟରୁ ହରିଶ୍‌ ବାବୁଙ୍କୁ ଓକୀଲ ନିଯୁକ୍ତ କଲେ । ଦୁଇ ପକ୍ଷରୁ ମକଦ୍ଦମା ଚାଲିଲା । ଦୁଇ ଚାରିଟା ତାରିଖ ବି ବିତିଗଲା । ତା ପରେ ପଡ଼ିଲା ଦଲୀଲ ବିଷୟ । ଚୌଧୁରୀଏ ତାଙ୍କର ଜମା ଖରଚ ଖାତା ସହିତ ହାଣ୍ଡନୋଟ ତିନିଖଣ୍ଡି ଦାଖଲ କରିଥିଲେ ।

 

ତିନି ତିନିଟା ହାଣ୍ଡନୋଟ ଦେଖି ଦାମୋଦରଙ୍କର ବୁଦ୍ଧି ହଜିଗଲା । ଏ କଣ ? ତାଙ୍କ ବାପେ ତ ୨୫ ଟଙ୍କାର ହାଣ୍ଡନୋଟ ଲେଖି ଦେଇ ଟଙ୍କା କେତୋଟି କରଜ ଆଣିଥିଲେ । ସେଥିରୁ ମଧ୍ୟ ସେ ସମସ୍ତ ସୁଝିଦେଇ ଆସିଛନ୍ତି, କେବଳ ଟଙ୍କା କେତୋଟା ବାକି ଥିଲା, ଏତେଗୁଡ଼ିଏ ହାଣ୍ଡନୋଟ କାହୁଁ ଆସିଲା ? କେଜାଣି ବା ତାଙ୍କ ଅଜ୍ଞାତରେ ତାଙ୍କ ବାପେ ହାଣ୍ଡନୋଟ ଲେଖିଦେଇ ଟଙ୍କା ଆଣିଥିବେ । ଗୌରହରିଙ୍କ ମନରେ କିନ୍ତୁ ଭାରି ଗୋଟାଏ ସନ୍ଦେହ ଜାତ ହେଲା । ନିଶ୍ଚୟ ଏଗୁଡ଼ାକ ଜାଲ ହାଣ୍ଡନୋଟ୍ । ଓକୀଲଙ୍କ ଆଗରେ ସବୁ କଥା କହି ପରାମର୍ଶ କରିବାକୁ ଲାଗିଲେ । ଓକୀଲ ତାଙ୍କ ଉର୍ବରମସ୍ତିସ୍କର ଚାଳନା କରି ଦଲୀଲ ଜାଲ ପ୍ରମାଣ କରିବା ପାଇଁ କେତେଗୁଡ଼ିଏ ପଏଣ୍ଟ ବାହାର କଲେ ।

 

ସେ ଦିନ କଚେରୀକୁ ଯାଇ ଜେରା କରିବାକୁ ଲାଗିଲେ । ହାଣ୍ଡନୋଟ୍‍ ଦେଖାଗଲା । ଗୌରହରି ଓକୀଲଙ୍କ ପଛଆଡ଼େ ଛିଡ଼ା ହୋଇଥାନ୍ତି । ହଠାତ୍ ତାଙ୍କର ନଜର ପଡ଼ିଗଲା ହାଣ୍ଡନୋଟରେ ମରା ହୋଇଥିବା ଟିକଟ ଉପରେ । ହାଣ୍ଡନୋଟ ଲେଖା ହୋଇଛି ସନ ୧୯୦୮ ମସିହା ମଇ ମାସ ୭ ତାରିଖରେ, ଅଥଚ ସେଥିରେ ଯେଉଁ ଟିକଟ ମରା ହେଇଛି, ତାହା ସମ୍ରାଟ୍‌ ପଞ୍ଚମ—ଜର୍ଜ୍ଜଙ୍କ ଅମଳର । ସେ ଚଟ୍‌ କରି ଉକ୍ତ ବିଷୟ ଓକୀଲଙ୍କ କାନରେ କହି ଦେଲେ । ହରିଶ୍‌ ବାବୁ ନୂଆ ହେଲେ କଣ ହେବ, ଭାରି ଚଲାକ । ସେ ଚଟ୍‌କରି ଉକ୍ତ ପଏଣ୍ଟଟି ଧରି ବସିଲେ । ଏ କିପରି ହେଲା ? ୧୯୦୮ ମସିହାରେ ପଞ୍ଚମ ଜର୍ଜ୍ଜଙ୍କ ଷ୍ଟାମ୍ପ ଆସିଲା କାହୁଁ ? ଖୁବ୍‌ ସମ୍ଭବ, ଏ ଜାଲ ହାଣ୍ଡନୋଟ ପରେ ତିଆରି କରା ହୋଇଅଛି । ତା ପରେ ଦଲୀଲର ଲେଖା, ଦସ୍ତଖତ୍‌ ଓ ଅନ୍ୟାନ୍ୟ କେତେକ ବିଷୟ ଦେଖି ମୁନସଫ୍‌ ବାବୁଙ୍କ ମନରେ ଗୋଟାଏ ପ୍ରବଳ ସନ୍ଦେହ ଜାତ ହେଲା ଯେ, ସେ ଦଲୀଳଗୁଡ଼ାକ ସମ୍ଭବତଃ ଜାଲ । ତା ପରେ ହରିଶ୍‌ ବାବୁ ଅନ୍ୟାନ୍ୟ ପଏଣ୍ଟମାନ ଦେଖାଇ ଓ ମୃତ ରାଧାଶ୍ୟାମ ଦାଶଙ୍କର ହସ୍ତାକ୍ଷର ମିଳାଇ ପ୍ରମାଣ କରିବାକୁ ଲାଗିଲେ ଯେ, ଦଲୀଲଗୁଡ଼ାକ ଜାଲ । ସାକ୍ଷୀମାନଙ୍କର ଜେରାରେ ମଧ୍ୟ ଅନେକ ଅନେକ କଥା ବାହାରି ପଡ଼ିଲା ।

 

ଫଳରେ ବାଦୀଙ୍କର ଦାବୀ ତ ଡିସମିସ୍‌ ହେଲା । ତା ପରେ ମୁନସଫ ବାବୁ ଚୌଧୁରୀଙ୍କୁ ଜାଲ୍‌ ହାଣ୍ଡନୋଟ ତିନୋଟି ଦାଖଲ କରିଥିବା ଅଭିଯୋଗରେ କ୍ରିମିନାଲ କୋର୍ଟକୁ ପଠାଇଦେଲେ । ଜାଲ୍‌ ହାଣ୍ଡନୋଟ ତିଆରି କରିବାରେ ସହାୟତା କରିଥିବା ଅପରାଧରେ ମାର୍କଣ୍ଡ ମିଶ୍ରଙ୍କୁ ମଧ୍ୟ ଅଭିଯୁକ୍ତ କରାଗଲା ।

 

କ୍ରିମିନାଲ କୋର୍ଟରେ ମକଦ୍ଦମା ଚାଲିଲା । ନିମ୍ନ କୋର୍ଟରେ ବିଚାର ହେବା ପରେ ମକଦ୍ଦମା ପେନାଲ କୋର୍ଡ଼ର ୪୬୭ ଓ ୪୭୧ ଦଫା ଅନୁସାରେ ଦୋହରା ସୁପର୍ଦ ହେଲା । ସେସନ୍ କୋର୍ଟରେ ମଧ୍ୟ ଅନେକ ଦିନ ମକଦ୍ଦମା ଚାଲିଲା । ଚୌଧୁରୀଙ୍କ ତରଫରୁ ଅନେକ ବଡ଼ ବଡ଼ ବାରିଷ୍ଟର ଓ ଓକୀଲମାନେ ଲଢ଼ାଲଢ଼ି କଲେ । କଲିକତାରୁ ଗୋରା ବାରିଷ୍ଟର ମଧ୍ୟ ଅଣା ହୋଇଥିଲେ । କିନ୍ତୁ ଫଳ କିଛି ହେଲା ନାହିଁ । କୁଟା ଢାଙ୍କିଲେ କି ନିଆଁ ଲୁଚି ରହେ ? ଜଜ୍ ସାହେବ ରାୟ ଦେଲେ—‘‘ଜାଲ ହାଣ୍ଡନୋଟଗୁଡ଼ିକ ଦାଖଲ କରିବା ଅପରାଧରେ ଜନାର୍ଦ୍ଦନ ଚୌଧୁରୀଙ୍କୁ ପାଞ୍ଚବର୍ଷ ସଶ୍ରମ କାରାଦଣ୍ଡ ଓ ପାଞ୍ଚ ଶହ ଟଙ୍କା ଜରିମାନା, ଜାଲ ଦଲୀଲ ଲେଖାରେ ସାହାଯ୍ୟ କରିଥିବା ଅପରାଧରେ ମାର୍କଣ୍ଡ ମିଶ୍ରଙ୍କୁ ତିନି ବର୍ଷ ସଶ୍ରମ କାରାଦଣ୍ଡ ଓ ତିନିଶହ ଟଙ୍କା ଜରିମାନା; ଜରିମାନା ଟଙ୍କା ଆଦାୟ ନ ହେଲେ ଅଧିକା ବର୍ଷେ ଲେଖାଏଁ ଜେଲ ଭୋଗିବାକୁ ହେବ ।’’

 

ରାଏ ଶୁଣି ଚୌଧୁରୀ କାଠ ହୋଇଗଲେ । ତାଙ୍କର ଓକିଲ ତାଙ୍କୁ ସାହସ ଦେଇ କହିଲେ, ‘‘ଚୌଧୁରୀସାନ୍ତେ, କିଛି ଚିନ୍ତା କରନ୍ତୁ ନାହିଁ । ହାଇକୋର୍ଟରେ ଅପିଲ୍‍ କରି ଆପଣଙ୍କୁ ଖଲାସ କରି ଆଣିବି । ଏ ଜଜଟା ଗଧା । ଆମେ ଓ ଆମ ବାରିଷ୍ଟର ସାହେବ ଯେତେ ଆଇନ ନଜିର ଦେଖାଇଲେ ସୁଦ୍ଧା, ଜଜ୍‌ଟା କିଛି ବୁଝି ପାରିଲା ନାହିଁ । ହେଉ, କିଛି ଚିନ୍ତା କରନ୍ତୁ ନାହିଁ, ଆପଣଙ୍କୁ ହାଇକୋଟ ନିଶ୍ଚୟ ଖଲାସ ଦେବ ।’’

 

ଚୌଧୁରୀ ଓ ମିଶ୍ରେ ହାତକଡ଼ି ଦିଆହୋଇ ଜେଲକୁ ନିଆ ଗଲେ । ତାପରେ ହାଇକୋଟରେ ଅପୀଲ ଦାଏର କରି ଜାମୀନରେ ଖଲାସ ହେଲେ ।

 

ହାଇକୋଟରେ ମଧ୍ୟ ଅନେକ ଦିନ ମକଦ୍ଦମା ଚାଲିଲା । ଅନେକ ବଡ଼ ବଡ଼ ନାମଜାଦା ଗୋରା ବାରିଷ୍ଟରମାନେ ଚୌଧୁରୀଙ୍କ ତରଫରୁ ନିଯୁକ୍ତ ହେଲେ, କିନ୍ତୁ ଫଳରେ କିଛି ହେଲାନାହିଁ । ନିମ୍ନ କୋର୍ଟରେ ରାଏ ବାହେଲ ହେଲା ।

Unknown

 

ଚୌଧୁରୀଙ୍କୁ ମ୍ଲାନମୁଖରେ କାରାଗାରକୁ ଯିବାକୁ ପଡ଼ିଲ । । ଚୌଧୁରୀଙ୍କ ସମ୍ପଦକାଳର ସାଥୀ ଓ ପରାମର୍ଶଦାତା ମାର୍କଣ୍ଡ ମିଶ୍ରେ ମଧ୍ୟ ଚୌଧୁରୀଙ୍କର ବିପଦକାଳର ସାଥୀ ହୋଇ ପ୍ରକୃତ ବନ୍ଧୁର କାର୍ଯ୍ୟ ବଜାୟ ରଖିଲେ ।

 

ମକଦ୍ଦମା ଖରଚରେ ଚୌଧୁରୀଙ୍କ ସମ୍ପତ୍ତିର ବାରପଣ ଯାଏ ମହାଜନମାନଙ୍କଠାରେ ବନ୍ଧକ ପଡ଼ିଥିଲା ।

 

ହାୟ ଭାଗ୍ୟଚକ୍ର ! ଭାଗ୍ୟଚକ୍ରର ଗତି କି ବିଚିତ୍ର ! ଯେଉଁ ପ୍ରବଳପରାକ୍ରାନ୍ତ ପ୍ରତାପୀ ଜମିଦାର ଜନାର୍ଦ୍ଦନ ଚୌଧୁରୀଙ୍କର ଅଙ୍ଗୁଳି ସଞ୍ଚାଳନରେ ପୃଥିବୀ ଥରହର କମ୍ପି ଉଠୁଥିଲା, ସେହି ଚୌଧୁରୀଏ ଆଜି ବନ୍ଦୀଶାଳାରେ ସାମାନ୍ୟ ବାଉରି କଣ୍ଡରା ପ୍ରଭୃତି ନୀଚ ଜାତିର ବନ୍ଦୀମାନଙ୍କ ମଧ୍ୟରେ ବନ୍ଦୀର ପୋଷାକ ପିନ୍ଧି ଘଣା ପେଲୁଛନ୍ତି ।

 

ନିୟତିର ଗତି ! ଧନ୍ୟ ଭାଗ୍ୟର ଖେଳା !

 

ଅଦାଲତରେ ଦାମୋଦର ଜୟୀ ହୋଇଥିଲେ ସତ; କିନ୍ତୁ ସେ ଜୟର ଆନନ୍ଦ ଅନୁଭବ କରିପାରି ନଥିଲେ । କାରଣ ମକଦ୍ଦମା ଖରଚରେ ସେ ପ୍ରାୟ ସର୍ବସ୍ୱାନ୍ତ ହୋଇ ପଡ଼ିଥିଲେ । ତାଙ୍କ ପୈତୃକ ଜମିରୁ ଅଧିକାଂଶ ବନ୍ଧକ ଦେଇ ସାରିଥିଲେ । ଅବଶ୍ୟ ସମସ୍ତ ନିଜ ଶ୍ୱଶୁରଙ୍କୁ । କିନ୍ତୁ ଦାମୋଦରଙ୍କର ଶ୍ୱଶୁର ଓ ଅନ୍ୟ ଲୋକ ସହିତ କୌଣସି ପ୍ରଭେଦ ନ ଥିଲା । ପୈତୃକ ଜମିଗୁଡ଼ିକୁ ଫେରି ପାଇବାପାଇଁ ଦାମୋଦରଙ୍କର ଆଉ ତିଳେ ମାତ୍ର ଆଶା ନ ଥିଲା, କିନ୍ତୁ ଗୌରହରି ବରାବର ଦାମୋଦରଙ୍କୁ ସାନ୍ତ୍ୱନା ଦେଉଥାନ୍ତି ଯେ, ତାଙ୍କର ଜମି କୁଆଡ଼େ ଯିବ ନାହିଁ । ସେ ଯେପରି ହେଉ, ତାର ତିନିଗୁଣ ଜମି ତାଙ୍କୁ କରାଇ ଦେବେ । ସେଥିପାଇଁ ଗୌରହରି ଆଜିକାଲି ରୋଜ ତିନିଥର ଲେଖାଏଁ ମହାପାତ୍ରଙ୍କ ଘରକୁ ଯିବା ଆସିବା କରନ୍ତି ।

 

[ ପଚିଶ ]

 

କଥାରେ କହନ୍ତି, ଶରୀର ସମୁଦ୍ର । କେତେବେଳେ ଯେ କଅଣ ହୁଏ, କହି ହୁଏ ନାହିଁ । ଦୁଇମାସ ହେଲା ଗୋପାଳ ମହାପାତ୍ରେ ଭାରି ବେମାର ପଡ଼ିଛନ୍ତି । କେତେ ଦିନ ହେଲା ବିମଳା ଆସି ତାଙ୍କର ସେବା ଶୁଶ୍ରୂଷା କରୁଛନ୍ତି । ଦାମୋଦର ମଧ୍ୟ ଦୁଇ ଚାରିଦିନ ଅନ୍ତରରେ ଥରେ ଲେଖାଏଁ ଯାଇ ଦେଖି ଆସୁଥାନ୍ତି । ଗୌରହରିଙ୍କୁ ଦେଖିଲେ ମହାପାତ୍ରଙ୍କ ମନରେ ଟିକିଏ ଶାନ୍ତି ଆସେ । ଅନେକ ଡାକ୍ତର କବିରାଜ ଲଗାଇ ଦାମୋଦର ଶ୍ୱଶୁରଙ୍କର ଚିକିତ୍ସା କରିବାରେ ଲାଗିଲେ, କିନ୍ତୁ ଫଳରେ କିଛି ହେଲା ନାହିଁ । ରୋଗ ଉପଶମ ହେବା ଦୂରେ ଥାଉ, ବରଂ ବଢ଼ିବାରେ ଲାଗିଲା-। ମହାପାତ୍ରେ ଯେତେବେଳେ ଜାଣିପାରିଲେ ଯେ ତାଙ୍କର ସଂସାର ଯାତ୍ରା ଶେଷ ହେବା ଉପରେ ବସିଲାଣି, ସେତେବେଳେ ତାଙ୍କ ଚକ୍ଷୁରୁ ମାୟାର ଆବରଣ ହଠାତ୍ ଉନ୍ମୋଚିତ ହୋଇଗଲା-। ସେ ଚାହିଁ ଦେଖନ୍ତି ଯେ, ଚାରିଦିଗ ଶୂନ୍ୟ । ଏତେ କଷ୍ଟ କି ମୁଣ୍ଡଝାଳ ତୁଣ୍ଡରେ ମାରି, କନ୍ୟା ବିକ୍ରୟ କରି, ଜ୍ୱାଇଁ ଠାରୁ ଜମି ବନ୍ଧକ ନେଇ, ନ ଖାଇ ନ ପିଇ ପଇସାଏ ଅଧଲାଏ କରି ଯେତେ ସମ୍ପତ୍ତି ଉପାର୍ଜନ କରିଛନ୍ତି, ତାର ସେ କେହି ନୁହନ୍ତି; କଡ଼ାଏ କଉଡ଼ି ବି ତାଙ୍କ ସଙ୍ଗରେ ଯିବ ନାହିଁ—ସବୁ ସମ୍ପତ୍ତି ପଡ଼ି ରହିଥିବ; ତାଙ୍କୁ ଏକାକୀ ଚାଲିବାକୁ ହେବ, ମହାପାତ୍ରଙ୍କ ମନରେ ବୈରାଗ୍ୟଭାବ ଜାତ ହେଲା ।

 

ମନରେ ଗୋଟାଏ ଚିନ୍ତା ହଠାତ୍ ଉଦୟ ହେଲା । ସେ ଯେ ଏତେ ସମ୍ପତ୍ତି ରଖି ଯାଉଛନ୍ତି. ତାକୁ ଭୋଗ କରିବ କିଏ ?

 

ଦିନ ପ୍ରାୟ ଦୁଇଘଡ଼ି ସରିକି ବାକି ଅଛି, ମହାପାନ୍ତ୍ରେ ବିଛଣାରେ ପଡ଼ି ଆଖି ବୁଜି ଏହିପରି ଆକାଶ ପାତାଳ ଭାବି ହେଉଛନ୍ତି, କିଛି ସ୍ଥିର କରି ପାରୁ ନାହାନ୍ତି । ସେ ଭାବୁଛନ୍ତି, ତାଙ୍କର କଅଣ କେହି ନାହିଁ, ଏ ସମ୍ପତ୍ତି ଭୋଗ କରିବା ପାଇଁ ?

 

ହଠାତ୍‌ ତାଙ୍କର ଶୀର୍ଣ୍ଣ ଲୁଳିତ ପଦଯୁଗଳରେ କାହାର କୋମଳ ହସ୍ତର ସ୍ପର୍ଶ ଅନୁଭବ କରି ବୃଦ୍ଧ ଚମକି ଉଠିଲେ । ତାଙ୍କ ଆଖି ଖୋଲି ହୋଇଗଲା । ବୃଦ୍ଧ ଦେଖିଲେ, ତାଙ୍କରି କନ୍ୟା ବିମଳା ଗୋଡ଼ ପାଖରେ ବସି ତାଙ୍କ ଗୋଡ଼ରେ ହାତ ବୁଲାଉଛି । ବୃଦ୍ଧଙ୍କର ନୟନଯୁଗଳରୁ ଆନନ୍ଦାଶ୍ରୁ ଗଡ଼ିପଡ଼ିଲା । ଭଗବାନ୍ ! ଏ ତୋର କି ବିଚିତ୍ର ଲୀଳା ! ଯେଉଁ କନ୍ୟାର ଭବିଷ୍ୟତ ପ୍ରତି ଲକ୍ଷ ନ କରି ଅର୍ଥଲୋଭରେ ମରଣୋନ୍ମୁଖ ବୃଦ୍ଧ ସହିତ ବିବାହ ଦେବାକୁ ବସିଥିଲି, ସେହି କନ୍ୟା, ସେହି ବିମଳା ମୋର ପଦସେବା କରୁଅଛି । ଏତେ କଷ୍ଟ ସହି, ଉପବାସରେ ରହି, ଅନିଦ୍ରା ହୋଇ ଦୁଇ ମାସ ହେଲା ସେହି କନ୍ୟା ମୋର ସେବା ଶୁଶ୍ରୂଷା କରୁଅଛି । ବୃଦ୍ଧଙ୍କର ଅନ୍ତର ଅନୁତାପାନଳରେ ଦଗ୍ଧୀଭୂତ ହେବାକୁ ଲାଗିଲା । ସେ ଅନ୍ତର ମଧ୍ୟରେ ଅସୀମ ଯାତନା ଅନୁଭବ କଲେ ।

 

ବୃଦ୍ଧ ଅନୁଭବ କଲେ, କିଏ ଯେପରି ତାଙ୍କର ଅନ୍ତର ମଧ୍ୟରୁ ଡାକି କହିଦେଉଛି—ମୂର୍ଖ ! ବର୍ତ୍ତମାନ ସୁଦ୍ଧା ସମୟ ଅଛି । ଏ ପାପର ପ୍ରାୟଶ୍ଚିତ୍ତ କର ।’’

 

ବୃଦ୍ଧ ଆଖି ମେଲେଇ ଚାହିଁ କ୍ଷୀଣ ଆଉ କମ୍ପିତକଣ୍ଠରେ କହିଲେ; ‘ମା ! ମୁଁ ମହାପାପୀ, ତୁ ଦେବୀ ହୋଇ ଏ ପାପିଷ୍ଠର ପାଦରେ ହସ୍ତ ଦେଉଛୁ ? ’

 

ବିମଳା ବୁଝିଲେ, ବୃଦ୍ଧପ୍ରଳାପ କରୁଛନ୍ତି । ଡାକିଲେ, ‘‘ବାପା ! ବାପା !’’

 

ବୃଦ୍ଧ ଚମକି ଉଠି କହିଲେ, ବାପା ! ବାପା ! ଓଃ କି ଅମୃତମୟ ସମ୍ୱୋଧନ ! ଡାକ୍ ଡାକ୍, ଡାକ୍ ବିମ ! ଆଉ ଥରେ ଡାକ୍ ବାପା ବୋଲି ।’’

 

ବିମଳା ଭୀତା ହୋଇ ଡାକିଲେ, ‘‘ବାପା ବାପା !’’ ବୃଦ୍ଧ ଟିକିଏ ରହି କହିଲେ, ‘‘ନାଃ ! ଥାଉ , ଥାଉ, ଆଉ ଡାକ୍‍ନା ମୁଁ ସେ ଡାକ ଶୁଣିବା ପାଇଁ ଯୋଗ୍ୟ ନୁହେ ।’’

 

ବୃଦ୍ଧ ଆଖି ବୁଜି ଶୋଇଲେ । କାହାର ପାଦଶବ୍ଦ ଶୁଣିପାରି ପୁଣି ଆଖି ମେଲାଇ ଦେଖିଲେ, ଯେ ଗୌରହରି ଆସୁଅଛନ୍ତି । ବିମଳା ପାନ ଆଣିବା ପାଇଁ ଅନ୍ୟ ଘରକୁ ଉଠିଗଲେ । ଗୌରହରି ବୃଦ୍ଧଙ୍କ ଶଯ୍ୟା ପାଖରେ ବସି ପଡ଼ିଲେ ।

 

ବୃଦ୍ଧ କ୍ଷୀଣକଣ୍ଠରେ କହିଲେ, ‘‘ମାଷ୍ଟର ବାବୁ ! ଗୋଟାଏ କାମ କରି ପାରିବ ?’’

 

ଗୌରହରି ଉତ୍ସୁକଭାବରେ ପଚାରିଲେ, ‘କଅଣ ? ’

 

ବୃଦ୍ଧ କହିଲେ, ମୋତେ ଟିକିଏ ଭଦ୍ରଖ ପର୍ଯ୍ୟନ୍ତ ନେଇଯାଇ ପାରିବ ?

 

ଦାମୋଦରଙ୍କର ଅନ୍ତର ଚମକି ଉଠିଲା । ଏ କଅଣ ? ବୃଦ୍ଧ କଅଣ ତାଙ୍କ ସମ୍ପତ୍ତି ଅନ୍ୟ କାହାରିକୁ ବିକ୍ରୟ କରିବା ପାଇଁ ଯିବେ ? ତେବେ ତ ଦାମୋଦରଙ୍କର ସର୍ବନାଶ ହେବ ?

 

ଗୌରହରି ପଚାରିଲେ, ଆଜ୍ଞା ! କାହିଁକି ? କଥା କଅଣ ?’

 

ବୃଦ୍ଧ ଅକପଟଭାବରେ ତାଙ୍କ ହୃଦୟର କଥା ଗୌରହରିଙ୍କ ଆଗରେ କହି ପକାଇଲେ । ଗୌରହରିଙ୍କ ଅନ୍ତର ଆନନ୍ଦରେ ଉତ୍‌ଫୁଲ୍ଲ ହୋଇ ଉଠିଲା ।

 

X X X

 

ଚାରିଦିନ ପର କଥା । ଯଥା ସମୟରେ ରେଜିଷ୍ଟ୍ରି କରିସାରି ବୃଦ୍ଧ ଘରକୁ ଫେରି ଆସିଲେ । ଫେରି ଆସିଲେ ସତ, କିନ୍ତୁ କେବଳ ମରଣ ପଥର ପଥିକ ହେବାପାଇଁ । ଭଦ୍ରଖରୁ ଫେରିଆସିବାର ଚାରିଦିନ ପରେ ବୃଦ୍ଧଙ୍କର ଅବସ୍ଥା ଭାରି ଖରାପ ହୋଇଗଲା ।

 

X X X

 

ସେଦିନ ଗୁରୁବାର । ଦିନ ପ୍ରାୟ ପାଞ୍ଚଘଡ଼ି ହେବ । ଝିଅ, ଜ୍ୱାଇଁ ଓ ଗୌରହରି ପାଖରେ ବସିଅଛନ୍ତି । ବୃଦ୍ଧ ଦାନପତ୍ରଟି କାଢ଼ି ବିମଳା ହାତରେ ଦେଇ ତାକୁ ଛାତି ଉପରକୁ ଟାଣି ନେଲେ । କ୍ଷୀଣ କଣ୍ଠରେ କହିଲେ, ‘‘ମା ! ମୁଁ ମହାପାପୀ, ମୁଁ ତୋର ସର୍ବନାଶ କରିବାକୁ ବସିଥିଲି ? କିନ୍ତୁ ତୋ ପୁଣ୍ୟବଳରୁ ଓ ଏହି ମହାତ୍ମା (ଗୌରହରିଙ୍କୁ ଦେଖାଇ) ଙ୍କ ଦୟାରୁ ତୁ ଆଜି ଅଚଳାଚଳ ସମ୍ପତ୍ତିର ମାଲିକ । ହଉ, ମା ! ତୋ ବୁଢ଼ା ବାପାକୁ ଆଉ ଅଭିଶାପ ଦେବୁ ନାହିଁ, କ୍ଷମା କରିବୁ । ଆଜିଠାରୁ ତୁ ମୋର ସବୁ ସମ୍ପତ୍ତିର ମାଲିକ .... ।’’

 

ବିମଳାଙ୍କ ଚକ୍ଷୁରୁ ଲୋତକଧାରା ବହିଗଲା, ସେ ପିତାଙ୍କ ଛାତି ଉପରେ ମୁହଁ ରଖି କାନ୍ଦିବାରେ ଲାଗିଲେ । ବୃଦ୍ଧଙ୍କ ନିଷ୍ପ୍ରଭ ନୟନଯୁଗଳରୁ ଲୋତକଧାରା ବହିବାରେ ଲାଗିଲା ।

 

କ୍ରମଶଃ ବୃଦ୍ଧଙ୍କ ଅବସ୍ଥା ଖରାପ ହୋଇ ଆସିଲା । କନ୍ୟାର ମୁହଁକୁ ଚାହୁଁ ଚାହୁଁ ବୃଦ୍ଧଙ୍କର ଚକ୍ଷୁ ନିମୀଳିତ ହେଇଗଲା । ପର ମୁହୂର୍ତ୍ତରେ ସବୁ ଶେଷ । ପଞ୍ଚଭୂତ ଆତ୍ମା ପଞ୍ଚଭୂତରେ ମିଶିଗଲା ମାଟିର ଦେହ ମାଟିରେ ପଡ଼ି ରହିଲା ।

 

[ ଛବିଶ ]

 

ଶ୍ୱଶୁରଙ୍କର ଅନ୍ତେଷ୍ଟ୍ୟିକ୍ରିୟା ଯଥାବିଧି ସମାପନ କରି ଦାମୋଦର ବିମଳାକୁ ସଙ୍ଗରେ ସେଇ ଘରକୁ ଫେରିଗଲେ । ଶ୍ୱଶୁରଙ୍କ ସମ୍ପତ୍ତିକୁ ଦେଖାଶୁଣା କରିବା ପାଇଁ ଗୌରହରିଙ୍କୁ ମାନେଜର ନିଯୁକ୍ତ କରିଗଲେ । ମହାପାତ୍ରେ ଏତେ ଟଙ୍କା ରଖି ଯାଇଥିଲେ ବୋଲି କାହାରିକୁ ଜଣା ନଥିଲା; ଜମି ପ୍ରାୟ ଦଶ ବାର ବାଟି ଯାଏ କରିଯାଇ ଥିଲେ । ମହାଜନିରେ ମଧ୍ୟ ଦଶ ପନ୍ଦର ହଜାର ଟଙ୍କା ଲଗେଇ ଦେଇଥିଲେ । ବାକି ନଗଦ ତହବିଲ ଟଙ୍କା, ନୋଟ୍, ମୋହର ମିଶି ମୋଟରେ ଥିଲା ତିରିଶ ହଜାର ତିନିଶ ତେତିଶ ଟଙ୍କା ତିନିଅଣା ନଅ ପାହି ।

 

ଗଚ୍ଛିତ ଟଙ୍କାରେ ଦାମୋଦର କେତେଖଣ୍ଡ ଜମିଦାରୀ କିଣି ପକାଇଲେ । ଦାମୋଦର ଜମିଦାରୀ କିଣିଲେ ସତ, କିନ୍ତୁ ତାର ଦେଖାଶୁଣା କରିବାର ଭାର ପଡ଼ିଲା ଗୌରହରିଙ୍କ ଉପରେ । ଇସ୍କୁଲ କାମ ଚଳାଇ ଏତେ ସମ୍ପତ୍ତି ବୁଝାସୁଜା କରିବା ଗୌରହରିଙ୍କ ପକ୍ଷରେ କ୍ରମଶଃ ଅସମ୍ଭବ ହୋଇ ଉଠିଲା । ଦାମୋଦରଙ୍କ ଐକାନ୍ତିକ ଅନୁରୋଧ ଫଳରେ ଗୌରହରି ଇସ୍କୁଲ କାମ ଇସ୍ତଫା ଦେଇ ଦାମୋଦରଙ୍କ ଇଲାକାରେ ମାନେଜର କରିବାରେ ଲାଗିଲେ । ସେଥିରେ ଗୌରହରିଙ୍କର କିଛି କ୍ଷତି ନଥିଲା । ବିମଳାଙ୍କ ଅନୁରୋଧକ୍ରମେ ଦାମୋଦର ସୀତାମଣିଙ୍କ ନାମରେ ହଜାରେ ଟଙ୍କା ସଦର ଜମାର ଖଣ୍ଡିଏ ଜମିଦାରୀ କିଣିଦେଲେ ଓ ଶ୍ୱଶୁରଙ୍କ ସମ୍ପତ୍ତିରୁ ଏକବାଟୀ ଜମି ଗୌରହରିଙ୍କ ନାମରେ ରେଜିଷ୍ଟ୍ରି କରିଦେଲେ ।

 

X X X

 

ସମୟ ଚାଲିଯାଏ, ସେ କାହାରି ଭଲ ମନ୍ଦକୁ ଅପେକ୍ଷା କରେ ନାହିଁ । ସୁଖର ଦିନ ଚାଲିଯାଏ, ଦୁଃଖର ଦିନ ବି ଚାଲିଯାଏ । ଚାହୁଁ ଚାହୁଁ ଚାରିବର୍ଷ ଗତ ହୋଇଗଲାଣି । ଏଥିମଧ୍ୟରେ ଅନେକ ଘଟନା ଘଟିଗଲାଣି । ପରିବର୍ତ୍ତନ ଦୁନିଆର ଗୋଟାଏ ଧରାବନ୍ଧା ନିୟମ । ଚିରକାଳ ସମାନ ଭାବରେ କିଛି ରହେ ନାହିଁ । ଭାଗ୍ୟଚକ୍ରର ଆବର୍ତ୍ତନରେ ଗରିବ ଧନୀ ହେଉଅଛି, ଧନୀ ଗରିବ ହେଉଅଛି । ଆଜି ଯେଉଁଠି ସମୃଦ୍ଧିଶାଳୀ ନଗର ଧନଗର୍ବରେ ହସି ଉଠୁଅଛି, କାଲି ହୁଏତ ସେହି ସ୍ଥାନ ମହାଶ୍ମଶାନରେ ପରିଣତ ହେଉଅଛି । ସଂସାରର ନିୟମ ବିଚିତ୍ର ।

 

ଦାମୋଦର ବର୍ତ୍ତମାନ ଆଉ ଗରିବ ନୁହନ୍ତି । ସେ ବର୍ତ୍ତମାନ ବଡ଼ଲୋକ—ଜମିଦାର । ତାଙ୍କର ସେହି ଛୋଟ ଏକସାହାଲା ମାଟିଘର ଆଉ ନାହିଁ । ସେହି ସ୍ଥାନରେ ଆଜି ସୁନ୍ଦର ସୁଦୃଶ୍ୟ ତିନିମହଲା ପକ୍କା କୋଠା ହୋଇଅଛି । ଗୌରହରିଙ୍କ ସୁନ୍ଦର ବନ୍ଦୋବସ୍ତ ଓ ସୁପରିଚାଳନା ଫଳରେ ଦାମୋଦରଙ୍କର ସମ୍ପତ୍ତି ଦୁଇଗୁଣ ବଢ଼ିଗଲାଣି; ନୂଆ ଜମିଦାରୀ ମଧ୍ୟ ଦୁଇ ଚାରିଖଣ୍ଡ କିଣାଗଲାଣି ।

 

ଅବିମିଶ୍ରିତ, ଅନବଚ୍ଛିନ୍ନ ସୁଖଭୋଗ କରିବା ସଂସାରରେ ବୋଧହୁଏ କାହାରି ଭାଗ୍ୟରେ ଲେଖା ନାହିଁ । ଦାମୋଦରଙ୍କର ଆର୍ଥିକ ଉନ୍ନତିର ସଙ୍ଗେ ସଙ୍ଗେ ତାଙ୍କୁ ଗୋଟିଏ ଘୋର ଦୁଃଖ ସହ୍ୟ କରିବାକୁ ହୋଇଛି । ଗଲା କାର୍ତ୍ତିକ ମାସ ଶୁକ୍ଲ ଏକାଦଶୀରେ ତାଙ୍କର ପୁଣ୍ୟମୟୀ ମାତା ଇହଧାମ ତ୍ୟାଗ କରି ଯାଇଛନ୍ତି ।

 

ଗୌରହରିଙ୍କ ଆର୍ଥିକ ଅବସ୍ଥାରେ ମଧ୍ୟ ଅନେକ ପରିବର୍ତ୍ତନ ହୋଇଗଲାଣି । ସେ ସ୍ୱଭାବତଃ ମିତବ୍ୟୟୀ ଥିଲେ । ତା ପରେ ଦାମୋଦରଙ୍କ ପ୍ରଦତ୍ତ ସମ୍ପତ୍ତିର ଆୟରୁ ତାଙ୍କର ବେଶ୍ ଚଳି ଯାଉଥିଲା । ସେ ଏଥିମଧ୍ୟରେ ଆହୁରି ଖଣ୍ଡେ ଜମିଦାରୀ କିଣି ସାରିଲେଣି । ଖଣ୍ଡିଏ ଛୋଟ କୋଠାଘର ତିଆରି କରିବାପାଇଁ ଗୌରହରି ଅଳ୍ପଦିନ ହେଲା ଦୁଇ ଭାଟି ଇଟା ପୋଡ଼ାଇଛନ୍ତି ।

 

ଦାମୋଦର ତଥା ଗୌରହରିଙ୍କର ଯେ କେବଳ ଧନବୃଦ୍ଧି ହୋଇଅଛି, ତାହା ନୁହେଁ, ଜନବୃଦ୍ଧି ମଧ୍ୟ ହୋଇଅଛି । ଦାମୋଦରଙ୍କ ଅଢ଼େଇ ବର୍ଷର ଗୋଟିଏ ପୁଅ । ତା ଜନ୍ମ ସମୟରେ ସୀତାମଣି ଦାମୋଦରଙ୍କ ଘରେ ଥିଲେ; ପିଲାଟିକୁ ଦେଖି ସୀତାମଣି ଭାରି ଖୁସି ହୋଇ ତା ନାମ ଦେଇଥିଲେ ‘ସୁଧାକର’ ।

 

ଏହା ସେହି ସମୟର କଥା । ଦିନେ ଉପରଓଳି ବେଳ ଆଉ ଘଡ଼ିଏ କି ଦୁଇଘଡ଼ି ବାକି ଅଛି, ବିମଳା ଦୁଇ ମାସର ନୂଆ ପୁଅଟିକି କୋଡ଼ରେ ବସାଇ ଛାତ ଉପରେ ବସିଥାଆନ୍ତି । ସୀତାମଣି ମଧ୍ୟ ତାଙ୍କ ପାଖରେ ବସି ପିଲାଟିକି ଗେଲ କରୁଥାଆନ୍ତି । ଏଣୁ ତେଣୁ କଥା ପଡ଼ୁ ପଡ଼ୁ ବିମଳା କଥା ଛଳରେ କହି ପକାଇଲେ, ‘‘ନାନି ! ତମର ଯଦି ଗୋଟିଏ ଝିଅ ହବ, ତେବେ ମୋ ସୁଧାକୁ ଦବ ନାଁ ? କହନି ।’’

 

ସୀତାମଣି ଆଖି ଚଳଛଳ କରି ପକାଇ କହିଲେ, ‘‘ସତେ ଏ ହୀନକପାଳୀର ଏଡ଼େ ଭାଗ୍ୟ ହବ ଲୋ ଭଉଣୀ !’’ ସୀତାମଣି ସମ୍ଭାଳି ପରିଲେ ନାହିଁ , ତାଙ୍କ ଚକ୍ଷୁରୁ ଦୁଇ ଟୋପା ଲୋତକ ବହି ପଡ଼ିଲା । ବିମଳା ବର୍ତ୍ତମାନ ବୁଝି ପାରିଲେ ଯେ, ଏପରି କଥାଟାଏ କହିବା ତାଙ୍କର ଅନୁଚିତ ହୋଇଅଛି । ଯାହା ହେଉ, ସାନ୍ତ୍ୱନା ଦେଇ କହିଲେ, ନାନି ! ଚିନ୍ତା କର ନାଁ, ଭଗବାନ୍ ଦୟା କଲେ କଅଣ ହେଇ ନ ପାରେ ?’’

 

X X X

 

ଏହା ଦେଢ଼ ବର୍ଷପରର କଥା । ବିମଳାଙ୍କ ଆଶା ପୂର୍ଣ୍ଣ ହୋଇଅଛି, ସୀତାମଣିଙ୍କର ଆାଶା ମଧ୍ୟ ପୂର୍ଣ୍ଣ ହୋଇଛି । ଚାରି ମାସ ହେଲ ସୀତାମଣିଙ୍କର ଗୋଟିଏ କନ୍ୟାରତ୍ନ ଲାଭ ହୋଇଅଛି, ଝଅଟି ଜନ୍ମ ହେବାବେଳେ ବିମଳା ସୀତାମଣୀଙ୍କ ଘରକୁ ଯାଇଥିଲେ । ଝିଅଟିକି ଦେଖି ଖୁସି ହୋଇ ଥଟା କରି କହିଲେ, ‘‘ନାନି ମୋ ବୋହୂ ର ନାଆଁ ମୁଁ ଦେବି ।’’

 

ସୀତାମଣି ହସି ପକାଇ କହିଲେ ‘‘ବାଃ, ଡିମ୍ୱ ନ ଫୁଟୁଣୁ ତୁ ବୋହୂ କରି ସାରିଲୁଣି । ହଉ, ଭଗବାନ୍ ଅନୁଗ୍ରହ କଲେ ସେ କଥା ଅବା କେତେ ଦୂର ?’’ ବିମଳା ସୀତାମଣିଙ୍କର ଛୁଆ ଝିଅଟିର ନାଆଁ ଦେଲେ ‘ଶଶିପ୍ରଭା’ ।

 

କିଛିଦିନ ପରେ ଛୁଆ ଝିଅଟିକି ନେଇ ସୀତାମଣି ବିମଳାଘରକୁ ଯାଇଥିଲେ ।

 

ଆଜି ଠିକ୍‌ ଦୁଇ ବର୍ଷ ତଳର ସେହି ଦିନଟି ପରି । ଉପର ଓଳି, ଦିନ ରତରତ ହେଉଛି । ବିମଳା ଶଶିପ୍ରଭାକୁ କୋଳରେ ଧରି ଗେଲ କରୁଛନ୍ତି, ପାଖରେ ବସି ସୀତାମଣି ସୁଧାକରକୁ ଗେଲ କରୁଛନ୍ତି । ସୁଧାକର ବର୍ତ୍ତମାନ ଅଳ୍ପ ଅଳ୍ପ କଥା କହି ପାରିଲାଣି, ସୁଧାକର ମାଆ କୋଳରେ ଶୋଇଥିବା ଶଶିପ୍ରଭାକୁ ଦେଖି ପଚାରିଲା, ‘‘ମା ! ଏ କିଏ ?’’

 

ବିମଳା ହସି ହସି କହିଲେ, ‘ଏ ପରା ତୋ କନିଆଁ ।’’

 

‘‘ମୋ କନିଆଁ ! ମୋ କନିଆଁ !’’ କହି ସୁଧାକର ଶଶିପ୍ରଭାର ଡାହାଣ ହାତଟିକୁ ଧରି ନିଜର ବୋଧ୍ୟ ଭାଷାରେ ଗୀତ ଗାଇ ଲାଗିଲା ।

 

ବିମଳା ହସି ହସି ପଚାରିଲେ, ସୁଧା ! ତୁ ୟାକୁ ବାହା ହବୁ ?’’

 

‘‘ହୁଁ, ହୁଁ, ହୁଁ’’ କହି ସୁଧାକର ଆନନ୍ଦରେ ଝୁଲୁଥାଏ ।

 

[ ସତେଇଶି ]

 

ଚୌଧୁରୀ ଜେଲ୍‌ ଯିବାରୁ ତାଙ୍କ ସମ୍ପତ୍ତିର ରକ୍ଷଣାବେକ୍ଷଣାର ଭାର ପଡ଼ିଲା ଗୁମାସ୍ତାମାନଙ୍କ ଉପରେ । ଚୌଧୁରୀଏ ଥିଲେ ବୋଲି ସିନା ସେମାନେ ଆୟତ୍ତ ଥିଲେ । ଚୌଧୁରୀଏ ଜେଲ ଚାଲିଯିବାରୁ ସେମାନେ ଲଗାମଛିଣ୍ଡା ଘୋଡ଼ା ପରି ଆପଣା ଆପଣାର ଉଦ୍ଦେଶ୍ୟ ସାଧନ ମାର୍ଗରେ ଦୌଡ଼ିବାରେ ଲାଗିଲେ । ଫଳରେ ଚୌଧୁରୀଙ୍କ ସମ୍ପତ୍ତି କ୍ରମଶଃ କ୍ଷୟ ହେଲା ।

 

ନାଁ, ନାଁ, କ୍ଷୟ କହିଲେ ଭୁଲ ହେଲା । ବିଜ୍ଞାନଶାସ୍ତ୍ର କହେ, ସଂସାର ମଧ୍ୟରେ କୌଣସି ପଦାର୍ଥର କ୍ଷୟ ନାହିଁ , ରୂପାନ୍ତର ହେଉଅଛି ମାତ୍ର । ନଦୀଜଳ ଶୁଖିଯାଇ ମେଘ ହେଉଅଛି, ପୁଣି ସେହି ମେଘ ଅନ୍ୟ ରୂପ ଧାରଣ କଲେ ନଦୀଜଳ ହେଉଅଛି । ପ୍ରସ୍ତରସବୁ ଚୂର୍ଣ୍ଣ ହୋଇ ବାଲୁକାରେ ପରିଣତ ହେଉଅଛି, ପୁଣି ସେହି ବାଲି ମାଟି ମିଶିଯାଇ ପ୍ରସ୍ତର ହୋଇ ଯାଉଛି । ଏହିପରି ସଂସାରରେ ଦେଖିବାକୁ ଗଲେ ପ୍ରକୃତରେ କୌଣସି ପଦାର୍ଥ କ୍ଷୟ ନାହିଁ, ରୂପାନ୍ତରିତ ହେଉଅଛି ମାତ୍ର; ସେହିପରି ଚୌଧୁରୀଙ୍କ ସମ୍ପତ୍ତି କ୍ଷୟ ହେବାରେ ଲାଗିଲା କହିଲେ ଭୁଲ ହେଲା, ପ୍ରକୃତରେ ତାହା ରୂପାନ୍ତରିତ ହେବାରେ ଲାଗିଲା । ପାଞ୍ଚଘର ସମ୍ପତ୍ତି ଠୁଳ ହୋଇ ଚୌଧୁରୀଙ୍କ ସମ୍ପତ୍ତି ଗଠିତ ହୋଇଥିଲା, ପୁଣି ତାହା ଏବେ ଭାଙ୍ଗି ଯାଇ ଗୋକୁଳି ପଟ୍ଟନାଏକ, ନରସିଂହ ମହାନ୍ତି, ସାଧୁ ପଟ୍ଟନାୟକ, ନବଘନ ମହାପାତ୍ର ଓ ଇନ୍ଦ୍ରବାସ ପ୍ରଭୃତି ଗୁମାସ୍ତାମାନଙ୍କର ସମ୍ପତ୍ତି ବଢ଼ିବାରେ ଲାଗିଲା-। ବର୍ଷ ଗୋଟାକ ମଧ୍ୟରେ ଚୌଧୁରୀଙ୍କ ଭୂସମ୍ପତ୍ତିର ଖଜଣା ବାକିରେ ନିଲାମରେ ଉଠିଲା । ତିରିଶ ହଜାର ଟଙ୍କାରେ ଦାମୋଦର ଉକ୍ତ ସମ୍ପତ୍ତିକୁ ପ୍ରକାଶ୍ୟ ନିଲାମରେ ଖରିଦ କରି ନେଲେ-। କାରାଗାରରୁ ଚୌଧୁରୀଏ ଯେତେବେଳେ ଫେରନ୍ତି, ସେତେବେଳେ ଦେଖନ୍ତି ଯେ, ତାଙ୍କ ଘରର ସମ୍ପତ୍ତି ସମସ୍ତ ଶୂନ୍‌ଶାନ୍ ।

 

ଜେଲ ମଧ୍ୟରେ କଠିନ ପରିଶ୍ରମ କରି କରି ଚୌଧୁରୀଙ୍କ ସ୍ୱାସ୍ଥ୍ୟ ଏକାବେଳକେ ଭାଙ୍ଗି ଯାଇଥିଲା । ତାଙ୍କର ଆଉ ସେ ଧନର ନିଟୋଳ ଗୋଲଗାଲ ରୂପ ନାହିଁ । ଚୌଧୁରୀଙ୍କ ଶରୀର ବର୍ତ୍ତମାନ ଅସ୍ଥିକଙ୍କାଳସାର । ମୁହଁ ଏକାବେଳକେ କଳା ପଡ଼ି ଯାଇଅଛି । ଯେଉଁମାନେ ଚୌଧୁରୀଙ୍କୁ ଥରେ ଦୁଇ ଥର ଦେଖିଥିଲେ, ସେମାନେ ବର୍ତ୍ତମାନ ତାଙ୍କ ଆଉ ଚିହ୍ନି ପାରିବେ ନାହିଁ ।

 

ଏକେ ପରିଶ୍ରମ, ଦୁଃଖ, ଅପମାନ, ତା ପରେ କାରାଗାରରୁ ମୁକ୍ତି ପାଇ ଆସି ଘରେ ପହୁଞ୍ଚିଲା ବେଳକୁ ଘର ଶୂନ୍‌ଶାନ୍ । ଏଥିରେ କି ଆଉ ମନୁଷ୍ୟ ବଞ୍ଚି ରହି ପାରେ ? କାରାଗାରରୁ ମୁକ୍ତିଲାଭ କରି ଆସିବାର ଦୁଇ ମାସ ପରେ ଚୌଧୁରୀ ସାଆନ୍ତେ ସଂସାରକାରାରୁ ଏକାବେଳକେ ଚିରମୁକ୍ତି ଲାଭ କଲେ ।

 

X X X

 

ଆହୁରି ଚାରି ଛଅ ବର୍ଷ ବିତି ଗଲାଣି । ଏଥି ମଧ୍ୟରେ ସାଆନ୍ତରାଙ୍କ ଘରେ ମଧ୍ୟ ଅନେକାନେକ ପରବର୍ତ୍ତନ ଘଟିଲାଣି । ପରିବର୍ତ୍ତନ ସଂସାରରେ ଗୋଟାଏ ଧରାବନ୍ଧା ନିୟମ । କୌଣସି ପଦାର୍ଥ ଚିରକାଳ ସମାନଭାବରେ ନ ଥାଏ । ପାଠକ ପାଠିକାମାନେ ଚୌଧୁରୀଙ୍କର ପରିବର୍ତ୍ତନ ଦେଖିଅଛନ୍ତି, ବର୍ତ୍ତମାନ ସାଆନ୍ତରାଙ୍କର ପରିବର୍ତ୍ତନ ଦେଖି ବିସ୍ମୃତ ହେବେ ନାହିଁ, କାରଣ ସେଇଟା ଦୁନିଆର ନିୟମ, ଧରାବନ୍ଧା କଥା ।

 

ଗଲାବରଷ ଭୋଦୁଅ ମାସ ତେରଦିନ ଗୋବର୍ଦ୍ଧନ ସାଆନ୍ତରା ହଠାତ୍ ତାଙ୍କର ନବପରିଣୀତା ସୁନ୍ଦରୀ ସ୍ତ୍ରୀଙ୍କୁ ଛାଡ଼ି ତାଙ୍କର ଭୋଗଲାଳସା ତୃପ୍ତି ହେବାର ସୁଯୋଗ ନ ପାଉଣୁ ଇହଧାମରୁ ବିଦାୟ ନେଲେ ।

 

ସାଆନ୍ତରାଙ୍କ ବିୟୋଗରେ ଯମୁନା ବହୁତ ଦୁଃଖିତ ହେଲେ, କାରଣ ସାଆନ୍ତରା ଥିବା ସମୟରେ ତାଙ୍କର ଯଥେଚ୍ଛା ଭୋଗ ବିଳାସ ଗୋପନ ରଖିବା ପାଇଁ ଯେଉଁ ଅଭେଦ୍ୟ ଆବରଣଟି ଥିଲା, ତାହା ଅପସାରିତ ହୋଇଗଲା । ଏ ତ ଗଲା ପ୍ରଥମ କାରଣ । ତାପରେ ବର୍ତ୍ତମାନ ଲୋକାଚାର ଦେଶାଚାର ଅନୁସାରେ ସେ ବିଧବା; ଇଚ୍ଛାନୁରୂପ ଅଳଙ୍କାର ଧାରଣ କିମ୍ୱା ବେଶ ବିନ୍ୟାସ କରି ପାରିବେ ନାହିଁ, ଭଲ ଲୁଗା ଖଣ୍ଡିଏ ପିନ୍ଧି ପାରିବେ ନାହିଁ । ମାଛ, ମାଂସ ଇତ୍ୟାଦି କିଛି ଖାଇ ପାରିବେ ନାହିଁ । ଏହିପରି ନାନାପ୍ରକାର ଦୁଶ୍ଚିନ୍ତା ଯମୁନାଙ୍କ ହୃଦୟ ମଧ୍ୟରେ ପ୍ରବେଶ କରି ତାଙ୍କ ସରସ ନବୀନ ହୃଦୟକୁ ଶୁଷ୍କ ପ୍ରାୟ କରିଦେଲା । ଯମୁନାଙ୍କର ମନର ପ୍ରକୃତ ବେଦନା ବୁଝି ପାରିଲା କେବଳ ଗୁରୁବାରୀ । ଅନ୍ୟମାନେ ଭାବିଲେ, ସ୍ୱାମୀଙ୍କୁ ଝୁରି ଝୁରି ଯମୁନା ଶୁଖି ଯାଉଛନ୍ତି ।

 

ପୂର୍ବରୁ କୁହାଯାଇଅଛି ଯେ, ସାଆନ୍ତରାଙ୍କର ଚାରି ପୁଅ । ସେମାନେ ସାଆନ୍ତରାଙ୍କ ଜୀବିତାବସ୍ଥାରୁ ମଦ, ଗଞ୍ଜା ପ୍ରଭୃତି ମାଦକ ଦ୍ରବ୍ୟର ପ୍ରଧାନ ଭକ୍ତ ହୋଇ ପଡ଼ିଲେ । ସାଧାରଣତଃ ମଫସଲରେ ବଡ଼ ଲୋକଙ୍କ ପୁଅମାନଙ୍କର ଯେପରି ଅବସ୍ଥା ହୋଇଥାଏ, ସେମାନଙ୍କର ସେହିପରି ଅବସ୍ଥା ହୋଇଥିଲା । ସମ୍ପତ୍ତି ସମସ୍ତ ବୁଝା ସୁଝା କରୁଥିଲେ ଗୁମାସ୍ତାମାନେ । ପୁଅମାନେ ତାସ୍ ପଶା ଖେଳି, ମଦ ଗଞ୍ଜେଇ ଖାଇ, ଗାଉଣା ବାଜଣା କରି ସମୟ କଟାଇ ଦେଉଥିଲେ, ପରସ୍ପର ମଧ୍ୟରେ ସଦ୍ଭାବ ନ ଥିଲା । ବୋହୂମାନେ ମଧ୍ୟ ତତୋଽଧିକ । ସେମାନେ ହେଲେ ବଡ଼ ଘରର ବୋହୂ ସାଆନ୍ତାଣୀ । ସେମାନେ କଅଣ ସାଧାରଣ କୁଲି ମୂଲିଆଘର ମାଇକିନିଆଙ୍କ ପରି ଗତର ଖଟେଇ କାମଦାମ କରିବେ ? ସେ ସବୁ ପୋଇଲୀ ପରିବାରୀଙ୍କ ଜିମା । ସେମାନେ ତୁଚ୍ଛାଟାରେ ବସି ବସି କଅଣ କରିବେ ? ବସି ବସି ପରନିନ୍ଦା ଚର୍ଚ୍ଚାରେ ସମୟ କଟାନ୍ତି । ତା ବି ନ ମିଳିଲେ ସାମାନ୍ୟ ସାମାନ୍ୟ କଥାରେ ଆପଣା ଆପଣା ମଧ୍ୟରେ କଳିକଜିଆ ଲଗାନ୍ତି ।

 

ସାଆନ୍ତରା ଜୀବିତ ଥିଲେ ବୋଲି ପୁଅମାନେ ଯେପରି ହେଉ, ଗୋଟିଏ ଖୁଣ୍ଟରେ ବନ୍ଧା ହୋଇ ପଡ଼ିଥିଲେ । ସାଆନ୍ତରା ଯେମିତି ଆଖି ବୁଜିଛନ୍ତି, ସେମିତି ଲାଗିଲା ମାରପିଟ, କଳିକଜିଆ; ଅମାରଘର, ଭଣ୍ଡାରଘର ଇତ୍ୟାଦିରେ ଚାରି ଚାରିଟା ଚାବି ପଡ଼ିଲା । ସାମାନ୍ୟ ସାମାନ୍ୟ କଥାରେ କଳିକଜିଆ ହେଲା । ସାଆନ୍ତରାଙ୍କ ଅନ୍ତ୍ୟେଷ୍ଟିକ୍ରିୟା ସମାପ୍ତ ନ ହେଉଣୁ ଚାରିପୁଅଙ୍କର ଅଲଗା ଅଲଗା ଚାରିଟା ରୋଷେଇ ହୋଇଗଲା ।

 

ପୁଅ ବୋହୂ , ନାତି ନାତୁଣୀ ଥାଉଁ ଥାଉଁ ବୁଢ଼ା ବୟସରେ ସାଆନ୍ତରା ବିବାହ କରିଥିଲେ ବୋଲି ପୁଅମାନେ ତାଙ୍କ ଉପରେ ଭାରି ବିରକ୍ତ ଥିଲେ । ସେହି କାରଣରୁ ସାଆନ୍ତରାଙ୍କର ନବପରିଣୀତା ପତ୍ନୀ ଯମୁନାଙ୍କୁ ମଧ୍ୟ ସେମାନେ ବିଷଚକ୍ଷୁରେ ଦେଖୁଥିଲେ । ବୋହୂମାନେ ମଧ୍ୟ ସମୟ ବୁଝି ଯମୁନାଙ୍କ ସହିତ ପଦେ ଦିପଦ କଜିଆ କରିବାକୁ ଛାଡ଼ୁ ନ ଥିଲେ । ଯମୁନାଙ୍କର ଅଲଗା ପରସ୍ତରେ ରହିବା ମଧ୍ୟ ସେହି କାରଣ ଉପରେ ଅନେକ ପରମାଣରେ ନିର୍ଭର କରୁଥିଲା । ଯାହାହେଉ ବୁଢ଼ା ଜୀବିତ ଥିଲେ ବୋଲି ପୁଅ ବୋହୂମାନେ ଯମୁନାଙ୍କ ସହିତ ପ୍ରକାଶ୍ୟ ଭାବରେ କଳହ ଲଗାଇ ପାରୁ ନଥିଲେ । ବୁଢ଼ା ଯେମିତି ଆଖି ବୁଜିଛନ୍ତି, ସେମିତି ସମସ୍ତଙ୍କର କୋପଦୃଷ୍ଟି ପଡ଼ିଲା ଯମୁନା ଉପରେ ।

 

ପୁଅମାନେ ଯମୁନାଙ୍କ ଭରଣପୋଷଣ ପାଇଁ ଚାରି ଛଅ ମାଣ ଜମି କାଢ଼ି ଦେଇ ଓ ତାଙ୍କ ରହିବା ପାଇଁ ବଖରାଏ ଘର ଛାଡ଼ି ଦେଇ ବାକି ସମ୍ପତ୍ତିକୁ ଚାରିଭାଗ କରି ନିଜ ନିଜ ମଧ୍ୟରେ ବାଣ୍ଟି ନେଲେ ।

 

ଧନ୍ୟ ଭାଗ୍ୟ ! ଭାଗ୍ୟର ଗତିକୁ ଫେରାଇଦେବାକୁ ସାଧ୍ୟ କାହାର ? ଯମୁନା ଆଶା କରିଥିଲେ, ବଡ଼ଲୋକ ଘରର ବୋହୂ ହୋଇଗଲେ ଭୋଗ ବିଳାସର ସାମଗ୍ରୀ ଯଥେଷ୍ଟ ପାଇବ ଓ ଭୋଗ କରିବାର ସୁବିଧା ମଧ୍ୟ ପାଇବ, ସୁତରାଂ ଜୀବନଟାଯାକ ଆମୋଦ ପ୍ରମୋଦର ସ୍ରୋତରେ ଭାସି ଭାସି ଚାଲିଯିବ । କିନ୍ତୁ ଆହା ! ତାଙ୍କର ଆଶାଲତାଟି ଯେ ଏତେ ଶୀଘ୍ର ଝାଉଁଳି ପଡ଼ିବ, ଏହା କିଏ ଜାଣିଥିଲା ?

 

ଯମୁନା ଥିଲେ ବଡ଼ଲୋକ ଘରର ଝିଅ । ପିଲାଟିଦିନୁଁ ଆମୋଦ ପ୍ରମୋଦ ଓ ଭୋଗବିଳାସରେ ବଢ଼ି ଆସିଥିଲେ । ତା ପରେ ଯୌବନର ପ୍ରାରମ୍ଭରେ ବାପଘରେ କେତେ ଦିନ ମଧ୍ୟ ବେଶ ଆମୋଦପ୍ରମୋଦରେ କଟାଇ ଦେଇଥିଲେ । ତା ପରେ ଶ୍ୱଶୁରଘରକୁ ଆସି ମଧ୍ୟ ଏହି କେତେ ଦିନ ତାଙ୍କର ବେଶ୍ ସୁଖ ସ୍ୱାଚ୍ଛନ୍ଦ୍ୟରେ କଟିଯାଇଅଛି । ବର୍ତ୍ତମାନ ଏହି ଜମି କେଇ ମାଣେ ଓ ବଖରାଏ ଘରେ ତାଙ୍କର ଦିନ କଟିବ କିପରି ? କିନ୍ତୁ ଚାରା କଅଣ ? ଶ୍ୱଶୁର ଘରେ ସୁଖ ନ ମିଳିଲା, ନାହିଁ, ବାପଘରକୁ ଧାଇଁ ଯାଆନ୍ତେ, କିନ୍ତୁ ପଥ ରୁଦ୍ଧ । ବାପା ନାହାନ୍ତି, କି ବାପଘର ବି ନାହିଁ, ଯିବେ ଆଉ କେଉଁଠାକୁ—ନିଆଁକୁ ନା ପାଉଁଶକୁ ?

 

ଯମୁନାର ସୁନା ଅଳଙ୍କାର ବହୁତ ଥିଲା । ବାପଘରୁ ତ ଯାହା ପାଇଥିଲେ — ତା ପରେ ସାଆନ୍ତରା ମଧ୍ୟ ଅନେକ ମୂଲ୍ୟବାନ୍ ଅଳଙ୍କାର ଗଢ଼ାଇ ଦେଇଥିଲେ । ସେଥିରୁ ଖଣ୍ଡିଏ ଖଣ୍ଡିଏ ବିକ୍ରୟ କରି ଯମୁନା ବିଳାସ ସାମଗ୍ରୀମାନ ସଂଗ୍ରହ କରିବାରେ ଲାଗିଲେ । କିନ୍ତୁ ସେ ଅବା ଆଉ କେତେ ଦିନ ? ଯମୁନାଙ୍କର ଅର୍ଥ ଯେତିକି କମୁଥାଏ , ତାଙ୍କର ସାଙ୍ଗମାନେ ଆସ୍ତେ ଆସ୍ତେ ଖସୁଥାଆନ୍ତି ।

 

ଯମୁନାଙ୍କର ସୁନାଅଳଙ୍କାରତକ ବିକା ସରିଲା । ସେତେବେଳେ ସେ ଦେଖନ୍ତି ଯେ ତାଙ୍କର ସଙ୍ଗସୁଖମାନେ ଆଉ କେହି ନାହନ୍ତି । ଶେଷକୁ ଥିଲା ଗୁରୁବାରୀ—ତାଙ୍କର ଆଜନ୍ମ ସହଚାରୀ—ଗୁରୁବାରୀ । କିନ୍ତୁ ସେ ବି ଆଉ ଲାଭ ଆଶା ନ ଦେଖି ଖସିଯିବାକୁ ବାଟ ଖୋଜିଲା । ଯମୁନାଙ୍କର ଶେଷ ସମ୍ୱଳ ଗୋଟିଏ ସୁନାହାର ଓ ଯୋଡ଼ିଏ ସୁନା ବାଲା ଘେନି ଗୁରୁବାରୀ ଦିନେ ଭୋରରୁ ଉଠି ଚମ୍ପଟ୍‌ ଦେଲା ।

 

ସେ ଦିନ ଥିଲା ଗୁରୁବାର । ଯମୁନା ସୁଖସ୍ୱପ୍ନ ଦେଖୁ ଦେଖୁ ଟିକିଏ ବେଶୀ ଶୋଇପଡ଼ିଥିଲେ । ବିଛଣାରୁ ଉଠିଲା ବେଳକୁ ଦିନ ଦୁଇ ଘଡ଼ି ହୋଇଗଲାଣି । ପ୍ରତିଦିନ ଯମୁନା ବିଛଣାରୁ ଉଠିଲାବେଳକୁ ଦାନ୍ତଘସା, ନାସ, ପାଣି, ଦାନ୍ତକାଠି ସଜାଡ଼ି ଗୁରୁବାରୀ ଦୁଆର ମୁହଁରେ ରଖିଦେଇଥାଏ, କିନ୍ତୁ ଆଜି ଉଠି ଯମୁନା ଦେଖିନ୍ତି ଯେ ସେ ସବୁ କିଛି ନାହିଁ । କଥା କଅଣ ? ଗୁରୁବାରୀ କୁଆଡ଼େ ଗଲା ? ପୋଖରୀପାଣି ଯାଇଥିବ ପରା ? ଏଇକ୍ଷଣି ଆସିବ ଯେ, ଯମୁନା ଦଣ୍ଡେକାଳ ଦୁଆରମୁହଁ ପାଖରେ ଅଧୁଆମୁହାଁ ହୋଇ ବସିଲେ । ମନରେ ଭାରି ରାଗଟାଏ ହେଲା ଗୁରୁବାରୀ ଉପରେ । ମନରେ ଭାବିଲେ; ‘ମଲା ଯା । ଟୋକୀଟାର କେମିତିକା ଅକଲ । ନାସ, ଦାନ୍ତକାଠି ନାହିଁ , ପାଣିଲୋଟା ନାହିଁ, ଏତେବଳ ଯାଏ ଯାଇଛି ଝାଡ଼ା ଫେରିବାକୁ—ନା ସାଇକି କୁଆଡ଼େ ବୁଲି ଯାଇଛି ? ଆସୁ ଆଜି ; ତାକୁ ଆଚ୍ଛା କରି ଦିପଦ ଶୁଣେଇ ଦେବି । ଚାକର ବାକର ଲୋକଙ୍କୁ ମୁହଁଦେଲେ ଏହିପରି ହୁଏ ।’ଯମୁନା ଏହିପରି ନାନା ପ୍ରକାର ଭାବି ଗୁରୁବାରୀ ଉପରେ ମନେ ମନେ ଖୁବ୍ ଗୁଡ଼ାଏ ରାଗିଲେ—ଗାଳି ବି ଦେଲେ ।

 

ଦଣ୍ଡେ ଗଲା ! ଘଡ଼ିଏ ବି ଗଲା । ଗୁରୁବାରୀ କାହିଁ ? ଯମୁନା ଖିଡ଼ିକିବାଟେ ମୁହଁ ଗଳାଇ ରାସ୍ତା ଉପରକୁ ଚାହିଁଲେ, ଆସୁଥିବ ପରା ! ରସ୍ତାରେ କେତେ ମଣିଷ ଯିବା-ଆସିବା କରୁଥାନ୍ତି । ତାଙ୍କର ପ୍ରିୟ ଜଗୁ ମାଷ୍ଟର ସେଇବାଟେ ଚାଲି ଯାଉଁ ଯାଉଁ ଉପରକୁ ଥରେ ଦେଖି ନ ଦେଖିଲା ପରେ ଅନ୍ୟମନସ୍କ ଭାବରେ ଚାଲିଗଲେ । ଓଃ ! କି ପରିବର୍ତ୍ତନ ! ଦୁନିଆର ଗତିଟା ସିନା ଏହିପରି ! ଯେଉଁ ଜଗୁ ଯମୁନାଙ୍କର ଟିକିଏ ଚକ୍ଷୁର ଇସାରା ପାଇଁ ବ୍ୟାକୁଳ ହୋଇ ଚାହିଁ ରହୁଥିଲା, ମାଘ ମାସରେ ଏଡ଼େ ବଡ଼ ‘କନକନିଆ’ ଶୀତ ରାତିରେ ସୁଦ୍ଧା ଏକାକୀ ଯମୁନାଙ୍କ କୋଠା ତଳେ ଛିଡ଼ା ହୋଇ ରହିବାକୁ କୁଣ୍ଠିତ ହେଉ ନ ଥିଲା, ସେହି ଜଗୁ ଆଜି ଯମୁନାଙ୍କ ଡାକ ଶୁଣି ସୁଦ୍ଧା ଦେଖି ନ ଦେଖିଲା ପରି ଚାଲିଗଲା !

 

ଆହା ! ଅର୍ଥ ! ତୋର ଶକ୍ତି କି ଅସୀମ । ତୋହରି ଯୋଗୁଁ ସିନା, ରାଜା ହୋଇଥାଏ ତୁ ଚାଲିଗଲେ ମହାରାଜା ବି ଫକୀର ପାଲଟିଯାଏ ।

 

ଆଜି ଯମୁନା ନିଃସମ୍ୱଳ । କିଏ କାହିଁ ବା ତାଙ୍କ ପାଖକୁ ଆସିବ ? ଆଉ ଯିଏ ନ ଆସିଲେ ନାହିଁ, ତାଙ୍କର ଆବାଲ୍ୟ ପୋଷିତା ଗରୁବାରୀ ବି କଅଣ ତାଙ୍କୁ ଛାଡ଼ି ଚାଲିଗଲା ? ଯେଉଁ ଗୁରୁବାରୀ ତାଙ୍କୁ ଦଣ୍ଡେ ମାତ୍ର ଛାଡ଼ି କୁଆଡ଼େ ଯାଉ ନଥିଲା, ଯେଉଁ ଗୁରୁବାରୀ ତାଙ୍କର ଏତେ ଦୂର ପ୍ରିୟପାତ୍ର ଥିଲା, ଯାହାକୁ ସେ ପ୍ରାଣର ସଖୀ ବୋଲି ଭାବିଥିଲେ, ଯେଉଁ ଗୁରୁବାରୀ ତାଙ୍କ ଭୋଗବିଳାସରେ ଦକ୍ଷିଣ ହସ୍ତସ୍ୱରୂପ ଥିଲା, ସେଇ ଗୁରୁବାରୀ ଯେ ଆଜି ତାଙ୍କୁ ଏକୁଟିଆ ଛାଡ଼ି ପଳାଇଯିବ, ଏ କଥା ଯମୁନା ବିଶ୍ୱାସ କରି ପାରିଲେ ନାହିଁ ।

 

ମନରେ ଭାରି ରାଗ ହେଲା । ଦିନ ଆସି ପହରେ ହେବାକୁ ବସିଲାଣି, ଏପର୍ଯ୍ୟନ୍ତ ଯମୁନା ଦାନ୍ତ ଘଷି ନାହାନ୍ତି, ଏମନ୍ତ କି ମୁହଁ ବି ଧୋଇ ନାହାନ୍ତି ମନେ ମନେ ଖାଲି ଦାନ୍ତ କଡ଼ମଡ଼ କରୁଛନ୍ତି । ଯାହା ହେବାର ହେଉ, ଗୁରୁବାରୀ ଆସିଲେ ତାକୁ ଆଚ୍ଛା କରି ଉତ୍ତମ ମଧ୍ୟମ ଦିପଦ ଶୁଣାଇ ଦେବେ ।

 

କିନ୍ତୁ କାହିଁ ? ଦିନ ଆସି ଦିପହର ହେଲା; ଗୁରୁବାରୀ ଦେଖା ନାହିଁ । ସେ ପର୍ଯ୍ୟନ୍ତ ଯମୁନା ଦାନ୍ତ ଘସି ନାହାନ୍ତି । ନିଜେ ସାଆନ୍ତାଣୀ ହୋଇ ନିଜ ହାତରେ ଦାନ୍ତକାଠି କାଟି ଘଷିବେ ? ଛି, ଛି ଏଇଟା ବଡ଼ ଲଜ୍ଜାର କଥା । ଆହୁରି ଦିଘଡ଼ି ବିତିଗଲା । ଦିନ ଆସି ଗଡ଼ିବାକୁ ବସିଲାଣି । ବ୍ରାହ୍ମଣୀ ଭାତ ଥାଳିଏ ଆଣି ପହଞ୍ଚଲା । ଯମୁନାଙ୍କ ଦେହ ରାଗରେ ଜଳୁଥାଏ । ସେ ଭାତକୁ ତା ଉପରକୁ ଫିଙ୍ଗିଦେଲେ । ବ୍ରାହ୍ମଣୀ ବିଚାରା କିଛି ବୁଝି ନ ପାରି ଭୟରେ ପଳାଇଲା ।

 

ରାତି ଛଅଘଡ଼ି ହେଲାଣି । ସେଇ ବ୍ରାହ୍ମଣୀ ପୁଣି ଥାଳିଏ ଭାତ ଧରି ଯୁମନାଙ୍କ କୋଠରୀକୁ ଆସିଲା । ଦେଖିଲା ଯମୁନା ଘରେ କବାଟ କିଳି ଶୋଇଛନ୍ତି । ବ୍ରାହ୍ମଣୀ ଡାକିଲା, ଗୁରୁବାରି ! ଗୁରୁବାରି ! ଏ ଗୁରୁବାରି ! କେହି ଶୁଣିଲେ ନାହିଁ, ଗୁରୁବାରୀ ପଳାୟନ ବୃତ୍ତାନ୍ତ କେହି ମଧ୍ୟ ଜାଣନ୍ତି ନାହିଁ । କାରଣ ଆଜିକାଲି କେହି ଯମୁନାଙ୍କ ଉଆସକୁ ଯିବା ଆସିବା କରନ୍ତି ନାହିଁ । କେହି ତା ଡାକ ନ ଶୁଣିବାରୁ ବିଚାରୀ ଭାତଥାଳିଟି ଦୁଆରମୁହଁ ପାଖରେ ରଖି ଘୋଡ଼ାଇ ଦେଇ ଚାଲିଗଲା ।

 

[ ଅଠେଇଶି ]

 

ଯମୁନା ବିଛଣାରେ ପଡ଼ି ଆକାଶ ପାତାଳ ଭାବିବାରେ ଲାଗିଲେ । ଭାବନାର ଅନ୍ତ ନାହିଁ—କଅଣ ଯେ ଭାବୁଛନ୍ତି, ତାର ଠିକଣା ନାହିଁ । ଭାବୁଛନ୍ତି ନିଜ କଥା, ଆଉ ବାପାଙ୍କ କଥା । ସେହି ପୁରୁଣା ସ୍ମୃତିଗୁଡ଼ାକ ମନରେ ଚେଇଁ ଉଠିଲା । ସେଦିନ ଦାମୋଦର ସଙ୍ଗରେ ଯେତେବେଳେ ତାଙ୍କର ବିବାହ ପ୍ରସ୍ତାବ ହେଲା, ସେତେବେଳେ ଦାମୋଦର ପ୍ରତି ଘୃଣାରେ ତାଙ୍କ ଦେହ କିପରି ଫୁଲି ଉଠିଥିଲା । କାରଣ ଦାମୋଦର ଗରିବ ବୋଲି । ସେଦିନ ସେ ଦାମୋଦରଙ୍କର ରୂପ, ଗୁଣ ଓ ଯୌବନକୁ ପ୍ରତ୍ୟାଖ୍ୟାନ କରି, ଅର୍ଥକୁ ଉଚ୍ଚ ଆସନ ଦେଇଥିଲେ, କିନ୍ତୁ କାହିଁ ଗଲା ସେ ଅର୍ଥ ? ଯେଉଁ ଅର୍ଥକୁ ସେ ଏତେ ବଡ଼ ବୋଲି ଭାବୁଥିଲେ, ସେହି ଅର୍ଥ କିପରି ଅଜଣା ଭାବରେ ତାଙ୍କୁ ଛାଡ଼ି ଏତେ, ସେ ତ ଜାଣି ପାରିଲେ ନାହିଁ । ତାଙ୍କ ବାପଙ୍କର ଏତେ ଐଶ୍ୱର୍ଯ୍ୟ ଅବା କୁଆଡ଼େ ଗଲା ? ତାଙ୍କ ସ୍ୱାମୀଙ୍କର ଅତୁଳ ସମ୍ପଦ ଅବା କୁଆଡ଼େ ଗଲା । ସେଇ ଦାମୋଦର, ସେଇ ଗରିବ ବ୍ରାହ୍ମଣଙ୍କର ପୁଅ ଦାମୋଦରଙ୍କର ବା ଏତେ ସମ୍ପତ୍ତି କୁଆଡ଼ୁ ଅଇଲା ! ଯମୁନା ଦିନେ ଗୁରୁବାରୀଠାରୁ ଶୁଣିଥିଲେ, ଦାମୋଦରଙ୍କର ଆଉ ସେ ମାଟିଘର ନାହିଁ । ଗତବର୍ଷ ସେ ସେହି ସ୍ଥାନରେ ଗୋଟିଏ ତିମହଲା କୋଠା ନିର୍ମାଣ କରାଇଛନ୍ତି । ଯେଉଁ ମାଟିଘରେ ରହିବାର କଳ୍ପନା କଲାକ୍ଷଣି ତାଙ୍କ ଦେହ ଘୃଣାରେ କମ୍ପି ଉଠୁଥିଲା, ସେହି ଭଙ୍ଗା କୁଡ଼ିଆ ବର୍ତ୍ତମାନ ସୁରମ୍ୟ ପ୍ରାସାଦ୍ୟରେ ପରିଣତ ହୋଇଅଛି ।

 

ମନେ ହେଲା ଯଦି ସେତେବେଳେ ତାଙ୍କୁ ସେ କୁବୁଦ୍ଧି ଜୁଟି ନ ଥାନ୍ତା, ଯଦି ସେ ଦାମୋଦରଙ୍କୁ ବିବାହ କରିଥାନ୍ତେ, ତେବେ, ତେବେ, ତେବେ.... । ଆଉ ଭାବି ପାରିଲେ ନାହିଁ, ଯମୁନାଙ୍କର ମସ୍ତିଷ୍କ ଗରମ ହେଇଗଲା । ଆହା ! ଏଥିପାଇଁ ଦାୟୀ କିଏ ? ନିଜେ, ନିଜେ, ବାପ ତ ଠିକ୍ କରିଥିଲେ ଦାମୋଦରଙ୍କ ସହିତ ତାଙ୍କୁ ବିବାହ ଦେଇ ଥାଆନ୍ତେ ! ତାକୁ ଭାଙ୍ଗିଲା କିଏ ? ନିଜେ—ଗୁରୁବାରୀ ! ଗୁରୁବାରୀ ! ଗୁରୁବାରୀ ଆଜି କାହିଁ । ଯମୁନା ପାଗଳ ପରି ହୋଇ ଦୁଇ ତିନି ଥର ଚିତ୍କାର କରି ଉଠିଲେ, ‘ଗୁରୁବାରୀ ! ଗୁରୁବାରୀ ? ଏ ଗୁରୁବାରୀ ! ରାକ୍ଷସୀ ! କୁଆଡ଼େ ଗଲୁ-?

 

ଗଭୀର ରଜନୀର ନିସ୍ତବ୍ଧତା କୌଣସି ଉତ୍ତର ଦେଲା ନାହିଁ, କେବଳ ଦଳେ ବିଲୁଆ ସେତିକିବେଳେ ଅଧରାତିଆ ଡାକ ଦେଲେ ‘ହୁକେ ହୋ’—‘ହୁକେ ହୋ’ ।

 

ଯମୁନା ପୁଣି ଭାବିଲେ-‘ନାଁ ଗୁରୁବାରୀକି ଦୋଷ ଦେବି କାହିଁକି ? ତାର କି ଚାରା ଥିଲା-? ମୁହିଁ—ମୁହିଁ ନିଜେ ତାକୁ ପଠାଇଲି ସେ ବିବାହ ଭାଙ୍ଗିଦେବା ପାଇଁ । ନିଜେ ତ ତାକୁ ଲୋଭ ଦେଖାଇଲି ପୁରସ୍କାର ଦେବି ବୋଲି । ତେବେ—ତେବେ ଦୋଷୀ କିଏ ? ଦୀନୁ କବିରାଜ ? ଦୀନୁ କବିରାଜ-? ନାଁ, ସେ କାହିଁକି ଦୋଷୀ ହେବ ? ସେ ତ ପ୍ରଥମେ ଡରୁଥିଲା । ତାକୁ ଅଭୟ ଦେଲା କିଏ । ତାକୁ ସାହସ ଦେଲା କିଏ ? ତାକୁ ଏଠାକୁ ଡକାଇଲା କିଏ ? ନିଜେ—ନିଜେ, ତେବେ ନିଜେ ଦୋଷୀ ? ହଁ ନିଜେ ! ’

 

ଏକେ ପେଟର ଜ୍ୱାଳା । ଦିନସାରା ମୁଠାଏ ଅନ୍ନ ବି ପେଟକୁ ଯାଇ ନାହିଁ । ତେଣେ ମନର ଜ୍ୱାଳା ତା ଉପରେ ପୁଣି ଅନୁତାପର କଷାଘାତ । ଏତେଗୁଡ଼ାଏ ଶତ୍ରୁ ଲାଗିଲେ, ଗୋଟିଏ ଅବଳା—ଗୋଟିଏ ଶକ୍ତିହୀନା ଅବଳାର କେତେ ସାଧ୍ୟ ଯେ, ସେମାନଙ୍କର ଦାଉରୁ ନିଜକୁ ରକ୍ଷା କରିବ । ଯମୁନା ପାରିଲେ ନାହିଁ । ଆଉ ଶୋଇ ପାରିଲେ ନାହିଁ । ଉଠି କବାଟ ଫିଟାଇ ଦେଲେ । ପୂର୍ଣ୍ଣିମା ଯାମିନୀର ଶୁଭ୍ର ଜ୍ୟୋତ୍ସ୍ନାଧାରା ତାଙ୍କର କକ୍ଷ ମଧ୍ୟକୁ ସୁଦ୍ଧା ବ୍ୟାପି ଯାଇଛି । ଦେଖିଲେ ଆଗରେ ଥାଳିଏ ଭାତ ଥୁଆ ହୋଇଛି ।

 

ପେଟଜ୍ୱାଳାରେ ଅସ୍ଥିର ହୋଇ ଯମୁନା ସେଇ ଥାଳିକ ଶୁଖିଲା ଭାତ ଏକା ନିଶ୍ୱାସରେ ଉଦରସାତ୍ କରିଦେଲେ । ତା ପରେ ଦଣ୍ଡେ ଗୁମ୍ ମାରି ବସିଲେ । କିଛିକ୍ଷଣ ପରେ ଧୀରେ ଧୀରେ ଘର ମଧ୍ୟକୁ ଯାଇ ତାଙ୍କର ଅଳଙ୍କାର ପେଟୀଟି ଫିଟାଇ ଦେଖିଲେ ଯେ ଗୋଟିଏ ସୁନା ମୁଦି ଛଡ଼ା ଆଉ ସେଥିରେ କିଛି ନାହିଁ । ତାଙ୍କର ଦାମିକା ସୁନାର ବାଲା ଯୋଡ଼ିକ ନାହିଁ, କି ମୂଲ୍ୟବାନ୍ ପଥରବସା ହାରଟି ନାହିଁ । ଯମୁନାଙ୍କର ମସ୍ତିଷ୍କ ଘୂର୍ଣ୍ଣିତ ହେଲା । ପୁଣି ସେ ବସିଲେ । ତାଙ୍କର ବାହ୍ୟଜ୍ଞାନ ଲୁପ୍ତ ହେବାର ଉପକ୍ରମ ହେଲା । ସେ ମୁଦିଟିକୁ ଲୁଗା କାନିରେ ବାନ୍ଧି, ତାଙ୍କର ପିନ୍ଧିବା ପାଟଶାଢ଼ି କେତେ ଖଣ୍ଡ ଗୋଟିଏ ପୋଟଳା ବାନ୍ଧି କାଖରେ ଯାକି ଘରୁ ବାହାରି ପଡ଼ିଲେ ।

 

କେଉଁଠାକୁ ସେ ଯାଉଛନ୍ତି ତାଙ୍କୁ ଜଣା ନାହିଁ । ଚାରିଆଡ଼ ନୀରବ ନିସ୍ତବ୍ଧ । ପୂର୍ଣ୍ଣିମା ଯାମିନୀର ଶୁଭ୍ର ଜ୍ୟୋତ୍ସାରେ ଚତୁର୍ଦ୍ଦିଗ ଧବଳିତ । ଶୁଭ୍ର ଜ୍ୟୋତ୍ସ୍ନାର ପ୍ରଭାରେ ହୀନପ୍ରଭ ତାରାଗୁଡ଼ିକ ମିଟି ମିଟି ହୋଇ ଜଳୁଛନ୍ତି । ନିଶାଚର ପକ୍ଷୀମାନେ ଜ୍ୟୋତ୍ସ୍ନା ସ୍ରୋତରେ ସନ୍ତରଣ କରି ଆହାର ଅନ୍ୱେଷଣରେ ବୁଲୁଛନ୍ତି । ଶ୍ୟାମ ପକ୍ଷୀ ଶୁଭ୍ର ଜ୍ୟୋତ୍ସ୍ନାକୁ ପାନ କରି ତା ମଧୁର କଣ୍ଠର ଅମୀୟ ସଙ୍ଗୀତ ଢାଳି ଦେଉଛି । ଫଗୁଣ ମାସର ରାତି । ଶୀତ ସମ୍ପୂର୍ଣ୍ଣ ଛାଡ଼ି ନାହିଁ । ଯମୁନା ଏକାକିନୀ ଚାଲିଛନ୍ତି । ଯେଉଁ ଦିଗକୁ ଦୃଷ୍ଟି ଯାଉଛି, ସେହି ଦିଗକୁ ଚାଲି ଯାଉଛନ୍ତି । ରାସ୍ତା ଘାଟ ପ୍ରତି ନଜର ନାହିଁ । ବାଟରେ ଗୋଟିଏ କ୍ଷୁଦ୍ର ପଲ୍ଲୀ ଦେଖାଗଲା; ତା ପାଖଦେଇ ଗୋଟିଏ କ୍ଷୀଣସ୍ରୋତା ନଈ ବହି ଯାଇଛି । ଯମୁନା ଅନ୍ୟମନସ୍କ ଭାବରେ ଚାଲୁଁ ଚାଲୁଁ ସେହି ସ୍ରୋତ ମଧ୍ୟରେ ପଶିଗଲେ । କିନ୍ତୁ ଭାଗ୍ୟକୁ ସେଥିରେ ଅଳ୍ପ ଜଳ ଥିବାରୁ ଯମୁନା ପାର ହୋଇ ଚାଲିଗଲେ । ତାଙ୍କର ଲୁଗା ଆଣ୍ଠୁ ପର୍ଯ୍ୟନ୍ତ ଓଦା ହୋଇଗଲା । ସେଥିପ୍ରତି ତାଙ୍କର ଲକ୍ଷ୍ୟ ନାହିଁ । ସ୍ରୋତଟିକୁ ପାରି ହୋଇ ସେ ଚାଲିଲେ ।

 

ଏହିପରି ଭାବରେ ଚାଲିଛନ୍ତି । ପିଲାଟି ଦିନରୁ ଯାହାଙ୍କ ପାଦରେ ଘାସ ଗଛଟାଏ ସୁଦ୍ଧା ବାକି ନ ଥିଲା, ସେ ଆଜି କଣ୍ଟା ଖୁଞ୍ଚାକୁ ନ ମାନି ଏକ ନିଃଶ୍ୱାସରେ ଚାଲିଛନ୍ତି । ହଠାତ୍ ତାଙ୍କ ସମ୍ମୁଖରେ ପ୍ରକାଣ୍ଡ ଧଳା କୋଠା ଦେଖାଗଲା । ସେତେବେଳକୁ ଭୋର ହୋଇ ଆସିଲାଣି । ପୂର୍ବ ଆକାଶରେ ପାହାନ୍ତିଆ ତରାଟି ଜକ ଜକ ହୋଇ ଜଳି ଉଠିଲାଣି । ଫଗୁଣ ମାସିଆ ପାହାନ୍ତିଆ ହାଲୁହାଲୁଆ ଶୀତଳ ପବନ ଯମୁନାଙ୍କର କ୍ଷୀଣ ଅଙ୍ଗଲତାକୁ କମ୍ପାଇ ଦେଉଛି ।

 

ମୂଲିଆମାନେ ପାହାନ୍ତିଆ ଉଠି ‘ପତୁଲି’ ପକାଇବା ପାଇଁ ତରତର ହୋଇ ମୁନିବଘରକୁ ଧାଇଁଛନ୍ତି । ଜଣେ ମୂଲିଆଟୋକା ଯମୁନା ପାଖ ଦେଇ ଚାଲି ଯାଉଥିଲା । ଯମୁନା ପଚାରିଲା, ‘‘ଏ କାହା କୋଠା ?’’ ମୂଲିଆ ଟୋକା ଉତ୍ତର ଦେଲା, ‘‘କିଲୋ, ତୋ ଘର କେଉଁଠିକି ? ତୁ ଜାଣୁ ନାହିଁ-? ଏ ପରା ଦାମୋଦର ବାବୁଙ୍କ କୋଠା ।’’

 

ଦାମୋଦର ବାବୁ । କେଉଁ ଦାମୋଦର ? ସେ ଦାମୋଦର ନୁହେ ତ ? ନାଁ ସେ ବୋଧହୁଏ ନୁହେ । ଯମୁନା ଆଗରୁ ଶୁଣି ଥିଲେ ଯେ ଦାମୋଦର ନୂଆକୋଠା ତୋଳିଛନ୍ତି । କିନ୍ତୁ, ତାହା ଯେ ଏତେ ବଡ଼ ତାହା ତାଙ୍କୁ ମାଲୁମ ନ ଥିଲା । ସେଥିପାଇଁ ସେ ସହଜରେ ବିଶ୍ୱାସ କରି ପାରିଲେ ନାହିଁ, ସନ୍ଧାନ ଚିତ୍ତରେ ଯମୁନା ପୁଣି ପଚାରିଲେ, ‘‘ଆଚ୍ଛା, ଏଇଟା କୋଉ ଗାଁ ? ମୂଲିଆଟୋକା ଜବାବ ଦେଇଗଲା, ‘‘ଏଇଟା ହରିପୁର ।’’

 

ହରିପୁର ନାମ ଶୁଣି ଯମୁନାଙ୍କର ସନ୍ଦେହ ତୁଟିଗଲା । ସେଇ ଦାମୋଦର ତ ! ସେଇ ଗରିବ ବ୍ରାହ୍ମଣର ପୁଅ ଦାମୋଦର । ଯାହାକୁ ଗରିବ ବୋଲି ହେୟ ଜ୍ଞାନ କରି ସେ ନିଜର ବିବାହ ପ୍ରସଙ୍ଗ ନିଜେ ଭାଙ୍ଗି ଦେଇଥିଲେ, ଏ ସେହି ଦାମୋଦର ଘର ? ଆହା, ଭାଗ୍ୟଚକ୍ରର କି ଅଦ୍ଭୁତ ପରିବର୍ତ୍ତନ । ସେଇ ଗରିବ ବ୍ରାହ୍ମଣର ପୁଅ ଦାମୋଦର ଆଜି ଏତେ ବଡ଼ ପ୍ରାସାଦ ! ଆଉ ସେ ଧନୀ ଜମିଦାରଙ୍କର କନ୍ୟା, ଆଡ଼ ଦୀର୍ଘ ଦଶକୋଶ ମଧ୍ୟରେ ନାମଡ଼ାକ ନୂଆଗାଁ ଚୌଧୁରୀଙ୍କ କନ୍ୟା, ପ୍ରସିଦ୍ଧ ମହାଜନ ଧନୀ ଗୋବର୍ଦ୍ଧନ ସାନ୍ତରାଙ୍କ ସହଧର୍ମିଣୀ ଯମୁନା ଆଜି ବାସହୀନା ! ଯମୁନା ଆଉ ଭାବି ପାରିଲେ ନାହିଁ, ତାଙ୍କ ମଥା ଘୂରେଇ ଦେଲା, ଆଖିକୁ ଅନ୍ଧାର ଦିଶିଗଲା, ଯମୁନା ସେହି ସ୍ଥାନରେ ଲଥ୍ କିନି ପଡ଼ିଗଲେ । ସଙ୍ଗେ ସଙ୍ଗେ ତାଙ୍କର ବାହ୍ୟ ଚେତନା ମଧ୍ୟ ଲୁପ୍ତ ହୋଇଗଲା ।

 

X X X

 

ଯମୁନାଙ୍କର ପୁଣି ଯେତେବେଳେ ଜ୍ଞାନସଞ୍ଚାର ହେଲା, ସେ ଦେଖନ୍ତି ଯେ, ସେ ଗୋଟିଏ ସୁରମ୍ୟ କୋଠରୀରେ ସୁନ୍ଦର ପଲଙ୍କ ଉପରେ କୁସୁମକୋମଳ ଶଯ୍ୟାରେ ଶାୟିତା । ଯମୁନା ଚାରି ଆଡ଼କୁ ଆଖି ବୁଲାଇ ଚାହିଁଲେ, କାନ୍ଥର ଚାରିଆଡ଼େ କେତେ ରଙ୍ଗର କେତେ ରକମର ଛବି ଟଙ୍ଗା ହୋଇଛି । ଆଉ ତାଙ୍କ ଶଯ୍ୟା ପାଖରେ ଗୋଟିଏ ପ୍ରାୟ ବିଂଶତିବର୍ଷୀୟା ଶ୍ୟାମଙ୍ଗୀ ଯୁବତୀ ବସି ତାଙ୍କର ଶରୀରରେ ହାତ ବୁଲାଉଛି । ଏ କଅଣ ? ଏ କି ଅଦ୍ଭୁତ ଲୀଳା ! ବର୍ତ୍ତମାନ ଯମୁନା କେଉଁଠି ? ସ୍ୱର୍ଗରେ-ନାଁ ମର୍ତ୍ତ୍ୟରେ । ଜୀବିତା ନା ମୃତା । ସୁପ୍ତା ନା ଉତ୍ଥିତା ! ଯମୁନା କିଛି ଭାବି ଠିକ୍ କରି ପାରିଲେ ନାହିଁ । ଅନେକ ଏଣୁ ତେଣୁ ଭାବିଗଲେ, କିନ୍ତୁ ଧାରାବାହିକ ରୂପେ କିଛି ମନେ ପଡ଼ିଲା ନାହିଁ । ତାଙ୍କର ମନେ ହେଲା, ସେ ସତେ ଯେପରି ସ୍ୱର୍ଗରେ ଅଛନ୍ତି, ତାଙ୍କ ପାଖରେ ବସି ଦେବୀଟିଏ ତାଙ୍କ ଦେହରେ ହସ୍ତ ବୁଲାଇ ଦେଉଛି ।

 

ଯମୁନାଙ୍କ କଥା ପୁଣି ଘୁରେଇ ଦେଲା । ଆଖି ବୁଜି ହୋଇ ପଡ଼ିଲା । ପୁଣି ଜ୍ଞାନ ଲୋପ ହୋଇଗଲା । ଯମୁନା ଆଖି ମେଲାଇ ଚାହିଁବାରୁ ବିମଳାଙ୍କ ମନରେ ଖୁବ୍ ସାହସ ହୋଇଥିଲା, କିନ୍ତୁ ମୁହୂର୍ତ୍ତକ ମଧ୍ୟରେ ସେ ପୁଣି ଆଖି ବୁଜି ଦେବାରୁ ତାଙ୍କର ଆଶା ତାଙ୍କ ମନ ମଧ୍ୟରେ ମିଳାଇଗଲା । ବିମଳା ପଙ୍ଖା ଧରି ପୁଣି ବିଞ୍ଚିଲେ । କିଛିକ୍ଷଣ ପରେ ଯମୁନା ପୁଣି ଆଖି ଖୋଲିଲେ । ଦେଖିଲେ—ସେଇ ଦୃଶ୍ୟ । ସେଇ ଘର, ସେଇ କାନ୍ଥ, ସେଇ ଛବି, ସେଇ ଶ୍ୟାମାଙ୍ଗୀ, ଏଥର ଆଉ ତାଙ୍କର ଭୟ ହେଲା ନାହିଁ । ଧୀରେ ଧୀରେ କ୍ଷୀଣକଣ୍ଠରେ ଯମୁନା ପଚାରିଲେ, ‘‘ମା ! ତୁମେ କିଏ ? ମୁଁ କେଉଁଠି ?’’

 

ବିମଳା ଉତ୍ତର ଦେଲେ, ‘‘ତୁମେ ବେଶ୍ ଭଲ ସ୍ଥାନରେ ଅଛ । ମୁଁ ତୁମରି ସେବାକାରିଣୀ ଭଉଣୀ ।’’

 

ମୋ ସେବାକାରିଣୀ ? ମୋ ସେବାକାରିଣୀ କିଏ ? ଗୁରୁବାରୀ ତ ଥିଲା ମୋର ଏକମାତ୍ର ସେବାକାରିଣୀ । ଏ କଣ ତେବେ ଗୁରୁବାରୀ ? ଆଖି ମଳି ଦେଇ ପୁଣି ଭଲ କରି ଚାହିଁଲେ । ନା, ଏ ତ ଗୁରୁବାରୀ ନୁହେ ? ଗୁରୁବାରୀ ସ୍ୱର ଏତେ ମିଠା ନୁହେ ? ଗୁରୁବାରୀ କାନ୍ତି ତ ଏତେ ସୁନ୍ଦର ନୁହେ ? ନାଁ ନାଁ, ଏ ଗୁରୁବାରୀ ନୁହେ । ଛି, ମୁଁ କଅଣଗୁଡ଼ାଏ ଭାବୁଛି । କାହିଁ ଦେବୀ, କାହିଁ ଦାନବୀ ।

 

ବିମଳା ପଚାରିଲେ, ‘‘ନାନି । ଟିକିଏ ଦୁଧ ଖାଇବ ?’’ ଯମୁନା କିଛି କହିଲେ ନାହିଁ । ବିମଳା ଟିକିଏ ଗରମ ଦୁଧ ପିଆଇ ଦେଲେ, ଯମୁନା କ୍ରମେ କ୍ରମେ ଆରୋଗ୍ୟ ହେଲେ । କ୍ରମେ କ୍ରମେ ପଥି ଧଇଲେ । ସାତ ଆଠ ଦିନ ପରେ ସେ ବୁଲାଚଲା କରି ପାରିଲେ । ସେତେବେଳେ ସେ ଜାଣି ପାରିଲେ ଯେ, ସେ ଦାମୋଦରଙ୍କ ଘରେ ଅଛନ୍ତି ।

 

ବିମଳା ଯମୁନାକୁ ଭାରି ଆଦର କରି ରଖିଥାନ୍ତି । ସମ୍ପୂର୍ଣ୍ଣ ଭଲ ହୋଇଯିବା ପରେ ଦିନେ ବିମଳା ଯମୁନାଙ୍କୁ କହିଲେ, ‘‘ମୁଁ ଆଉ କେତେ ଦିନ ଏଠାରେ ରହିଥିବି, ଏବେ ଯାଉଛି ।’’ ବିମଳା କହିଲେ, ‘‘କେଉଁଠିକି ଯିବ ? ଏଠି କଅଣ ଅସୁବିଧା ହେଉଛି ?’’

 

ଯମୁନା ଭାବିଲେ, ସତେ ତ, କେଉଁଠିକି ଯିବ ? ବାପ ଘର ତ ନାହିଁ, ଶ୍ୱଶୁରଘରେ ବି ତ ସ୍ଥାନ ନାହିଁ । ଅଗତ୍ୟା ଯମୁନା ଦାମୋଦରଙ୍କ ଘରେ ରହିଲେ ।

 

[ ଅଣତିରିଶ ]

 

ସମୟ ଚାଲିଯାଏ । ଯମୁନା ଦାମୋଦରଙ୍କ ଘରଠାରେ ରହିବାର ପ୍ରାୟ ଏକ ବର୍ଷ ହୋଇ ଗଲାଣି । ପ୍ରଥମେ ପ୍ରଥମେ ଦାମୋଦରଙ୍କ ଘରେ ରହିବା ପାଇଁ ଯମୁନା ଟିକିଏ ଟିକିଏ କୁଣ୍ଠିତ ହେଉଥିଲେ, କିନ୍ତୁ ବର୍ତ୍ତମାନ ଆଉ ତାଙ୍କର ସେ ଭାବ ନାହିଁ । କହିବାକୁ ଗଲେ ସେ ଦାମୋଦରଙ୍କ ପରିବାରରେ ଜଣେ ହୋଇ ଗଲେଣି । ବିମଳା ସହିତ ଯମୁନାଙ୍କର ଭାରି ଭାବ । ଦୁହେଁ ଏକ ସଙ୍ଗରେ ଚଲାବୁଲା କରନ୍ତି । କେତେ ଖୁସିଗପ କରନ୍ତି । ସମୟ ସମୟରେ ସୀତାମଣି ବି ଦାମୋଦରଙ୍କ ଘରକୁ ଚାଲି ଆସନ୍ତି । ଏହିପରି ତିନିଜଣଯାକ ମିଳି ଆମୋଦ ପ୍ରମୋଦରେ, ଖୁସିଗପରେ, ତାସ୍ ଖେଳରେ କେବେ ଅବା ଗାଆଣା ବାଜଣାରେ ସମୟ କଟାଇ ଦିଅନ୍ତି । ଯମୁନା ବାପଘରେ ଥିବା ସମୟରେ, ହାରମୋନିଅମ୍ ବଜାଇ ବେଶ୍ ଗୀତ ଗାଇ ଶିଖିଥିଲେ । ଚୌଧୁରୀଏ ମଧ୍ୟ ଉପଯୁକ୍ତ ଶିକ୍ଷକ ନିଯୁକ୍ତ କରି ଯମୁନାଙ୍କୁ ଲେଖାପଢ଼ା ସଙ୍ଗେ ସଙ୍ଗେ ଗାଆଣ ବାଜଣା ଶିକ୍ଷା ଦେଇଥିଲେ ।

 

ପ୍ରଥମେ ପ୍ରଥମେ ଯମୁନା ଦାମୋଦରଙ୍କୁ ଦେଖା ଦେଉ ନଥିଲେ, କିନ୍ତୁ ଏବେ ସେପରି ଭାବ ନାହିଁ । ବର୍ତ୍ତମାନ ଯମୁନା ମୁକ୍ତଭାବରେ ଦାମୋଦରଙ୍କ ସହିତ କଥାବାର୍ତ୍ତା କରନ୍ତି । ଥଟ୍ଟା ପରିହାସ ମଧ୍ୟ ସମୟ ସମୟରେ କରିଥାଆନ୍ତି ।

 

ଯମୁନା ଏକେ ଯୁବତୀ । ତା ପରେ ପରମ ସୁନ୍ଦରୀ ମଧ୍ୟ । ପିଲାଟିଦିନୁଁ ଭୋଗ ବିଳାସରେ ବଢ଼ିଥିଲେ । ଦାମୋଦରଙ୍କର କମନୀୟ କାନ୍ତି ତାଙ୍କର ଚକ୍ଷୁ ଝଲସାଇ ଦେଉଥାଏ । ତାଙ୍କର ଅବାଧ୍ୟ ମନ ସମୟ ସମୟରେ ତାଙ୍କର ଆୟତ୍ତରୁ ଖସି ଯାଉଥାଏ, ସେ ଚେଷ୍ଟା କରି ଜୋର୍ କରି ତାହା ଦମନ କରିବାରେ ଲାଗିଲେ ।

 

ଅନେକ ସମୟରେ ବିମଳାଙ୍କ ଉପରେ ଯମୁନାଙ୍କର ଈର୍ଷା ହେଉଥାଏ । ଦିନ ଦ୍ୱିପ୍ରହରେ ଖାଇ ସାରି ବିମଳା ଯେତେବେଳେ ବସି ସ୍ୱାମୀଙ୍କ ସହିତ କଥାବାର୍ତ୍ତା କରନ୍ତି, ହସ କୌତୁକ କରନ୍ତି, ସେତେବେଳେ ଯମୁନାଙ୍କର ହୃଦୟ ମଧ୍ୟରେ ଈର୍ଷାନଳ ପ୍ରଜ୍ୱଳିତ ହୋଇ ଉଠେ । ତାଙ୍କର ଅଜ୍ଞାତଭାବରେ ଚକ୍ଷୁରୁ ଲୋତକବାରି ବୋହି ଆସେ । ସେ ନିଜ ଶୋଇଲା ଘରକୁ ଯାଇ ତକିଆରେ ମୁହଁ ଗୁଞ୍ଜି କାନ୍ଦି ପକାନ୍ତି । କିନ୍ତୁ ତାଙ୍କର ମନର ବେଦନା କେହି ଜାଣି ପାରନ୍ତି ନାହିଁ ।

 

ସମୟ ସମୟରେ ପିଲାଟା ଅଝଟ ଲଗେଇଲେ କିମ୍ବା ବିମଳା ଅନ୍ୟ କାମରେ ବ୍ୟସ୍ତ ଥିଲେ, ଯମୁନା ଯାଇ ଦାମୋଦରଙ୍କର ଶୋଇବା ଖଟ ଉପରେ ବିଛଣା ଚଦରକୁ ଝାଡ଼ି ଦିଅନ୍ତି । ସେତେବେଳେ ବି କାହିଁକି କେଜାଣି, ଯମୁନାଙ୍କ ଆଖି ଛଳଛଳ ହୋଇ ଆସେ । ତାଙ୍କର ଅଜ୍ଞାତସାରରେ ଦୁଇ ଚାରିଟା ଲୋତକବିନ୍ଦୁ ବିଛଣା ଉପରେ ଖସିପଡ଼େ ।

 

ଆହୁରି ଚାରି ଛ ମାସ ବି ଗତ ହୋଇଗଲାଣି । ବର୍ତ୍ତମାନ ଯମୁନା ଦାମୋଦରଙ୍କୁ ଆଦୌ ଲଜ୍ଜା କରନ୍ତି ନାହିଁ । ଏକ ସଙ୍ଗରେ ବସା ଉଠା କରିବାକୁ ମଧ୍ୟ ଲଜ୍ଜିତ ହୁଅନ୍ତି ନାହିଁ । କିନ୍ତୁ ଦାମୋଦରଙ୍କୁ କିପରି ଗୋଟାଏ ସଙ୍କୋଚ ବୋଧହୁଏ । ସେ ସବୁବେଳେ ଯମୁନାଙ୍କଠାରୁ ଦୂରରେ ରହିବାକୁ ଚେଷ୍ଟା କରନ୍ତି । ଯମୁନା କିନ୍ତୁ ବରାବର ଦାମୋଦରଙ୍କ ସଙ୍ଗରେ ରହିବା ପାଇଁ ସୁଖ ପାଏ ଓ ସମୟ ସମୟରେ ପରିହାସ ଛଳରେ ନିଜର ମନୋଭାବ ମଧ୍ୟ ବ୍ୟକ୍ତ କରି ପକାଏ; କିନ୍ତୁ ଦାମୋଦରଙ୍କର ସେଥିପ୍ରତି ନଜର ନଥାଏ ।

 

ଦିନେ ଦିପ୍ରହର ସମୟରେ ଦାମୋଦର ଖାଇପିଇ ସାରି ବିଶ୍ରାମ କରୁଛନ୍ତି । ବିମଳା ରୋଷେଇଘରେ ଥାଆନ୍ତି । ବଡ଼ଲୋକ ହୋଇ ସୁଦ୍ଧା ବିମଳା ନିଜ ହାତରେ ରୋଷେଇ କରିବା ପାଇଁ ଭାରି ସୁଖ ପାଉଥିଲେ । ବିମଳା ନ ରାନ୍ଧିଲେ ଅନ୍ୟର ରାନ୍ଧଣା ଦାମୋଦରଙ୍କୁ ଭଲ ଲାଗେ ନାହିଁ; ସେ ଭଲ କରି ଖାଇ ପାରନ୍ତି ନାହିଁ । ସେଥିପାଇଁ ବିମଳା ନିଜ ହାତରେ ରାନ୍ଧି ସ୍ୱାମୀଙ୍କୁ ଖୁଆନ୍ତି । ଆଜିକାଲି ବିମଳା ଯମୁନାଙ୍କୁ ନାନୀ ବୋଲି ଡାକନ୍ତି ।

 

ସେଦିନ ରୋଷେଇଘରେ କଅଣ କାର୍ଯ୍ୟରେ ବ୍ୟସ୍ତ ଥିବାରୁ ବିମଳା ଯମୁନାଙ୍କୁ ସମ୍ବୋଧନ କରି କହିଲେ, ‘ନାନି । ଟିକିଏ ଯାଅ ତ, ପାନ ଚାରିଖଣ୍ଡ ଭାଙ୍ଗି ତାଙ୍କୁ ଦେଇ ଆସିବ; ମୁଁ ବର୍ତ୍ତମାନ ଟିକିଏ କାମରେ ବ୍ୟସ୍ତ ଅଛି ।’’

 

ବିମଳାଙ୍କ କଥା ଶୁଣି ଯମୁନା ଅତି ଆଗ୍ରହସହକାରେ ପାନ ଭାଙ୍ଗିବାକୁ ଗଲେ । ପାନ ଭାଙ୍ଗୁ ଭାଙ୍ଗୁ ଯମୁନାଙ୍କର ମନ ମଧ୍ୟରେ କେତେ ପ୍ରକାର ଚିନ୍ତା ଜାଗ୍ରତ ହେଲା; ଆଖିରୁ ଦୁଇ ଟୋପା ଲୁହ ମଧ୍ୟ ଗଡ଼ି ପଡ଼ିଲା; କିନ୍ତୁ ଅନ୍ୟ କେହି ତାହା ଜାଣି ପାରିଲେ ନାହିଁ ।

 

ପାନ ଚାରିଖଣ୍ଡ ଅତି ଯତ୍ନରେ ଭାଙ୍ଗି ଯମୁନା ଦାମୋଦରଙ୍କ ଶୋଇବା ଘରକୁ ଧୀରେ ଧୀରେ ଗଲେ । ଯମୁନାଙ୍କ ଛାତି ଦମ୍ ଦମ୍ ହେଉଥାଏ । ମନରେ କିପରି ଗୋଟାଏ ଭୟ ଜାତ ହେଉଥାଏ ।

 

ଦାମୋଦର ପଲଙ୍କ ଉପରେ ଚିତ୍ ହୋଇ ଶୋଇ ଖଣ୍ଡିଏ ‘ଉତ୍କଳ-ସାହିତ୍ୟ’ ପଢ଼ୁଥିଲେ । ଘର ଭିତରକୁ ଜଣେ କେହି ଲୋକ ପଶିଯିବା କଥା ଛାଇରୁ ଅନୁମାନ କରିନେଲେ । ଭାବିଲେ, ବୋଧହୁଏ ବିମଳା ଆସୁଛନ୍ତି; ସୁତରାଂ ବହିରୁ ମୁହଁ ନ ଉଠାଇ ପରିହାସ ଛଳରେ କହି ପକାଇଲେ, ‘‘ଏଡ଼େ ନିଷ୍ଠୁର କେଉଁ ଦିନୁଁ ହେଲ ମ ? ଭାତ ଖାଇ ସାରି ଦି’ ଘଣ୍ଟା ହେଲା ଚାହିଁ ବସିଛି, ଏ ପର୍ଯ୍ୟନ୍ତ ଦେଖା ନାହିଁ ?’’

 

ଯମୁନାଙ୍କ ଛାତି ଭିତର କଅଣ ହୋଇଗଲା; ଏ କଅଣ । କଅଣ ଶୁଣୁଛନ୍ତି ଆଜି ସେ । ସତେ କଅଣ ଦାମୋଦର ତାଙ୍କୁ ଦେଖି ପାରନ୍ତି ? ସତେ କଅଣ ସେ ତାଙ୍କ ପାଇଁ ଅପେକ୍ଷା କରି ରହିଛନ୍ତି ? ଗୋଟାଏ ଭୟ, ଆନନ୍ଦ ଓ ଆଶଙ୍କା ତାଙ୍କ ମନ ମଧ୍ୟରେ ଖେଳିଗଲା । ସେ କିଛି ନ କହି ଧୀରେ ଧୀରେ ଯାଇ ପଲଙ୍କ ପାଖରେ ଛିଡ଼ା ହେଲେ ।

 

ଦାମୋଦର ଗୋଟିଏ ଭଲ ଗଳ୍ପ ପଢ଼ୁଥିଲେ ଓ ତାହା ଶେଷ ହେବାକୁ ଆଉ ଅଳ୍ପ ବାକି ଥାଏ । ସେଥିପାଇଁ ଦାମୋଦର ବହିରୁ ମୁହଁ ଉଠାଇ ପାରୁ ନ ଥାନ୍ତି । ସେହିପରି ବହି ଉପରେ ନଜର ରଖି ଦାମୋଦର କହିଲେ, ‘‘ଆଜି କାହିଁକି ପାଟିରୁ କଥା ବାହାରୁ ନାହିଁ ? ଏତେ ଲାଜ ମାଡ଼ୁଛି କାହିଁକି ? ନାଁ ଏଟା ଗୋଟାଏ ଛଇ ? ଦାମୋଦର ବହିରୁ ମୁହଁ ନ ଉଠାଇ ଯମୁନାଙ୍କ ହାତକୁ ଖଟ୍ କରି ଧରି ଟାଣି ନେଲେ । ଯମୁନାଙ୍କ ସର୍ବାଙ୍ଗରେ ବିଦ୍ୟୁତ୍ ସ୍ରୋତ ଖେଳିଗଲା; ଦେହ ରୋମାଞ୍ଚିତ ହୋଇ ଉଠିଲା ।

 

ଦାମୋଦର ହଠାତ୍ ବହିରୁ ମୁହଁ କାଢ଼ିନେଇ ଚାହିଁ ଦେଇ ଦେଖିଲେ ଯେ, ସେ ବିମଳା ନୁହନ୍ତି, ଯମୁନା । ଦାମୋଦରଙ୍କ ମନରେ ଗୋଟାଏ ଭୟ ଜାତ ହେଲା । ସେ କଅଣକଲେ । ଯମୁନାଙ୍କୁ ବିମଳା ବୋଲି ଭାବି ସେ ପରିହାସ ଛଳରେ କଅଣ କହି ପକାଇଲେ । ଦାମୋଦରଙ୍କର ଦେହ ଭୟ ଓ ସଙ୍କୋଚରେ ଥରି ଉଠିଲା । କିନ୍ତୁ ଯମୁନା ନିଃସଙ୍କୋଚଭାବରେ ଦାମୋଦରଙ୍କ ପଲଙ୍କ ଉପରେ ବସିପଡ଼ି ତାଙ୍କର ହାତକୁ ଚିପି ଧଇଲେ ।

 

ଯମୁନାଙ୍କ ଆଖିରୁ ଦୁଇ ଟୋପା ଲୁହ ଗଡ଼ିପଡ଼ିଲା । ଭୟ ଓ ସଙ୍କୋଚରେ ଦାମୋଦରଙ୍କର ଦେହ ଘର୍ମାକ୍ତ ହୋଇ ଉଠିଲା । ଯମୁନାଙ୍କ ବ୍ୟବହାରରେ ଦାମୋଦର କିଂକର୍ତ୍ତବ୍ୟବିମୂଢ଼ ହୋଇଗଲେ ।

 

ବିମଳା ରୋଷେଇଘର କାମ ଶେଷ କରି ଯମୁନାଙ୍କୁ ଭାତ ଖାଇବା ପାଇଁ ଡାକିବାକୁ ଗଲେ । ଯମୁନାଙ୍କୁ ତାଙ୍କ ଶୋଇବା ଘରେ ନ ଦେଖି ବିମଳା ନିଜ ଶୋଇବା ଘରକୁ ପଶି ଯାଉଥିଲେ । ହଠାତ୍ ପଲଙ୍କ ଉପରେ ତାଙ୍କ ଦୃଷ୍ଟି ପଡ଼ିଗଲା । ବିମଳା ଦେଖିଲେ ଯେ, ଯମୁନା ପଲଙ୍କ ଉପରେ ତାଙ୍କର ସ୍ୱାମୀଙ୍କ ପାଖରେ ବସି ତାଙ୍କ ହାତକୁ କୋଳରେ ଜାକି ଧରିଛନ୍ତି । ବିମଳାଙ୍କ ଚକ୍ଷୁ ସ୍ଥିର । ଏ କଣ ? ଏ କି ଦୃଶ୍ୟ ଆଜି ଦେଖୁଛନ୍ତି ସେ ! ସତେ କଣ ତାଙ୍କ ସ୍ୱାମୀ, ତାଙ୍କ ଗଣ୍ଠିଧନ, ତାଙ୍କ ହୃଦୟର ଏକମାତ୍ର ସମ୍ପଦ ତାଙ୍କର ନୁହନ୍ତି । ବିମଳା ଆଉ କିଛି ଭାବି ପାରିଲେ ନାହିଁ । ମଥାରେ ହାତ ଦେଇ ବସିପଡ଼ିଲେ ।

 

ବିମଳାଙ୍କୁ ଦେଖି ଯମୁନା ଧଡ଼ କରି ଉଠିପଡ଼ି ଦାମୋଦରଙ୍କର ହାତକୁ ଛାଡ଼ିଦେଇ ଅନ୍ୟ ଘରକୁ ଚାଲିଗଲେ ।

 

ମୁହୂର୍ତ୍ତକ ମଧ୍ୟରେ ଦାମୋଦରଙ୍କର ସୁନାର ସଂସାର ଚୂନା ହୋଇଗଲା ! ହାୟରେ ଭାଗ୍ୟ ! ଭାଗ୍ୟଚକ୍ରର ଆବର୍ତ୍ତନରେ ମୁହୂର୍ତ୍ତକ ମଧ୍ୟରେ ଯେ କେତେ ସୁନାର ସଂସାର ଚୂନା ହୋଇ ଯାଉଛି, କିଏ ତାହାର କଳନା କରି ପାରିବ ?

 

[ ତିରିଶ ]

 

ବିମଳା ସେଦିନ ସୀତାମଣିଙ୍କ ନିକଟକୁ ଖଣ୍ଡିଏ ପତ୍ର ଲେଖିଲେ; ସୀତାମଣି ପତ୍ର ପାଇ ସବାରି ପଠାଇ ଦେଇ ବିମଳା ଓ ତାଙ୍କ ପୁଅକୁ ନିଜ ଘରକୁ ନେଇଗଲେ ?

 

ଦାମୋଦରଙ୍କୁ କିଛି ନ ପଚାରି, ତାଙ୍କର ଅନୁମତି ନ ନେଇ ବିମଳା ଚାଲିଯିବାରୁ ଦାମୋଦରଙ୍କ ମନରେ ଭାରି ରାଗ ହେଲା । ତାଙ୍କୁ କିଛି ନ ପଚାରି, କଥାଟା କଣ ନ ବୁଝି ବିମଳାଙ୍କ ଚାଲିଯିବାଟାକୁ ସେ ଭଲ ମନେ କଲେ ନାହିଁ; ମନେ ମନେ ପ୍ରତିଜ୍ଞା କଲେ ଯେ, ବିମଳା ନିଜର ଭ୍ରମ ବୁଝି ପାରି ନ ଫେରିବା ପର୍ଯ୍ୟନ୍ତ ସେ ତାଙ୍କୁ ଆଉ ଆଣିବାକୁ ଯିବେ ନାହିଁ ।

 

ଦୁଇ ଦିନ ଗଲା । ଚାରି ଦିନ ଗଲା । ସମ୍ମୁଖରେ ଲାବଣ୍ୟମୟୀ ଯୁବତୀର ପ୍ରଲୋଭନ । ସେ ପ୍ରଲୋଭନକୁ ଦମନ କରିବା ପାଇଁ ଯେଉଁ ପ୍ରତିବନ୍ଧକ ଥିଲା, ତାହା ଏବେ ଦୂରକୁ ଚାଲିଯାଇଛି-। ଦାମୋଦରଙ୍କର ଚରିତ୍ର ଖବ୍ ଉନ୍ନତ ଥିଲା ସତ, କିନ୍ତୁ ଯେତେହେଲେ ସେ ତ ମନୁଷ୍ୟ, ରକ୍ତମାଂସରେ ଗଢ଼ା ତାଙ୍କ ଶରୀର । ଶାସ୍ତ୍ରକାରମାନେ ସ୍ତ୍ରୀଜାତିକୁ ଅବଳା ବୋଲି କହିଛନ୍ତି, କିନ୍ତୁ ପ୍ରକୃତରେ ଦେଖିବାକୁ ଗଲେ ପୁରୁଷଙ୍କ ହୃଦୟ ସ୍ତ୍ରୀଙ୍କ ହୃଦୟଠାରୁ ବହୁ ପରିମାଣରେ ଦୁର୍ବଳତର, ପୁରୁଷଙ୍କ ଶାରୀରିକ ବଳ ସ୍ତ୍ରୀଙ୍କଠାରୁ ବେଶି ହେଇପାରେ, କିନ୍ତୁ ପୁରୁଷଙ୍କ ମାନସିକ ବଳ ଢେର୍ କମ୍ ।

 

କହିବା ବାହୁଲ୍ୟ ଯେ, ଦାମୋଦର ଆଉ ଆତ୍ମସଂଯମ କରି ରହି ପାରିଲେ ନାହିଁ ।

 

ଉଦ୍ଦାମ ପ୍ରଲୋଭନର କରାଳ ଆଲିଙ୍ଗନରେ ସେ କ୍ଷୁଦ୍ର ଶିଶୁଟି ପରି ଅକାତରରେ ଆତ୍ମସମର୍ପଣ କରି ଦେଲେ । ଆଜିକାଲି ଯମୁନା ଦାମୋଦରଙ୍କର ପ୍ରିୟତମା । ଦାମୋଦରଙ୍କୁ ନିଜର ଆୟତ୍ତକରି ରଖିବା ପାଇଁ ଯମୁନା ନିଜ ହାତରେ ତାଙ୍କର ସେବା ଶୁଶ୍ରୂଷା କରୁଥାଆନ୍ତି । ନାନାପ୍ରକାର ସରସ ସୁଖାଦ୍ୟ ବ୍ୟଞ୍ଜନ ପ୍ରସ୍ତୁତ କରି ଦାମୋଦରଙ୍କୁ ଖୁଆଉଥାନ୍ତି ଓ ସମୟ ମୁତାବକ ତାଙ୍କର ମନ ଅନୁସାରେ ସମସ୍ତ ଯୋଗାଇ ଦେଉଥାଆନ୍ତି । ପୂର୍ବରୁ କୁହାଯାଇଛି ଯେ, ଯମୁନା ସଙ୍ଗୀତବିଦ୍ୟାରେ ଖୁବ୍ ସାରଗ ଥିଲେ । ଅନେକ ସମୟରେ ଯମୁନା ହାରମୋନିୟମ୍ ବଜାଇ ସୁଲଳିତ କଣ୍ଠରେ ନାନା ପ୍ରକାର ପ୍ରେମସଙ୍ଗୀତ ଗାନ କରୁଥାଆନ୍ତି ଓ ଦାମୋଦର ସେ ସଙ୍ଗୀତର ମୂର୍ଚ୍ଛନାରେ ଆତ୍ମହରା ହୋଇ ପଡ଼ନ୍ତି । ଯମୁନାଙ୍କର ଆନ୍ତରିକ ଇଚ୍ଛା, ଦାମୋଦର ଯେପରି ବିମଳାକୁ ଭୁଲିଯାଆନ୍ତି ।

 

ଦାମୋଦରଙ୍କର ଏ ଅଧଃପତନର ସମ୍ବାଦ ପାଇ ଗୌରହରି ଖୁବ୍ ମର୍ମାହତ ହେଲେ ଓ ଯମୁନାକୁ ଗୃହରୁ ବାହାର କରିଦେଇ ବିମଳାକୁ ଘରକୁ ନେବା ପାଇଁ ଦାମୋଦରଙ୍କଠାକୁ ଖଣ୍ଡିଏ ପତ୍ର ଲେଖିଲେ ।

 

ସେତେବେଳେ ଦାମୋଦର ଯମୁନାଙ୍କ ରୂପତରଙ୍ଗରେ ଉବେଇ ଟୁବେଇ ହୋଇ ସମ୍ପୂର୍ଣ୍ଣ ଶକ୍ତିହୀନ ହୋଇ ଭାସୁଛନ୍ତି । ସେ ଉଦ୍ଦାମ ଲାଳସାସ୍ରୋତରେ ଗୌରବହରିଙ୍କର ଉପଦେଶପୂର୍ଣ୍ଣ କ୍ଷୁଦ୍ର ପତ୍ରଖଣ୍ଡି ଅକ୍ଳେଶରେ ଭାସିଯିବା ବିଚିତ୍ର କଅଣ ? ଗୌରବହରିଙ୍କର ପତ୍ର ପାଇ ଦାମୋଦରଙ୍କ ମନରେ ବିମଳା କଥା କ୍ଷଣକ ପାଇଁ ଚେଇଁ ଉଠିଲା, କିନ୍ତୁ ଯମୁନାଙ୍କ ବିଦ୍ୟୁତପୂର୍ଣ୍ଣ କଟାକ୍ଷରେ ମୁହୂର୍ତ୍ତକେ ସେ ଭାବନା କୁଆଡ଼େ ବିଲୀନ ହୋଇଗଲା । ସେ ଗୌରହରିଙ୍କ ନିକଟକୁ ସ୍ପଷ୍ଟଭାବରେ ଲେଖିଦେଲେ ଯେ, ସେ ଆଶ୍ରୟହୀନାକୁ ଆଶ୍ରୟ ଦେଇଛନ୍ତି, ତାକୁ ତ୍ୟାଗ କରି ପାରିବେ ନାହିଁ ।

 

ପୂର୍ବରୁ କୁହାଯାଇଛି ଯେ, ଗୌରହରି ଭାରି ଜିଦଖୋର ଓ ଏକଗୁୟାଁ ଲୋକ ଥିଲେ । ଦାମୋଦରଙ୍କର ପତ୍ର ପାଇ ସେ ପ୍ରତିଜ୍ଞାକରି ବସିଲେ ଯେ, ଦାମୋଦରଙ୍କୁ ସମସ୍ତ ସମ୍ପତ୍ତିରୁ ବଞ୍ଚିତ କରି ଉପଯୁକ୍ତ ଶିକ୍ଷା ଦେବେ । ସେ ବର୍ତ୍ତମାନ ବେଶ୍ ଉତ୍ତମରୂପେ ବୁଝି ପାରିଲେ ଯେ, ତାହା ନ କଲେ ଦାମୋଦରଙ୍କର ଉଦ୍ଧାର ଅସମ୍ଭବ; କାରଣ ସେ ଅଧଃପତନର ନିମ୍ନତମ ସୋପାନକୁ ଓହ୍ଲାଇ ଯାଇଛନ୍ତି ।

 

ଗୌରହରି ଦିନେ ଘରକୁ ଆସି ବିମଳା ଓ ସୀତାମଣିଙ୍କ ଆଗରେ ପ୍ରସ୍ତାବ କଲେ ଯେ, କଚେରୀରେ ଦରଖାସ୍ତ କରି ଦାମୋଦରଙ୍କୁ ସମସ୍ତ ବିଷୟ ସମ୍ପତ୍ତିରୁ ବେଦଖଲ କରାଇବେ, କାରଣ ସମସ୍ତ ସମ୍ପତ୍ତି ମହାପାତ୍ରେ ବିମଳାଙ୍କ ନାମରେ ଦାନପତ୍ର କରି ଦେଇ ଯାଇଛନ୍ତି । ସେଥିରେ ଦାମୋଦରଙ୍କର କୌଣସି ଦାବୀ ନାହିଁ । କିନ୍ତୁ ଏ ବିଷୟରେ ବିମଳାଙ୍କୁ ନିଜେ ଦରଖାସ୍ତ କରିବାକୁ ହେବ । ସୀତାମଣି ମଧ୍ୟ ସ୍ୱାମୀଙ୍କ ପ୍ରସ୍ତାବରେ ଏକମତ ହେଲେ, କିନ୍ତୁ ବିମଳା ସେଥିରେ ରାଜି ହେଲେ ନାହିଁ । ସେ ବାରମ୍ବାର ବାରଣ କରି କହିଲେ—‘‘ମୋ ଭାଗ୍ୟରେ ଯାହା ଥିଲା, ହେଲା, ସେଥିପାଇଁ ତାଙ୍କୁ ଦୋଷ ଦେବି କାହିଁକି ? ମୋ ହୃଦୟର ସମ୍ପତ୍ତିକୁ ମୁଁ ଯଦି ସମ୍ଭାଳି ନ ପାରିଲି, ତେବେ ମୋର ଆର୍ଥିକ ସମ୍ପତ୍ତିରେ ଦରକାର କଅଣ ? ତଦ୍ଦ୍ୱାରା ତାଙ୍କ ସୁଖରେ ଆଘାତ ପଡ଼ିବ । ସେ ସୁଖରେ ରହନ୍ତୁ । ମୋର ଏଥିରେ ପରମ ସୁଖ । ତାଙ୍କୁ ଦୁଃଖୀ କରି ମୁଁ ସମ୍ପତ୍ତିର ମାଲିକ ହେବାକୁ ଚାହେଁ ନାହିଁ ?’’

 

ବିମଳା କଥା ଶୁଣି ଗୌରହରିଙ୍କ ଆଖିରୁ ଲୁହ ଗଡ଼ିପଡ଼ିଲା । ଆହା ! ଆହା ! ଦାମୋଦରଟା କି ଅନ୍ଧ ! ଗୋଟାଏ ରାକ୍ଷସୀର କବଳରେ ପଡ଼ି ଏପରି ଦେବୀକୁ ଦୂର କରିଦେଲା । ଗୌରହରି ମନେ ମନେ ଦାମୋଦରଙ୍କୁ ଖୁବ୍ ଗାଳିଦେଲେ ।

 

ସ୍ୱାମୀଙ୍କ ଘରୁ ଚାଲିଗଲା ଦିନୁ ବିମଳାଙ୍କ ମନରେ ସୁଖ ନାହିଁ । ତାଙ୍କର କାନେ କାନେ ଯେପରି କିଏ ଆସି ଅନବରତ କହି ଦେଉଛି—ଏ କାମଟା ଭଲ ହେଲା ନାହିଁ, ଏତେ ଅଧୀର ହୋଇ ସ୍ୱାମୀଙ୍କୁ ଛାଡ଼ି ଚାଲି ଆସିବାଟା ତାଙ୍କର ଭଲ ହୋଇ ନାହିଁ । ବିମଳାଙ୍କ ଆଖିରୁ ଲୁହ ବହି ପଡ଼େ । ସେ ଭଲ କରି ଖାଇ ପାରନ୍ତି ନାହିଁ । ତାଙ୍କର ସମସ୍ତ ସୁଖ ସତେ ଯେପରି ସରି ଯାଇଛି । ତାଙ୍କର ହୃଦୟର ଏକମାତ୍ର ସମ୍ପତ୍ତି, ଆଦରର ଧନ ସ୍ୱାମୀସ୍ନେହର ଏକମାତ୍ର ନିଦର୍ଶନ ନୟନପିତୁଳା ସୁଧାକରକୁ ଛାତି ଉପରେ ଜାକି ଧରି ବିମଳା ଅନେକ ସମୟରେ ବସି କାନ୍ଦନ୍ତି ।

 

କିନ୍ତୁ ଦାମୋଦର ! ଦାମୋଦରଙ୍କ ଅବସ୍ଥା ସମ୍ପୂର୍ଣ୍ଣ ବିପରୀତ । ସେ ବର୍ତ୍ତମାନ ଅବାଧରେ ଆମୋଦପ୍ରମୋଦର ସ୍ରୋତରେ ଭାସି ଭାସି ଚାଲିଛନ୍ତି । ଯମୁନାଙ୍କର ଲାଳସାମୟ କଟାକ୍ଷରେ ଦାମୋଦର ଏକାବେଳକେ ବିମୁଗ୍ଧ । ଯେଉଁ ଯମୁନାଙ୍କ ରୂପାଗ୍ନି କେତେ କେତେ ଯୁବକଙ୍କ ଚକ୍ଷୁ ଆକର୍ଷଣ କରିଥିଲା, ତାହା ଯେ ଦାମୋଦରଙ୍କ ପରି ଦୁର୍ବଳଚେତା ଲୋକର ଚକ୍ଷୁକୁ ଏକାବେଳକେ ଝଲସାଇ ଦେବ, ଏଥିରେ ବୈଚିତ୍ର୍ୟ କଅଣ ? ଯମୁନା ଯେତେବେଳେ ଦେଖିଲେ ଯେ, ଦାମୋଦର ତାଙ୍କର ସମ୍ପୂର୍ଣ୍ଣ ଆୟତ୍ତ, ଆଉ ଖସିଯିବାର ଉପାୟ ନାହିଁ, ସେତେବେଳେ ଯମୁନାଙ୍କ ଆଦର ସୁହାଗ କ୍ରମଶଃ ଉଣା ହୋଇ ଆସିବାର ଲାଗିଲା ।

 

ଦିନରାତି ଅବୈଧ ପ୍ରଣୟରେ ଭାସି ଭାସି ଯାଉଁ ଯାଉଁ ଦାମୋଦରଙ୍କର ସ୍ୱାସ୍ଥ୍ୟ ଭାଙ୍ଗି ପଡ଼ିଲା । ଦାମୋଦର ରୋଗାକ୍ରନ୍ତ ହୋଇ ପଡ଼ିଲେ । ଆଜି ଜ୍ୱର, କାଲି ସର୍ଦ୍ଦି, ମଥାଧରା, ପେଟର ଗୋଳମାଳ ଇତ୍ୟାଦି ନାନା ପ୍ରକାର ଗୁପ୍ତରୋଗ ଦାମୋଦରଙ୍କର ଶରୀର ମଧ୍ୟରେ ପ୍ରବେଶ କରି ତାଙ୍କର ଲାବଣ୍ୟମୟ ଅଙ୍ଗକୁ ଜୀର୍ଣ୍ଣଶୀର୍ଣ୍ଣ କରି ପକାଇଲା ।

 

ବିମଳା ଘରୁ ଚାଲିଯିବାର ପ୍ରାୟ ଛଅ ମାସ ହୋଇ ଗଲାଣି । ଦାମୋଦରଙ୍କ ମନରେ ଆଉ ସେ ସ୍ଫୂର୍ତ୍ତି ନାହିଁ; ସେ ବିଳାସର ଆମୋଦ ନାହିଁ । ସବୁ ସତେ ଯେପରି ଶେଷ ହୋଇ ଯାଇଛି-

 

[ ଏକତିରିଶ ]

 

ଦାମୋଦର ରୋଗରେ ପଡ଼ିଲା ଦିନୁଁ ଯମୁନାଙ୍କର ଆଦର ସୁହାଗ କ୍ରମଶଃ ଉଣା ହୋଇ ଆସୁଛି । ଦାମୋଦରଙ୍କ ସହିତ ବସା ଉଠା କରିବାପାଇଁ ତାଙ୍କୁ ଆଉ ସୁଖ ଲାଗୁ ନାହିଁ । ସେ ସର୍ବଦା ଦାମୋଦରଙ୍କଠାରୁ ଦୂରରେ ରହିବାକୁ ଇଚ୍ଛା କରୁଛନ୍ତି ।

 

ଦାମୋଦରଙ୍କ ଅବସ୍ଥା ଦିନକୁ ଦିନ ଖରାପ ହୋଇ ଆସିଲା । ଯମୁନା ଭାବିଲେ, ଦାମୋଦରଙ୍କ ଏ ଅବସ୍ଥାରେ ଯଦି କିଛି ଭଲମନ୍ଦ ହୁଏ, ତେବେ ତାଙ୍କର ଦୁରବସ୍ଥାର ସୀମା ରହିବ ନାହିଁ, ସୁତରାଂ ଏତିକି ବେଳୁଁ ସାବଧାନ ହେବା ଦରକାର ।

 

ସେଦିନ ଦାମୋଦରଙ୍କର ଦେହ ଟିକିଏ ଭଲ ଥିଲା । ସେ ସକାଳେ ଉଠି ଦାନ୍ତକାଠି ଦେବାପାଇଁ ଚାକରକୁ ଡାକିଲେ । ଚାକର ଦାନ୍ତକାଠି ଦେଇଗଲା । ଦାନ୍ତଘସି ସାରି ଦାମୋଦର କାନ୍ଥକୁ ଆଉଜି ଘଡ଼ିଏ ଦି ଘଡ଼ି ବସିଲେ । ପ୍ରତିଦିନ ଦାନ୍ତଘସି ସାରିଲା ବେଳକୁ ଯମୁନା ଚାହା ତିଆରି କରି ଆଣି ଦେଇଯାଆନ୍ତି । କିନ୍ତୁ ଆଜି କାହିଁ ? ଯମୁନାଙ୍କର ଦେଖା ନାହିଁ ଯେ ? ଦାମୋଦର କ୍ଷୀଣ ସ୍ୱରରେ ଡାକିଲେ ଯମୁନା ! ଯମୁନା ! କେହି ଶୁଣିଲେ ନାହିଁ । ଚାକର ଆସି ଖବର ଦେଲା ଯେ, ଆଜି ସକାଳୁ ଉଠିଲାବେଳୁଁ ସେ ନୂଆ ସାନ୍ତାଣିଙ୍କି ଦେଖି ନାହିଁ । ଦାମୋଦରଙ୍କର ମଥା ଘୁରେଇ ଦେଲା, ମଥାରେ ସତେ ଯେପରି ଅକାଳ ବଜ୍ର ଭାଙ୍ଗିପଡ଼ିଲା—ତାଙ୍କୁ ଚତୁର୍ଦ୍ଦିଗ ଶୂନ୍ୟ ଦେଖାଗଲା ।

 

ସେ ଦଣ୍ଡେକାଳ ସେହି ସ୍ଥାନରେ ବସି ରହି ଆସ୍ତେ ଆସ୍ତେ ଉଠି ନିଜ ଶୋଇବା ଘରକୁ ଗଲେ । ଦେଖିଲେ ଯେ, ତାଙ୍କ ସିନ୍ଧୁକର କୋଲପ ମେଲା ଅଛି । ମୁହୂର୍ତ୍ତକ ମଧ୍ୟରେ ସବୁ କଥା ଦାମୋଦରଙ୍କ ମନ ମଧ୍ୟରେ ବିଦ୍ୟୁତ୍ ସ୍ରୋତ ପରି ଖେଳିଗଲା । ଯେଉଁ ଯମୁନାଙ୍କର ଲାବଣ୍ୟମୟୀ ମୂର୍ତ୍ତି ତାଙ୍କ ସମ୍ମୁଖରେ ସ୍ୱର୍ଗର ଦେବୀମୂର୍ତ୍ତି ପରି ଦେଖାଯାଉଥିଲା, ସେହି ମୂର୍ତ୍ତି ବର୍ତ୍ତମାନ ତାଙ୍କର ମାନସଚକ୍ଷୁରେ କଦାକାରା ରାକ୍ଷସୀ ମୂର୍ତ୍ତିରୂପେ ପ୍ରତିଭାତ ହେଲା । ଆଉ ବିମଳା ! ଏ କଥା ଭାବି ଦାମୋଦରଙ୍କର ମଥା ଘୂରେଇ ଦେଲା; ସେ ଚତୁର୍ଦ୍ଦିଗ ଅନ୍ଧାର ଦେଖିଲେ, ସେହିଠାରେ ମୂର୍ଚ୍ଛିତ ହୋଇ ପଡ଼ିଗଲେ । ତାଙ୍କର ବୃଦ୍ଧ ଚାକର ସନାତନ ଖାମିଦଙ୍କର ଏ ଅବସ୍ଥା ଦେଖି ତାଙ୍କୁ ଉଠାଇ ନେଇ ପଲଙ୍କ ଉପରେ ଶୁଆଇ ଦେଲା ।

 

ତୁଣ୍ଡବାଇଦ ସହସ୍ର କୋଶ । ସଙ୍ଗେ ସଙ୍ଗେ ଘଣ୍ଟାକ ମଧ୍ୟରେ ନୋଟ୍ ବିଡ଼ା ନେଇ ଯମୁନାଙ୍କର ପଳାୟନ ଓ ଦାମୋଦରଙ୍କର ରୋଗ ଓ ମୂର୍ଚ୍ଛା ଇତ୍ୟାଦି ସମସ୍ତ ସମ୍ବାଦ ଲୋକମୁଖରେ ଚାରିଆଡ଼େ ରାଷ୍ଟ୍ର ହୋଇଗଲା । ବିମଳା ଓ ସୀତାମଣିଙ୍କ କାନରେ ମଧ୍ୟ ଏ ସମ୍ବାଦ ଯାଇ ବାଜିଲା ।

 

ବିମଳାର ସମସ୍ତ ଅଭିମାନ ଓ ରାଗ କୁଆଡ଼େ ଉଭେଇ ଗଲା । ସେ କାନ୍ଦି କାନ୍ଦି ଅସ୍ଥିର ହୋଇ ସ୍ୱାମୀଙ୍କ ନିକଟକୁ ଧାଇଁଯିବାକୁ ବାହାରିଲେ । କୌଣସି ଯାନ ବାହନ ପ୍ରତି ଅପେକ୍ଷା ନ ରଖି ବିମଳା ପିଲାଟିକୁ କାଖେଇ ଚାଲି ସ୍ୱାମୀଙ୍କ ଘରଆଡ଼େ ଅଗ୍ରସର ହେଲେ ।

 

ସେଦିନ ସନ୍ଧ୍ୟା ସମୟକୁ ଦାମୋଦରଙ୍କର ଟିକିଏ ହୋସ୍ ହେଲା । ସେ ଆଖି ମେଲାଇ ଚାହିଁଲେ ଯେ, ବିମଳା ତାଙ୍କ ପାଖରେ ବସି ତାଙ୍କ ଦେହରେ ହାତ ବୁଲାଉଛନ୍ତି । ଦାମୋଦରଙ୍କର ପିତ୍ତଜଡ଼ିତ ଦୃଷ୍ଟି ବିମଳାଙ୍କୁ ଚିହ୍ନିପାରିଲା ନାହିଁ । ସେ ଭାବିଲେ, ଯମୁନା ବସିଛନ୍ତି । ପ୍ରଳାପ କରି ଉଠିଲେ, ‘ଯମୁନା ! ପିଶାଚୀ ରାକ୍ଷସୀ ! ଦୂର ହୋ ପିଶାଚୀ ! ମୋର ସର୍ବସ୍ୱ କାଢ଼ି ନେଇଛୁ, ମୋ ପ୍ରାଣର ରାଣୀ ବିମଳାକୁ କାଢ଼ି ନେଇଛୁ । ମୋ ଜୀବନସର୍ବସ୍ୱ ଇହକାଳ ପରକାଳର ଏକମାତ୍ର ଗତି ସୁଧାକରକୁ କାଢ଼ି ନେଇଛୁ । ଆଉ କଅଣ ନବାପାଇଁ ଆସିଛୁ ? ଆହା ! ବିମଳା ! ମୋ ହୃଦୟର ରାଣୀ ବିମଳା ! ସତେ କଣ ଆଉ ତୋତେ ଫେରି ପାଇବି ? କିପରି ବା ଏ ପାପୀର ନିର୍ଲ୍ଲଜ ମୁହଁ ତୋ ଆଗରେ ଦେଖାଇବି ? ସତେ କଣ ତୁ ଆଉ ତୋର ପାପିଷ୍ଠ ସ୍ୱାମୀକି କ୍ଷମା କରିବୁ । ’

 

ଦାମୋଦରଙ୍କ ପ୍ରଳାପ ଶୁଣି ବିମଳାଙ୍କ ଚକ୍ଷୁରୁ ଅବିରଳ ଲୋତକଧାରା ବହିଲା । ସେ ସ୍ୱାମୀଙ୍କ ନିକଟକୁ ନିଜର ମୁହଁ ନୁଆଇଁ ନେଇ କହିଲେ, ‘‘ମୁହିଁ ପରା ବିମଳା—ତୁମର ଦାସୀ ।’’

 

ବିମଳାର ମୁହଁକୁ ଦଣ୍ଡେ କାଳ ଅପଲକ ନେତ୍ରରେ ଚାହିଁ ରହି ଦାମୋଦର କହିଲେ, ‘‘ହଁ ସତ ତ, ମୋରି ବିମଳା ତ ! ବିମଳା ! ବିମଳା ! ବିମ ! ମୋ ହୃଦୟର ରାଣୀ ! ମୋ ଜୀବନର ସର୍ବସ୍ୱ ! ସତେ କଅଣ ତୋ ପାପିଷ୍ଟ ସ୍ୱାମୀକୁ କ୍ଷମା କରିଛୁ ?’’ ଦାମୋଦର ଆଉ କିଛି କହି ପାରିଲେ ନାହିଁ । ଦୁଇ ହାତରେ ବିମଳାଙ୍କ ମୁହଁକୁ ଧରି ତାଙ୍କର ଉଷ୍ଣ ଶୁଷ୍କ ଅଧର ଉପରେ ଅଜସ୍ର ଉଷ୍ଣ ଚୁମ୍ବନ ଢାଳି ଦେଲେ । ବିମଳା ସତେ ଯେପରି ବହୁଦିନରୁ ହରାଇଥିବା ସମ୍ପଦ ପୁଣି ଫେରି ପାଇଲେ; ନିଜର ତୃପ୍ତ ଲୋତକବାରିରେ ସ୍ୱାମୀଙ୍କର ରୋଗଶୀର୍ଣ୍ଣ ଗଣ୍ଡଦେଶକୁ ତିନ୍ତାଇ ଦେଲେ ।

 

ଦାମୋଦର ପଚାରିଲେ, ‘‘ବିମ ! ମୋ ସୁଧା କାହିଁ ? ମୋ ଜୀବନଧନ କାହିଁ ?

 

ସୁଧାକର ବାହାରେ ଖେଳୁଥିଲା, ବିମଳା ଡାକିବାରୁ ତାଙ୍କ ପାଖରେ ଆସି ପହଞ୍ଚିଗଲା । ସୁଧାକରକୁ ଛାତି ଉପରକୁ ଟାଣି ନେଇ ଦାମୋଦର ସ୍ନେହ ଗଦଗଦ ସ୍ୱରରେ କହିଲେ, ‘‘ବାପ ମୋର ! ନଉନିଧି ମୋର ! ଏତେଦିନ କୁଆଡ଼େ ଛାଡ଼ି ଯାଇଥିଲୁ ବାପା !’’ ପୁତ୍ରର କପାଳରେ ଅଜସ୍ର ସ୍ନେହଚୁମ୍ବନ ଢାଳି ଦେଲେ ।

 

ଗୌରହରି ଭଦ୍ରଖରୁ ଡାକ୍ତର ଆଣି ପହଞ୍ଚାଇଲେ । ଡାକ୍ତର ଔଷଧ ଦେବାରେ ଲାଗିଲେ-। ଡାକ୍ତରଙ୍କ ସୁଚିକିତ୍ସାରେ ଓ ବିମଳାଙ୍କ ସେବା ଶୁଶ୍ରୂଷାରେ ଦାମୋଦର କ୍ରମଶଃ ଆରୋଗ୍ୟ ଲାଭ କଲେ । ଅଳ୍ପଦିନ ପରେ ତାଙ୍କର ରୋଗ ଆରୋଗ୍ୟ ହୋଇଗଲା ସତ; କିନ୍ତୁ ତାଙ୍କର ପୂର୍ବ ସ୍ୱାସ୍ଥ୍ୟ ଫେରି ଆସିଲା ନାହିଁ ।

 

ବିମଳା ବରାବର ସ୍ୱାମୀଙ୍କର ସେବା କରୁଥାନ୍ତି । ତାଙ୍କୁ କଦାପି ଏକୁଟିଆ ବସିବାକୁ ଛାଡ଼ି ଦିଅନ୍ତି ନାହିଁ । କାଳେ ପୂର୍ବର ବିଷୟ ଭାବିଲେ ସ୍ୱାମୀଙ୍କ ସ୍ୱାସ୍ଥ୍ୟ ଖରାପ ହୋଇଯିବ, ସେଥିପାଇଁ ବିମଳା ବରାବର ସ୍ୱାମୀଙ୍କ ପାଖେ ପାଖେ ଜଗିଥାଆନ୍ତି । ନାନାପ୍ରକାର ଗଳ୍ପରେ ତାଙ୍କର ମନ ବହଲାଉ ଥାଆନ୍ତି ।

 

କିଛି ଦିନ ପରେ ଦିନ ଦ୍ୱିପ୍ରହର ସମୟରେ ଦାମୋଦର ଓ ବିମଳା ଘରେ ବସିଛନ୍ତି, ସୁଧାକର ଶୋଇ ପଡ଼ିଲାଣି । ଦାମୋଦର ବିମଳାକୁ ପାଖକୁ ଟାଣିନେଇ କହିଲେ, ‘‘ବିମ ! ତୁ ହଠାତ୍ ଚାଲି ଯାଇ ନ ଥିଲେ ବୋଧହୁଏ ମୋର ଏ ଦୁର୍ଗତି ହୋଇ ନ ଥାନ୍ତା । ସେ ଦିନ ବାସ୍ତବିକ ଯମୁନାର ବ୍ୟବହାରରେ ମୁଁ ବିସ୍ମିତ ହୋଇ ଯାଇଥିଲି । ସେଥିପାଇଁ ତାକୁ ଦୂରରେ ରଖିବାପାଇଁ ଚେଷ୍ଟା କରୁଥିଲି, କିନ୍ତୁ ତୁ.....ଚାଲିଯିବାରୁ ।’’

 

ଦାମୋଦରଙ୍କ କଥା ଶୁଣି ବିମଳା କାନ୍ଦି ପକାଇଲେ । ଅନୁତାପାନଳରେ ତାଙ୍କର ଅନ୍ତର ଦଗ୍ଧ ହୋଇଗଲା । ବର୍ତ୍ତମାନ ସେ ନିଜକୁ ଘୋର ଅପରାଧିନୀ ଓ ସ୍ୱାମୀଙ୍କ ଦୁର୍ଗତିର ମୂଳ କାରଣ ବୋଲି ଜାଣିପାରି କାନ୍ଦିବାରେ ଲାଗିଲେ ଓ ଅଯଥା ତାଙ୍କର ନିଷ୍କଳଙ୍କ ସ୍ୱାମୀଙ୍କ ଉପରେ ଅବିଶ୍ୱାସ କରି ଅଭିମାନରେ ଚାଲି ଯାଇଥିବାରୁ ତାଙ୍କର ପାଦ ତଳେ ପଡ଼ି ବାରମ୍ବାର କ୍ଷମା ମାଗିବାରେ ଲାଗିଲେ ।

 

ଦାମୋଦର ପତ୍ନୀଙ୍କୁ ଛାତି ଉପରକୁ ଟାଣି ନେଇ ତାଙ୍କ ମୁଖ ଚୁମ୍ବନ କରି କହିଲେ, ‘‘ନାଁ ରେ ବିମ ! କାନ୍ଦୁଛୁ କାହିଁକି ? ଏଥିରେ ତୋର ଦୋଷ କଅଣ ? ଏଥିରେ କାହାରି ହାତ ନାହିଁ । ସମସ୍ତ ଭାଗ୍ୟର ଫେର । ଭାଗ୍ୟର ଶକ୍ତି ଅସୀମ । ମନୁଷ୍ୟର ଧନ, ମାନ, ଜ୍ଞାନ, ବୁଦ୍ଧି, ବିବେକ ସମସ୍ତ ସେହି ସର୍ବନିୟନ୍ତା ଅଦୃଷ୍ଟ ଶକ୍ତିଙ୍କ ନିକଟରେ ପରାଭୂତ । ଆଜି ସୁଭାଗ୍ୟବଳରେ ଯେ ଧନୀ ମାନୀ ବୋଲି ଅହଙ୍କାର କରି ଧରାକୁ ସରା ମନେ କରୁଛି, କାଲି ପୁଣିସେହି ଲୋକ ଦୁର୍ଭାଗ୍ୟର କବଳରେ ପଡ଼ି ପଥର ଭିକାରୀ ହେଉଛି । ଆଉ ଆଜି ଯେ ଦୁର୍ଭାଗ୍ୟବଶରୁ ହା ଅନ୍ନ ! ହା ଅନ୍ନ ! ବୋଲି ଚିତ୍କାର କରି ନିରନ୍ତର ମୃତ୍ୟୁକାମନା କରୁଛି, କାଲି ପୁଣି ତା ଭାଗ୍ୟ ସୁପ୍ରସନ୍ନ ହେଲେ ସେ ମହାବିଭବଶାଳୀ ରାଜରାଜେଶ୍ୱର ହୋଇ ଯାଉଛି । ଆଜି ଯେ ଜ୍ଞାନୀ ବୋଲି, ବିବେକଶାଳୀ ବୋଲି, ପୁଣ୍ୟାତ୍ମା ବୋଲି ଗର୍ବ ଅନୁଭବ କରି ଅନ୍ୟର ସାମାନ୍ୟ ଦୋଷ ବା ତ୍ରୁଟି ଦେଖିଲେ ନାସିକା କୁଞ୍ଚନ କରୁଛି, କାଲି ହୁଏତ ଦୁର୍ଭାଗ୍ୟବଶରୁ ସେହି ଲୋକ ଜ୍ଞାନବିବେକକୁ ଜଳାଞ୍ଜଳି ଦେଇ ପାପର ଭୀଷଣ ଆବର୍ତ୍ତରେ ବୁଡ଼ି ଯାଉଛି । ପୁଣି ଯେଉଁ ଲୋକ ଆଜି ପାପ ପଙ୍କରେ ନିମଗ୍ନ ହୋଇ ନାନାପ୍ରକାର ଦୁଷ୍କର୍ମ କରି ଯାଉଛି, ପୁଣି କାଲି ସେହି ଲୋକ ଧର୍ମର ଉଚ୍ଚତମ ସୋପାନ ଆରୋହଣ କରି ସାଧୁ ବୋଲି, ପୁଣ୍ୟାତ୍ମା ବୋଲି ଜଗତରେ ପୂଜା ପାଉଛି । ଏହିପରି ସଂସାର ମଧ୍ୟରେ ପ୍ରତ୍ୟେକ କାର୍ଯ୍ୟ ସେହି ଭାଗ୍ୟ ବା ଈଶ୍ୱରେଚ୍ଛାର ଇଙ୍ଗିତରେ ସଂଘଟିତ ହୋଇ ଯାଉଛି । ମନୁଷ୍ୟର ବୁଦ୍ଧି ମାୟାବିଜଡ଼ିତ ବୋଲି ସେ ବୃଥାରେ ଆସ୍ଫାଳନ କରେ, ପୁଣି ବୃଥାରେ ଆକ୍ଷେପ କରେ । ‘ଭାଗ୍ୟଂ ଫଳିତ ସର୍ବତ୍ର, ନ ବିଦ୍ୟା ନ ଚ ପୌରୁଷଂ ।’

 

ସେଥିପାଇଁ ଶାସ୍ତ୍ରକାର ଲେଖି ଯାଇଛନ୍ତି—

 

‘‘ଯନ୍ମ ଭବତି ତନ୍ନ ଭାବ୍ୟଂ ଭବତି ଚ ଭାବ୍ୟଂ ବିନାଽପି ଯତ୍ନେନ,

କରତଳଗତମପି ନଶ୍ୟତି ଯସ୍ୟ ହି ଭବିତବ୍ୟତା ନାସ୍ତି’’ ।

 

‘‘ଅର୍ଥାତ୍‌ ଯାହା ନ ହୁଏ, ତାକୁ ଜାଣିବ ସେ ହେବାର ନୁହେ । ଯାହା ହେବାର, ତାହା ବିନା ଯତ୍ନରେ ସୁଦ୍ଧା ହୋଇଯାଏ; ଯାହା ନ ହେବାର, ତାହା ହାତମୁଠା ଭିତରେ ଥିଲେ ସୁଦ୍ଧା ବିନଷ୍ଟ ହୁଏ ।’’

 

ବିମଳା ଏତେବେଳଯାଏ ସ୍ୱାମୀଙ୍କ କଥାଗୁଡ଼ିକ ନୀରବ ରହି ଶୁଣି ଯାଉଥିଲେ । ବର୍ତ୍ତମାନ ତାଙ୍କ ମନରେ କୌତୂହଳ ଜାତ ହେବାରୁ ସେ ପଚାରିଲେ, ‘‘ଆଚ୍ଛା ! ତା ଯଦି ହେଲା, ତେବେ ତୁମେ ସେଦିନ ଯେଉଁ ଶ୍ଳୋକଟା କହି ଦେଇଥିଲ—‘‘ଉଦ୍‌ଯୋଗିନଂ ପୁରୂଷସିଂହମୁପୈତି ଲକ୍ଷ୍ମୀଃ, ଦୈବେନ ଦେୟମିତ କାପୁରୁଷାଃ ବଦନ୍ତି !’’ ସେଇଟା କଅଣ ମିଛ ?’’

 

ଦାମୋଦର ମହା ମୁଷ୍କିଲରେ ପଡ଼ିଲେ; କେଉଁଦିନ କଥାପ୍ରସଙ୍ଗରେ ସେ ସେ ଶ୍ଳୋକଟା କହି ଦେଇଥିଲେ; ତାହା ତାଙ୍କ ମନେ ନାହିଁ । କିନ୍ତୁ ବିମଳା ଯେ ସେ କଥାଟାକୁ ମନରେ ରଖି ବର୍ତ୍ତମାନ ତାଙ୍କରି ଯୁକ୍ତିବିରୁଦ୍ଧରେ ଖଟାଇବେ, ଏହା ତାଙ୍କୁ ଜଣା ନ ଥିଲା । ବିମଳାଙ୍କ ସ୍ମରଣଶକ୍ତି ଓ ପ୍ରତ୍ୟୁତ୍ପନ୍ନମତି ଦେଖି ଦାମୋଦର ଖୁସି ହୋଇ କହିଲେ, ‘‘ବିମ ! ତୁ ଯାହା କହିଲୁ ସତ । ନାନା ମୁନିଙ୍କର ନାନା ମତ । ତେବେ ଯେଉଁ ଶାସ୍ତ୍ରକାର ତାକୁ ଲେଖିଛନ୍ତି, ସେ ମଧ୍ୟ ଭାଗ୍ୟର ଶକ୍ତିକୁ ଓ ସ୍ଵୀକାର କରି ପାରି ନାହାନ୍ତି । ସେ ମଧ୍ୟ ଲେଖିଛନ୍ତି—‘ଯତ୍ନେ କୃତେ ଯଦି ନ ସିଦ୍ଧତି କୋଽତ୍ର ଦୋଷଃ’ ଅର୍ଥାତ୍‌ ତାଙ୍କୁ ସ୍ୱୀକାର କରିବାକୁ ପଡ଼ିଛି ଯେ, ଯତ୍ନ କଲେ ସୁଦ୍ଧା ଅନେକ ସମୟରେ କାର୍ଯ୍ୟ ସଫଳ ହୁଏ ନାହିଁ, ସୁତରାଂ ସେ ସ୍ଥଳରେ ଭାଗ୍ୟର ହାତ ଅଛି, ବୋଲି ନ କହି କଅଣ କୁହାଯାଇ ପାରେ ?

 

ବିମଳା ପୁଣି ପଚାରିଲେ, ‘‘ଆଚ୍ଛା ! ତେବେ ମନୁଷ୍ୟ ଯଦି ଭାଗ୍ୟ ଉପରେ ନିର୍ଭର କରି ନିଶ୍ଚେଷ୍ଟା ହୋଇ ବସି ରହେ, ତେବେ ସେ ତ କିଛି କରି ପାରିବ ନାହିଁ ?’’

 

ଦାମୋଦର ହସି ହସି କହିଲେ, ‘‘ବିମ ! ସେଇଠାରେହିଁ ତ ମନୁଷ୍ୟ ଭୁଲ ବୁଝେ । କୌଣସି ମନୁଷ୍ୟର ଭାଗ୍ୟରେ ଯଦି କୌଣସି କାର୍ଯ୍ୟ ହେବାର ଥିବ, ତେବେ ସେ ନିଶ୍ଚେଷ୍ଟା ହୋଇ ବସି ରହି ପାରିବ ନାହିଁ । ଭାଗ୍ୟ ତାକୁ ସେହି ପଥରେ ଚଳାଇ ନେବ; ଯାହାଦ୍ୱାରା କି ତାର କାର୍ଯ୍ୟସିଦ୍ଧି ହେବ । ସେଥିପାଇଁ ମୁଁ କହେଁ, ପୁରୁଷକାର ଭାଗ୍ୟର ଅଧୀନ । ପୁରୁଷକାରଟା ମନୁଷ୍ୟର ଆତ୍ମବଡ଼ିମା ଛଡ଼ା ଅନ୍ୟ କିଛି ନୁହେଁ । ସେଥିପାଇଁ କଥାରେ କହନ୍ତି,

 

‘ଦଇବ ଦଉଡ଼ି ମଣିଷ ଗାଈ,

ଯେଣିକି ଓଟାରେ ତେଣିକି ଯାଇ ।’’

 

ବିମଳା ପୁଣି ପଚାରିଲେ—‘ଆଚ୍ଛା ! ଯଦି ମନୁଷ୍ୟ ହାତରେ କିଛି ନାହିଁ, ତେବେ ସେ ଭାଗ୍ୟ ଦୋଷରୁ ଗୋଟିଏ ଦୁଷ୍କର୍ମ କରି ପକାଇ ଦଣ୍ଡ ଭୋଗ କରେ କାହିଁକି ?’’

 

ଦାମୋଦର କହିଲେ, ‘ସେଇଟା ବଡ଼ ଗୂଢ଼ ତତ୍ତ୍ୱ । ଦୁଷ୍କର୍ମ କରିବା ଯେପରି ଭାଗ୍ୟର ଦୋଷ, ଦଣ୍ଡ ଭୋଗ କରିବା ମଧ୍ୟ ସେହି ଭାଗ୍ୟର ଫଳ । ଯେଉଁ ଦୁର୍ଭାଗ୍ୟ ମନୁଷ୍ୟକୁ ଦୁଷ୍କର୍ମ କରାଏ, ସେହି ତାକୁ ଦଣ୍ଡ ଭୋଗ କରାଏ, ସେଇ ଭାଗ୍ୟ ତାର ଅନୁତାପ ଜାତ କରାଏ ପୁଣି ସେହି ଭାଗ୍ୟ ତାକୁ ସତ୍‌ପଥକୁ ଟାଣି ଆଣେ । ମନୁଷ୍ୟର ବୁଦ୍ଧି ମାୟାରେ ଜଡ଼ିତ ବୋଲି ସେ ଭାଗ୍ୟକୁ ଦେଖି ପାରେ ନାହିଁ କିମ୍ବା ଭାଗ୍ୟ କେଉଁ ପଥରେ ଟାଣି ନେଉଛି, ତାହା ସେ ଆଗରୁ ଜାଣି ପାରେ ନାହିଁ । ସେଥିପାଇଁ ଭାଗ୍ୟର ଅନ୍ୟ ନାମ ଅଦୃଷ୍ଟ । ଅଦୃଷ୍ଟର ଅନ୍ୟ ନାମ ସେହି ସର୍ବଶକ୍ତିମାନ୍, ସର୍ବବ୍ୟାପୀ, ସର୍ବନିୟନ୍ତା ଭଗବାନଙ୍କର ଇଚ୍ଛା ବା ପ୍ରେରଣା । ମନୁଷ୍ୟର ସୀମାବଦ୍ଧ ଜ୍ଞାନଦ୍ୱାରା ସେହି ଅସୀମ ଶକ୍ତିର ଧାରଣା କରିବା ଧୃଷ୍ଟତା ମାତ୍ର । ସେଥିପାଇଁ ମହାଭାରତ ଯୁଦ୍ଧ ସମୟରେ ଅର୍ଜୁନଙ୍କୁ ନିଶ୍ଚେଷ୍ଟ ଦେଖି ଭଗବାନ୍ ଶ୍ରୀକୃଷ୍ଣ କହିଥିଲେ, ‘‘ନିମିତ୍ତମାତ୍ରଂ ଭବ ସବ୍ୟସାଚିନ୍’ ଅର୍ଥାତ୍‌ ହେ ଅର୍ଜ୍ଜୁନ, ତୁମେ ନିମିତ୍ତ ମାତ୍ର ହୁଅ, ସମସ୍ତ ମୁଁ କରୁଛି ।

 

‘‘କରେଁ କରାଏଁ ସବୁ ମୁହିଁ,

ମୋ ବିନୁଁ ଆନ ଗତି ନାହିଁ ।’’

 

ଠିକ୍ ଏତିକିବେଳେ ଦାଣ୍ଡଆଡ଼େ କେନ୍ଦରା ବାଜି ଉଠିଲା । ଜଣେ ଯୋଗୀ ଭିକ ମାଗିବାକୁ ଆସି ଗୀତ ଗାଇଲା—

 

‘‘କୁଉଁ କୁଉଁ କୁଉଁ କୁଉଁ କୁଉଁ କୁଉଁ କୁଉଁ

କୁଉଁ କୁଉଁ କୁଉଁ କୁଉଁ କୁଉଁ କୁଉଁ କୁଉଁ ।

ଭାଗ୍ୟଦୋଷୁଁ ନଳ ରାଜା କାଟେ ଘୋଡ଼ା ଘାସ,

ଭାଗ୍ୟଦୋଷୁଁ ରାମରାଜା ଗଲେ ବନବାସ ।

ଭାଗ୍ୟଦୋଷୁଁ ସ୍ୱର୍ଣ୍ଣମୃଗ ରାମ ମାରି ଗଲା,

ଦୁର୍ମତି ରାବଣ ତାଙ୍କ ଭାର୍ଯ୍ୟା ହରି ନେଲା ।

ଭାଗ୍ୟଦୋଷୁଁ ସୀତାନାମେ କଳଙ୍କ ରଟିଲା,

ଭାଗ୍ୟଦୋଷୁଁ ଅହହ୍ଲ୍ୟା ଯେ ପାଷାଣ ହୋଇଲା ।

ଭାଗ୍ୟଦୋଷୁଁ ଯୁଧିଷ୍ଠିର ଅସତ୍ୟ ଭାଷିଲେ,

ଏଡ଼େ ଧର୍ମନିଷ୍ଠ ହୋଇ ନରକ ଦେଖିଲେ ।

ଭାଗ୍ୟଦୋଷୁଁ ଭୀମବୀର ହେଲା ସୂପକାର,

ପାର୍ଥବୀର ହୋଇଥିଲେ ଯୁଗ ନାରୀନର ।

ଭାଗ୍ୟଦୋଷୁଁ ରଥଚକ୍ର ଅବନୀ ଗ୍ରାସିଲା,

ମହାଧନୁର୍ଦ୍ଧର କର୍ଣ୍ଣ ପରାଣ ତେଜିଲା ।

କୁରୁସଭା ତଳେ କୃଷ୍ଣା ହେଲେ ଅପମାନ,

ବ୍ୟାସ ସରେ ଲୁଚିଥିଲା ମାନୀ ଦୁର୍ଯ୍ୟୋଧନ ।

ଭାଗ୍ୟଦୋଷୁଁ ଗୁରୁପତ୍ନୀ ଇନ୍ଦ୍ର ହରିଥିଲା,

ଭାଗ୍ୟଦୋଷୁଁ ଧର୍ମରାଜା କୁଷ୍ଠରୋଗୀ ହେଲା ।

ଭାଗ୍ୟଦୋଷୁଁ ମହାଦେବ ଶମଶାନଚାରୀ,

ଭାଗ୍ୟଦୋଷୁଁ ଦାରୁଭୂତ ହେଲେଟି ମୂରାରି ।

ଏହିପରି ଯୁଗେ ଯୁଗେ ଭାଗ୍ୟ ବଳୀୟାନ,

ଭାଗ୍ୟହାତୁଁ କେହି ଲଭି ନାହିଁ ପରିତ୍ରାଣ ।

କୁଉଁ କୁଉଁ କୁଉଁ କୁଉଁ କୁଉଁ କୁଉଁ କୁଉଁ,

କୁଉଁ, କୁଉଁ, କୁଉଁ କୁଉଁ କୁଉଁ କୁଉଁ କୁଉଁ ।’’

 

[ ବତ୍ରିଶ ]

 

ଦାମୋଦରଙ୍କ ଚାବିକାଠି ଯମୁନାଙ୍କ ଜିମାରେ ଥିଲା । ଦାମୋଦର ଶୋଇ ପଡ଼ିବାରୁ ଯମୁନା ଆସ୍ତେ ଆସ୍ତେ ତାଙ୍କ ସିନ୍ଧୁକ ଫିଟାଇ ସେଥିରୁ ଏକ ହଜାର ଟଙ୍କାର ନୋଟ ବିଡ଼ାଟିଏ ବାହାର କରି ଦେଲେ ଓ ନିଜର ଲୁଗା କେତେଖଣ୍ଡି ଗୋଟିଏ ପୋଟଳୀ କରି ସେଥିରେ ନୋଟ୍‌ ବିଡ଼ାଟି ରଖି ଘରୁ ବାହାରି ପଡ଼ିଲେ । ଭଦ୍ରକ ଷ୍ଟେସନ ଧରିବା ବେଳକୁ ରାତି ପାହାନ୍ତି ହେଲାଣି । କଲିକତା ଯିବା ଡାକଗାଡ଼ି ଆସି ଛିଡ଼ା ହୋଇଛି । ଯମୁନା ବିଳମ୍ବ ନ କରି ହାବୁଡ଼ା ଷ୍ଟେସନକୁ ଖଣ୍ଡିଏ ଟିକଟ କାଟି ଗୋଟିଏ ଜନାନା ଗାଡ଼ିରେ ଉଠି ପଡ଼ିଲେ । ଭଁ କରି ହୁଇସିଲ୍ ବାଜି ଉଠିଲା । ଡାକଗାଡ଼ି ଛାଡ଼ି ଦେଲା ।

 

ଯମୁନା ଯେଉଁ କୋଠରୀରେ ବସିଥିଲେ, ସେଥିରେ ଗୋଟିଏ ବୃଦ୍ଧା ସ୍ତ୍ରୀଲୋକ ବ୍ୟତୀତ ଅନ୍ୟ କେହିନଥିଲେ । ବୃଦ୍ଧା ଖିଡ଼ିକିରେ ମୁହଁ ଗଳାଇ ବାହାରକୁ ଚାହିଁଥିଲା । ସେ ଦେଖିଲା ଯେ, ଯମୁନା ଏକୁଟିଆ ଆସି ଗାଡ଼ିରେ ଉଠିଲେ । ତାଙ୍କ ସଙ୍ଗରେ ଆଉ କେହି ପୁରୁଷ ଲୋକ ନାହାନ୍ତି । ଯମୁନାଙ୍କର ସୌନ୍ଦର୍ଯ୍ୟ ଦେଖି ବୃଦ୍ଧା ଚକିତ ହୋଇ ଗଲା । ତା ପରେ ଯମୁନାଙ୍କ ସୀମାନ୍ତରେ ସିନ୍ଦୂର ନ ଦେଖି ଓ ତାଙ୍କ ହସ୍ତରେ କୌଣସି ଅଳଙ୍କାର ନ ଦେଖି ବୃଦ୍ଧାର ମନରେ କେତେ ପ୍ରକାର ସନ୍ଦେହ ଜାତ ହେଲା ।

 

ଉକ୍ତ ବୃଦ୍ଧା କଲିକତାର ଜଣେ ପ୍ରସିଦ୍ଧ ବେଶ୍ୟାବ୍ୟବସାୟିନୀର ଗୁପ୍ତଚର । ଓଡ଼ିଶାକୁ ଆସି ମଫସଲର ଗାଆଁ ମାନଙ୍କରେ ବୁଲି ବୋହୂ ଝିଅମାନଙ୍କୁ ଶିଖାଇ କଲିକତା ନେଇଯିବା ତାର ବ୍ୟବସାୟ । ଏଥର କୌଣସି ଶିକାର ହସ୍ତଗତ ହୋଇ ନଥିବାରୁ ସେ ବ୍ୟର୍ଥ ମନୋରଥ ହୋଇ ଫେରି ଯାଉଥିଲା । ବାଟରେ ଦୈବାତ୍ ଯମୁନାଙ୍କ ସହିତ ଭେଟ ।

 

ପ୍ରଥମେ ସେ ଯମୁନାଙ୍କୁ କୌଣସି ଭଦ୍ରଲୋକ ଘରର ବହୂଝିଅ ଭାବି କିଛି କହୁ ନ ଥିଲା-। ଦୁଇ ଚାରିଟି ଷ୍ଟେସନ ଗଲା ପରେ ଯେତେବେଳେ ସେ ଦେଖିଲା ଯେ, କେହି ତାଙ୍କ ଖୋଜ ଖବର ନେବାକୁ ଆସୁ ନାହାନ୍ତି, ସେତେବେଳେ ତା ମନରେ ଧାରଣା ହେଲା ଯେ, ଯମୁନା ଘରୁ ପଳାଇ ଆସିଛନ୍ତି ।

 

ସେ ଧୀରେ ଧୀରେ ସାହସପୂର୍ବକ ଯମୁନାଙ୍କ ସହିତ କଥାବାର୍ତ୍ତା କରିବାକୁ ଆରମ୍ଭ କଲା-

 

ଯମୁନା ଯେତେ ହେଲେ ମଫସଲ ଗାଆଁର ଝିଅ, ସୁତରାଂ ସରଳା, ସେ ବୃଦ୍ଧାର କପଟୋକ୍ତି ବୁଝି ପାରିଲେ ନାହିଁ । କ୍ରମେ କ୍ରମେ ସେ ତାଙ୍କ ପଳାୟନର ସମସ୍ତ ବୃତ୍ତାନ୍ତ ବୃଦ୍ଧା ଆଗରେ କହି ପକାଇଲେ । ଅବଶ୍ୟ କୌଣସି ପୁରୁଷ ଲୋକ ଆଗରେ ସେ କଥା କହିବାପାଇଁ ତାଙ୍କର ଏତେ ସାହସ ହୋଇ ନ ଥାନ୍ତା, କିନ୍ତୁ ସ୍ତ୍ରୀଲୋକଙ୍କ ମଧ୍ୟରେ କଥାବାର୍ତ୍ତା ହେଉଥିଲେ ସେମାନେ କୌଣସି ବିଷୟ ତାଙ୍କର ସ୍ୱଜାତିଠାରେ ପ୍ରକାଶ ନ କରି ରହି ପାରନ୍ତି ନାହିଁ—ସମସ୍ତ କହି ପକାନ୍ତି । ଯମୁନା ମଧ୍ୟ ତାଙ୍କ ହୃଦୟର ସମସ୍ତ କଥା ଅକପଟରେ ବୃଦ୍ଧା ଆଗରେ କହି ପକାଇଲେ ବର୍ତ୍ତମାନ ସେ ଯେ ସମ୍ପୂର୍ଣ୍ଣ ଆଶ୍ରୟହୀନା ଏ କଥା ମଧ୍ୟ କହିବାକୁ ଭୁଲିଲେ ନାହିଁ ।

 

ଯମୁନାଙ୍କର କଥା ଶୁଣି ବୃଦ୍ଧା ସ୍ୱର୍ଗର ସମ୍ପଦ ପାଇଗଲା । ବିଫଳମନୋରଥା ହୋଇ ଫେରୁ ଫେରୁ ତା ମନରେ କେତେ ପ୍ରକାର ଆଶଙ୍କା ଜାତ ହେଉଥିଲା । କିନ୍ତୁ ଅକସ୍ମାତ୍ ଭାଗ୍ୟକ୍ରମେ ଅନୁପମ ରୂପଯୌବନସମ୍ପନ୍ନା ଯମୁନାଙ୍କୁ ପାଇ ତା ମନ ଆନନ୍ଦରେ କୁଣ୍ଢେ ମୋଟ ହୋଇଗଲା ।

 

ବୃଦ୍ଧା ଯମୁନାଙ୍କ କଥାରେ ସହାନୁଭୂତି ପ୍ରକାଶ କରି କହିଲା—‘‘ମା ! ତୋ ଅବସ୍ଥା ଦେଖି ବଡ଼ ଦୟା ହେଉଛି, ତୁ ଏକୁଟିଆ କୁଆଡ଼େ ଯିବୁ ? ମୋ ସାଙ୍ଗରେ ଚାଲ୍‌, କଲିକତା ସହରରେ ମୋର ଜଣେ ମଉସା ଅଛନ୍ତି । ସେ ବଡ଼ଲୋକ । ତାଙ୍କର ଅନେକ ଟଙ୍କାର କାରବାର ମଉସା ମାଉସୀଙ୍କୁ କହି ତୋତେ ସେଠାରେ ରଖାଇ ଦେବି । ସେ ଖୁବ୍‌ ଭଲ ଜାଗା । ଖାଇ ପିଇ ସୁଖରେ ରହିବୁ, ତା ନ ହେଲେ ତୋର ଏ ବୟସରେ କଲିକତା ପରି ସହରରେ କେଉଁଠି ଯାଇ ରହିବୁ ?’’

 

ଚାହୁଁ ଚାହୁଁ ଡାକଗାଡ଼ି ଯାଇ ହାବଡ଼ା ଷ୍ଟେସନରେ ପହଞ୍ଚିଲା । ଗାଡ଼ିରୁ ଓହ୍ଳାଇ ପଡ଼ିଲାକ୍ଷଣି ଯମୁନା ଦେଖିଲେ ଯେ, ଷ୍ଟେସନ ଲୋକାରଣ୍ୟ । ଯେ ଯାହାର କାର୍ଯ୍ୟରେ ବ୍ୟସ୍ତ । ଷ୍ଟେସନ ବାହାରେ ଅସଂଖ୍ୟ ଗାଡ଼ି ଘୋଡ଼ା ମଟର ମଧ୍ୟ ଛିଡ଼ା ହୋଇଛି । ଯମୁନା ଚାହିଁ ଦେଖିଲେ ଯେ, ସମସ୍ତେ ତାଙ୍କର ଅଚିହ୍ନା । କେଉଁଠିକି ବା ଯିବେ ? ଯେତେ ହେଲେ ସେ ମଫସଲର ସ୍ତ୍ରୀଲୋକ । ଆବାଲ୍ୟ ମଫସଲରେ ବଢ଼ି ଆସିଛନ୍ତି, ସୁତରାଂ ଏ ଲୋକବହୁଳ ଅପରିଚିତ ସ୍ଥାନରେ ପହଞ୍ଚି ଯିବାରୁ କେଉଁଠିକି ଯିବେ କିଛି ସ୍ଥିର କରି ପାରିଲେ ନାହିଁ । ପଛକୁ ଫେରିପଡ଼ି ଚାହିଁଲେ ଯେ, ସେହି ବୃଦ୍ଧା ଛିଡ଼ା ହୋଇ ମୁରୁକି ମୁରୁକି ହସୁଛି, ଯମୁନାଙ୍କୁ ବିବ୍ରତ ହେବା ଦେଖି ବୃଦ୍ଧା କହିଲା–‘‘ମା ! ଚିନ୍ତା କରନାଁ, ମୋ ସାଙ୍ଗରେ ଆ ।’’ ଯମୁନା ଅନ୍ୟ ଉପାୟ ନ ଦେଖି ବିନା ବାକ୍ୟ ବ୍ୟୟରେ ମନ୍ତ୍ରଚାଳିତବତ୍ ବୃଦ୍ଧାର ଅନୁଗାମିନୀ ହେଲେ ।

 

[ ତେତ୍ରିଶ୍ ]

 

କଲିକତା ସହରର ଲୋଅର୍‌ ଚିତ୍‌ପୁର ସଡ଼କର ଏକ ଗଳିରେ ଗୋଟିଏ ଘୋଡ଼ାଗାଡ଼ି ଆସି ଛିଡ଼ା ହେଲା । ଗାଡ଼ି ମଧ୍ୟରୁ ଜଣେ ବୃଦ୍ଧା ଓ ଜଣେ ଯୁବତୀ ବାହାରି ପଡ଼ିଲେ । ଯୁବତୀଟି ଆମର ପୂର୍ବ ପରିଚିତା ଯମୁନା ।

 

ବୃଦ୍ଧା ଗୋଟିଏ ଘର ସାମନାରେ ଛିଡ଼ା ହୋଇ ଡାକିଲା ‘‘ଶୈଳ ! ଶୈଳ !’’ ଘର ଭିତରୁ ପନ୍ଦର ଷୋଳବର୍ଷର ଯୁବତୀ ବାହାରି ଆସିଲା । ବୃଦ୍ଧା ଆଗନ୍ତୁକା ଯୁବତୀଟିକୁ କଅଣ ଇଙ୍ଗିତରେ କହି ଯମୁନାଙ୍କୁ କହିଲା, ‘‘ଯା ମା ! ଉପରକୁ ଯା । ମୁଁ ଗାଡ଼ିଭଡ଼ା ଛିଣ୍ଡେଇ ଦେଇ ଯାଉଛି ।’’ ଯମୁନା ଆଗନ୍ତୁକା ଯୁବତୀର ଅନୁଗାମିନୀ ହେଲେ ।

 

ଯମୁନାଙ୍କ ରୂପଲାବଣ୍ୟ ଦେଖି ଓ ତାଙ୍କ କଣ୍ଠର ଲଳିତ ସ୍ୱର ଶୁଣି ବୃଦ୍ଧାର ସ୍ୱାମିନୀ ଭାରି ଖୁସି ହେଲେ ଓ ବୃଦ୍ଧାକୁ ଉପଯୁକ୍ତ ପାରିତୋଷିକ ଦେଇ ବିଦାୟ ଦେଲେ । ଯମୁନା ଉକ୍ତ ବେଶ୍ୟାଘରେ ରହି ସଙ୍ଗୀତ ସଙ୍ଗେ ସଙ୍ଗେ ନୃତ୍ୟ ଶିକ୍ଷା କରିବାକୁ ଲାଗିଲେ । କ୍ରମେ କ୍ରମେ ଯମୁନା ନୃତ୍ୟ ବିଦ୍ୟାରେ ବିଶେଷ ପାରଦର୍ଶୀ ହୋଇ ଉଠିଲେ । ମଉଜ ମଜଲିସରେ ନାଟ ଗାଉଣା କରିବା ପାଇଁ ଯମୁନାଙ୍କ ନିକଟକୁ ଡାକରା ଆସିବାରେ ଲାଗିଲା । କ୍ରମେ କ୍ରମେ ଯମୁନାଙ୍କ ନାମ କଲିକତା ସହରରେ ବିଖ୍ୟାତ ହୋଇ ଉଠିଲା ।

 

ବର୍ତ୍ତମାନ ଯମୁନା ସ୍ୱାଧୀନଭାବରେ ବ୍ୟବସାୟ ଚଳାଇବାରେ ଲାଗିଲେ । ଯମୁନାଙ୍କର ଲଳିତ ମଧୁର କଣ୍ଠର ସଙ୍ଗୀତଝଙ୍କାର ଶୁଣିବା ପାଇଁ ଓ ତାଙ୍କ ଲାବଣ୍ୟମୟୀ ଅଙ୍ଗଯଷ୍ଟିର ବିଚିତ୍ର ଭାବଭଙ୍ଗୀ ଓ ନୃତ୍ୟକଳା ଦର୍ଶନ କରିବା ପାଇଁ ଶତ ଶତ ଧନୀ ଯୁବକ ଘଣ୍ଟାଏ ଦୁଇ ଘଣ୍ଟା ପାଇଁ ଶହ ଶହ ଟଙ୍କା ଯମୁନାଙ୍କ ପାଦତଳେ ଅଜାଡ଼ିବାରେ ଲାଗିଲେ । ଯମୁନା ବିଳାସ ସ୍ରୋତରେ ପୁଣି ଜୀବନତରୀ ଭସାଇ ଦେଲେ ।

 

ଦିନେ ଯମୁନାଙ୍କ ନିକଟକୁ ଡାକରା ଆସିଲା, ବଡ଼ବଜାରର ଜଣେ ଧନୀ ପଶ୍ଚିମା ସେଠଙ୍କ ଘରୁ । ଯମୁନା କାଳ ବିଳମ୍ବ ନ କରି ନାନାପ୍ରକାର ବହୁମୂଲ୍ୟ ରତ୍ନଖଚିତ ଅଳଙ୍କାର ଧାରଣ ପୂର୍ବକ ସୁନା ଜରିଲଗା ବନାରସୀ ଶାଢ଼ି ପରିଧାନ କରି ଯେତେବେଳେ ଯାଇ ଟେବୁଲ ଉପରେ ଥୁଆ ହୋଇଥିବା ବଡ଼ ଆରସି ସମ୍ମୁଖରେ ଛିଡ଼ା ହେଲେ ସେତେବେଳେ ନିଜର ରୂପ ଓ ବେଶଭୂଷା ଦେଖି ନିଜେ ଚମକି ପଡ଼ିଲେ ଏଁ ! ସତେ କଅଣ ସେ ଏଡ଼େ ସୁନ୍ଦର ! ନିଜର ରୂପରେ ନିଜେ ମୁଗ୍ଧା ହୋଇ ଯମୁନା ଟିକିଏ ହସି ପକାଇଲେ । ଦରଓ୍ୱାନ ଆସି ଖବର ଦେଲା ‘‘ବାଈଜୀ ! ଦରବାଜା ମେ ଗାଡ଼ି ଖାଡ଼ୀହୋଇ ।’’ ଯମୁନା ତରତର କରି କୋଠା ଉପରୁ ଓହ୍ଳାଇ ଯାଇ ଗାଡ଼ିରେ ବସିଲେ ।

 

କଲିକତା ସହର ବଡ଼ ବଜାର ଉପରେ ଗୋଟିଏ ଚାରିମହଲା କୋଠା ସମାନାରେ ଆସି ଗାଡ଼ି ଛିଡ଼ା ହେଲା । ଯମୁନା ଗାଡ଼ିରୁ ଓହ୍ଳାଇ ପଡ଼ିଲେ । ଦରୁଓ୍ୟାନ ବାଈଜୀଙ୍କୁ ତିନି ସଲାମ ଠୁଙ୍କି କୋଠା ଉପର ମଜଲିସ୍‌ ଘରକୁ ନେଇଗଲା ।

 

ତିନିମହଲା ଉପରେ ଗୋଟିଏ ପ୍ରଶସ୍ତ କକ୍ଷ, ବିଦ୍ୟୁତ୍ ଆଲୋକରେ ଆଲୋକିତ । ଘରର ଚଟାଣରେ ନାନା ରଙ୍ଗର ସୁନ୍ଦର ସୁନ୍ଦର କାଶ୍ମୀରୀ ଗାଲିଚା ବିଛା ହୋଇଛି । ଅତର ଲେଭେଣ୍ଡର ଗନ୍ଧରେ ଘରଟି ମହକି ଉଠୁଛି । ମଥା ଉପରେ ବୈଦ୍ୟୁତିକ ପଙ୍ଖା ଘର୍‌ ଘର୍‌ ହୋଇ ଘୂରି ସେ ସୁବାସକୁ ଚତୁର୍ଦ୍ଦିଗରେ ମହକାଇ ଦେଉଛି । ଉକ୍ତ ମଜଲିସ୍‌ଗୃହର ଏକ ପାର୍ଶ୍ୱରେ ବଡ଼ ବଡ଼ ତକିଆକୁ ଆଉଜି ଘରର ମାଲିକ ସେଠ୍ ଦୌଲତ୍‌ରାମ ବସିଅଛନ୍ତି । ତାଙ୍କ ପାଖରେ ବସିଛନ୍ତି ଆଉ ଚାରି ଛଅ ଜଣ ସଙ୍ଗୀଲୋକ । ସେଠ୍‌ଜୀ ବନାରସର ଜଣେ ପ୍ରସିଦ୍ଧ ଧନୀ ବଣିକ । କଲିକତା, ବମ୍ବେ, ମାନ୍ଦ୍ରାଜ, ଲାହୋର ପ୍ରଭୃତିର ଭାରତର ବଡ଼ ବଡ଼ ସହରମାନଙ୍କରେ ତାଙ୍କର କାରବାର ଅଛି-। ସେଠ୍‌ଜୀଙ୍କର ବୟସ ପ୍ରାୟ ଚାଳିଶ ହେବ ଦେଖିବାକୁ ବେଶ୍ ଗୋଲ୍‌ଗାଲ୍ ଚେହେରା । ବର୍ତ୍ତମାନ ସେ କଲିକତାର କାରବାର ଦେଖିବାକୁ ଆସିଛନ୍ତି । ସେଥିପାଇଁ ଏ ମଜଲିସ୍‌ର ଆୟୋଜନ-

 

ବାଈଜୀ ମଜଲିସ୍ ଗୃହରେ ପ୍ରବେଶ କଲାକ୍ଷଣି, ସେଠ୍‌ଜୀଙ୍କର ସଙ୍ଗୀ ଲୋକେ ଉଠି ପଡ଼ିଲେ ଓ ସେଠ୍‌ଜୀଙ୍କୁ ବାଈଜୀଙ୍କ ସହିତ ପରିଚିତ କରାଇ ଦେଲେ ।

 

ମଧୁର ଝଙ୍କାରରେ ସାରଙ୍ଗୀ ବାଜି ଉଠିଲା । ବାଈଜୀ ଲଳିତ ଅଙ୍ଗ ଭଙ୍ଗୀ ସହିତ ନୃତ୍ୟ ଆରମ୍ଭ କଲେ । ସେଠ୍‌ଜୀଙ୍କର ପାଖଲୋକେ ବରାତ କଲେ, ‘‘ଏକ୍‌ଠୋ ଗାଇଏ’’ । ବାଈଜୀ ସଙ୍ଗୀତ ଆରମ୍ଭ କଲେ ।

 

‘‘ପର ଦେଶୀ ବଧୁଁଆ ଏଲେ କିହେ ଏତଦିନେ !’’

 

ବାଈଜୀଙ୍କର ଲଳିତ କଣ୍ଠର ସଙ୍ଗୀତଝଙ୍କାର, ଲାବଣ୍ୟମୟୀ କ୍ଷୀଣ ଅଙ୍ଗଲତାର ବିଚିତ୍ରଭଙ୍ଗୀ ଓ ଆୟତ ଚକ୍ଷୁର ବିଲୋଳ କଟାକ୍ଷରେ ସେଠ୍‌ଜୀ ତନ୍ମୟ ହୋଇ ପଡ଼ିଲେ ।

 

ଏହିପରି ଦୁଇ ଚାରିଦିନ ଯମୁନା ସେଠ୍‌ଜୀଙ୍କର ମଜଲିସ୍‌ରେ ଯୋଗ ଦେବାକୁ ଗଲେ । ସେଠ୍‌ଜୀ ଆଉ ସମ୍ଭାଳି ପାରିଲେ ନାହିଁ । ମୁଗ୍ଧ ପତଙ୍ଗବତ୍‌ ଯମୁନାଙ୍କର ରୂପାନଳରେ ଝାସ ଦେଲେ, ତାଙ୍କର ଅଗାଧ ସମ୍ପତ୍ତିର ବିନିମୟରେ ଯମୁନାଙ୍କର ଅନୁଗ୍ରହ ଭିକ୍ଷା କଲେ ।

 

ସଂସାରରେ ଅର୍ଥର ଅସାଧ୍ୟ କିଛି ନାହିଁ । ଅର୍ଥର ପ୍ରଲୋଭନକୁ ଏଡ଼ି ନ ପାରି ଯମୁନା ଅକୁଣ୍ଠିତ ଚିତ୍ତରେ ସେଠ୍‌ଜୀଙ୍କର ପ୍ରସ୍ତାବରେ ସମ୍ମତା ହେଲେ ।

 

କିଛିଦିନ ପରେ ଯମୁନା କଲିକତାର କୋଠାବାଡ଼ି ବିକ୍ରୟ କରି ସେଠ୍‌ଜୀଙ୍କ ସଙ୍ଗେ ବନାରସ ଚାଲିଗଲେ ।

 

[ ଚଉତ୍ରିଶ ]

 

ବନାରସ ସହରର ଏକ ପ୍ରାନ୍ତରେ ଗଙ୍ଗାକୂଳରେ ଗୋଟିଏ ପ୍ରକାଣ୍ଡଉଦ୍ୟାନ ଓ ତନ୍ମଧ୍ୟରେ ଗୋଟିଏ ସୁନ୍ଦର ସୁସଜ୍ଜିତ ଦ୍ୱିତଳ ପ୍ରାସାଦ । ଉକ୍ତ ପ୍ରାସାଦଟି ଯମୁନାଙ୍କ ବାସଭବନରୂପେ ନିରୂପିତ ହେଲା । ସେଠ୍‌ଜୀଙ୍କର ନିଜ ବାସଭବନଠାରୁ ଉକ୍ତ ଉଦ୍ୟାନଭବନ ପ୍ରାୟ ଏକ ମାଇଲ୍‌ ଛଡ଼ା । ଉକ୍ତ ଭବନରେ ଯେ ଯମୁନା ଏକୁଟିଆ ରହିଲେ, ତାହା ନୁହେ । ଯମୁନା ଯିବା ପୂର୍ବରୁ ମଧ୍ୟ ସେଠ୍‌ଜୀଙ୍କର ଆଉ ଦୁଇ ଚାରିଟି ପ୍ରେୟସୀ ଉକ୍ତ ଉଦ୍ୟାନଭବନର ଶୋଭା ବର୍ଦ୍ଧନ କରୁଥିଲେ । ସେଠ୍‌ଜୀଙ୍କର ଅଧିକାଂଶ ସମୟ ଉକ୍ତ ଉଦ୍ୟାନଭବନରେ କଟିଯାଏ । ବିଶେଷତଃ ଯମୁନାଙ୍କୁ ପାଇଲା ଦିନୁଁ ସେଠ୍‌ଜୀ ତାଙ୍କ ପ୍ରତି ବିଶେଷ ଅନୁରକ୍ତ ହୋଇ ପଡ଼ିଥିଲେ ।

 

ଉକ୍ତ ଉଦ୍ୟାନଭବନର ଦ୍ୱିତଳ ଉପରେ ଗୋଟିଏ ସୁସଜ୍ଜିତ ପ୍ରଶସ୍ତ କକ୍ଷ ଯମୁନାଙ୍କର ଶୟନାଗାରରୂପେ ନିର୍ଦ୍ଧାରିତ ହୋଇଥିଲା । ଉକ୍ତ କକ୍ଷର ପ୍ରଶସ୍ତ ଖିଡ଼ିକି ଖୋଲିଦେଲେ କଳ-କଲ୍ଲୋଳିନୀ ଶୁଭ-ସଲିଳା ଗଙ୍ଗାନଦୀର ବିଚିତ୍ର ବିଚିଭଙ୍ଗ ଦୃଷ୍ଟିଗୋଚର ହୁଏ । ସେଠ୍‌ଜୀଙ୍କର ଅନୁଗ୍ରହ ଲାଭ କରି ଯମୁନା ବେଶ୍‌ ଆନନ୍ଦରେ, ବେଶ୍‌ ମଉଜରେ କେତେ ଦିନ କଟାଇ ଦେଲେ ।

 

ଚିରଦିନ କାହାରି କପାଳରେ ସୁଖଭୋଗ ଲେଖାନାହିଁ । ସୁଖ ପରେ ଦୁଃଖ, ଦୁଃଖ ପରେ ସୁଖ, ଏଇଟା ଗୋଟାଏ ସଂସାରର ଧରାବନ୍ଧା ନିୟମ । ସେ ନିୟମ ବ୍ୟତିକ୍ରମ ହେବାର କଦାଚିତ୍ ଦେଖାଯାଏ । ନିରବଚ୍ଛିନ୍ନ ସୁଖଭୋଗ କାହାରି ଭାଗ୍ୟରେ ଘଟେନାହିଁ ।

 

ଯମୁନାଙ୍କର ସୁଖର ଦିନ କ୍ରମେ ଶେଷ ହେବାକୁ ବସିଲା । ଯୌବନର ପ୍ରାରମ୍ଭର ଶରୀର ପ୍ରତି ଭ୍ରୂକ୍ଷେପ ନ କରି ଯଥେଚ୍ଛା ଭୋଗ ବିଳାସରେ ବିଲିପ୍ତ ଥିବାରୁ ଯମୁନାଙ୍କର ଶରୀର ମଧ୍ୟରେ ଅନେକ ଦିନୁଁ ଗୋଟିଏ କୁତ୍ସିତ ରୋଗ ପ୍ରବେଶ କରିଥିଲା, କିନ୍ତୁ ଉଦ୍ଦାମ ଯୌବନର ପ୍ରବଳ ଉତ୍ତେଜନା ଯୋଗୁଁ ତାହା ସେତେ ପ୍ରଭାବ ବିସ୍ତାର କରି ପାରି ନ ଥିଲେ । ବୟସର ଆଧିକ୍ୟ ସଙ୍ଗେ ସଙ୍ଗେ ତାହା ପ୍ରକାଶ ପାଇଲା ଓ ଯମୁନାଙ୍କର ବିଦ୍ୟୁତ୍‌ପ୍ରଭା କାନ୍ତି କ୍ରମଶଃ ମ୍ଳାନତର ହେବାରେ ଲାଗିଲା ଓ ଶରୀର ଶୀର୍ଣ୍ଣତର ହେଲା ।

 

ଯମୁନାଙ୍କର ରୋଗବୃଦ୍ଧି ଓ ସୌନ୍ଦର୍ଯ୍ୟହାନି ସଙ୍ଗେ ସଙ୍ଗେ ସେଠ୍‌ଜୀଙ୍କର ଆଦର ସୁହାଗ ତାଙ୍କଠାରୁ ଊଣା ହେବାରେ ଲାଗିଲା । ଏହି ସମୟରେ ଆଉ ଗୋଟିଏ ନୂତନ ପ୍ରେୟସୀଙ୍କ ସଙ୍ଗରେ ସେଠ୍‌ଜୀଙ୍କର ସାକ୍ଷାତ ହେବାରୁ ସେ ଯମୁନାଙ୍କୁ ଏକାବେଳେ ପରିତ୍ୟାଗ କଲେ ।

 

ବର୍ତ୍ତମାନ ଯମୁନା ପ୍ରକୃତରେ ନିଃସ୍ୱା ହୋଇ ପଡ଼ିଲେ । ତାଙ୍କର ଶେଷ ସମ୍ବଳ ରୂପ ଓ ଯୌବନ ମଧ୍ୟ ତାଙ୍କୁ ପରିତ୍ୟାଗ କଲା । ବାସ୍ତବିକ ଯେଉଁ ଦିନ ଯମୁନାଙ୍କ ସୁସଜ୍ଜିତ ଶୟନ କକ୍ଷରେ ସେଠ୍‌ଜୀଙ୍କର ନୂତନ ପ୍ରେୟସୀ ଦଖଲ କରି ବସିଲେ ଓ ଯମୁନାଙ୍କ ପାଇଁ ନିମ୍ନତଳର ଗୋଟିଏ ସାଧାରଣ ଗୃହର ବ୍ୟବସ୍ଥା କରାଗଲା, ସେ ଦିନ ଯମୁନାଙ୍କର ଅନ୍ତର ଅପମାନ, ଲଜ୍ଜା ଓ ଘୃଣା, ଈର୍ଷା, ରାଗ ଓ ଅନୁତାପର କଶାଘାତରେ ଜର୍ଜରିତ ହୋଇ ଉଠିଲା ।

 

ଓଃ ! ଭାଗ୍ୟର କି ଅଦ୍ଭୁତ ପରିବର୍ତ୍ତନ ! ଦିନେ ଯେଉଁ ଯମୁନାଙ୍କର ଗୋଟିଏ ମାତ୍ର କଟାକ୍ଷ ଲାଭ କରିବାପାଇଁ ସେଠ୍‌ଜୀ ତାଙ୍କର ଅତୁଳ ସମ୍ପଦ ନେଇ ତାଙ୍କ ପାଦତଳେ ଅଜାଡ଼ି ଦେଇଥିଲେ, ସେହି ସେଠ୍‌ଜୀ ଆଜି ଭୁଲ୍‌ରେ ସୁଦ୍ଧା ତାଙ୍କପ୍ରତି ଥରେ ମାତ୍ର ଦୃଷ୍ଟିକ୍ଷେପ କରୁ ନାହାନ୍ତି-। ସେହି ଯମୁନା ତ ଅଛନ୍ତି, କିନ୍ତୁ ସେଠ୍‌ଜୀଙ୍କର ଆଜି ତାଙ୍କ ପ୍ରତି ଏତେ ବିରାଗ କାହିଁକି-? ସେହି ଯମୁନା ଅଛନ୍ତି ସତ କିନ୍ତୁ ତାଙ୍କର ସେ ଋଷିମନମୋହନ ବିଲୋଳ କଟାକ୍ଷ ନାହିଁ, ତାଙ୍କର ରସାଳ ରକ୍ତିମ ଅଧରରେ ଆଉ ସେ ସୁହାସ ନାହିଁ, ତାଙ୍କର ସ୍ୱରରେ ଆଉ ସେ ମାଧୁରୀ ନାହିଁ-। ବର୍ତ୍ତମାନ ଯମୁନା ନାମମାତ୍ର ଯମୁନା । ସେଠ୍‌ଜୀ ତ ଯମୁନାକୁ ପ୍ରେମ କରି ନ ଥିଲେ, ସେ ପ୍ରେମ କରିଥିଲେ ତାଙ୍କର ରୂପକୁ—ତାଙ୍କର ଯୌବନକୁ; ବର୍ତ୍ତମାନ ଯମୁନାଙ୍କଠାରେ ଆଉ ସେ ରୂପ ନାହିଁ କି ସେ ଯୌବନ ନାହିଁ; ସୁତରାଂ ଯମୁନାଙ୍କ ପ୍ରତି ସେଠ୍‌ଜୀଙ୍କର ବିରାଗଜାତ ହେବା ବିଚିତ୍ର କଅଣ-? ଧନ୍ୟ ଭାଗ୍ୟଚକ୍ର !

 

ଅନୁତାପ ଓ ଅପମାନର କଶାଘାତରେ ଯମୁନାଙ୍କର ଅନ୍ତର ଜର୍ଜରିତ ହେଲା । ସେ ଆଉ ସମ୍ଭାଳି ପାରିଲେ ନାହିଁ, ଦିନେ ସନ୍ଧ୍ୟା ସମୟରେ ସେଠ୍‌ଜୀଙ୍କ ଉଦ୍ୟାନ ପ୍ରାସାଦ ଛାଡ଼ି ଚାଲିଗଲେ ।

 

ମାନସିକ ଉତ୍ତେଜନାରେ ଉତ୍ତ୍ୟକ୍ତା ହୋଇ ଯମୁନା ଚାଲିଗଲେ ସତ, କିନ୍ତୁ କିଛି ଦୂର ଗଲା ପରେ ତାଙ୍କ ମନରେ ପଡ଼ିଲା, ସେ ଯାଉଛନ୍ତି କେଉଁଠାକୁ —ତାଙ୍କର ଆଶ୍ରୟସ୍ଥାନ କେଉଁଠାରେ ?

 

ସମ୍ମୁଖରେ ସ୍ୱଚ୍ଛସଲିଳା ଜାହ୍ନବୀର ବିଚିତ୍ର ବୀଚିରଙ୍ଗ ଓ କଳ କଳ ନିନାଦ । ପୂର୍ଣ୍ଣିମା ରଜନୀରେ ଶୁଭ୍ର ଜ୍ୟୋତ୍ସାଧାରୀ ବେଳାଭୂମିର ଶୁଭ୍ର ବାଲୁକା ଶଯ୍ୟାକୁ ଧବଳିତ କରି ଦେଇଛି । ପ୍ରକୃତିର ଦୃଶ୍ୟଟି ଆଜି ବଡ଼ ଶାନ୍ତ, ବଡ଼ ମନୋରମ; ଚତୁର୍ଦ୍ଦିଗ ନୀରବ—ନିସ୍ତବ । ଯମୁନା ବର୍ତ୍ତମାନ ଯେଉଁ ସ୍ଥାନରେ ଆସି ପହଞ୍ଚିଅଛନ୍ତି, ତାହା ନଗରର କୋଳାହଳଠାରୁ ଅନେକ ଦୂରରେ । ସେ ନୀରବତାକୁ ଭଙ୍ଗ କରି ଗଙ୍ଗାବକ୍ଷବିହାରୀ ନାବିକଙ୍କ ଅବାଧ୍ୟ ସଙ୍ଗୀତଧ୍ୱନି ବାୟୁଲହରୀରେ ଭାସି ଆସୁଛି । ଆଉ ମଝିରେ ମଝିରେ ରହି ରହି ପାପିୟା ଚଢ଼େଇ ତାର ସୁଲଳିତ କଣ୍ଠର ଅମୀୟ ସଙ୍ଗୀତ ଢାଳି ଦେଉଛି । ମେଘଯୁକ୍ତ ଜ୍ୟୋତ୍ସ୍ନାଧବଳିତ ଗଗନମଣ୍ଡଳରେ ହୀନପ୍ରଭ ତାରାଟିମାନେ ମିଟି ମିଟି ହୋଇ ଜଳି ଉଠୁଛନ୍ତି । ବାସନ୍ତୀ ଯାମିନୀର ହିଲ୍ଲୋଳ ପବନ ଝଲକାକୁ ଝଲକା ବହି ଆସୁଛି । ଆଜି ପ୍ରକୃତିଟି ବଡ଼ ଶାନ୍ତ, ବଡ଼ ସ୍ନିଗ୍ଧ, ବଡ଼ ଉଜ୍ଝ୍ୱଳ ଦେଖା ଯାଉଛି, କିନ୍ତୁ ଯମୁନାଙ୍କର ଅନ୍ତର ମଧ୍ୟରେ ଆଜି ମହାପ୍ରଳୟର ଲୀଳା—ଘୋର ଅନ୍ଧକାର ! ଅନଭ୍ୟସ୍ତ ଚରଣରେ ଅନେକ ଦୂର ଚାଲି ଆସି ଥିବାରୁ ଯମୁନାଙ୍କର ପାଦ ଅବଶ ହୋଇ ପଡ଼ିଲା, ଶରୀର ଅବସନ୍ନ ବୋଧ ହେଲା, ମଥା ଘୂରେଇ ଦେଲା । ସେ ଲଥ୍ କରି ଜାହ୍ନବୀର ଜ୍ୟୋତ୍ସ୍ନାପ୍ଳୁତ ଶୁଭ୍ର ବାଲୁକାଶଯ୍ୟା ଉପରେ ବସି ପଡ଼ିଲେ ।

 

ଆଜି ଯମୁନାଙ୍କ ମନରେ କେତେ ଅତୀତ ସ୍ମୃତି ଚେଇଁ ଉଠୁଛି । ମନେ ପଡ଼ିଲା, ତାଙ୍କର ଶୈଶବକାଳର କଥା । ପିଲାଟିଦିନୁଁ ସେ ମାତୃଶୂନ୍ୟା । ଘରେ ଅନ୍ୟ କେହି ଆତ୍ମୀୟ ସ୍ତ୍ରୀଲୋକ ନ ଥିବାରୁ, ଅତିପିଲାଟିଦିନୁଁ ଯମୁନା ଦାସୀ ଚାକରାଣୀଙ୍କ ସଙ୍ଗରେ ବଢ଼ି ଆସି ଥିଲେ । ପିତାଙ୍କର ଯଥେଷ୍ଟ ସମ୍ପତ୍ତି ଥିବାରୁ ମନମୁତାବକ ଆମୋଦପ୍ରମୋଦ କରିବା ପାଇଁ ତାଙ୍କୁ ବେଶ୍‌ ସୁଯୋଗ ଓ ସୁବିଧା ମିଳିଥିଲା । ମା’ ଛେଉଣ୍ଡ କନ୍ୟାଟିର ଅସୁବିଧା ହେବ ଭାବି ଚୌଧୁରୀଏ ଆଉ ଦ୍ୱିତୀୟ ଦାରଗ୍ରହଣ କରି ନ ଥିଲେ । କନ୍ୟାଟିର ମନରେ ଯେପରି ମାତୃଶୋକ କ୍ଷଣକ ପାଇଁ ସୁଦ୍ଧା ଜଳି ନ ଉଠେ ସେଥିପାଇଁ ଅବାଧରେ ତାର ମନୋମତ ଜିନିଷ ତାକୁ ଯୋଗାଇ ଦେଉଥିଲେ । କିନ୍ତୁ ଏପରି ଅବାଧ ପ୍ରଶ୍ରୟ ଦେବାଦ୍ୱାରା ଅଜ୍ଞାତ ଭାବରେ ସେ ଯେ କନ୍ୟାର ଭବିଷ୍ୟତକୁ କିପରି ଛାରଖାର କରି ଦେଇଥିଲେ, ତାହା ଚୌଧୁରୀଙ୍କ ସନ୍ତାନବତ୍ସଳ ହୃଦୟ ସେତେବେଳେ ଜାଣି ପାରି ନ ଥିଲା । ଅତି ପିଲାଟି ଦିନରୁ ନୀଚପ୍ରକୃତି ଦୁଶ୍ଚରିତ୍ରା ଦାସୀମାନଙ୍କ ସାହଚର୍ଯ୍ୟରେ ପଡ଼ି ଯମୁନାଙ୍କର ଚରିତ୍ର କଳଙ୍କିତ ହୋଇ ଯାଇଥିଲା । ସ୍ୱୀୟ ଅର୍ଥଲାଳସା ଓ କୁପ୍ରକୃତି ଚରିତାର୍ଥ କରିବାପାଇଁ ଦୁଶ୍ଚରିତ୍ରା ସହଚରୀମାନେ ଯମୁନାଙ୍କର ଅଧୋଗମନରେ ବିଶେଷ ସହାୟତା କରିଥିଲେ ଓ ଯମୁନାଙ୍କ ବାଳିକାସୁଲଭ ସରଳ ହୃଦୟରେ କୁପ୍ରବୃତ୍ତିର ବୀଜ ବପନ କରି ଦେଇଥିଲେ ଓ ଉକ୍ତ ବୀଜର ଅଙ୍କୁରୋଦ୍ଗମ ପାଇଁ ନାନାପ୍ରକାର ସୁବିଧା ଓ ସୁଯୋଗ ଜୁଟାଇ ଦେଇଥିଲେ । ସେହି କ୍ଷୁଦ୍ର ଅଙ୍କୁରଟି ଯେ ଦିନେ ବିଷବୃକ୍ଷରେ ପରିଣତ ହୋଇ ଯମୁନାଙ୍କର ଜୀବନସୌଧକୁ ଏକାବେଳକେ ବିଧ୍ୱସ୍ତ କରି ଦେବ, ତାହା ସଂସାରଜ୍ଞାନବିହୀନା ଯମୁନାଙ୍କ ସରଳ ହୃଦୟ ସେତେବେଳେ ଜାଣି ପାରି ନ ଥିଲା । ସେ ବିଷବୃକ୍ଷର ଫଳ ଆଜି ଫଳିଛି ।

 

ଓଃ ! କି ଯନ୍ତ୍ରଣା । ଯମୁନାଙ୍କର ହୃଦୟ ଅନୁଶୋଚନାରେ ତିଳ ତିଳ ହୋଇ ଦଗ୍‌ଧ ହେବାରେ ଲାଗିଲା । ଯମୁନା ଉପରକୁ ଚାହିଁ ଦେଖିଲେ, ଠିକ୍‌ ମଥା ଉପରେ ଗୋଟିଏ ଉଜ୍ଜ୍ୱଳ ତାରକା ଦପ୍‌ ଦପ୍‌ ହୋଇ ଜଳି ଉଠୁଛି । ଯମୁନା ଅନେକ ଭାବିଲେ, ଅନେକ ଚିନ୍ତା କଲେ, କିନ୍ତୁ ତାଙ୍କ ମାତାଙ୍କର ମୁଖକୁ ସ୍ମୃତିପଥକୁ ଆଣି ପାରିଲେ ନାହିଁ, କାରଣ—ଅତି ଶୈଶବରୁ ସେ ମାତୃହୀନା । ଯମୁନାଙ୍କର ଅନ୍ତର କାନ୍ଦି ଉଠିଲା । ଯମୁନା ବିକଳ ହୋଇ ଡାକିଲେ—‘‘ମା ! ମା ! ତୁ କାହିଁକି ମୋତେ ଛାଡ଼ି ଚାଲି ଯାଇଥିଲୁ । ତୁ ଚାଲି ଯାଇ ନ ଥିଲେ ତ ତୋ କନ୍ୟାର ଆଜି ଏ ଦୁର୍ଦ୍ଦଶା ହୋଇ ନ ଥାନ୍ତା ।’’ ଯମୁନାଙ୍କର ଅନ୍ତର ମଧ୍ୟରୁ କିଏ ଜବାବ ଦେଲା, ‘‘ପାଗଳି ! ସେଇଟା ତୋ ଭାଗ୍ୟ !’’

 

ଯମୁନା ପୁଣି କହିଲେ, ‘‘ବାପା ! ବାପା ! ତୁମେ କାହିଁକି ମୋ ଲାଳନପାଳନର ଭାର ସେହି ଦୁଶ୍ଚରିତ୍ରା ଦାସୀମାନଙ୍କ ହସ୍ତରେ ଅର୍ପଣ କରି ମୋ ଭବିଷ୍ୟତକୁ ଏପରି ଛାରଖାର କରିଦେଲ ? ତୁମେ କାହିଁକି ମୋ ଭୋଗବିଳାସକୁ ଅବାଧରେ ପ୍ରଶ୍ରୟ ଦେଇଥିଲ ? ତୁମେ ଯଦି ଟିକିଏ ନଜର ଦେଇଥାନ୍ତ ତେବେ ତ ମୋର ଆଜି ଏ ଦୁର୍ଦ୍ଦଶା ହୋଇ ନ ଥାନ୍ତା !’’ ଯମୁନାଙ୍କର ଅନ୍ତର ମଧ୍ୟରୁ କିଏ ଜବାବ ଦେଲା, ‘‘ପାଗଳି ! ବାପର ଦୋଷ କଅଣ ? ବାପ ତ କିଛି ତୋ ଅମଙ୍ଗଳ କାମନା କରି ତୋତେ ପ୍ରଶ୍ରୟ ଦେଇ ନ ଥିଲେ, ସେ ତୋତେ ତାଡ଼ନା କରି ନ ଥିଲେ ସନ୍ତାନସ୍ନେହରେ ଅନ୍ଧ ହୋଇ, ସେଇଟା ତୋର ଭାଗ୍ୟର ଫଳ ।’’

 

ଯମୁନା ଭାବିଲେ—ତେବେ ଦୋଷ କାହାର ? ଗୁରୁବାରୀର ? ହଁ ଗୁରୁବାରୀର ! ଯମୁନା କହି ଉଠିଲେ—‘‘ଗୁରୁବାରୀ ! ମୋର ମା ନ ଥିଲେ ବୋଲି ତୋରି ହାତରେ ବାପା ମୋ ଲାଳନପାଳନର ଭାର ସମର୍ପି ଦେଇଥିଲେ । ତୁ ତ ଯେତେବେଳେ ଯାହା ଚାହିଁଛୁ, ମୁଁ ଅକାତରରେ ତୋତେ ଦାନ କରିଛି, ତେବେ ମୋ ଜୀବନଟାକୁ ଏପରି ଧ୍ୱଂସ କରି ଦେଇ ତୋର କି କି ଲାଭ ହେଲା ? ମୋ ମନରେ ପ୍ରଥମେ ଏ କୁପ୍ରବୃତ୍ତିର ବୀଜ ବପନ କଲା କିଏ ? ତୁହି, ତୁହି ଗୁରୁବାରୀ ! ଓଃ ସେ ଦିନର କଥା ମନେ ପଡ଼ିଲା ବେଳକୁ ଦେହ ଶୀତେଇ ଉଠୁଛି । ସେଦିନ ମନରେ ଭାରି ଭୟ ଜାତ ହେଉଥିଲା । ଅଭୟ ଦେଲା କିଏ ? ତୁହି, ତୁହି ଗୁରୁବାରୀ ! ଧିକ୍‌ ! ପିଶାଚୀ ! ରାକ୍ଷସୀ ଅର୍ଥଲୋଭର ବଶୀଭୂତା ହୋଇ ତୁ କଅଣ ନ କଲୁ ? ଯମୁନାଙ୍କ ଅନ୍ତର ମଧ୍ୟରୁ ଜବାବ୍‌ ହେଲା, ‘‘ପାଗଳି ! ଗୁରୁବାରୀର ଦୋଷ କଅଣ ? ସେଇଟା ଯେ ତୋ ଭାଗ୍ୟରେ ଅଛି ।’’

 

ଏଁ ! ତେବେ ଗୁରୁବାରୀର ଦୋଷ ନାହିଁ ? ତେବେ ଦୋଷ କାହାର ? ସାଆନ୍ତରାଙ୍କର-? ମୋ ସ୍ୱାମୀଙ୍କର ? ସ୍ୱାମୀ ! ଯମୁନାଙ୍କର ଦେହ ଶୀତେଇ ଉଠିଲା । ସ୍ୱାମୀ ? ସ୍ୱାମୀ କିଏ ମୋର-? ସାଆନ୍ତରା ? ନାଁ, ନାଁ ସାଆନ୍ତରା କେବେ ମୋର ସ୍ୱାମୀ ନୁହନ୍ତି । ଲୋକଦୃଷ୍ଟିରେ ସାଆନ୍ତରାଙ୍କ ହାତରେ ମୋର ହାତଗଣ୍ଠି ପଡ଼ିଥିଲା ସତ, କିନ୍ତୁ ଦିନେ ହେଲେ ମୁହୂର୍ତ୍ତକ ପାଇଁ ସୁଦ୍ଧା ମୁଁ ସାଆନ୍ତରାଙ୍କୁ ସ୍ୱାମୀ ବୋଲି ଭାବି ନାହିଁ । ତେବେ ? ଲୋକେ କହି ପାରନ୍ତି, ସାଆନ୍ତରା ଥିଲେ ମୋ ସ୍ୱାମୀ, କିନ୍ତୁ ମୁଁ ତ କହି ପାରିବି ନାହିଁ । ତେବେ କଅଣ କହିବି ? ସାଆନ୍ତରା ? ହଁ ସାଆନ୍ତରା-। ସେ ଯଦି ବୁଢ଼ା ବୟସରେ ବିବାହ କରି ନ ଥାନ୍ତେ । ଯମୁନାଙ୍କର ଅନ୍ତର ମଧ୍ୟରୁ ପୁଣି କିଏ କହି ଉଠିଲା, ‘‘ପାଗଳି ! ସାଆନ୍ତରାଙ୍କୁ ଅକାରଣେ ଦୋଷ ଦେଉଛୁ ! ସେଇଟା ଯେ ତୋ ଭାଗ୍ୟରେ ଥିଲା ।’’

 

ତେବେ ଦାମୋଦର ? ଯମୁନାଙ୍କର ଅନ୍ତର ମୁହୂର୍ତ୍ତକପାଇଁ ପୁଲକିତ ହୋଇ ଉଠିଲା । ତାଙ୍କର ଅଜ୍ଞାତସାରରେ ଏ ଦୁର୍ଦ୍ଦିନରେ ସୁଦ୍ଧା ତାଙ୍କ ମନରେ କିପରି ଗୋଟାଏ ଅନିର୍ବଚନୀୟ ଆନନ୍ଦର ସ୍ରୋତଖେଳିଗଲା । ଯମୁନା ଭାବିଲେ—ଯଦି ସେ ଜୀବନରେ ମୁହୂର୍ତ୍ତକ ପାଇଁ କାହାରିକୁ ପ୍ରେମ କରିଥାଆନ୍ତି, ତେବେ ସେ—ଦାମୋଦର । ମନେ ପଡ଼ିଲା, ଠିକ୍‌ ଏମିତିକା ଗୋଟିଏ ରାତି, ଯେତେବେଳେ ଯମୁନା ସାଆନ୍ତରାଙ୍କ ଘର ଛାଡ଼ି ଚାଲି ଆସିଥିଲେ । ତା ପରେ ଯେଉଁଦିନ ତାଙ୍କର ପ୍ରଥମେ ଦୃଷ୍ଟି ପଡ଼ିଲା ଦାମୋଦରଙ୍କର କମନୀୟ କାନ୍ତି ଉପରେ, ସେତେବେଳେ ତାଙ୍କର ସର୍ବାଙ୍ଗରେ କିପରି ବିଦ୍ୟୁତ୍‌ ସ୍ରୋତ ଖେଳି ଯାଇଥିଲା । ଦିନେ-ଦିନେ ସେହି ଦାମୋଦରଙ୍କ ସହିତ ପିତା ତାଙ୍କର ବିବାହସମ୍ବନ୍ଧ ସ୍ଥିର କରିଥିଲେ । ତାକୁ ଭାଙ୍ଗି ଦେଇଥିଲା କିଏ ? ସେ ନିଜେ ! ତା ନ ହୋଇଥିଲେ ତାଙ୍କ ଜୀବନର ଗତି ଅନ୍ୟ ପ୍ରକାର ହୋଇଥାନ୍ତା । ମନେ ପଡ଼ିଗଲା, ବିମଳା କଥା । ସ୍ୱାମୀସୁହାଗିନୀ ଭାଗ୍ୟବତୀ ବିମଳା ! ମନେ ହେଲା, ହୁଏ ତ ବିମଳା ପୁଅକୁ ଘେନି ଏହି ସମୟରେ ଚାନ୍ଦିନୀ ରାତିରେ ବସି ସ୍ୱାମୀଙ୍କ ସହିତ ଗପ କରୁଥିବ, ହସ କୌତୂକ କରୁଥିବ । ଅଜାଣିତ ଭାବରେ ବିମଳା ଉପରେ ଯମୁନାଙ୍କର ଈର୍ଷାବହ୍ନି ଜଳି ଉଠିଲା । ଯମୁନାଙ୍କ ଚକ୍ଷୁରେ ଅବିରଳଧାରାରେ ଲୋତକବାରି ବହିବାରେ ଲାଗିଲା । ଯମୁନାଙ୍କ ଅନ୍ତର ଦେବତା ଉତ୍ତର ଦେଲେ, ‘‘ପାଗଳି ! ବିମଳାକୁ ଅକାରଣ ଦୋଷ ଦେଉଛୁ । ତୋ ଭାଗ୍ୟଲିପି କିଏ ଖଣ୍ଡନ କରିବ ?’’

 

ଯମୁନା ଭାବିଲେ—ତେବେ ଦୋଷୀ କିଏ ? ସେହି ବୃଦ୍ଧା ବେଶ୍ୟାବ୍ୟବସାୟିନୀ ? ହଁ ନିଶ୍ଚୟ, ସେଇ ଦୋଷୀ । ଯମୁନାଙ୍କ ଅନ୍ତରରୁ ଶବ୍ଦ ଉଠିଲା, ‘‘ପାଗଳି ! ସେ କାହିଁକି ଦୋଷୀ ହେବ-? ସେଇଟା ତ ତାର ବ୍ୟବସାୟ । ତାକୁ କାହିଁକି ଦୋଷ ଦେଉଛୁ ? ସେଇଟା ତ ତୋ ଭାଗ୍ୟରେ ଥିଲା ।’’

 

ଯମୁନା ଭାବିଲେ—ତେବେ ଦୋଷୀ ନିଶ୍ଚୟ ସେଠ୍‌ଜୀ । ସେ ଯଦି ତାଙ୍କୁ ଭୁଲାଇ ଏଠାକୁ ନେଇ ଆସି ନଥାନ୍ତେ, ତେବେ ତାଙ୍କୁ ଏତେ ଦୁର୍ଦ୍ଦଶା ଭୋଗିବାକୁ ହୋଇ ନ ଥାନ୍ତା । କଲିକତାରେ ତ ସେ ବେଶ୍‌ ଥିଲେ । ଯମୁନାଙ୍କ ଅନ୍ତର ଦେବତା ପୁଣି କହି ଉଠିଲେ—‘‘ପାଗଳି ! ସେଠ୍‌ଙ୍କର ଦୋଷ କଅଣ ? ସେ ତ କେବଳ ତୋତେ ଭୁଲାଇ ନାହାନ୍ତି, ତୋ ପରି କେତେ ତାଙ୍କ ପ୍ରଲୋଭନରେ ଭୁଲିଛନ୍ତି; ସୁତରାଂ ତାଙ୍କର ଦୋଷ କଣ ? ସେଟା ଯେ ତୋ ଭାଗ୍ୟରେ ଥିଲା !’’

 

ତେବେ ଦୋଷ କାହାର ? ଆଜି ମୋର ଏ ଦୁର୍ଦ୍ଦଶା ପାଇଁ ଦାୟୀ କିଏ ? ଭାଗ୍ୟ ? ଯମୁନାଙ୍କର ଅନ୍ତରଦେବତା ଉତ୍ତର ଦେଲେ—‘‘ହଁ ଭାଗ୍ୟ ! ସଂସାର ମଧ୍ୟରେ ଭାଗ୍ୟଚକ୍ରର ଆବର୍ତ୍ତନରେ ସମସ୍ତ ସଂଘଟିତ ହେଉଛି । ସେଥିରେ ମନୁଷ୍ୟର ହାତ ନାହିଁ । ଭାଗ୍ୟର ଗତି ଫେରାଇବା ମନୁଷ୍ୟର ଅସାଧ୍ୟ । ମନୁଷ୍ୟର ବୁଦ୍ଧି ମାୟାରେ ଜଡ଼ିତ ବୋଲି, ସୁଭାଗ୍ୟବଳରେ କୌଣସି ସତ୍‌କାର୍ଯ୍ୟ କଲେ ସେ ବୃଥା ଆସ୍ଫାଳନ କରେ ଓ ଦୁର୍ଭାଗ୍ୟବଶରୁ କୌଣସି ଦୁଷ୍କର୍ମ କଲେ ବୃଥାରେ ଆତ୍ମଗ୍ଳାନି କରେ । ସୁଖ ହେଉ ବା ଦୁଃଖ ହେଉ, ପାପ ହେଉ ବା ପୁଣ୍ୟ ହେଉ, ଧର୍ମ ହେଉ ବା ଅଧର୍ମ ହେଉ, ସଂସାରର ପ୍ରତ୍ୟେକେ ସେହି କାର୍ଯ୍ୟ ଅଦୃଷ୍ଟ ଶକ୍ତିର ଇଙ୍ଗିତରେ ଯନ୍ତ୍ରଚାଳିତବତ୍‌ ସଂଘଟିତ ହୋଇ ଯାଉଛି, ସୁତରାଂ ଯାହା ମନୁଷ୍ୟର ଅନାୟତ୍ତ, ସାଧନାତୀତ, ସେଥିପାଇଁ ବୃଥା ଆକ୍ଷେପ କରିବା କିମ୍ବା ଆତ୍ମଗ୍ଳାନି କରିବା ନିଷ୍ପ୍ରୟୋଜନ ।’’

 

ଠିକ୍‌ ଏତିକିବେଳେ ଅଦୂରରେ ଗଙ୍ଗା ସଲିଳରେ ସନ୍ଧ୍ୟାସ୍ନାନ କରୁଁ କରୁଁ ଜଣେ ସନ୍ନ୍ୟାସୀ ମନ୍ଦ୍ର ଗଭୀରନାଦରେ ଗାଇ ଉଠିଲେ—

 

‘‘ଜାନାମି ଧର୍ମଂ ନ ଚ ମେ ପ୍ରବୃତ୍ତଃ

ଜାନାମ୍ୟଧର୍ମଂ ନ ଚ ମେ ନିବୃତ୍ତଃ ।

ତ୍ୱୟା ହୃଷୀକେଶ ହୃଦି ସ୍ଥିତେନ

ଯଥା ନିଯୁକ୍ତୋଽସ୍ମି ତଥା କରୋମି ।’’

 

ଯମୁନାଙ୍କ ହୃଦୟାକାଶରେ ଯେଉଁ ପ୍ରଳୟ ଝଞ୍ଜା ବହୁଥିଲା, ତାହା ହଠାତ୍‌ ଶାନ୍ତ ହୋଇଗଲା । ତାଙ୍କର ଅନ୍ତରଦେଶରୁ ସେହି ନାରକୀୟ ଅନ୍ଧକାର ଦୂରୀଭୂତ ହୋଇ ନନ୍ଦନର ଅପୂର୍ବ ଜ୍ୟୋତି ଫୁଟି ଉଠିଲା । ମସ୍ତିଷ୍କରୁ ଗୋଟାଏ ଦୁଶ୍ଚିନ୍ତାର ଗୁରୁଭାର ଓହ୍ଲାଇ ଯିବାରୁ ଏତେଦିନ ପରେ ଯମୁନାଙ୍କର ମାନସ ରାଜ୍ୟରେ ଗୋଟିଏ ଆଶ୍ୱସ୍ତିର ପ୍ରବାହ ଖେଳିଗଲା । ଅନୁତାପାନଳରେ ତାଙ୍କର ସମସ୍ତ କଳୁଷ ଭସ୍ମୀଭୂତ ହୋଇ ନାରୀତ୍ୱର ଗୌରବ ଚେତି ଉଠିଲା । ଜାହ୍ନବୀର କଳକଳନିନାଦରେ ଶାନ୍ତିର ଅମର ସଙ୍ଗୀତ ଭାସି ଆସି ଯମୁନାଙ୍କର ପାପତାପଜର୍ଜ୍ଜରିତ ପ୍ରାଣରେ ଏକ ଅପୂର୍ବ ପୁଲକର ସ୍ରୋତ ଖେଳାଇ ଦେଲା । ଶୀକରଶୀତଳ ନୈଶ ସମୀରଣର କୋମଳ ସ୍ପର୍ଶରେ ଯମୁନାଙ୍କର ତନ୍ଦ୍ରାଭିଭୂତ ଚକ୍ଷୁ ନିମୀଳିତ ହୋଇ ଆସିଲା । ସେ ମାନସ ଚକ୍ଷୁରେ ‘‘ଭାଗ୍ୟଚକ୍ର”ର ବିଚିତ୍ର ଲୀଳା ସନ୍ଦର୍ଶନ କରୁଁ କରୁଁ ସେଇ ଜ୍ୟୋତ୍ସ୍ନାଧବଳିତ ଶୁଭ୍ର ସୁଶୀତଳ ବାଲୁକାଶଯ୍ୟା ଉପରେ ଶୋଇ ପଡ଼ିଲେ ।

Image